ସ୍ତ୍ରୀଲୋକ

ସ୍ତ୍ରୀଲୋକ

(୧)

 

ହାତରେ ବାଡି ଧରି

ହାଁ ଉଚ୍ଚା ଡାଳରେ ବସି

ସେ ସ୍ତ୍ରୀଲୋକମାନେ

ଡରଉଚଂତି ଯମକୁ,

ଜ୍ୟେଷ୍ଠ ଉଆଁସର ଏ ଭୋର୍-ରେ

ତୋର କାଂଦ,

ବୋଧେ ଯମ ଡରିଲାନି ବୋଲି

ତୋ ଡରାଣିକୁ।

ଆଜି ଉଆଁସ ।

 

ଶେଷ ଥର କେବେ ଜହ୍ନ ଦେଖିଥିଲୁ ମା'

ପୁରୁଣା ଗଛଗୁଡିକରେ

କେବେ ଫୁଟାଇଥିଲୁ ଶେଷତମ ନୂଆ ଫୁଲ,

ଶେଷ ଥର କେବେ

ଜହ୍ନ ଆଲୁଅରେ ଶୁଖାଇଥିଲୁ

ଜୀବନର ବଡି ଆଚାର,

ଶେଷ ଥର କେବେ ତୋ ନିଦରେ ଲାଗିଥିଲା

ପିକ୍-ଚର୍ ଟ୍ୟୁବ୍

ରଂଗିନ ସ୍ବପ୍ନ ଦେଖିଥିଲୁ,

ଏବେ କଣ କେବଳ କଳାଧଳା ସ୍ବପ୍ନ ଦେଖୁଚୁ,

 

ତୁ ସତରେ କେବେ ଶୋଇଥିଲୁ

କି ଏବେ ଶୋଉଚୁ?

କାର୍ତିକର ଜାଡୁଆ ଭୋର୍-ରେ

ତୋର ସେଇ ଖନିମରା ଜଣାଣ

କେଉଁ ଅଦୃଶ୍ୟ ଲୋକଟି ପାଇଁ

ସେଇ ସେଇ ପୁରୁଣା ଗୀତ,

ଏତେ ବଦଳୁଥିଲେ ବି

ବଦଳିଲାନି ତୋ ଓଷାବ୍ରତ

ନିର୍ଜଳା ଏକାଦଶୀରେ

ମଂଦିରର ଗୋଟେ କଣ,

 

ଘରେ ବି ସେଇ କଥା

ଆଠ ଦଶ ଫଟ

ଦଶ ପଂଦର ପୁରାଣ,

ଖଂଡେ ଆସନ

ଲୋଡା ତତେ

ସେ ଅଦୃଶ୍ୟ ଲୋକଟାର ଭିକ,

ପ୍ରଭୁ, କୃପାଦୃଷ୍ଟିରେ ରଖ !

 

ମାନୁଚି-

ଏ ଘରର କାଂଥଗୁଡା ତୋ' ପଣତ ପରି

ଝର୍କାଗୁଡା ତୋ' ଆଖି ପରି

ଛାତ ତୋ'ର ମୁହଁ ପରି

ଚଟାଣ ତୋ'ର କୋଳ ପରି,

ହେଲେ,

ଏ ଘର କେଉଁଠି ତୋର ହେଲା ମା'

'ଆମ ଘର' 'ଆମ ଘର'

ଖାଲି ଯା' ମିଛରେ ଶିଖେଇଚୁ,

କେବେ ଘରର ମାଲିକ ଥିଲେ ବାପା

ଏବେ ମତେ ବନେଇଚୁ ।

 

(୨)

 

ପ୍ରଥମେ ବଂଦିଲି ତତେ ଗୋ କବିତା କଳ୍ପଲତା

କୁହୁକ ପ୍ରଦୀପ,

ତୋ ଆଲୋକେ ଧୋଇଯାଉ ମୋର ଯେତେ

ଶବ୍ଦଗତ ପାପ।

ଦ୍ବିତୀୟେ ବଂଦିଲି ତତେ ବସୁଧା ଗୋ

ଭୀମକାଂତରୂପା,

ମୁଁ ରାବଣ, ଦୁର୍ଯ୍ୟୋଧନ, ମୁଁ ମହୀଷା

ମୁଁ ପୁତ୍ର, ମୁଁ ବାପା।

 

(୩)

 

ଜଣେ ସ୍ତ୍ରୀଲୋକ ଖେଦି ବୁଲୁଥାଏ ଇମିତି

ଏ ଘରୁ ସେ ଘର, ସେ ଘରୁ ଏଘର

ଘର ଉଠିବା ଆଗରୁ ଧୁଆପୋଛା

ଆଳୁ, ପିଆଜ, ଚାଉଳ, ରଂଧାଘର, ଠାକୁର ।

 

