ସଂସଦରେ ପୁନଶ୍ଚ ରାହୁଲ ଗାନ୍ଧୀ

ସଂସଦରେ ପୁନଶ୍ଚ ରାହୁଲ ଗାନ୍ଧୀ

ରହୁଲ ଗାନ୍ଧୀଙ୍କ ବିରୋଧରେ ସୁରତର ଏକ ଅଦାଲତ ଯେଉଁ ଅଦ୍ଭୁତ ଦଣ୍ଡାଦେଶ ଦେଇଥିଲେ ତାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବାପରେ ମୋର ଜଣେ ବନ୍ଧୁ ଥଟ୍ଟାରେ ମୋତେ ପଚାରିଥିଲେ, ଏହି ରାୟ ବିରୁଦ୍ଧରେ ମୋଦୀ ପାର୍ଲିଆମେଣ୍ଟରେ ଏକ ଅଧ୍ୟାଦେଶ ଆଣିବେ କି ? ବନ୍ଧୁ ଜଣକ ଯଦିଓ ଥଟ୍ଟାରେ ଏ ପ୍ରଶ୍ନ ପଚାରିଥିଲେ, ଅସଲରେ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବକୁ ନେଇ ଏହା ହିଁ ହେଉଛି ସାଧାରଣ ଭାରତୀୟଙ୍କର ଧାରଣା । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ବୋଧହୁଏ ଆମ ଦେଶର ସବୁଠୁ ଅସହିଷ୍ଣୁ ରାଜନେତା । ନିଜ ବିରୋଧୀଙ୍କୁ ସାବାଡ/ଜବତ କରିବାକୁ ଯାଇ ସେ କିଛି ବି କରିପାରନ୍ତି । କ୍ଷମତାର ମୋହ ପାଇଁ ଗଣତନ୍ତ୍ର ଓ ଆଇନର ଶାସନକୁ ଯେତେ ଅଧିକ ଦୁରୁପଯୋଗ କରାଯାଇପାରିବ, ତାର ବିଶେଷ କଳା ନରେନ୍ଦ୍ର ମୋଦୀଙ୍କୁ ଜଣା ଅଛି

ରାହୁଲ ଗାନ୍ଧୀଙ୍କୁ ଗତ ୧୧୩ ଦିନ ଧରି ସଂସଦରୁ ଦୂରେଇ ରଖିବାକୁ ଗୁଜରାଟର ବିଭିନ୍ନ ଅଦାଲତ ମାଧ୍ୟମରେ ଯେଉଁ ପ୍ରକ୍ରିୟା ଚାଲିଥିଲା, ତାହା ଆଇନର ଶାସନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆକୁ ନେଇ ଯାହା କହିଥିଲେ, ତାହା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରତି ଉଦ୍ଦିଷ୍ଟ ଥିବା ବେଳେ ଗୁଜରାଟର ଜଣେ ବିଜେପି ନେତାଙ୍କର ଏ କ୍ଷେତ୍ରରେ ମାନହାନୀ କେମିତି ହେଲା, ତାହା ଏଯାଏ କେହି ବୁଝିପାରୁନାହାନ୍ତି । ଏ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସବୁଠୁ ଅଧିକ ଡ୍ଣାଡାଦେଶ ଦେଇଥିବା ସୁରତ ଅଦାଲତର ବିଚାରପତି କୌଣସି କାରଣ ଦର୍ଶାଇନଥିବା କଥା ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ତାଙ୍କ ରାୟରେ ପରୋକ୍ଷ ଭାବରେ ଗୋଟେ କଥା କହିଛନ୍ତି ଯେ ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେଇ ମାନ୍ୟବର ଟ୍ରାଏଲ କୋର୍ଟ ବିଚାରପତି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବାର ବାଟ ଫିଟାଇଥିଲେ

