ସିଏଜି ଦର୍ପଣରେ ମୋଦୀ ଦୁର୍ନୀତିର ଚେହେରା-୨

ସିଏଜି ଦର୍ପଣରେ ମୋଦୀ ଦୁର୍ନୀତିର ଚେହେରା-୨

       ଯେତେବେଳେ ଭାରତୀୟ ସମ୍ବିଧାନ ପ୍ରଣୟନ କରାଗଲା, ଗଣତନ୍ତ୍ରକୁ ସୁରକ୍ଷିତ ଏବଂ ଅକ୍ଷୁର୍ଣ୍ଣ ରଖିବା ବିଭିନ୍ନ ସ°ସ୍ଥା ବା ଗଭର୍ଣ୍ଣି° ବଡି ଏବଂ ଏଜେନ୍ସି ଗୁଡିକୁ ପ୍ରତିଷ୍ଠା କରାଗଲା। ଆମ ପୂର୍ବ ପୁରୁଷମାନେ ଏତେ ଦୂରଦୃଷ୍ଟି ସମ୍ପନ୍ନ ଥିଲେ ଯେ ସେମାନେ କୌଣସି ଗୋଟିଏବି ସ°ସ୍ଥାକୁ ନିରଙ୍କୁଶ ବା ବେଲଗାମ୍ ହୋଇ କାମ କରିବା ପାଇଁ ଛାଡି ଦେଇ ନାହାନ୍ତି। ଗଣତନ୍ତ୍ରକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ସ°ସ୍ଥା ପରସ୍ପର ଉପରେ ନିର୍ଭରଶୀଳ ହେବା ସହ ପ୍ରତ୍ୟେକ ଅନ୍ୟ ଉପରେ ନଜର ମଧ୍ୟ ରଖନ୍ତି। ଆବଶ୍ୟକସ୍ଥଳେ ଜଣେ ଅନ୍ୟକୁ ରୋକିବା ସହ ଆଉ କେତେବେଳେ ଗୋଟିଏ କାମର ଦ୍ବିତୀୟ ଭାଗ ପୁରା କରନ୍ତି, ପରସ୍ପର ଉପରେ ନଜର ରଖିବା ସହ ସମନ୍ୱୟ ରଖି ଗଣତନ୍ତ୍ରର ସୁରକ୍ଷା ପାଇଁ କାମ ମଧ୍ୟ କରନ୍ତି। ଏମିତି ଗୋଟାଏ ଭାରତୀୟ ସାମ୍ବିଧାନିକ ସ°ସ୍ଥା ହେଉଛି CAG ବା Comptroller and Auditor General of India (ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ)। ଏହି ସ°ସ୍ଥା ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଦ୍ବାରା ହାତକୁ ନିଆଯାଇଥିବା ପ୍ରୋଜେକ୍ଟ ଏବଂ ଆକାଣ୍ଟସ ଗୁଡିକର ଅନୁଧ୍ୟାନ ଏବଂ ପରୀକ୍ଷଣ ବା ନିରିକ୍ଷଣ କରି ରିପୋର୍ଟ ପ୍ରସ୍ତୁତ କରେ। ପ୍ରକୃତରେ ଏହା ସରକାରଙ୍କ କାମ ବା performance ର ଅଡିଟ୍ କରେ। ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି CAG ତା'ର ଯାଞ୍ଚ ରିପୋର୍ଟ ସିଧା ସ°ସଦରେ ପେଶ୍ କରେ। ସ°ସଦରେ ପେଶ୍ ହେବା ପୂର୍ବରୁ ଏହା କେବେ ବି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ସ°ସ୍ଲିଷ୍ଟ ମନ୍ତ୍ରଣାଳୟର ଅଫିସକୁ ଯାଏନି। ଏହି ଲେଖାର ପ୍ରଥମ ଭାଗରେ ଆମେ CAG ଦ୍ବାରା ପ୍ରସ୍ତୁତ କରାଯାଇଥିବା NHAI, ସଡକ ଓ ପରିବହନ ମନ୍ତ୍ରଣାଳୟ ଉପରେ ଜାଞ୍ଚ ରିପୋର୍ଟ ଉପରେ କଥା ହୋଇଥିଲେ। ଏଥର ଆମେ CAGର ଅନ୍ୟ ମହତ୍ତ୍ୱପୂର୍ଣ୍ଣ ରିପୋର୍ଟ ଉପରେ ଆଲୋଚନା କରିବା।

          ଭାରତ ବା ଭାଜପା ସରକାରର ଗୋଟିଏ ପପୁଲାର୍ ଯୋଜନା ହେଉଛି ଆୟୁଷମାନ୍ ଭାରତ ଯୋଜନା, ଯେଉଁଥିରେ ଲୋକଙ୍କୁ ଚିକିତ୍ସା ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ସାହାଯ୍ୟ ମିଳେ। ୨୦୨୩ CAG ରିପୋର୍ଟ ଅନୁସାରେଗୋଟିଏ ଗୋଟିଏ ମୋବାଇଲ ନମ୍ବରରେ ଲକ୍ଷାଧିକ ହିତାଧିକାରୀଙ୍କ ନାମ ପଞ୍ଜିକୃତ ହୋଇଛି। ଯେମିତିକି 9999999999 ମୋବାଇଲ ନମ୍ବର ପାଇଁ 749820 ଜଣ ବ୍ୟକ୍ତି, 8888888888 ମୋବାଇଲ ନମ୍ବର 139300 ଜଣ ଏବଂ  9000000000 ମୋବାଇଲ ନମ୍ବର 96046 ଜଣଙ୍କ ନାଁ ପଞ୍ଜିକୃତ ହୋଇଛି। ଏହି ତିନୋଟି ନମ୍ବର ଛଡା ଅନ୍ୟ ସର୍ବାଧିକ ବ୍ୟବହୃତ ମୋବାଇଲ ନମ୍ବର ହେଉଛି 9000… ପରେ 20, 1435, 185397 ବିଶିଷ୍ଟ ନମ୍ବର। ଯାଞ୍ଚ ସମୟରେ ଡାଏଲ କରା ଯିବାରୁ ଅଧିକାଂଶ ସେଥିରୁ ସେବାରେ ନଥିବା ବେଳେ, ଆଉ କେତେକ ସ୍ବିଚ୍-ଅଫ୍ ଥିଲେ। ଏହି ପରି ସର୍ବାଧିକ ମାମଲା ମଧ୍ୟପ୍ରଦେଶ, ହରିୟାଣା, କେରଳ, ଛତିଶଗଡ଼ ଏବଂ ଝାରଖଣ୍ଡରେ ରେକର୍ଡ କରା ଯାଇଛି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା 88760 ଜଣ ବ୍ୟକ୍ତିଙ୍କ ନାଁରେ ପୁଣି fresh claim କରା ଯାଇଛି। 214923 ଜଣ ମୃତ ବ୍ୟକ୍ତିଙ୍କ ନାଁ ହିତାଧିକାରୀଙ୍କ ଲିଷ୍ଟରେ ରହିଛି। ଏମିତି 3903ଟି କେସରେ 6.97 କୋଟି ଟଙ୍କା ସରକାରଙ୍କ ତରଫରୁ ପଇଠ କରାଯାଇଛି। ସେମିତି ଏମିତି ମଧ୍ୟ ଅନେକ କେସ୍ ସାମନାକୁ ଆସିଛି ଯେଉଁଠି ଜଣେ ବ୍ୟକ୍ତି ସମାନ ସମୟରେ ଏକାଧିକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି। 43197 ଟି ପରିବାରକୁ CAG "unrealistic size of family" ହିସାବରେ ଚିହ୍ନଟ କରିଛି, ଏହି ପରିବାର ଗୁଡିକରେ ସଦସ୍ୟ ସ°ଖ୍ୟା ୧୧ ରୁ ୨୦୧ ପର୍ଯ୍ୟନ୍ତ ରହିଛି।