ଦଂଡେ ରୋଷେଇ ଘରେ, ଗରମ ହେବ ପାଣି

ଦଂଡେ ଜୋତା ସଫାହବ, ବାବୁ ଯିବେ ଫୁଲବାଣୀ

ପୁଅର ବ୍ୟାଗ୍, ବଟଲ୍

କାଲି ବରାଦ ଥିଲା ଟିଫିନ୍-ରେ ଯିବ ସୁଇସ୍ ରୋଲ୍,

ତାହା ବି କଟାହବ ଗୋଲ୍ ଗୋଲ୍ ।

 

ଜଣେ ସ୍ତ୍ରୀଲୋକ ଖେଦି ବୁଲୁଥାଏ ଇମିତି

ପଲକ ପଡୁନଥାଏ ଆଖିରେ,

ପାଦ ଦି'ଟା ଯିମିତି ପବନଠୁ ମାଗିଆଣିଚି ବାକିରେ ।

 

କେଉଁଠି ପଡିଚି ସ୍କୁଲ୍ ଡ୍ରେସ୍

ଧଳା ମୋଜାରେ ଅଧିକା ଟିକେ ପଡିଯାଇଚି ନୀଳ

ଫିନାଇଲ୍ ଟିକେ ପଡିନି,

ରାଗିବେ, ବାବୁ ପଶିଲେ ଗାଧୁଆ ଘର ।

 

ଚା' ସିଝିଗଲାଣି ଅଧିକା

ହଳଦୀ, ଫୁଟଣ, ରିଫାଇନ୍ ଲାଗି ଯିବାକୁ ହବ

ଏମାନେ ଗଲେ,

ଟେବୁଲ୍-ରେ ସଜେଇଦବାକୁ ହବ ଖବରକାଗଜ,

ବାଧିବ, ଚା' ନରୁଚିଲେ !

 

ପ୍ରେସ୍ ହୋଇନଥିଲା ନୀଳସାର୍ଟ

ମଲି, ଆଜି ପିଂଧିବେ କହିଲେ

ପୁଅର ଭ୍ୟାନ୍ ଛାଡିଦବ

ବିସ୍କିଟ୍ ଦିଟା ଲାଗି ସମୟ ଦେଲେ,

ବରଂ ଭଲହବ ପୁଅ ଉଠିବା ଆଗରୁ

କପଡା ସଫା ସାରିଦେଲେ

ଝର୍କା ସେପଟେ ଫୁଟିଚି ତରାଟ,

ସମୟ ନାଇଁ ।

 

ଅନେକ ଦିନ ପରେ ହଳେ ଘରଚଟିଆ

ଝର୍କା ସେପଟେ,

ସମୟ ନାଇଁ।

ଝର୍କା ସେପଟେ କଖାରୁ ଡଂକ, ଛନଛନକା

ସମୟ ନାଇଁ ।

 

ଜଣେ ସ୍ତ୍ରୀଲୋକ ସକାଳ ସାରା ଖେଦି ବୁଲୁଥାଏ

ରୋଷେଇ ଘରର ଆଲୁରୁମାଲୁରୁ ଭିତରେ

ସବୁ ଶୁଣୁଥାଏ, ବୁଝି ପାରୁନଥାଏ

'ଠି ଫାଳେ ପାଦ, ସେ'ଠି ଫାଳେ ପାଦ

'ଠି ଫାଳେ ଆଖି, ସେ'ଠି ଫାଳେ ଆଖି,

ଯିମିତି ଉଡିବାକୁ ହବ ଆହୁରି ଲକ୍ଷେ ଯୋଜନ,

ସାଇବେରିଆ ପକ୍ଷୀ ।

 

ଏ ଘର କାହାର, ସେ କିଏ?

ଏ ସକାଳର ସ୍ତ୍ରୀଲୋକ ଜାଣିପାରେନା,

ସେ ଆପଣଂକ ଘରେ ବି ଅଛିନା?

 

(୪)

 

ପ୍ରଥମେ ବଂଦିଲି ତତେ ଗୋ ନୀଳମାଷ୍ଟ୍ରାଣୀ

ଦ୍ବିତୀୟେ ବଂଦିଲି ଆଗୋ ଚଂଦ୍ରା ବେଉରାଣୀ,

ତୃତୀୟେ ବଂଦିଲି ତତେ ଆଗୋ ସରଦେଈ

ଚତୁର୍ଥେ ବଂଦିଲି ତତେ ମା' ପାଟଦେଈ,

ପଂଚମେ ବଂଦିଲି ମୁଁ ଗୋ ପ୍ରତିମା ନାୟକ,

ମତେ ଖାଲି ପ୍ରଶ୍ନ କର, ବିଂଧୁ ମତେ ପ୍ରଶ୍ନର ଶାୟକ ।