ନିଜ ଉପରେ ନିବେଶ କରିବା ପାଇଁ ଆମେ କେତେ ପ୍ରସ୍ତୁତ ?     

ନିଜ ଉପରେ ନିବେଶ କରିବା ପାଇଁ ଆମେ କେତେ ପ୍ରସ୍ତୁତ ?     

       କିଛି ଦିନ ତଳେ ଜଣେ ସାଙ୍ଗର ଜନ୍ମଦିନ ପାର୍ଟିକୁ ଯାଇଥିଲି। ସେଠି ତା’ ଆଇ ସି ୟୁର କିଛି ଡାକ୍ତର (ଉଭୟ ମହିଳା ଏବଂ ପୁରୁଷ)ଠୁ ଆରମ୍ଭ କରି ତା’ ଷ୍ଟାଫ୍ ବି ଉପସ୍ଥିତ ଥା’ନ୍ତି। ଯଦିଓ ସେମାନଙ୍କୁ ଆଗରୁ ଭେଟିଛି କିନ୍ତୁ ଏଥର ସେମାନଙ୍କ ବ୍ୟବହାର ଟିକେ ସନ୍ଦେହପୂର୍ଣ୍ଣ ଲାଗୁଥାଏ। ସେମାନେ ସମସ୍ତେ ନିଜ ଭିତରେ କ’ଣ ଗୋଟିଏ ଆଲୋଚନା କରି ଚିଡାଚିଡି ଏବଂ ଚୁପିଚୁପି ହସୁଥା’ନ୍ତି। ଏମିତି ପରିସ୍ଥିତିରେ କୌତୂହଳ ହେବା ସ୍ବାଭାବିକ। କିଛି ସମୟ ଗପସପ ପରେ ମୋ’ ସାଙ୍ଗ ମୋତେ କହିଲା, ଏଇ କିଛି ଦିନ ହେବ ତାଙ୍କ ହସ୍ପିଟାଲରେ ଜଣେ ଲେଡି ଡକ୍ଟର ଜଏନ୍ କରିଛନ୍ତି। ସେ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ଆଉ ତାଙ୍କର କାଳେ ହଜାର ହଜାର ଫଲୋଓ୍ବର ଅଛନ୍ତି। ଆଜିକା ସମୟରେ ଏଇ କଥାକୁ ନେଇ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ମୁଁ ଭାବିଲି ଏଥିରେ ହସାହସି- ଚିଡାଚିଡି ପାଇଁ ଖୋରାଖ୍ କେଉଁଠି ରହିଲା। ତା’ପରେ ମୋତେ ସେ ସେହି ମହିଳା ଡାକ୍ତରଙ୍କର ଗୋଟିଏ ଭିଡିଓ ଦେଖାଇଲା। ମୋବାଇଲକୁ ସେଲ୍ଫି ମୋଡରେ ରଖି ସେ ଏମିତି ସବୁ ଅଙ୍ଗଭଙ୍ଗୀ କରି ଭିଡିଓ ଗୁଡିକୁ ନେଇଥା’ନ୍ତି ଯେ, ଯେକୌଣସି ଭଦ୍ରବ୍ୟକ୍ତି ଦେଖିଲେ ନିଜେ ଲାଜରେ ଆଖି ବନ୍ଦ କରିଦେବ। କିନ୍ତୁ ଆଜି ଏ ଅଭ୍ୟାସ ତଥା ଗତିବିଧି କେବଳ ଏଇ ଜଣେ ଯୁବତୀ କିମ୍ବା ମହିଳାଙ୍କର ନୁହେଁ, ସୋସିଆଲ୍ ମିଡିଆରେ ଏପରି କିଶୋରୀ, ଯୁବତୀ ଏବଂ ପ୍ରାପ୍ତବୟସ୍କ ମହିଳା ମାନଙ୍କର ଆକାଉଣ୍ଟର ଅଭାବ ନାହିଁ। ପୁଣି ଲାଇକ୍ ତଥା ସବସ୍କ୍ରାଇବର୍ ଗୋଟାଇବା ପାଇଁ ସେମାନେ ପ୍ରତିଦିନ ନୂଆ ଏବଂ ଉଦ୍ଭଟ ଭିଡିଓ ସବୁ ଅପଲୋଡ଼୍ କରିବା ପାଇଁ ରିତିମତ ପ୍ରତିଯୋଗିତାରେ ମାତିଥା’ନ୍ତି! ଏ ପରିସ୍ଥିତି କିମ୍ବା ବ୍ୟବହାର ଆଜିର ମହିଳା ଏବଂ ଝିଅ ମାନଙ୍କ ମଧ୍ୟରେ କେବଳ ସବସ୍କ୍ରାଇବର୍ ଗୋଟାଇବା ପାଇଁ ନୁହେଁ ଛକରେ ଠିଆ ହୋଇ ହଟ୍-ପ୍ୟାଣ୍ଟରେ ସିଗାରେଟ୍ ଫୁଙ୍କିବା, ରାତିଅଧରେ ନିଶା ସେବନ କରି ପାଟିତୁଣ୍ଡ କରିବା ଓ ଗାଡି ଚଲାଇବା, ଗହଳିରେ ଅସଭ୍ୟ ଭାଷାରେ ଗାଳି କରିବା, ଓପନ୍ ରିଲେସନସିପ୍ ଏବଂ ସେକ୍ସ ବିଷୟରେ ଉଦ୍ଭଟ, ବିକୃତ ତଥା unreasonable and irrelevant ଉତ୍ତର ଓ ମନ୍ତବ୍ୟ ରଖିବା, ଆଦି କ୍ଷେତ୍ରରେ ମଧ୍ୟ ଦେଖା ଯାଉଛି। ଅନେକ ସମୟରେ ଏସବୁ ବ୍ୟବହାରକୁ bold ଓ liberal ଚିନ୍ତାଧାରା ଏବଂ ମହିଳା ସଶକ୍ତୀକରଣ କୁହାଯାଉଥିବା ବେଳେ, ଆକଟ ଏବଂ ବିରୋଧ କରୁଥିବା ମଣିଷକୁ anti- feminist ଆଖ୍ୟା ଦିଆ ଯାଉଛି!! ହେଲେ ମହିଳା ସଶକ୍ତୀକରଣ ବା gender equality ମାନେ କ’ଣ ସତରେ ଏୟା? 

           ଊନ୍ନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯେତେବେଳେ ଆମେରିକା ଏବଂ ୟୁରୋପୀୟ ଦେଶ ଗୁଡିକରେ ପ୍ରଥମେ ମହିଳା ମାନଙ୍କ ଆନ୍ଦୋଳନ ଓ ମହିଳା ଦିବସ ପାଇଁ ସ୍ବର ଉଠିଥିଲା, ତାହା ଥିଲା ସେମାନଙ୍କର ସମାନତା ତଥା ନିର୍ବାଚନ ପ୍ରକ୍ରିୟାରର ମତଦାନର ଅଧିକାର ପାଇଁ। ସେତେବେଳେ ବିଶ୍ବ ଗୋଟିଏ ତିବ୍ର ଉଦ୍ୟୋଗୀକରଣ ଏବଂ ଜଗତୀକରଣ ଆଡକୁ ବଢୁଥିବା ବେଳେ ଅନେକ ବିଚ୍ଛିନ୍ନତାବାଦୀ ଶକ୍ତି ମୁଣ୍ଡ ଟେକୁ ଥା’ନ୍ତି। ସେବେ ମହିଳାମାନେ ବିଭିନ୍ନ କାରଖାନା, ନିର୍ମାଣ ସ°ସ୍ଥାନରେ ଶ୍ରମ ତ ଦାନ କରୁଥା’ନ୍ତି, କିନ୍ତୁ ସେ ଶ୍ରମଦାନ ପାଇଁ ଉପଯୁକ୍ତ ସମ୍ମାନ ପାଉ ନଥା’ନ୍ତି। ସେହି ସମୟରେ ୧୯୦୮ ମସିହାରେ ନ୍ୟୁ ୟୋର୍କ ସିଟିରେ ପାଖାପାଖି ୧୫,୦୦୦ ମହିଳା ଏକାଠି ଗୋଟିଏ ପଦଯାତ୍ରା ଆରମ୍ଭ କରିଥିଲେ। ତାହା ଥିଲା ମହିଳାମାନଙ୍କ ମତଦାନର ଅଧିକାର, କାର୍ଯ୍ୟକ୍ଷେତ୍ରରେ ଶ୍ରମଦାନର ସମୟସୀମା ନିର୍ଦ୍ଧାରଣ ଏବଂ ଉଚିତ ପାରିଶ୍ରମିକ ପାଇଁ। ୧୯୦୯ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଥର ଫେବୃଆରୀ ଶେଷ ରବିବାରକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ କରା ଯିବାର ନିଷ୍ପତ୍ତି ନିଆଗଲା। ୧୯୧୦ରେ କୋପେନ୍- ହେଗେନ୍, ଡେନମାର୍କରେ ଦ୍ୱିତୀୟ ବିଶ୍ବ କର୍ମଜୀବୀ ମହିଳା ସ°ଗଠନର ବୈଠକ ହୋଇଥିଲା, ଯେଉଁଥିରେ ୧୭ଟି ଦେଶରୁ ୧୦୦ଜଣ ମହିଳା ଭାଗ ନେଇଥିଲେ। ଏଇଠି ପ୍ରଥମେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ବିଷୟରେ ପ୍ରସ୍ତାବ ରଖାଗଲା। ୧୯୧୧ରେ ପ୍ରଥମଥର ପାଇଁ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରେ ୧୯ ମାର୍ଚ୍ଚରେ ପ୍ରଥମ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଗଲା। ଏଥିରେ ପାଖାପାଖି ଦଶଲକ୍ଷ ମହିଳା ଏବଂ ପୁରୁଷ ଶୋଭାଯାତ୍ରା କରି ମହିଳା ମାନଙ୍କ ମତଦାନ, ବିଭିନ୍ନ ପବ୍ଲିକ୍ ସେକ୍ଟର ଏବଂ ଅଫିସରେ କାମ କରିବାର ଅଧିକାର ଓ ଉପଯୁକ୍ତ ପାରିଶ୍ରମିକ ପାଇଁ ଦାବି କରିଥିଲେ। ଠିକ୍ ତା’ର ସପ୍ତାହେ ପରେ ମାର୍ଚ୍ଚ ୨୫ ତାରିଖରେ ନ୍ୟୁ ୟୋର୍କ ସିଟିରେ “ଟ୍ରାଇଆଙ୍ଗେଲ୍ ଫାୟାର୍” ପରି ଦୁଃଖଦ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ସେଠାରେ କାର୍ଯ୍ୟରତ ୧୪୦ ଜଣ ମହିଳା ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ସମ୍ପୂର୍ଣ୍ଣ ମହିଳା ଅଧିକାର ଆନ୍ଦୋଳନର ଉଦ୍ଦେଶ୍ୟକୁ ଗୋଟିଏ ନୂଆ ଦିଗ ଦେଇଥିଲା। ଏହା ପରେ କାର୍ଯ୍ୟକ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ଏବଂ ସୁରକ୍ଷିତ ପରିବେଶ ଉପରେ ଜୋର୍ ଦିଆଗଲା। ୧୯୧୩-୧୪ ବେଳକୁ ଋଷର ମହିଳାମାନେ ପ୍ରଥମ ବିଶ୍ବ ଯୁଦ୍ଧ ସମୟରେ ଶାନ୍ତି ପ୍ରତିଷ୍ଠା ଓ ମହିଳା ମାନଙ୍କ ଅଧିକାର ପାଇଁ ଫେବୃଆରୀ ଶେଷ ରବିବାରରେ ପ୍ରଥମଥର ମହିଳା ଦିବସ ପାଳନ କରିଥିଲେ। ୧୯୧୭ରେ ମଧ୍ୟ ଋଷର ମହିଳାମାନେ ପ୍ରଥମ ବିଶ୍ବ ଯୁଦ୍ଧରେ ପ୍ରାଣ ହରାଇଥିବା କୋଡିଏ ଲକ୍ଷ ସୈନିକ ଏବଂ ନିଜର କାମ ତଥା ପାରିଶ୍ରମିକ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ଚାରିଦିନ ଚାଲିଥିଲା ଏବଂ ଏହା ପରେ ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା। ଏହା ପରେପରେ ସର୍ବସମ୍ମତି କ୍ରମେ ମାର୍ଚ୍ଚ ୮ ତାରିଖକୁ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳନ କରିବା ପାଇଁ ମଞ୍ଜୁର କରା ଯାଇଥିଲା। ୧୯୭୫ ମସିହାରେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘରେ ମହିଳା ମାନଙ୍କ ସମାନ ଅଧିକାର ପାଇଁ ମାର୍ଚ୍ଚ ୮କୁ ମହିଳା ଦିବସ ଭାବରେ ପାଳନ କରା ଯିବା ପାଇଁ ସ୍ଥିର କରାଯାଇଥିଲା। ୧୯୯୬ ମସିହାରେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘ ମହିଳା ଦିବସ ପାଇଁ ଗୋଟିଏ theme ବାଛିଥିଲେ, “Celebrating the past, Planning for the Future”। ଏହା ପର ଠାରୁ ପ୍ରତିବର୍ଷ ମିଳିତ ଜାତିସଂଘ ମହିଳା ଦିବସ ଉଦ୍ଦେଶ୍ୟରେ ଗୋଟିଏ theme ବାଛିଥାଏ। ଯାହାର ଉଦ୍ଦେଶ୍ୟ, ବିଶ୍ବସ୍ତରରେ ମହିଳା ମାନଙ୍କ ବିକାଶ, ଅଧିକାର ଏବଂ ସୁରକ୍ଷା ଦିଗରେ କାମ କରିବା ଅଟେ। ସେହି ପରିପ୍ରେକ୍ଷୀରେ ୨୦୨୪ ପାଇଁ theme ରହିଛି “Invest in Women: Accelerate Progress”। ଅର୍ଥାତ୍ ମହିଳା ମାନଙ୍କ କ୍ଷେତ୍ରରେ ନିବେଶ କରି ପ୍ରଗତି ବା ବିକାଶର ଧାରାକୁ ତ୍ବରାନ୍ବିତ କରିବା। ଏଠି ନିବେଶ ବା investର ଅର୍ଥ ଆଦୌ ବ୍ୟାବସାୟିକ ଦୃଷ୍ଟିରୁ ପୁଞ୍ଜିନିବେଶ ନୁହେଁ। ଏହାର ଅର୍ଥ, ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଫିଲ୍ଡରେ ପରିଶ୍ରମ ଓ ବୁଦ୍ଧି ନିବେଶ କରି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ଦୃଢ କରିବା, ଯାହା ଦ୍ବାରା ସମାଜରେ ବିକାଶର ଧାରା ଆହୁରି ତୀବ୍ର ହେବ। ମିଳିତ ଜାତିସଂଘର ଆକଳନ ଅନୁସାରେ, ବର୍ତ୍ତମାନ ଆମେ ଯେଉଁ ସ୍ଥିତିରେ ଅଛେ, ସମାଜରେ ଲିଙ୍ଗଗତ ଭେଦଭାବ ଦୂରହୋଇ ସମାନତା ଆସିବା ପାଇଁ ଆହୁରି ୩୦୦ ବର୍ଷ ଲାଗିବ। ତେଣୁ ଏହି ସମାନତା ଆଣିବା ପାଇଁ ଆମକୁ ମହିଳା ମାନଙ୍କ କ୍ଷେତ୍ରରେ ନିବେଶ ଉପରେ ଜୋର୍ ଦେବାକୁ ପଡିବ। ଆମ ଦୈନନ୍ଦିନ ଜୀବନରେ ସମାଜରେ ଅନେକ ଲିଙ୍ଗଗତ ଭେଦଭାବ ଦେଖିବା ପାଇଁ ମିଳେ, ଯେମିତିକି, ବର୍ତ୍ତମାନ ଭାରତର ମହିଳା ସାକ୍ଷରତା ହାର ୭୭% ରହିଥିବା ବେଳେ ପୁରୁଷ ମାନଙ୍କ କ୍ଷେତ୍ରରେ ଏହା ୮୪.୭%; ଭାରତର ସମୁଦାୟ ଓ୍ବାର୍କଫୋର୍ସ ବା ଉତ୍ପାଦନକ୍ଷମ ଜନସଂଖ୍ୟାର ମାତ୍ର ୨୫% ହେଉଛନ୍ତି ମହିଳା; ଆମ ଦେଶରେ କାର୍ଯ୍ୟରତ ଥିବା ସମୁଦାୟ ମହିଳାଙ୍କ ମଧ୍ୟରୁ ୯୪% ଅଣସା°ଗଠନିକ କ୍ଷେତ୍ରରେ କାମ କରନ୍ତି। ଇଣ୍ଟରନ୍ୟାସନାଲ୍ ଲେବର ସ°ସ୍ଥା ଅନୁସାରେ, ଭାରତରେ ସ°ଗଠିତ ଏବଂ କର୍ପୋରେଟ ସ°ସ୍ଥା ଗୁଡିକରେ ମହିଳା କର୍ମଚାରୀଙ୍କ ସ°ଖ୍ୟା ମାତ୍ର ୭% ଥିବା ବେଳେ ନିର୍ଦ୍ଦେଶକ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀ ସ୍ତରରେ ଏହି ଯୋଗଦାନ ମାତ୍ର ୫% ଅଟେ। ସାରା ବିଶ୍ବରେ ଗୋଟିଏ ସମାନ ପ୍ରକାରର କାମ ପାଇଁ ମହିଳାମାନେ ନିଜ ପୁରୁଷ ପ୍ରତିଦ୍ୱନ୍ଦୀ ତୁଳନାରେ ହାରାହାରି ୨୦% କମ୍ ପାଉଣା ପାଇଥା'ନ୍ତି (ଭାରତରେ ଏହା ୩୪%କମ୍)। ଜଣେ ମହିଳା ପ୍ରତିଦିନ ନିଜ ଘର ପାଇଁ ପାଖାପାଖି ୨୯୯ ମିନିଟର ନିଶୁଳ୍କ ସେବା ପ୍ରଦାନ କରୁଥିବା ବେଳେ ପୁରୁଷ ମାନଙ୍କ କ୍ଷେତ୍ରରେ ଏହା ପାଖାପାଖି ୯୭ ମିନିଟ୍ ଅଟେ। ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କଲେ, ବିଶ୍ବବ୍ୟାପି ମହିଳା ଏବଂ ପୁରୁଷଙ୍କ ପାଉଣା ବା ଦରମାକୁ ନେଇ ଥିବା ଅସମାନତାକୁ ଦୂର ହେବା ପାଇଁ ପାଖାପାଖି ୨୫୭ ବର୍ଷ ଲାଗିଯିବ। ଏହି ଅସମାନତାକୁ ଦୂର କରିବା ପାଇଁ ସବୁଠାରୁ ଉପଯୁକ୍ତ ପଦକ୍ଷେପ ହେଉଛି ମହିଳା ମାନଙ୍କର ମାନବାଧିକାରର ସୁରକ୍ଷା। ଏହା ଦ୍ବାରା ହିଁ ଲିଙ୍ଗଗତ ଭେଦଭାବକୁ ସୁଚାରୁ ଭାବରେ ଦୂର କରି ହେବ। ଏହି ଭେଦଭାବ ବିଶ୍ବରେ ଚାଷଜମି ମାଲିକାନା କ୍ଷେତ୍ରରେ ମଧ୍ୟ ଦେଖାଯାଏ। ରିପୋର୍ଟ ଅନୁସାରେ ବିଶ୍ବରେ କୃଷି ଶ୍ରମିକଙ୍କ ୮୦% ମହିଳା ହୋଇଥିବା ବେଳେ ମାତ୍ର ୧୧% ମହିଳା ଚାଷଜମିର ଏକା ମାଲିକ ହୋଇଥାନ୍ତି (ପୁରୁଷ ମାନଙ୍କ କ୍ଷେତ୍ରରେ ଏହା ୨୨%)। ସାଧାରଣତଃ ମହିଳାଙ୍କ ନାଁରେ ଥିବା ଜମି, ଅନ୍ୟ କୌଣସି ନିକଟ ସମ୍ପର୍କୀୟଙ୍କ ନାଁ ସହ ଯୋଡି ହୋଇ ଥାଏ। ସମ୍ପୂର୍ଣ୍ଣ ବିଶ୍ବରେ ମାତ୍ର ୧୫% ମହିଳା କୌଣସି ଜମିଜମାର ଅଧିକାରୀ ହୋଇ ଥା’ନ୍ତି; ବିଶ୍ବର ସମସ୍ତ ଭୂଭାଗର ମାତ୍ର ୨୦% ମହିଳା ମାନଙ୍କ ମାଲିକାନାତ୍ତ୍ବରେ ରହିଛି। ମିଳିତ ଜାତିସଂଘ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଜମି ଅଧିଗ୍ରହଣ ଉପରେ ଜୋର୍ ଦେବା ପାଇଁ ଆହ୍ୱାନ କରିଛନ୍ତି। ଯାହା ଦ୍ୱାରା ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ସଶକ୍ତ ହେବ। ଏହି ଦିଗରେ ଆହୁରି ଠୋସ୍ ପଦକ୍ଷେପ ନେବା ପାଇଁ  ୨୦୩୦ ସୁଦ୍ଧା ୩୪୨ ମିଲିଅନ କିଶୋରୀ ଏବଂ ମହିଳାଙ୍କ ଦାରିଦ୍ର୍ୟରୁ ମୁକ୍ତି ଦେବା ପାଇଁ ସହଯୋଗ କରିବା ଦିଗରେ କାମ କରିବା ପାଇଁ ମଧ୍ୟ ସ୍ଥିର ହୋଇଛି। କେବଳ ଶିକ୍ଷା, କାର୍ଯ୍ୟକ୍ଷେତ୍ର, ଆର୍ଥିକ କିମ୍ବା ଜମି ମାଲିକାନା ନୁହେଁ, ସାମାଜିକ ଏବଂ ସ୍ବାସ୍ଥ୍ୟକୁ ନେଇ ମଧ୍ୟ ମହିଳା ମାନେ ସାରା ବିଶ୍ବରେ ସମାନ ଭେଦଭାବ ଭୋଗିଥା’ନ୍ତି। ବିଶ୍ବରେ ପାଖାପାଖି ୧.