        ପ୍ରଧାନମନ୍ତ୍ରୀଙ୍କ ହଓ୍ବାଇ ଚପଲ ପିନ୍ଧୁଥିବା ମଣିଷ ହଓ୍ବାଇ ଜାହାଜରେ ବସିବା ସ୍ବପ୍ନ ଏବଂ ଏଇ କିଛିଦିନ ତଳେ କ°ଗ୍ରେସରୁ ଯାଇ ନୂଆ ତୀବ୍ର ଭାଜପା ନେତା ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିଜ ଭାଷଣରେ ଏରୋଡ୍ରମ୍ କୁ ନେଇ ଦାବି ବିଷୟରେ ଆପଣଙ୍କର ନିଶ୍ଚୟ ମନେ ଥିବ। ସେଇ "ଉଡେ ଦେଶକା ଆମ୍ ନାଗରିକ" ବା ଉଡାନ୍ ସ୍କିମ୍ ଉପରେ CAG ପେସ୍ କରିଥିବା ରିପୋର୍ଟ ଅନୁସାରେ ସ୍ଥିର କରାଯାଇଥିବା ୩ ବର୍ଷର ଅବଧି ମଧ୍ୟରେ ନିର୍ଦ୍ଧାରିତ ୩୭୧ଟି ରୁଟ୍ ମଧ୍ୟରୁ କେବର ୧୧୨ଟି (୩୦%) ରୁଟ୍ କାର୍ଯ୍ୟ ପୁରା ହୋଇ ପାରିଛି। ୧୧୨ଟି ରୁଟରୁ ତିନି ବର୍ଷ ପରେ, ମାର୍ଚ୍ଚ ୨୦୨୩ ସୁଧା କେବଳ ୫୪ (୭୯%) କାର୍ଯ୍ୟକ୍ଷମ ରହିବାରେ ସଫଳ ହୋଇଛନ୍ତି। ବକେୟା ଖର୍ଚ୍ଚ ଓ ଦର ପୈଠ କରା ଯାଇ ସାରିଥିବା ୧୧୬ଟି ଏୟାରପୋର୍ଟ/ ହେଲିପୋର୍ଟ/ ଓ୍ବାଟର୍ ଏରୋଡ୍ରମ୍ ମଧ୍ୟରୁ ମାତ୍ର ୭୧ଟି କାର୍ଯ୍ୟକ୍ଷମ ହୋଇ ପାରିଥିଲେ। ୧୦୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ୮୩ଟି କାର୍ଯ୍ୟକ୍ଷମ ହୋଇ ପାରିନଥିଲେ କିମ୍ବା ସେଠି କାମ ଆରମ୍ଭ ହୋଇ ବନ୍ଦ ହୋଇଯାଇଥିଲା।

        ଯଦିଓ ଡିସେମ୍ବର ୨୦୨୨ରେ CAGର ଏହି ରିପୋର୍ଟ ଆସିଥିଲା, କିନ୍ତୁ ବାହାନଗା, ବାଲେଶ୍ଵର ରେଳ ଦୁର୍ଘଟଣା ପରେ ହିଁ ସମସ୍ତଙ୍କର ଏହା ଉପରକୁ ନଜର ଯାଇଥିଲା। ବର୍ଷ ୨୦୧୭ -୨୦୨୧ ମଧ୍ୟରେ ସାମ୍ପଲ୍ ଅଡିଟରେ ନିଆ ଯାଇଥିବା ୨୧୭ଟି ରେଳ ଦୁର୍ଘଟଣା ମଧ୍ୟରୁ ୧୬୩ଟି "ଡିରେଲମେଣ୍ଟ" କାରଣରୁ ହୋଇଥିଲା। ଡିରେଲମେଣ୍ଟର ମୁଖ୍ୟ ୨୩ଟି କାରଣ ମଧ୍ୟରୁ ସର୍ବାଧିକ ୧୬୭ଟି ଟ୍ରାକ୍ ମେଣ୍ଟେନାନ୍ସ ଅଭାବ, ୧୪୯ଟି ଟ୍ରାକ୍ ନିର୍ମାଣର ଅନୁମୋଦିତ ପାଆରାମିଟରରେ ଅବହେଳା କାରଣରୁ, ୧୪୪ଟି କେସରେ ଖରାପ ଚାଳନା ବା ଓଭର ସ୍ପିଡି° କାରଣରୁ, ୧୮୨ଟି କେସରେ ମେକାନିକାଲ କାରଣ ଯେମିତିକି ଚକା ଆକାରରେ ଅସମାନତା ଏବଂ କୋଚ୍/ ଓ୍ବାଗନ୍ ନିର୍ମାଣରେ ଅସନ୍ତୁଳନ, ୧୫୪ଟି କେସରେ ଲୋକୋ ପାଇଲଟ୍ କାରଣରୁ। ବର୍ଷ ୨୦୧୯ -୨୦ରେ ରେଲଓ୍ବେ ଟ୍ରାକର ସୁରକ୍ଷା ପାଇଁ ଅନୁମୋଦିତ ରାଶିକୁ ୨୦୧୮-୧୯ର ଥିବା ୯୬୦୭.୬୫ କୋଟି ଟଙ୍କାରୁ କମାଇ ୭୪୧୭ କୋଟି ଟଙ୍କା କରି ଦିଆ ଯାଇଥିଲା। ଏବଂ ଅନୁମୋଦିତରାଶିର ସମସ୍ତ ଅର୍ଥ ମଧ୍ୟ ଟ୍ରାକର ସୁରକ୍ଷା ପାଇଁ ଖର୍ଚ୍ଚ କରା ଯାଇ ନଥିଲା। ବର୍ଷ ୨୦୧୭-୨୧ ମଧ୍ୟରେ ଘଟିଥିବା ସମସ୍ତ ୧୧୨୭ଟି ଡିରେଲମେଣ୍ଟ ଦୁର୍ଘଟଣା ମଧ୍ୟରୁ ୨୮୯ଟି ଟ୍ରାକ୍ ରିନେଓ୍ବାଲ୍ ନହୋଇଥିବା କାରଣରୁ ଘଟିଥିବା ଦର୍ଶା ଯାଇଛି।

