ଜଗମୋହିନୀ ଉବାଚ
୧
ଦର୍ପଣକୁ ଧୂର୍ତ କହେ
ଡାକିନୀ ପିଶାଚୀ ବୋଲି ସିଂହାରିଣୀକୁ ଗାଳି ଦିଏ
ନଖିନୀ ଦଂତିନୀ ସେଇ ବିକୃତ ବିଂବକୁ
ଅସ୍ଵୀକାର କରେ :
'ମୁଁ ନୁହେଁ, ମୁଁ ନୁହେଁ ।'
ଫୁଟିଉଠେ କ୍ଷୟଚିତ୍ର :
ଢେଉ ବଳୟିତ ହୁଏ କଟିଦେଶରେ, ଫେନ ସ୍ଫଟିକିତ
ଅତଳାଂତ ଗହୀରରେ ଝୁଲି
ଜଳଜଂତୁ ଜଳଗୁଳ୍ମ ଖୁଂପା ଖାଇ ଖାଇ
ଛଟପଟ ହୁଏ ପାଦଆଂଗୁଠି ଆଂଠୁ ଆଉ ଊରୁ
ଛଟପଟ ଶ୍ରୋଣି ନାଭିକ୍ଷେତ୍ର
କ୍ରମ ବିଗଳିତ...
ନାରୀ ପ୍ରବାହିତ ହେଲେ ତରଳ ଇତିହାସ !
୨
ଉତ୍ତର ଦିଗ ଉଡ଼ିଆସେ ଦକ୍ଷିଣମୁହାଁ
ଦକ୍ଷିଣଦିଗ ଉତ୍ତର ଆଡ଼କୁ;
ତନୁ ପରିଧି ରେଖାରେ ମୋର
ସରୁ ତଟଧାର ହୋଇ
କୃତାର୍ଥ ମଣିବାକୁ ।
ଶ୍ରାବଣର ଖଳଖଳ ଅଂଧ ଝରନାଳ ପରି
ମୋରି ଭିତରେ ଝସେଇ
ନିଖୋଜ ହୁଏ ସେନା, ସାନୁ, ସାମ୍ରାଜ୍ୟ...
ହୃତପୀଠ ହୁଏ ଯୂପ
ଗୁଂଜନିତ ମଂତ୍ରପାଠକୁ କାହାର
କାହାର ବା ଏକାଂତ ଆର୍ଷ ନୀରବତାକୁ
ଗ୍ରାସ କରିଦିଏ ମୋର ସ୍ଵାର୍ଥର
ଘନାଘନ ଯାମଘୋଷ ।
ଏକଦା ଛୁଇଁ ହେଉନଥିବା
ସୁଦୂର ସୀମାଂତର ସେଇ ଉଦ୍ଧତ ଗଂଭୀର ଶୈଳ
ଗଡ଼ିଗଡ଼ି ଘୋରି ହୋଇ ପ୍ରବାହର ଶୀତଳ ସ୍ପର୍ଶରେ
ହାତମୁଠା ଭିତରେ ମୋର
ଦୟନୀୟ ଭଂଗୁର ଏକ କଂକର !
ଦୁଇ ଟିପର ମୃଦୁ ଚାପରେ ଚୂରିଦେବି ତାକୁ ନା
ଅପ୍ରମିତ ଅନୁକଂପାରେ ମୁଠା ଖୋଲି ଦେଇ
ଫିଂଗିଦେବି ଦୂର ତଟଧାର ?
ପ୍ଲାବିଯିବି, ପ୍ଲାବିଦେବି ସବୁ ଦିଗଂତକୁ
ଉଚ୍ଚତାର ଉଚ୍ଚତାକୁ ପଦାଘାତ ଦେବି
ସମୁଦ୍ରକୁ ନୁହେଁ ମୋର
ମନ ବଳିଛି ଆକାଶକୁ ଆଜି ।
୩
ଜାଗି ଉଠିଛି ମନରେ ମୋର
ଆକାଶ-ବାଂଛା ଜାଗି ଉଠିଛି,
ଅସ୍ଥିର ଲାଗୁଛି ଏଣେ
ବିକଟାଳ ବିଂବ ଧରି ଖଂଡ ଖଂଡ ଅସଂଖ୍ୟ ଦର୍ପଣ
ଆଖି ଆଗରେ ନାଚି ଉଠୁଛି ।
ଅଶ୍ରୁ ଘର୍ମ ଶୋଣିତ ସୁରାର ଚୌତାଗ ମଝିଧାରରେ
କେଡ଼େ ନିଶ୍ଚିଂତ କେଡ଼େ ସ୍ଵଚ୍ଛ ଥାଇ
ପହଁରି ଯାଉଛି କେଇ ବିଲିତାର ପଥ : ଏଇ ବୁଦବୁଦ୍
ଦେଖାଇ ଦଉନି ମୋତେ କାହିଁକି ଜଗମୋହିନୀ ରୂପ ମୋର
ବିଂବିତ କରୁନି କାହିଁକି ତାର ବୁକୁରେ-
ଥରେ, ଥରୁଟିଏ ?
ନା ଇତିହାସରେ ନା ଭୂଗୋଳରେ
କେବେହେଲେ ଉର୍ଧ୍ଵକୁ ଯାଇଚି ନଦୀ !
ତଥାପି ମନରେ ମୋର
ଆକାଶ-ବାଂଛା ଜାଗିଉଠିଚି, ଜାଗିଉଠିଚି...
ମହାଦଂଭରେ ଫୁଲି ଉଠି
ଜୁଆରେଇ ମୁଁ ଉଠିଗଲାବେଳକୁ-
ଉପରୁ ସାରା ଆକାଶ ଯେମିତି
ସଂକୋଚି ଯାଇ କ୍ଷୀଣ ହୋଇ
ଲହଲହ ନୀଳ ସର୍ପ ପରି
କଠିନ ସ୍ତନାଗ୍ରକୁ ମୋର ଉତୁରି ଆସୁଚି...
ଓହୋ କି ଅମୃତଜ୍ଵାଳା
ଘାରି ଦଉଚି, ଘାରି ହଉଚି...
ତ୍ରୈଲୋକ୍ୟର ଭାବାନୁକୀର୍ତନ
ମୋ ଭିତରେ ଗୁଂଜନି ଉଠୁଚି...