ସାହିତ୍ୟ ପୁରସ୍କାର ବିବାଦ : ସମ୍ବାଦ ସାହିତ୍ୟ ଘରର ଏକ ଖୋଲା ବିତର୍କ

ସାହିତ୍ୟ  ପୁରସ୍କାର ବିବାଦ : ସମ୍ବାଦ ସାହିତ୍ୟ ଘରର  ଏକ ଖୋଲା ବିତର୍କ

ସଂପ୍ରତି ଓଡ଼ିଆ ସାହିତ୍ୟକୁ ନେଇ ଯେତିକି ଆଲୋଚନା ହେଉନାହିଁ, ତାଠୁ ଅଧିକ ଆଲୋଚନା ହେଉଛି ପୁରସ୍କାର ଓ ସ୍ୱୀକୃତିକୁ ନେଇ । ବିଶେଷକରି ସରକାରୀ ପୁରସ୍କାରଟିଏ ଘୋଷିତ ହେବାମାତ୍ରେ ସାମାଜିକ ଗଣମାଧ୍ୟମରେ ଚିଲ-ଶାଗୁଣା ପରି ଝାମ୍ପିପଡ଼ୁଛନ୍ତି ଲୋକେ । ସେମାନଙ୍କ ଯୁକ୍ତି ହେଉଛି, ଲୋକଙ୍କ ଟିକସ ଅର୍ଥରେ ଦିଆଯାଉଥିବା ପୁରସ୍କାରକୁ ଅନାବାଶ୍ୟକଭାବେ ଗୋପନୀୟ ରଖାଯିବା ଦ୍ୱାରା ନାନାପ୍ରକାର ହେରଫେର ଓ ଦୁର୍ନୀତି ହେଉଛି । ଯୋଗ୍ୟ ଲୋକେ ପୁରସ୍କାର ପାଉନାହାନ୍ତି । ତେବେ ଜଣେ ଲେଖକ କେବେ ପୁରସ୍କାରମନସ୍କ ହୋଇ ଲେଖିନଥାଏ । କୌଣସି ଆନୁଷ୍ଠାନିକ ସ୍ୱୀକୃତି ନୁହେଁ, ବରଂ ଜଣେ ଲେଖକ ପାଇଁ ପାଠକୀୟ ପ୍ରେରଣା ହିଁ ଶ୍ରେଷ୍ଠ ପ୍ରେରଣା ବୋଲି ଭୁବନେଶ୍ୱର ସମ୍ବାଦ ସାହିତ୍ୟଘରର ବିଶେଷ ଚର୍ଚ୍ଚା ଆସରରେ ଯୋଗଦେଇ ଅତିଥିମାନେ ମତପ୍ରକାଶ କରିଛନ୍ତି ।


ଏକ ବର୍ଷଣମୁଖର ସଂଧ୍ୟାରେ ଆମଓଡ଼ିଶା ସଭାକକ୍ଷରେ ଆୟୋଜିତ ଏହି ଆସରରେ ‘ପୁରସ୍କାର ସାହିତ୍ୟକୁ କରୁଛିକି ବାଟବଣା’ ଶୀର୍ଷକରେ ଦଳଗତ ଆଲୋଚନା ହୋଇଥିଲା । ଭୁବନେଶ୍ୱର ସାହିତ୍ୟଘରର ସଭାପତି ଯୁବଲେଖକ ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଖ୍ୟାତ ଗବେଷକ ଓ ଲେଖକ ଅସିତ ମହାନ୍ତି କହିଥିଲେ ଯେ ପୁରସ୍କାର ବିଚାର ପ୍ରକ୍ରିୟାରେ ଗୋପନୀୟତା ନରହିଲେ, ସବୁକିଛି ସ୍ୱଚ୍ଛ ଓ ସ୍ପଷ୍ଟ ଭାବେ ହେଲେ, କ୍ରମେ ଏଥିକୁ ନେଇ ହେଉଥିବା ବିବାଦ କମିଯିବ । ପୁରସ୍କାର ବିଚାର ପ୍ରକ୍ରିୟା ସବୁବେଳେ ସ୍ବଚ୍ଛ ଏବଂ ପାରଦର୍ଶୀ ହେବା ଏକାନ୍ତ ଜରୁରୀ ବୋଲି ଶ୍ରୀ ମହାନ୍ତି ଗୁରୁତ୍ଵ ଦେଇଥିଲେ ।  


