ବାସୁଦେବ ମହାପାତ୍ର : ନୈତିକତାର ଏକ ସାମ୍ବାଦିକ ଜୀବନ

ବାସୁଦେବ ମହାପାତ୍ର : ନୈତିକତାର ଏକ ସାମ୍ବାଦିକ ଜୀବନ

ଆମ ସମୟର ଗୋଟେ ଅଲଗା ଚରିତ୍ର ଅଛି। ବିଜ୍ଞାପନରେ କୁହାଯାଏ, ଯାହା ପାଖରେ ଦକ୍ଷତା ଅଛି, କାମ କରିବାର ଇଛାଶକ୍ତି ଅଛି, ସେ ନିଶ୍ଚୟ ସଫଳ ହେବ । ଆଜି ମୁଁ ଏମିତି ଜଣେ ବନ୍ଧୁଙ୍କ କଥା କହୁଛି, ସାମ୍ବାଦିକ ଭାବରେ ଯାହାଙ୍କର ଦକ୍ଷତାକୁ ଆଖି ବୁଜି ବିଶ୍ବାସ କରାଯାଇପାରିବ । କାମ କରିବାରେ ତାଙ୍କର ଆଗ୍ରହ କେବଳ ନଥିଲା, ଥିଲା ଏକପ୍ରକାର ପାଗଳାମୀ। ସାମ୍ବାଦିକ ଭାବରେ ଯେ କୌଣସି ବିପଦକୁ ସାମ୍ନା କରିବାକୁ ସେ ଥିଲେ ସଦା ତତ୍ପର । ଭୁବନେଶ୍ୱରରେ ବସି ନିୟମଗିରି ବିଷୟରେ ଭାଷଣ ଦେବା ଭଳି ସାମ୍ବାଦିକ ସେ ନଥିଲେ । ଜନଜୀବନ ଓ ପରିବେଶକୁ ଚିହ୍ନିବାର ପ୍ରବଳ ଇଚ୍ଛାଶକ୍ତି ତାଙ୍କର ଥିଲା । ଇଂରାଜୀ ଓ ଓଡ଼ିଆ, ଉଭୟ ଭାଷାରେ ନିର୍ଭୁଲ ଲେଖିବାର ସାମର୍ଥ୍ୟ ତାଙ୍କର ଥିଲା । ଖବରକାଗଜ, ସାଟେଲାଇଟ୍ ଟେଲିଭିଜନ ଏବଂ ଡିଜିଟାଲ - ସାମ୍ବାଦିକତାର ତିନୋଟି ଯାକ ମାଧ୍ୟମକୁ ସେ ବ୍ୟବହାର କରି ସଫଳତାର ସହ କାମ କରିଥିଲେ । ରାଜନୀତି ଓ ସମାଜକୁ ବୁଝିବାର ବିଚକ୍ଷଣତା ତାଙ୍କ ପାଖରେ ଥିଲା । ସାମ୍ବାଦିକ ହେବା ପାଇଁ ଯେତେ ସବୁ ଯୋଗ୍ୟତା ଏବଂ ଦକ୍ଷତା, ସବୁ ତାଙ୍କର ଥିଲା । ହେଲେ, ଜୀବନ ସାରା ତାଙ୍କ ପାଖରେ ସେ ସୁଯୋଗ ନଥିଲା, ଯେଉଁଥିରେ ସେ ସ୍ବାଧୀନ ଭାବେ କାମ କରିପାରିବେ । ଆମର ଗଣମାଧ୍ୟମରେ ସବୁଠୁ ଯୋଗ୍ୟ ସାମ୍ବାଦିକଟିର ଆବଶ୍ୟକତା ଯେ ନାହିଁ, ସେ କଥା ବୁଝିବାକୁ ହେଲେ, ବାସୁଦେବ ମହାପାତ୍ରଙ୍କୁ ଦେଖିବାକୁ ପଡ଼ିବ । ମାତ୍ର ୫୫ ବୟସରେ ଅକାଳରେ ଚାଲି ଯାଇଥିବା ବାସୁଦେବ ମହାପାତ୍ରଙ୍କ ଜୀବନ ଆମକୁ ଆମ ସମୟର ଗଣମାଧ୍ୟମର ଇତିହାସକୁ ଚିହ୍ନାଇଦେବ ।

ବାସୁ ବାବୁ ଆମର ବନ୍ଧୁ । ପ୍ରାୟ ଆମେ ଏକା ସାଙ୍ଗରେ ଲେଖାଲେଖି ଆରମ୍ଭ କରିଛୁ । ସାମ୍ବାଦିକ ଭାବରେ ଲୋକଙ୍କ ଭିତରୁ ଖବର ବାହାର କରିବାର କଳାରେ ତାଙ୍କର ତୁଳନା ନାହିଁ । ଜୀବନ ସାରା ସେ ଆମ ସମୟର ସଙ୍କଟ ଓ ତାର କାରଣ ସବୁକୁ ଖୋଜିଛନ୍ତି । ପରିବେଶ, ପ୍ରକୃତି ଓ ସାଧାରଣ ମଣିଷର ଅକୁହା କାହାଣୀକୁ ସେ କହିଛନ୍ତି। କ୍ଷମତା କେନ୍ଦ୍ରର କାହାଣୀ ଅପେକ୍ଷା କ୍ଷମତାର ଶିକାର ହୋଇଥିବା ମଣିଷର କାହାଣୀ ତାଙ୍କୁ ଅଧିକ ଆକର୍ଷିତ କରିଛି । ରୋକ୍ ଠୋକ୍ କହିବା ଓ ଲେଖିବା ତାଙ୍କ ସାମ୍ବାଦିକତାର ମନ୍ତ୍ର ପାଲଟିଛି । ଆଉ ସେଇଟି ହିଁ ତାଙ୍କୁ ଆମ ସମୟର ସବୁଠାରୁ ଅଧିକ ଚାକିରୀ ଛାଡ଼ିଥିବା ସାମ୍ବାଦିକର ଭାଗ୍ୟ ଦେଇଛି । ଅନେକ ବର୍ଷ ସେ ଅନେକ ଜାଗାରେ ଚାକିରୀ କରିଛନ୍ତି । ନିଜ ମର୍ଯ୍ୟାଦା ଓ ସ୍ବାଧୀନତା ଟିକେ କ୍ଷୁଣ୍ଣ ହେଲେ ସେ ଚାକିରୀ ଛାଡିଛନ୍ତି । ଟିକେ ମେରୁଦଣ୍ଡ ବଙ୍କା କରି ଥିଲେ ସେ ଆଜି ବଡ଼ ସମ୍ପାଦକ ହୋଇ ବସିଥାନ୍ତେ । ତାଙ୍କ ଅକାଳ ମୃତ୍ୟୁରେ ବଡ଼ ବଡ଼ ଖବର ବାହାରିଥାନ୍ତା । ସେ କିନ୍ତୁ ସେମିତି- ପ୍ରଚଣ୍ଡ ଭାବରେ ସ୍ବାଧୀନ, ପ୍ରଖର ନୀତିବାଦୀ ଓ ସାଲିସ ମାଲିସ୍ ବିରୋଧରେ ମେରୁଦଣ୍ଡ ସଳଖି ଠିଆ ହୋଇଥିବା ମଣିଷ ।



ଆଜି ହଠାତ୍ ଯେତେବେଳେ ବାସୁଦେବ ମହାପାତ୍ର ଆମ ଗହଣରେ ନାହାନ୍ତି, ସେତେବେଳେ ମୋତେ ଗୋଟେ ଖାଲି ଜାଗା ଦିଶୁଛି। ସେ ଖାଲି ଜାଗାଟି ଆମ ନୈତିକତା ଓ ମୂଲ୍ୟବୋଧର। ବାସୁ ବାବୁଙ୍କ ପ୍ରିୟ ବିଷୟ ଥିଲା ସାମ୍ବାଦିକତାର ନୈତିକତା ଓ ପରିବେଶ । ଏ ଦୁଇଟି ଯାକ ବିଷୟ ଆଜିର ଗଣମାଧ୍ୟମରେ ଅଲୋଡା । ଅନେକ ସଭାର ଶେଷ ଧାଡ଼ିରେ ବାସୁ ବାବୁଙ୍କ ସହିତ ମୁଁ ଗପିଛି । ଆମର ସବୁବେଳେ ଭଲ ଜମେ । ସାମ୍ବାଦିକତାରେ ଆମର ବିଫଳତାକୁ ଆମେ ଏକତ୍ର ପାଳନ କରିଛୁ । ପରସ୍ପରର ମେରୁଦଣ୍ଡ ଛୁଇଁ ସାହସ ବାଣ୍ଟିଛୁ। ତାଙ୍କ ଉପସ୍ଥିତି ସବୁବେଳେ ଗୋଟେ ସାହସ ଦେଉଥାଏ । ମୋର ଦୁଃଖ ଯେ, ସେ ସାହସ ଆଜି ଲିଭିଯାଇଛି । 

 ବାସୁ ବାବୁଙ୍କ ବୃତ୍ତି ଥିଲା ସାମ୍ବାଦିକତା, ହେଲେ ପ୍ରବୃତ୍ତିରେ ସେ ଲେଖକ । ଓଡିଆ ସାହିତ୍ୟ ପ୍ରତି ତାଙ୍କର ଆକର୍ଷଣ ପ୍ରବଳ । ଅନେକ ସାହିତ୍ଯ ସଭାରେ ସେ କେଉଁ ଗୋଟେ କୋଣରେ ଚୁପଚାପ ବସିଥିବେ । କେହି ତାଙ୍କୁ ଚିହ୍ନନ୍ତି ନାଇଁ, ସେ କିନ୍ତୁ ସମସ୍ତଙ୍କୁ ଜାଣନ୍ତି ଓ ପଢନ୍ତି । ବାସୁ ବାବୁଙ୍କ ସାମ୍ବାଦିକତାରେ ପ୍ରକୃତି ଓ ପରିବେଶ ପାଇଁ ଗୋଟେ ବିଶେଷ ଆଗ୍ରହ ରହିଥିଲା । ଯେଉଁଠି ବି ପ୍ରକୃତିକୁ ଉଜାଡି ଦେବାର ଉଦ୍ୟମ ହୋଇଛି, ବାସୁ ବାବୁ ସେଠିକି ଯାଇଛନ୍ତି । ଆମ ସମୟର ବହୁତ କମ ସାମ୍ବାଦିକ ଅଛନ୍ତି, ଯିଏ ନିଜ ମୂଲ୍ୟବୋଧକୁ ନିଜର ସଫଳତା ବୋଲି ଗୌରବାନ୍ଵିତ ହୋଇଛନ୍ତି

ଏବେ ଆଉ ବାସୁ ବାବୁଙ୍କ ସହିତ କେବେ ହେଲେ ଦେଖା ହେବନି, ସେକଥା କାଇଁ ବିଶ୍ଵାସ କରି ହେଉନି ।