ସରକାର ଜାତୀୟ ସୁରକ୍ଷା ଆଳରେ ନାଗରିକର ଅଧିକାରକୁ ଛଡେଇ ନେଇ ପାରିବେ ନାହିଁ : ସୁପ୍ରିମ କୋର୍ଟ

ସରକାର ଜାତୀୟ ସୁରକ୍ଷା ଆଳରେ ନାଗରିକର ଅଧିକାରକୁ ଛଡେଇ ନେଇ ପାରିବେ ନାହିଁ : ସୁପ୍ରିମ କୋର୍ଟ

ସରକାର ସପକ୍ଷରେ ଠିଆ ହେବାକୁ ଗଣମାଧ୍ୟମ ବାଧ୍ୟ ନୁହେଁ ଏବଂ ଜାତୀୟ ସୁରକ୍ଷାର ଆଳ ଦେଖାଇ ସରକାର ଗଣମାଧ୍ୟମର କଣ୍ଠରୋଧ କରିପାରିବେ ନାହିଁ ବୋଲି ଆଜି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ମାଲାୟାଲାମ ଟେଲିଭିଜନ ଚ୍ୟାନେଲ "ମିଡ଼ିଆ ଓ୍ବାନ୍" ଉପରେ କେନ୍ଦ୍ର ସରକାର ଲଗାଇଥିବା ପ୍ରସାରଣ କଟକଣାକୁ ବେଆଇନ ବୋଲି ଆଜି ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷାକୁ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମନମୁଖୀ ସାଧାରଣ ନାଗରିକଙ୍କର ଅଧିକାର କ୍ଷୂର୍ଣ୍ଣ କରିବାରେ ବିନିଯୋଗ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କଡ଼ା ଟିପ୍ପଣୀ ଦେଇଛନ୍ତି। ଗୁଇନ୍ଦା ରିପୋର୍ଟ ଆଧାରରେ "ମିଡ଼ିଆ ଓ୍ବାନ୍" ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଦର୍ଶାଇ ଏହାର ପ୍ରସାରଣକୁ କେନ୍ଦ୍ର ସରକାର ବନ୍ଦ କରିଥିଲେ।

ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ଆଜି କେତୋଟି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ଯାହାକି ଆଗାମୀ ଦିନରେ ଦେଶର ଗଣତନ୍ତ୍ର ଓ ଗଣମାଧ୍ୟମ ପାଇଁ  ନୂଆ ବାଟ ଦେଖାଇବ ।

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମତ ହେଲା-

*  ମିଡ଼ିଆ ଓ୍ବାନ୍ ସହିତ କୌଣସି ସନ୍ତ୍ରାସବାଦୀ ସମ୍ପର୍କରେ ପ୍ରମାଣ ନାହିଁ। ମନମୁଖୀ ଓ ବିନା ଠୋସ୍ ପ୍ରମାଣ ରେ କାହା ବିରୋଧରେ ଜାତୀୟ ସୁରକ୍ଷା ଭଙ୍ଗର ଅଭିଯୋଗ କରାଯାଇପାରିବ ନାହିଁ।


* ଜାତୀୟ ସୁରକ୍ଷାକୁ ଏକ ଆଳ ଭାବରେ ନାଗରିକଙ୍କର ଅଧିକାର କ୍ଷୂର୍ଣ୍ଣ କରିବାରେ ଉପଯୋଗ କରାଯାଇ ପାରିବ ନାହିଁ। ଏହି ମାମଲାରେ କେନ୍ଦ୍ର ଗୃହ ବିଭାଗ ମନଇଛା ଜାତୀୟ ସୁରକ୍ଷା କୁ ଏକ ଆଳ ଭାବରେ ବ୍ୟବହାର କରିଛନ୍ତି।


* ସରକାରକୁ ଗଣମାଧ୍ୟମ ସମର୍ଥନ କରିବା ଜରୁରୀ ବୋଲି ସରକାରର ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ। ସରକାରଙ୍କୁ ସମାଲୋଚନା କରୁଥିବାରୁ ଗୋଟେ ଟିଭି ଚ୍ୟାନେଲ ଉପରେ କଟକଣା ଲଗାଇବା ସମ୍ପୂର୍ଣ୍ଣ ବେଆଇନ।


*  ଗଣତନ୍ତ୍ରର ସୁରକ୍ଷା ଲାଗି ଏକ ମୁକ୍ତ ଗଣମାଧ୍ୟମର ଭୂମିକା ଅପରିହାର୍ଯ୍ୟ। ସରକାରକୁ ସମାଲୋଚନା କରିବା ଗଣମାଧ୍ୟମର ଅଧିକାର।


* ସରକାର ନିଜ ଅନୁସନ୍ଧାନ ରିପୋର୍ଟକୁ ଅଦାଲତରେ ଗୋପନୀୟ ବୋଲି କହିପାରିବେ ନାହିଁ। ବନ୍ଦ ଲଫାପାରେ ତଥ୍ୟ ରଖିବାର ସ୍ବାଧୀନତା ସରକାରଙ୍କୁ ଦିଆ ଯାଇ ପାରିବ ନାହିଁ। ଆଉ ଜଣେ ନାଗରିକର ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା "ଗୋପନୀୟ ରିପୋର୍ଟ" ସ୍ବାଭାବିକ ନ୍ୟାୟର ବିରୋଧୀ। ଅଦାଲତରେ ସରକାର ସବୁବେଳେ ସବୁ ତଥ୍ୟ ଖୋଲାଖୋଲି ରଖିବା ଦରକାର।


ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟକୁ ସିଧାସଳଖ କାଠଗଡ଼ାରେ ଛିଡ଼ା କରାଇଛି। ମୋଦୀ ସରକାର ନିଜ ସମାଲୋଚନାକୁ ବରଦାସ୍ତ କରୁନାହାନ୍ତି ଓ ସରକାରକୁ ସମାଲୋଚନା କରୁଥିବା ଗଣମାଧ୍ୟମ ଉପରେ ଦେଶଦ୍ରୋହ ଭଳି ମାମଲା ଲଗାଉଛନ୍ତି ବୋଲି ଏକ ବାର୍ତ୍ତା ସ୍ପଷ୍ଟ ହୋଇଯାଇଛି। ଅମିତ ଶାହାଂକ ନେତୃତ୍ବରେ ଗୃହ ମନ୍ତ୍ରାଳୟ ସାଧାରଣ ନାଗରିକଙ୍କର ଏବଂ ଗଣମାଧ୍ୟମର କଣ୍ଠରୋଧ ଲାଗି ମନମୁଖୀ ପଦକ୍ଷେପ ନେଇଥିବାର ପ୍ରମାଣ ଏହି ରାୟ ପରେ ସ୍ପଷ୍ଟ ଜଣାପଡ଼ୁଛି।