ଏ ପ୍ରସଙ୍ଗରେ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଜିଲା କୋର୍ଟ ଏବଂ ଗୁଜରାଟ ହାଇକୋର୍ଟ ଏଇ ଯୁକ୍ତିକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ ଗୁଜରାଟ ହାଇକୋର୍ଟ ଏହି ପ୍ରସଙ୍ଗରେ ମାସାଧିକ କାଳ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । କେଉଁଠି ନା କେଉଁଠି ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଚାଲିଥିଲା ଓ ଏହି ଷଡଯନ୍ତ୍ରର ପ୍ରଚ୍ଛଦ ନାୟକ କିଏ , ସେ କଥା ଦେଶବାସୀ ଭଲଭାବରେ ଜାଣନ୍ତି ରାହୁଲ ଗାନ୍ଧୀଙ୍କୁ ସଂସଦରେ କୁହାଇ ନଦେବା ଲାଗି ବିଜେପିର ବ୍ୟାପକ ଉଦ୍ୟମ ଓ ଷଡଯନ୍ତ୍ର ଆଜି ପୁଣିଥରେ ପାଣି ଫାଟି ଯାଇଛି ।   

ତେବେ ରାହୁଲ ଗାନ୍ଧୀଙ୍କୁ ବିଜେପିର ଏତେ ଭୟ କାହିଁକି ?

  ରାହୁଲଙ୍କ ସମ୍ପର୍କରେ ବିଜେପିର ସାଧାରଣ ବକ୍ତବ୍ୟ ହେଉଛି -

୧. ରାହୁଲ ଗାନ୍ଧୀ ଜଣେ ପପ୍ପୁ।

୨. ରାହୁଲ ଗାନ୍ଧୀ ନିର୍ବୋଧ

୩. ରାହୁଲ ଗାନ୍ଧୀଙ୍କୁ କଥା କହି ଆସେନାହିଁ।

୪. ମୋଦୀଙ୍କ ଆଗରେ ରାହୁଲ ଗାନ୍ଧୀ ଗୋଟେ ସାନପିଲା।

୫. ରାହୁଲ ଗାନ୍ଧୀ କେବଳ ନିଜ ପରିବାରର ପ୍ରତିଷ୍ଠା ନେଇ ପ୍ରାସଙ୍ଗିକ, ନଚେତ୍ ତାଙ୍କର କୌଣସି ରାଜନୈତିକ ଯୋଗ୍ୟତା ନାହିଁ ।     

ତେବେ ବିଜେପି ନେତା ଗୋଟେ ପକ୍ଷରେ ରାହୁଲ ଗାନ୍ଧୀଙ୍କୁ "ପପ୍ପୁ" ବୋଲି କହି ଗାଳିଗୁଲଜ କରୁଥିବା ବେଳେ ଅପରପକ୍ଷରେ ରାହୁଲଙ୍କ ପ୍ରତ୍ୟେକ ବକ୍ତବ୍ୟ କୁ ସେମାନେ ଦିନରାତି ଖଣ୍ଡନ କରୁଥାନ୍ତି । ବିଜେପି ଆଇଟି ସେଲ୍ ର ମୁଖିଆ ଅମିତ ମାଲବ୍ୟ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପୁରା ଅସ୍ତିତ୍ବ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର କରି ଗଢିଉଠିଛି । ସେମାନେ ନିଜ ଦଳର ପ୍ରଧାନମନ୍ତ୍ରୀ ଓ ସର୍ବାଧିକ ପ୍ରଭାବଶାଳୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଯେତିକି ଲେଖନ୍ତି, ତା'ଠୁ ଢେର୍ ଅଧିକ ରାହୁଲ ଙ୍କ ବିରୋଧରେ ଗପନ୍ତି । ରାହୁଲ ଗାନ୍ଧୀ ଯେଉଁଠି ଯାହା କହିଲେ ତାଙ୍କ କଥାକୁ ଖଣ୍ଡନ କରିବାକୁ ପୁରା ବିଜେପି ଏବଂ ମୋଦୀ ମନ୍ତ୍ରୀ ମଣ୍ଡଳ ଅଣ୍ଟା ଭିଡ଼ି ଲାଗି ପଡ଼ନ୍ତି। ବେଳେ ବେଳେ ଏମିତି ଲାଗୁଛି, ଯେମିତି ରାହୁଲ ଗାନ୍ଧୀ ଏ ଦେଶର ପ୍ରଧାନମନ୍ତ୍ରୀ ଓ ବିଜେପି ଆଜି ମଧ୍ୟ ବିରୋଧୀ ଦଳ ଆସନରେ ବସିଛି ।

କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ଯେଉଁ ହୀନ ଭାବନା ରହିଛି ତାର ଭଲ ଫଳ ଏବେ କଂଗ୍ରେସକୁ ମିଳିବା ଆରମ୍ଭ କରିଛି। ଲଗାତାର ୧୦ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ନରେନ୍ଦ୍ର ମୋଦୀ ଆଜି ମଧ୍ୟ କଂଗ୍ରେସ ବିରୋଧୀ ଭାବନା ଆଧାରରେ ଭୋଟ ପାଇବେ ବୋଲି ଭାବୁଛନ୍ତି। କଂଗ୍ରେସ କିଛି କରିନାହିଁ ତେଣୁ ମୋତେ ଭୋଟ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଲା ବେଳେ ଏବେ ସାଧାରଣ ଜନତା ପ୍ରଶ୍ନ ପଚାରିବା ଆରମ୍ଭ କଲେଣି- ତମେ କଣ କରିଛ ଯେ ସେଥିପାଇଁ ତମକୁ ଭୋଟ ଦେବୁ!!

ରାହୁଲ ଗାନ୍ଧୀ ବିଜେପି ପାଇଁ ଏବେ ସବୁଠୁ ବଡ଼ ପ୍ରତିବନ୍ଧକ ସାଜିଛନ୍ତି। ଦେଶରେ ହେଉ କି ବିଦେଶରେ, ରାହୁଲ ଯେଉଁ ସାହସର ସହିତ ବିଜେପିର ମୁକାବିଲା କରୁଛନ୍ତି, ତାହା ତାଙ୍କର ଲୋକପ୍ରିୟତାକୁ ବ‌ହୁ ପରିମାଣରେ ବଢାଇ ଦେଇଛି। ଇଂଲଣ୍ଡ ଗସ୍ତ ସମୟରେ ରାହୁଲ ଭାରତୀୟ ଗଣତନ୍ତ୍ରର ଅବକ୍ଷୟ ବିଷୟରେ ଯାହା କହିଥିଲେ, ତାକୁ ନେଇ ବିଜେପି ସଂସଦ ଅଚଳ କରିଥିଲା। ପରବର୍ତ୍ତୀ ସମୟରେ ରାହୁଲ ଗାନ୍ଧୀଙ୍କ ସଂସଦ ସଭ୍ୟ ପଦ ରଦ୍ଦ କରି ତାଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ବିଜେପି ଉଦ୍ୟମ କରିଥିଲା। ସଂସଦ ରୁ ତାଙ୍କୁ ବହିସ୍କାର କରିବା ବିଜେପି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ସଂସଦ ରୁ ତାଙ୍କୁ ବହିସ୍କାର କରିବା ଅଗଣତାନ୍ତ୍ରିକ ବୋଲି ପ୍ରତ୍ୟେକ ଭାରତୀୟ ଙ୍କ ମନରେ ପଶିଯାଇଛି ଓ ଏହା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ବହୁ ଭାବରେ ବଢାଇ ଦେଇଛି ।

ଆଜି ସୁପ୍ରିମକୋର୍ଟ ରାୟ ଆସିବା ପରେ ରାହୁଲ ଗାନ୍ଧୀ ଅଧିକ ଶକ୍ତି ଓ ଉତ୍ସାହର ସହିତ ସଂସଦକୁ ଫେରିବେ, ଯାହା କି ମୋଦୀ ଓ ବିଜେପି ଲାଗି ବଡ ଚିନ୍ତାର ବିଷୟ