ଶରଦ ପାୱାରଙ୍କ ଇସ୍ତଫା : ରହସ୍ୟ ଓ ରାଜନୀତି

ଶରଦ ପାୱାରଙ୍କ ଇସ୍ତଫା : ରହସ୍ୟ ଓ ରାଜନୀତି

ଏକ ନାଟକୀୟ ଘଟଣାକ୍ରମରେ ନିଜ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବାକୁ ଯାଇ ଏନସିପି ଦଳର ଜାତୀୟ ସଭାପତି ଶରଦ ପାୱାର ଘୋଷଣା କଲେ ଯେ, ସେ ତାଙ୍କ ଦଳର ଜାତୀୟ ସଭାପତି ପଦରୁ ଇସ୍ତଫା ଦେଉଛନ୍ତି । ପାୱାରଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ର ରାଜନୀତିରେ ହଠାତ ଭୂକମ୍ପ ସୃଷ୍ଟି କରିଛି । କେବଳ ମହାରାଷ୍ଟ୍ର ନୁହେଁ, ଶରଦ ପାୱାରଙ୍କ ରାଜନୈତିକ ନିଷ୍ପତ୍ତି ଆଗାମୀ ଦିନରେ ଭାରତୀୟ ରାଜନୀତିର ଗତିପଥକୁ ମଧ୍ୟ ନିର୍ଣ୍ଣୟ କରିବ

ଏବେ ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାର ସୂତା ଖିଅକରେ  ଝୁଲୁଛି । ସୁପ୍ରିମ କୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣୀ ସରିଛି ଓ ଏହାର ରାୟ କୌଣସି ବି ଦିନ ପ୍ରକାଶ ପାଇବ । ସୁପ୍ରିମ କୋର୍ଟ ଯଦି ସିନ୍ଧେ ସରକାରକୁ ବେଆଇନ ଘୋଷଣା କରନ୍ତି ତା ହେଲେ ସେଠାରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବ ଓ ରାଷ୍ଟ୍ରପତି ଶାସନ ଜାରି ହୋଇ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ଆଦୌ ଏବେ ମହାରାଷ୍ଟ୍ରରେ ନିର୍ବାଚନକୁ ଯିବା ପାଇଁ ଚାହୁଁ ନାଇଁ । ସରକାର ବଞ୍ଚାଇବାକୁ ଏବେ ବିଜେପି ଏନସିପିର ଅଜିତ ପାୱାରଙ୍କ ଶରଣାପନ୍ନ ହୋଇଛି । ଗତ କିଛି ଦିନ ହେଲାଣି ଅଜିତ ପାୱାରଙ୍କ ନେତୃତ୍ଵରେ ମହାରାଷ୍ଟ୍ର ସରକାର ଗଢିବାକୁ ବିଜେପି ପ୍ରାଣାମୂର୍ଚ୍ଛା ଉଦ୍ୟମ ଚଳାଇଛି । ଶରଦ ପାୱାରଙ୍କ ଆଶୀର୍ବାଦ ବିନା ସେକଥା ସମ୍ଭବ ନୁହେଁ । ଅଜିତ ପାୱାର ଏହା ପୂର୍ବରୁ ଶରଦ ପାୱାରଙ୍କ ବିରୋଧରେ ଯାଇ ବିଜେପି ସହିତ ସରକାରରେ ସାମିଲ ହେବାର ଯେଉଁ ଉଦ୍ୟମ କରିଥିଲେ, ତାହା ତାଙ୍କୁ ଭାଣ୍ଡିଆ କରିଥିଲା । ଏବେ ପୁଣିଥରେ ସମାନ ସ୍ଥିତିରେ ରହିବାକୁ ଅଜିତ ପାୱାର ଚାହୁଁ ନାହାନ୍ତି ।  

