ଆଇନର ବେଆଇନ ସୁରକ୍ଷାକର୍ତ୍ତା

ଆଇନର ବେଆଇନ ସୁରକ୍ଷାକର୍ତ୍ତା

ଇଡି ବା ଏନଫଓର୍ସମଏଣ୍ଟ୍ ଡାଇରେକ୍ଟୋରେଟ୍ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଇ ନାମଟି ଉଚ୍ଚାରିତ ହେଲା ମାନେ କେତେବେଳେ ବିରୋଧୀ ଶିବିରରେ ଭୟର ବାତାବରଣ ସୃଷ୍ଟି ହୋଇଛି ତ କେବେ ଏହାର ଆତଙ୍କ କୌଣସି ରାଜ୍ୟର ସରକାରକୁ ଦୋହଲାଇ ନ ହେଲେ ଭାଙ୍ଗି ଦେଇଛି। ପ୍ରାୟ ପ୍ରତି ଦିନ ଏଇ ସ°ସ୍ଥାର ଲିଷ୍ଟ୍, ଟାର୍ଗେଟ୍, ଚଢ଼ଉ ଓ ଗିରଫଦାରୀକୁ ନେଇ ନ୍ୟୁଜ୍ ଆସୁଥିବା ଆମେ ଦେଖୁଛେ, ଶୁଣୁଛେ। ତେଣୁ ଏବେକାର ନୂଆ ଭାରତ ବା ନ୍ୟୁ ଇଣ୍ଡିଆରେ ପ୍ରାୟ ପ୍ରତ୍ୟେକ ନାଗରିକ ଏଇ ସ°ସ୍ଥାଟି ସହ ଊଣା ଅଧିକେ ପରିଚିତ ହୋଇ ସାରିଛନ୍ତି। ତେବେ ଏଇ ସ°ସ୍ଥା ତଥା ଏହାର ନିର୍ଦ୍ଦେଶକ ବର୍ତ୍ତମାନ ଯେଉଁ କାରଣ ପାଇଁ ହେଡଲାଇନକୁ ଆସିଛନ୍ତି ତାହା ହେଉଛି, ଜୁଲାଇ ୧୧ତାରିଖ, ୨୦୨୩ ଦିନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଆଯାଇ ଥିବା ଏକ ରାୟ।

   ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳକୁ ସରକାରଙ୍କ ପକ୍ଷରୁ କରାଯାଇଥିବା ବାରମ୍ବାର ବୃଦ୍ଧିକୁ ଚାଲେଞ୍ଜ କରି କ°ଗ୍ରେସ ନେତା ଜୟା ଠାକୁର, ରଣଦୀପ ସୁରଜେୱଲା(କଂଗ୍ରେସ ସାଧାରଣ ସମ୍ପାଦକ) ଓ ଟିଏମସି ସା°ସଦ ମହୁଆ ମଇତ୍ର ତଥା ସାକେତ ଗୋଖଲେଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ସମ୍ପୃକ୍ତ ପିଟିସନରେ 'ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ୍ ଆକ୍ଟ୍' ଓ 'ଦିଲ୍ଲୀ ସ୍ପେସାଲ୍ ପୁଲିସ୍ ଏଷ୍ଟାବ୍ଲିସମେଣ୍ଟ୍ ଆକ୍ଟ୍'ରେ କରାଯାଇଥିବା ପରିବର୍ତ୍ତନକୁ ମଧ୍ୟ ଚ୍ୟାଲେଞ୍ଜ୍ କରାଯାଇଥିଲା। ଏଇ ରାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବର୍ତ୍ତମାନ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳକୁ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଥିବାକୁ କୋର୍ଟଙ୍କ ପକ୍ଷରୁ ଅବୈଧ ଘୋଷଣା କରାଯାଇଛି। ଏହା ସହ ତାଙ୍କ ସେବା କାଳକୁ ଚଳିତ ବର୍ଷ ନଭେମ୍ବର ମାସ ଯାଏ ଜାରି ରଖିବାକୁ ସରକାରଙ୍କ ଦାବିକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଚଳିତ ମାସ ଶେଷ ଅର୍ଥାତ୍ ଜୁଲାଇ ୩୧ ତାରିଖ ଯାଏଁ ହିଁ ଶ୍ରୀ ମିଶ୍ରା ଇଡିର ନିର୍ଦ୍ଦେଶକ ପଦବୀରେ ରହି ପାରିବେ। ଜୁଲାଇ ଶେଷ ସୁଦ୍ଧା ଇଡିର ନୂତନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯିବ ଓ ସେ ଅଗଷ୍ଟରୁ ହିଁ କାର୍ଯ୍ୟଭାର ଗ୍ରହଣ କରିବେ। ଜଷ୍ଟିସ୍ ବିଆର୍ ଗୱଇ, ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଏକ ବେଞ୍ଚ୍ ପକ୍ଷରୁ ଦିଆଯାଇଥିବା ଏଇ ରାୟରେ କୁହାଯାଇଛି ଯେ, ଚଳିତ ବର୍ଷ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (Financial Action Task Force ବା FATF) ପକ୍ଷରୁ କରାଯାଉଥିବା ପିୟର ରିଭ୍ୟୁ (peer review) ଓ ଏଇ ବଦଳି କାର୍ଯ୍ୟକୁ ବିନା କୌଣସି ଅସୁବିଧାରେ ଶେଷ କରିବା ଉଦ୍ଦେଶ୍ୟରେ ଚଳିତ ମାସ ଶେଷ ଯାଏ ଶ୍ରୀ ମିଶ୍ରାଙ୍କୁ ତାଙ୍କ ପଦରେ ରଖାଯାଇଛି। ଏଇ ରାୟ ପ୍ରଦାନ ସମୟରେ କୋର୍ଟ(ମୁଖ୍ୟତଃ ଜଷ୍ଟିସ୍ ଗୱଇ)ଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ପ୍ରଥମ ଥର ପରେ ଶ୍ରୀ ମିଶ୍ରାଙ୍କ କାର୍ଯ୍ୟ ଅବଧିକୁ ଆଉ ୨ଥର ବୃଦ୍ଧି କରାଯିବା ଦ୍ବାରା ସରକାର 'କମନ୍ କଜ୍' ମାମଲାରେ ୨୦୨୧ ମସିହାରେ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଦିଆଯାଇଥିବା ରାୟର ଅବମାନନା କରିଛନ୍ତି। ଯଦିଓ ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ନିଜ ନିଷ୍ପତ୍ତି ତଥା ଇଡି ପାଇଁ ଶ୍ରୀ ମିଶ୍ରାଙ୍କ ଆବଶ୍ୟକତା ସପକ୍ଷରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଦଲିଲ ପ୍ରସ୍ତୁତ କରାଯାଇଥିଲା(ଏସବୁ ମଧ୍ୟରେ 'FATFର ରିଭ୍ୟୁ ନିମନ୍ତେ ମିଶ୍ରାଙ୍କ ଉପସ୍ଥିତି ଜରୁରୀ' ମଧ୍ୟ ଅନ୍ତର୍ଭୁକ୍ତ) କିନ୍ତୁ କୋର୍ଟ ସେସବୁକୁ ଅଗ୍ରାହ୍ୟ କରି ୨୦୨୧ ପରେ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ବୋଲି ଘୋଷଣା କରିଛନ୍ତି। ତା' ଛଡ଼ା ଏଇ ରାୟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭବିଷ୍ୟତରେ ସରକାର ଯେବେ ବି କେହି ଅଧିକାରୀଙ୍କ କାର୍ଯ୍ୟକାଳକୁ ଏଭଳି ବୃଦ୍ଧି କରିବେ ସେଥିନେଇ ସମସ୍ତଙ୍କୁ ଅବଗତ କରିବେ ଏବଂ ସେଭଳି ପଦକ୍ଷେପ ପାଇଁ ଯଥୋଚିତ କାରଣ ଦର୍ଶାଇବା ସହ ତାହା ଜନହିତରେ କିଭଳି ଲାଗି ପାରିବ ସେ ନେଇ ମଧ୍ୟ ସ୍ପଷ୍ଟ କରିବେ।

   ତେବେ କ'ଣ ପାଇଁ ଇଡି ଭଳି ଏକ ସ୍ବୟଂଶାସିତ ସାମ୍ବିଧାନିକ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣକୁ ବିପକ୍ଷ ଦଳ ଗୁଡିକ ପକ୍ଷରୁ ଏମିତି ବାରମ୍ବାର ବିରୋଧ କରାଯାଉଛି? ଏହାକୁ ନେଇ କାହିଁକି କୋର୍ଟରେ ପିଟିସନ୍ ଦାୟର ହୋଇଥିଲା? ଏସବୁର ମୂଳ କାରଣ ଜାଣିବାକୁ ହେଲେ ଆମକୁ କିଛିଟା ପଛକୁ ଫେରିବାକୁ ପଡିବ। ପ୍ରଥମେ ୨୦୧୮ ମସିହା ନଭେମ୍ବର ମାସରେ ସଞ୍ଜୟ ମିଶ୍ରା(୧୯୮୪ ମସିହାର ଆଇଆରଏସ୍)ଙ୍କୁ ଇଡିର ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଥିଲା। ତାଙ୍କର ପ୍ରଥମ କାର୍ଯ୍ୟକାଳ ୨୦୨୦ ମସିହା ନଭେମ୍ବର ମାସରେ ଶେଷ ହେବାର ଥିଲା। କିନ୍ତୁ କେନ୍ଦ୍ର ସରକାର ୨୦୨୦ ମସିହା ନଭେମ୍ବର ମାସ ୧୩ ତାରିଖ ଦିନ ଏକ ଆଦେଶ ଜାରି କରି ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଦେଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଇଡି ନିର୍ଦ୍ଦେଶକଙ୍କ ୨ବର୍ଷର କାର୍ଯ୍ଯକାଳକୁ ୩ବର୍ଷକୁ ବୃଦ୍ଧି କରିବା ପାଇଁ ୨୦୧୮ ଆଇନରେ କରାଯାଇଥିବା ପରିବର୍ତ୍ତନକୁ ରାଷ୍ଟ୍ରପତି ସ୍ଵୀକୃତି ପ୍ରଦାନ କରିଛନ୍ତି। ସରକାରଙ୍କ ଏଇ ଆଦେଶକୁ ଚ୍ୟାଲେଞ୍ଜ୍ କରି ସ୍ବେଚ୍ଛାସେବୀ ସଂଗଠନ 'କମନ୍ କଜ୍' ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରାଯାଇଥିଲା। ସମ୍ପୃକ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୧ ମସିହା ସେପ୍ଟେମ୍ବର ମାସରେ ରାୟ ଦେଇଥିଲେ ଯେ, ଯଦିଓ ପ୍ରଥମ ସମ୍ପ୍ରସାରଣର ନିର୍ଦ୍ଧାରିତ ସମୟ ନଭେମ୍ବର ୨୦୨୧ ଯାଏଁ ସଞ୍ଜୟ ମିଶ୍ରା ନିଜ ପଦବୀରେ ରହି ପାରିବେ ତେବେ ତା' ପରେ ଆଉ ତାଙ୍କୁ ଏକ୍ସଟେନସନ ଦିଆଯାଇ ପାରିବ ନାହିଁ। କିନ୍ତୁ ଏଇ ସମୟ ଅବଧି ଶେଷ ହେବା ପରେ ମଧ୍ୟ ସରକାରଙ୍କ ପକ୍ଷରୁ ମିଶ୍ରାଙ୍କ ସେବା ଅବଧିକୁ ଆଉ ୨ଥର ବୃଦ୍ଧି କରାଯାଇଥିଲା। ମିନିଷ୍ଟ୍ରି ଅଫ୍ ପର୍ସନେଲ୍ ବା କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟ ଅବଧିକୁ ୧୮ନଭେମ୍ବର ୨୦୨୩ ଯାଏଁ ବୃଦ୍ଧି କରିଦିଆ ଯାଇଥିବା ନେଇ ସୂଚନା ପ୍ରକାଶିତ ହୋଇଥିଲା।

  ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସଞ୍ଜୟ ମିଶ୍ରା ଇଡିର ନିର୍ଦ୍ଦେଶକ ପଦରେ ରହିବା ପରେ ଇଡି ପାଇଁ ସା°କ୍ସନ ହୋଇଥିବା ସମସ୍ତ ପଦବୀ ପୂରଣ ହୋଇସାରିଛି (ମିଶ୍ରାଙ୍କ କାର୍ଯ୍ୟଭାର ଗ୍ରହଣ ପରେ ହିଁ ଇଡିରେ ନିଯୁକ୍ତି ସଂଖ୍ୟା ୫୦%ବୃଦ୍ଧି ପାଇଛି)। ଏପରିକି ତା'ଠାରୁ ଅଧିକ ସଂଖ୍ୟକ ନିଯୁକ୍ତି ମଧ୍ୟ କରାଯାଇଛି। ଏଇ ସମୟକାଳ ମଧ୍ୟରେ ୯ଜଣ ସ୍ପେସାଲ୍ ଡାଇରେକ୍ଟର, ୩ଜଣ ଆଡିସନାଲ୍ ଡାଇରେକ୍ଟର, ୩୬ଜଣ ଜଏଣ୍ଟ୍ ଡାଇରେକ୍ଟର, ୧୮ ଜଣ ଡେପୁଟି ଡାଇରେକ୍ଟରଙ୍କ ସମେତ ଆହୁରି ଅନେକ ସଂଖ୍ୟାରେ ଅଧିକାରୀ ଇଡି ସହ ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇନକମ୍ ଟ୍ୟାକ୍ସ, ଡାଇରେକ୍ଟର ଜେନେରାଲ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ, ଏକ୍ସସାଇଜ୍ ଓ କଷ୍ଟମ୍ ଅଧିକାରୀ ଇତ୍ୟାଦି। ବର୍ତ୍ତମାନ ମୋଟ ୧, ୭୭୦ ଜଣ କର୍ମଚାରୀ(ଇଡିର ଷ୍ଟ୍ରେନ୍ଥ୍)ଙ୍କ ବ୍ୟତୀତ ଆହୁରି ୨,୦୦୦ ଲୋକ ଇଡି ଅଧୀନରେ କାର୍ଯ୍ୟ କରୁଛନ୍ତି। ତେବେ ଆଗକୁ ଇଡିର ଷ୍ଟ୍ରେନ୍ଥକୁ ୬,୦୦୦ ଯାଏଁ ବଢ଼ାଇବା କଥା ସରକାର ଚିନ୍ତା କରୁଥିବା ଜଣା ପଡ଼ିଛି। କାରଣ ଧୀରେ ଧୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଡିର କାର୍ଯ୍ୟ ପରିସରକୁ ବୃଦ୍ଧି କରାଯିବା କଥା ଚିନ୍ତା କରାଯାଉଛି। ମନି ଲଣ୍ଡରି° ବ୍ୟତୀତ ଜିଏସଟି, ସମସ୍ତ ସାଇବର କ୍ରାଇମ୍, କ୍ରିପ୍ଟୋ କରେନ୍ସି, ଟେରୋରିଷ୍ଟ୍ ଫଣ୍ଡି°, ହ୍ବାଇଟ୍ କଲାର କ୍ରିମିନାଲ୍ସ ଓ ଏକ୍ସଟ୍ରାଡିନ୍(ଯେଉଁମାନେ ଅର୍ଥ ହେରଫେର କରି ବିଦେଶକୁ ଖସି ପଳାଇଛନ୍ତି ସେମାନଙ୍କ ପ୍ରତ୍ୟର୍ପଣ-ଏଭଳି ପ୍ରାୟ ୩୦ଟି ମାମଲା ଇଡି ଅଧୀନରେ ଅଛି) ଆଦି ପ୍ରାୟ ଅଧିକାଂଶ ମାମଲାକୁ ଇଡି ପରିସରଭୁକ୍ତ କରିବାର ସରକାରଙ୍କ ଯୋଜନା ଓ ନିଷ୍ପତ୍ତି ଏହା ପ୍ରମାଣିତ କରୁଛି।

   ଇଡି ଅଧୀନରେ ଏବେ ରହିଛି ପ୍ରାୟ ୫,୪୨୩ଟି କେସ୍। ଏହା ମଧ୍ୟରୁ ମୋଦୀ ସରକାରଙ୍କ ଆସିବା ଯାଏଁ (ଅର୍ଥାତ୍ ୨୦୧୪ ପୂର୍ବରୁ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧୀନରେ ଥିଲା ମୋଟ୍ ୧,୮୬୮ଟି କେସ୍। କିନ୍ତୁ ଏଇ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଇଡି ନିକଟକୁ ଆସିଛି ମୋଟ ୩,୫୫୫ଟି କେସ୍। ଏସବୁ ମଧ୍ୟରୁ ପୁଣି ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳ ମଧ୍ୟରେ ଇଡି ଅଧୀନକୁ ଆସିଛି ପ୍ରାୟ ୨,୭୨୩ଟି ମାମଲା। ଏଥିରୁ ବୁଝା ପଡୁଛି ଯେ, ୨୦୧୪ ମସିହାରୁ (ମୋଦୀ ସରକାରଙ୍କ ଶାସନକାଳ ଆରମ୍ଭରୁ) ସଞ୍ଜୟ ମିଶ୍ରାଙ୍କ ଇଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ମଧ୍ୟରେ ଇଡି ଅଧୀନରେ ମାତ୍ର ୮୩୨ଟି ମାମଲା