୮ ମିଲିୟନ ଝିଅ ୧୮ ବର୍ଷ ବୟସ ପୂର୍ବରୁ ବିବାହ କରି ଥା'ନ୍ତି। ଭାରତରେ ୧୮ ବର୍ଷରୁ କମ୍ ବୟସର ହାରାହାରି ୪୩% ଝିଅଙ୍କର ବିବାହ କରିଦିଆ ଯାଇଥାଏ। ଏମାନଙ୍କ ମଧ୍ୟରୁ ପ୍ରତିବର୍ଷ ପାଖାପାଖି ୨୫୦୦୦ ଝିଅଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ସମୟରେ ମୃତ୍ୟୁ ଘଟିଥାଏ। କିଶୋରାବସ୍ଥାରେ ଗର୍ଭଧାରଣ କରୁଥିବା ହାରାହାରି ୯% ଝିଅ ୧୫ -୧୯ ବର୍ଷ ବୟସର। ଏ ଅସମାନତା ଏଇଠି ସରିଯାଏନି। ଜାନୁଆରୀ ୨୦୨୩ରେ ମିଳିତ ଜାତିସଂଘ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ବରେ କେବଳ ୧୭ଟି ଦେଶରେ ରାଜ୍ୟର ମୁଖ୍ୟ ଏବଂ ମାତ୍ର ୧୯ ଦେଶରେ ଶାସନ ମୁଖ୍ୟ ଭାବରେ କୌଣସି ମହିଳା ରହିଛନ୍ତି। ଏହି ରିପୋର୍ଟ ଅନୁସାରେ ବିଶ୍ବରେ ମାତ୍ର ୨୨.୮% ନିର୍ବାଚିତ ମହିଳା ଦେଶର ପଲିସି ବା ନିୟମ-କାନୁନ, ବୈଦେଶିକ କିମ୍ବା ଆର୍ଥିକ ମନ୍ତ୍ରଣାଳୟ ସମ୍ଭାଳି ଥା'ନ୍ତି। କେବଳ ୬ଟି ଦେଶରେ ନିର୍ବାଚିତ ମହିଳା ସଦସ୍ୟଙ୍କ ସ°ଖ୍ୟା ୫୦%ରୁ ଊର୍ଦ୍ଧ୍ବ ଅଟେ। ବର୍ତ୍ତମାନର ପରିସ୍ଥିତିକୁ ନେଇ ବିଚାର କଲେ ବିଶ୍ବରେ ଶାସନତନ୍ତ୍ର ଏବଂ ଲେଜିସଲେଟିଭ୍ ବଡିରେ ଲିଙ୍ଗଗତ ବୈଷମ୍ୟ ଦୂର ହେବା ୨୦୬୩ ପୂର୍ବରୁ ଆଦୌ ସମ୍ଭବ ନୁହେଁ! କେବଳ ମିଳିତ ଜାତିସଂଘ କିମ୍ବା ବିଶେଷଜ୍ଞ ନୁହନ୍ତି ଆଜି ଅଳ୍ପ ବହୁତ ଆମେ ସାଧାରଣ ମଣିଷ ମଧ୍ୟ ବୁଝୁଚେ ଯେ ମଣିଷ ସମାଜର ଉନ୍ନତି ଏବଂ ବିକାଶ ପାଇଁ ତା’ର ୪୯.୬% ମଣିଷଙ୍କୁ ଏକଦମ୍ ଅଣଦେଖା କିମ୍ବା ପଛରେ ଛାଡି ହେବ ନାହିଁ। 
         ପୃଥିବୀର ୧୦୦% ମଣିଷଙ୍କ ସାମାଜିକ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଏହି ୪୯.୬% ମଣିଷଙ୍କୁ ବାକି ୫୦.୪%ଙ୍କ ସାମାଜିକ ସ୍ଥିତି ସହ ସମାନ ହେବାକୁ ପଡିବ। ଆଉ ତା’ ପାଇଁ ଆବଶ୍ୟକ ରହିଛି ସେହି ୪୯.୬% ମଣିଷଙ୍କ ଠାରେ ନିବେଶକୁ ଜୋର୍ ଦେବାର। ପ୍ରତ୍ୟେକ ଦେଶର ସରକାର, ତା’ର କିଶୋରୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ, ସୁଷମ ଖାଦ୍ୟ, ଉପଯୁକ୍ତ-ଉଚ୍ଚ ଶିକ୍ଷା ଯୋଗାଇବା ପାଇଁ ସୁଚିନ୍ତିତ ପଦକ୍ଷେପ ନେବାକୁ ପଡିବ। ତେବେ ଯାଇ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କର ଗଠନମୂଳକ ଯୋଗଦାନକୁ ଆମେ ସୁରକ୍ଷିତ କରିପାରିବା। କେବଳ ଅଫିସ୍ କିମ୍ବା ସମାଜରେ ନୁହେଁ ପାରିବାରିକ ସ୍ଥରରେ ମଧ୍ୟ ଶ୍ରମବିଭାଜନର ବ୍ୟବସ୍ଥା ଆପଣାଇବାକୁ ପଡିବ। କାମର ଉଚିତ ପାରିଶ୍ରମିକ ଦେବା ଦ୍ବାରା ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୃଢ କରିବା ସହ ସେମାନଙ୍କର ଖର୍ଦି କରିବାର କ୍ଷମତାକୁ ବୃଦ୍ଧି କରିହେବ। ଯାହା ଅନ୍ୟ ଅନେକଙ୍କୁ ରୋଜଗାର ଓ ଅର୍ଥ ଉପାର୍ଜନର ସୁଯୋଗ ଦେବ। ଦେଶର ଶାସନତନ୍ତ୍ର ଏବଂ ପଲିସିମେକି° ସ°ସ୍ଥା ଗୁଡିକରେ ମହିଳା ମାନଙ୍କୁ ସମାନ ଭାବରେ ଭାଗିଦାର ହେବାର ସୁଯୋଗ ଦେବାକୁ ହେବ। ଆଉ ଏ ସବୁ ପାଇଁ କେବଳ ମିଳିତ ଜାତିସଂଘ କିମ୍ବା କୌଣସି ଦେଶର ସରକାର ନୁହନ୍ତି, ପ୍ରତ୍ୟେକ ମହିଳାକୁ ମଧ୍ୟ ନିଜ ଆଖପାଖରେ ଥିବା ମହିଳା ମାନଙ୍କ ପ୍ରାଥମିକ ଶିକ୍ଷା ଏବଂ ସାକ୍ଷରତା ବୃଦ୍ଧି ଦିଗରେ ଉଦ୍ୟମ କରିବାକୁ ପଡିବ। ପ୍ରତ୍ୟେକ ମହିଳା ନିଜ ଭିତରେ କିଛି creative ଏବଂ constructive ଗୁଣ ବା skill (development) ବିକାଶ କରିବା ଦ୍ବାରା ନିଜକୁ ଅଧିକରୁ ଅଧିକ ସ୍ବାବଲମ୍ବୀ କରି ପାରିବେ। ଆମକୁ ସ୍ବାଧୀନଚେତା, ଆଧୁନିକ ଚିନ୍ତାଧାରା ଏବଂ ବିଶୃଙ୍ଖଳା ଭିତର ଫରକକୁ ବୁଝିବା ପାଇଁ ପଡିବ। ସୋସିଆଲ୍ ମିଡିଆରେ ଉଦ୍ଭଟ ଭିଡିଓ ଅପଲୋଡ୍ କରି, ରାସ୍ତା-ଭିଡ଼ରେ ବିକୃତ ଭାଷା ଏବଂ ବ୍ୟବହାର ପ୍ରଦର୍ଶନ କରି, ସର୍ବସମ୍ମୁଖରେ ବା ଗଣମାଧ୍ୟମରେ ବିବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ଜଣେ କିଛି ସମୟ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରେ ସତ, କିନ୍ତୁ ନା’ ଏହା ଚିରସ୍ଥାୟୀ ନା’ ଏହା ବିକାଶମୂଳକ! ତେଣୁ ଆଜି ଯୁବ ପିଢ଼ିର ମହିଳା ମାନଙ୍କୁ ଭାବିବାକୁ ପଡିବ……ନିଜ ଉପରେ ନିବେଶ କରିବା ପାଇଁ ସେମାନେ ନିଜେ କେତେ ପ୍ରସ୍ତୁତ?