         ଏବେ ଯେଉଁ CAG ରିପୋର୍ଟ କଥା ଆଲୋଚନା ହେବ, ସେଥିରେ ଯଦି ଆପଣଙ୍କର ଧାର୍ମିକ ଭାବନା ଆହତ ହୁଏ ମୋର ଆଦୌ ଦୋଷ ନାହିଁ। ଏବେ ପର୍ଯ୍ୟନ୍ତ କେବଳ ସଡକ, ଉଡ୍ଡୟନ, ରେଳ କିମ୍ବା ଚିକିତ୍ସା ଯୋଜନାରେ ଭ୍ରଷ୍ଟାଚାରର ଖବରେ ମନ ଭିତରେ ଆଲୋଡନ ସୃଷ୍ଟି ନହୋଇଥିବା ଦେଶର ଜନତଙ୍କ ପାଇଁ ଏ ରିପୋର୍ଟ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଷୟରେ ଆପଣ ତ ନିଶ୍ଚୟ ଖବର ରଖିଥିବେ, ହେଲେ ଖାଲି ମନ୍ଦିର ତିଆରି ହୋଇଗଲେ ତ ହେବନି, ସେଥିପାଇଁ ଗୋଟିଏ "ଅଯୋଧ୍ୟା ଡେଭଲପମେଣ୍ଟ ପ୍ରୋଜେକ୍ଟ" ଲଞ୍ଚ୍ କରା ଯାଇଥିଲା। ଏବେ ଅ CAG ରିପୋର୍ଟ ଅନୁସାରେ ସମୁଦାୟ ପ୍ରୋଜେକ୍ଟକୁ ୧୪ଟି ସମାନ ଆକାରର କ୍ଷେତ୍ରରେ ଭାଗ କରା ଯାଇ, ବିଭିନ୍ନ ଠିକାଦାରଙ୍କୁ ବିଭିନ୍ନ କାମ ପାଇଁ ଟେଣ୍ଡର ଦିଆ ଯାଇଛି। କିନ୍ତୁ ଉତ୍ତରପ୍ରଦେଶ ଜଳସେଚନ ବିଭାଗ ତରଫରୁ ବିନା କୌଣସି ଜାଞ୍ଚ ଏବଂ ପୂର୍ଣ୍ଣ ଅବହେଳାରେ ୧୪ଟି ଯାକ କ୍ଷେତ୍ରର ଜଳସେଚନର ଦାୟିତ୍ୱ ଗୋଟିଏ ଠିକାଦାରକୁ ଅଲଗା ଅଲଗା ରେଟରେ ଯୋଗାଇ ଦିଆ ଯାଇଛି। ଏଥିରେ ଅନ୍ୟୁନ୍ୟ ୧୯.୧୩ ଲକ୍ଷର କ୍ଷତି ହୋଇଛି। ବିଭିନ୍ନ ବିଭାଗରେ ରାଜ୍ୟ ପ୍ରଶାସନ ତରଫରୁ GST ରେଜିଷ୍ଟ୍ରେସନ ରଦ୍ଦ କରାଯାଇଥିବା ଠିକାଦାରଙ୍କୁ କାମ ଦିଆଯାଇ, ବକେୟା ରାଶି ପ୍ରଦାନ କରା ଯାଇଛି। ସମୁଦାୟ ୩ ଜଣ ଏହି ପରି ଠିକାଦାରଙ୍କୁ ପାଖାପାଖି ୧୯.୫୭ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି। ଏହାଛଡା ପ୍ରୋଜେକ୍ଟ କ୍ଷେତ୍ରର ଆଖପାଖରେ ବିଭିନ୍ନ ଲୋକଙ୍କୁ ପ୍ରଥମେ ସରକୁ ରେଟରେ ଭୂମି ଦିଆଯାଇ ପରେ ସେହି ଭୂମିକୁ ପ୍ରୋଜେକ୍ଟ ଅଥରିଟିକୁ ଚଢା ଦରରେ ବିକ୍ରି କରା ଯାଇଛି।

         ଆଉ ଗୋଟିଏ ରିପୋର୍ଟରେ CAG ତରଫରୁ ଦର୍ଶା ଯାଇଛି ଯେ କେନ୍ଦ୍ର ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ତରଫରୁ ବୃଦ୍ଧାବସ୍ଥା, ବିଧବା ଏବଂ ବିକଳାଙ୍ଗ ପେନସନ ବା National Social Assistance Programme ମଧ୍ୟମରେ ଦିଆ ଯିବାକୁ ଥିବା ଟଙ୍କାକୁ "ଗ୍ରାମ୍ ସମ୍ରିଦ୍ଧି  ସ୍ବଚ୍ଛ ଭାରତ୍ ପଖଓ୍ବାରା" ସମୟରେ ୧୯ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋର୍ଡି° ଏବଂ ଅନ୍ୟାନ୍ୟ ପ୍ରଚାର ପାଇଁ ବ୍ୟବହାର କରା ଯାଇଛି।

         Hindustan Aeronautics Limited (HAL) କୁ ନେଇ ମଧ୍ୟ CAGର ଗୋଟିଏ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁସାରେ ତୃଟିପୂର୍ଣ୍ଣ ଇଞ୍ଜିନ ଡିଜାଇନ୍ ଏବଂ ନିର୍ମାଣ କାରଣରୁ ଦେଶକୁ ୧୫୪ କୋଟି ଟଙ୍କାର କ୍ଷତି ହୋଇଛି।

        (ଖବରର ଖବର ରଖନ୍ତୁ, ସଚେତନ ହୁଅନ୍ତୁ। ଦେଶ ଆମ ସମସ୍ତଙ୍କର, ଏହାର ସୁରକ୍ଷାର ଦାୟିତ୍ୱ ବି ଆମ ସମସ୍ତଙ୍କର)