ଦାୟର ହୋଇଥିଲା। ଏଥିରୁ ଜଣା ପଡୁଛି ଯେ, ମିଶ୍ରାଙ୍କ କାର୍ଯ୍ୟକାଳ ମଧ୍ୟରେ କିଭଳି ନିଯୁକ୍ତି ଓ ମାମଲା ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଛି। ତେବେ ଖାସ୍ କରି ମିଶ୍ରାଙ୍କ ଆସିବା ପରେ ହିଁ ମୁଖ୍ୟତଃ ବିରୋଧୀ ଦଳ ସବୁର ନେତାଙ୍କୁ ଇଡି ପକ୍ଷରୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ଏହାକୁ ପ୍ରମାଣିତ କରିବା ପାଇଁ ଏଇ ତଥ୍ୟକୁ ନିଆଯାଇ ପାରେ ଯେ, ଏଇ ସମୟକାଳ ମଧ୍ୟରେ ଇଡି ପକ୍ଷରୁ ପ୍ରାୟ ୯୫ ଜଣ ରାଜନେତା(ଯେଉଁ ମାନେ ରାଜନୀତିରେ ସକ୍ରିୟ ଅଛନ୍ତି)ଙ୍କୁ ନୋଟିସ୍ କରାଯାଇଛି ଓ ପଚରାଉଚରା କରାଯାଇଛି ତଥା ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୯୩୬ ଜଣ ବ୍ୟବସାୟୀଙ୍କୁ ଇଡି ନୋଟିସ୍ ଓ ପଚରାଉଚରା କରି ସେମାନଙ୍କୁ ମଧ୍ୟ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରିଛି। ଏଇ ସମୟ ମଧ୍ୟରେ ଯେଉଁ ୨୦୦୦ରୁ ଊର୍ଦ୍ଧ୍ବ ମାମଲା ଇଡି ଅଧୀନକୁ ଆସିଛି ସେସବୁକୁ ବହୁ ପରିମାଣର ସମ୍ପତ୍ତି ଜବତ ହୋଇଛି। ତେବେ ଇଡିର କାର୍ଯ୍ୟ ପ୍ରକ୍ରିୟା ବିବାଦୀୟ ହୋଇ ପଡ଼ିବାର ମୁଖ୍ୟ କାରଣ ହେଲା, ଏଇ ସ°ସ୍ଥା ଅଧୀନରେ ଆସିଥିବା ୫ହଜାରରୁ ଊର୍ଦ୍ଧ୍ୱ ମାମଲା ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୨୫ଟି କେସ୍ ହିଁ ଏ ପର୍ଯ୍ୟନ୍ତ କୋର୍ଟରେ ଫାଇନାଲ୍ ହିଅରି° ପାଇଁ ଯାଇ ପାରିଛି ଓ ସେଥିରୁ ୨୪ଟି କେସରେ କନଭିକ୍ସନ୍ ହୋଇଛି। ତା' ଛଡା ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ମଧ୍ୟରେ ହିଁ ଇଡି ସହାୟତାରେ ସବୁଠାରୁ ଅଧିକ ସଂଖ୍ୟକ ବିପକ୍ଷୀ ନେତା(ଅଣ ବିଜେପି)ଙ୍କୁ ଜେଲ୍ ହୋଇଥିବା, ସେମାନଙ୍କ ସମ୍ପତ୍ତି ଜବତ ହୋଇଥିବା ତଥା ସେମାନଙ୍କ ପଲିଟିକାଲ ଫଣ୍ଡି°ର ସ୍ରୋତକୁ ବନ୍ଦ କରିବାକୁ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି। ନିକଟରେ କିଛି ମାସ ତଳେ ଅଭିଷେକ ମନୁ ସି°ଗଭିଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ପିଟିସନରେ ମଧ୍ୟ କୁହାଯାଇଥିଲା ଯେ, ଗତ ୫ବର୍ଷ ମଧ୍ୟରେ ଇଡି ଅଧୀନକୁ ୨୦% ଅଧିକ କେସ୍ ଆସିଛି। ଆଉ ସେସବୁ ମଧ୍ୟରୁ ପ୍ରାୟ ୯୫% କେସ୍ କେବଳ ଅପୋଜିସନ୍ ନେତାଙ୍କ ବିରୋଧରେ ଦାୟର ହୋଇଛି। ତେଣୁ ବିରୋଧୀ ଦଳ ଗୁଡିକ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଠାରୁ ନୀତୀଶ କୁମାର, ତେଜସ୍ଵୀ ଯାଦବ ଓ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ପୁଣି ଶରଦ ପାୱାରଙ୍କ ପର୍ଯ୍ୟନ୍ତ ବହୁ ନେତା ବାରମ୍ବାର ଇଡିର କାର୍ଯ୍ୟ ପ୍ରକ୍ରିୟା ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେଇ କାରଣରୁ ହିଁ ସଂସଦରେ ବାରମ୍ବାର ହୋ ହାଲ୍ଲା ହୋଇଛି। ବିରୋଧୀ ଦଳ ମାନଙ୍କ ପକ୍ଷରୁ ଏ ନେଇ ରାଷ୍ଟ୍ରପତିଙ୍କ ନିକଟରେ ସମ୍ମିଳିତ ଅଭିଯୋଗ କରିବାର ଉଦ୍ୟମ ମଧ୍ୟ ହୋଇଛି। ସୁପ୍ରିମକୋର୍ଟଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି ବିପକ୍ଷୀ ନେତା ମାନେ। ଏପରିକି ଯେଉଁ ପିଟିସନର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ସଞ୍ଜୟ ମିଶ୍ରାଙ୍କ କାର୍ଯ୍ୟକାଳ ସମ୍ପର୍କିତ ରାୟ ପ୍ରଦାନ କରିଛନ୍ତି ସେଥିରେ ମଧ୍ୟ ଅଭିଯୋଗ କରାଯାଇଥିଲା ଯେ, ବର୍ତ୍ତମାନ ରାଜନୈତିକ କ୍ଷତ୍ରରେ ଇଡିର ବ୍ୟବହାର କରି ଯେଉଁ ରାଜନୀତି କରାଯାଉଛି ତା' ଦ୍ବାରା ଗଣତନ୍ତ୍ରର ଦମନ କରାଯାଉଛି। ତେଣୁ କେନ୍ଦ୍ର ସରକାର ନିଜ କ୍ଷମତାର ବ୍ୟବହାର କରି ଯେଭଳି ଭାବେ ଇଡିର ଡାଇରେକ୍ଟରଙ୍କ କାର୍ଯ୍ୟକାଳ ବଢାଇ ଚାଲିଛନ୍ତି ତା'ର ଆଇନଗତ ବୈଧତାକୁ ନେଇ ମାନ୍ୟବର କୋର୍ଟ ବିଚାର କରନ୍ତୁ। ଆଉ ସେଇ ଯାଚିକାର ବିଚାର କରି କୋର୍ଟ ୨୦୨୧ ପରର ମିଶ୍ରାଙ୍କ କାର୍ଯ୍ୟକାଳକୁ ବେଆଇନ ବୋଲି କହିଛନ୍ତି।

  ଏଇ ରାୟ ଆସିବା ପରେ ଅବଶ୍ୟ ଗୃହମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରି(ଯଦିଓ ଇଡି ଫାଇନାନ୍ସ ମିନିଷ୍ଟ୍ରି ଅଧୀନ) ଟ୍ବିଟ୍ କରି କହିଛନ୍ତି ଯେ, ଇଡି ହେଉଛି ଏକ ସ୍ଵତନ୍ତ୍ର ସ°ସ୍ଥା। ଆଉ ଆଗକୁ ମଧ୍ୟ ଏହା ପରିବାରବାଦ ଓ ଦୁର୍ନୀତି ବିରୋଧରେ ନିଜର କାର୍ଯ୍ୟ ଜାରି ରଖିବ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ପ୍ରାୟ ସବୁ ସମୟରେ ରାଷ୍ଟ୍ରବାଦ ଓ ନ୍ୟାସନାଲ୍ ସିକ୍ୟୁରିଟିର ଦ୍ୱାହି ଦେଉଥିବା ସରକାରଙ୍କ ପକ୍ଷରୁ ହିଁ ଦିଆଯାଇଥିବା ନିଯୁକ୍ତି ଯଦି ବେଆଇନ ହୁଏ ତା'ହେଲେ ସେଇ ବେଆଇନ କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ ଅଫିସର ନେଇଥିବା ସମସ୍ତ ନିର୍ଣ୍ଣୟ ଓ ପଦକ୍ଷେପ କେତେ ଦୂର ଆଇନସମ୍ମତ! ତା'ଛଡ଼ା ଆମ ଦେଶର ଗଣତନ୍ତ୍ର, ସାମ୍ବିଧାନିକ ବ୍ୟବସ୍ଥା ଓ ଆଇନକାନୁନ କେତେ ସୁରକ୍ଷିତ!