ଶରଦ ପାୱାର ଭଲ ଭାବରେ ଜାଣନ୍ତି ଯେ ବିଜେପି ସହିତ ମିଶିବାର ଅର୍ଥ ହେଉଛି, ଶିବସେନାର ଦଶା ଭୋଗିବା । ଶିବସେନାକୁ ଭାଙ୍ଗି ସାରିଲା ପରେ ଏବେ ବିଜେପି ଏନସିପିକୁ ଭାଙ୍ଗିବାକୁ ଚାହୁଁଛି ।ଏନସିପି ଭାଙ୍ଗିଲେ ଶରଦ ପାୱାରଙ୍କ ଘର ମଧ୍ୟ ଭାଙ୍ଗିବ । ଅଜିତ ପାୱାର ମୁଖ୍ୟମନ୍ତ୍ରୀ ହେବା ଲାଗି ଏକପ୍ରକାର ମନ ସ୍ଥିର କରି ବସିଛନ୍ତି, ହେଲେ ଶରଦ ପାୱାରଙ୍କୁ ଛାଡି ତାଙ୍କ ସହିତ ଏନସିପିର କେତେ ବିଧାୟକ ଯିବେ, ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ । ଶରଦ ପାୱାର ବୟସ୍କ ହେଲେ ମଧ୍ୟ ରାଜନୀତିରେ ଆଜି ମଧ୍ୟ ତାଙ୍କର ପ୍ରବଳ ପ୍ରଭାବ ରହିଛି । ତାଙ୍କୁ ମାତ ଦେଇ ଅଜିତ କ୍ଷମତା ହାତେଇବା ସହଜ କଥା ନୁହେଁ ।

ଶରଦ ପାୱାର ହଠାତ ନିଜର ଇସ୍ତଫା ଘୋଷଣା କରି ନିଜ ଦଳ ଭିତରେ ରହିଥିବା କ୍ଷମତା ଲଢେଇକୁ ନିୟନ୍ତ୍ରଣ କରିବାର ଉଦ୍ୟମ କରୁଛନ୍ତି । ନିଜ ଦଳକୁ ବଞ୍ଚାଇବାକୁ ହେଲେ ଦଳ ଭିତରେ ସବୁ ଗୋଷ୍ଠୀଙ୍କୁ ଏକାଠି ରଖିବାକୁ ହେବ- ଏକଥା ଶରଦ ପାୱାରଜାଣନ୍ତି । ତେଣୁ ସେ ଅଜିତଙ୍କୁ ହଠାତ ବିଜେପିରେ ସାମିଲ ହେବାକୁ ଦେଉନାହାନ୍ତି । ଅଜିତ ବିଜେପିରେ ମିଶିବାକୁ ଯେତେ ବିକଳ ହେଉଛନ୍ତି, ଶରଦ ପାୱାର ସେତେ ଅଧିକ ତାଙ୍କୁ ଅସୁବିଧାରେ ପକାଇ ଚାଲିଛନ୍ତି

ନାଟକୀୟ ଭାବରେ ନିଜର ଇସ୍ତଫା ଘୋଷଣା କରି ଶରଦ ପାୱାର ନିଜ ପୁତୁରା ଅଜିତ ପାୱାରଙ୍କୁ ଏକ ପ୍ରକାର ଜଣାଇ ଦେବାକୁ ଚାହାନ୍ତି ଯେ, ଦଳର ନେତୃତ୍ଵ ଏବେ ବି ତାଙ୍କ ହାତରେ ରହିଛି । ଅଜିତ ପାୱାର ଏ ପ୍ରସଙ୍ଗରେ ବଡ ଅକାଳିଆ ସ୍ଥିତିରେ ଅଛନ୍ତି । ସେ ବିଜେପିକୁ ଡେଇଁ ମୁଖ୍ୟମନ୍ତ୍ରୀ ହେବାକୁ ପାଗ ଭିଡୁଥିବା ବେଳେ ଶରଦ ପାୱାର ସେହି ରାସ୍ତାରେ କଣ୍ଟା ବିଛାଇ ଚାଲିଛନ୍ତି ।