ପୁରସ୍କାର ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ତରୁଣଲେଖକ ମାନେ ଅଧିକ ସକ୍ରିୟ ଭୂମିକା ନିଅନ୍ତୁ । ଲୋକଙ୍କ ପଇସାରେ ଦିଆଯାଉଥିବା ପୁରସ୍କାର ଯୋଗ୍ୟ ଲେଖକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ଏକାଡେମୀର ରହିଛି । ସେଥିରେ ଯଦି ସେମାନେ ବିଫଳ ହୁଅନ୍ତି, ସେଥିପାଇଁ ତାଙ୍କୁ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡ଼ିବ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ କବି ଓ ସମୀକ୍ଷକ କେଦାର ମିଶ୍ର । ପୁରସ୍କାର ସହିତ ସବୁବେଳେ ଏକ ରାଜନୈତିକ ପ୍ରକ୍ରିୟା ଜଡିତ ଥାଏ । ଏହି ରାଜନୀତିକୁ ଭଲଭାବରେ ବୁଝି ବିଚାରି ଯୁବଲେଖକମାନେ ନିଜର ଆଦର୍ଶ ସ୍ଥିର କରିବା ଦରକାର ବୋଲି ଶ୍ରୀ ମିଶ୍ର ଜୋର ଦେଇଥିଲେ ।   


ଯୁବଗାଳ୍ପିକ ତଥା ସାହିତ୍ୟଘରର ସଂପାଦକ ସୁବ୍ରତ କୁମାର ସେନାପତିଙ୍କ ସଂଯୋଜନାରେ ପୁରସ୍କାରର ଭୂମି ଓ ଭୂମିକାକୁ ନେଇ ଆଲୋଚନା କରିଥିଲେ ପବିତ୍ର ମୋହନ କର, ହିରଣ୍ମୟୀ ମିଶ୍ର, ଆଶିଷ କୁମାର ଗଡ଼ନାୟକ, ସ୍ୱାଗତିକା ସ୍ୱାଇଁ, ମୌସୁମୀ ଦାସ, ସ୍ନେହ ଦାସଲେଙ୍କା, ସୁମିତ ପଣ୍ଡା, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ସତ୍ୟ ଶିବ ସୁନ୍ଦର, ବୀରେନ୍ଦ୍ର ନାୟକ ପ୍ରମୁଖ । ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଯୁବ କଣ୍ଠଶିଳ୍ପୀ ପଲ୍ଲବ କୁମାର ମିଶ୍ର ।


ଏହି ଅବସରରେ ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କାଙ୍କ ଜନ୍ମଦିନ କେକ୍‍ କଟାହୋଇ ପାଳନ କରାଯାଇଥିଲା । ଭୁବନେଶ୍ୱର ସାହିତ୍ୟଘର ତରଫରୁ ଡ. ଲେଙ୍କାଙ୍କୁ ‘ଅବିକା’ ପ୍ରସ୍ତୁତ ହସ୍ତତନ୍ତ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।


ଭୁବନେଶ୍ୱର ସାହିତ୍ୟଘରର ଉପସଭାପତି ସୁମିତ ପଣ୍ଡା, ସହସଂପାଦକ ତୃପ୍ତିରଞ୍ଜନ ଦାସ, ଅନ୍ତର୍ଯ୍ୟାମୀ ମିଶ୍ର, ଅବିନାଶ ସାହୁ, ଆଶିଷ କୁମାର ମିଶ୍ର, ଅରୁଣ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ବରିଷ୍ଠ କବି ଓ ଅନୁବାଦକ କ୍ଷୀରୋଦ ପରିଡ଼ା, ଆକାଶ ଦାଶ, ପ୍ରଦୀପ କୁମାର ଶୀଲ, ରଜତ କୁମାର ମିଶ୍ର, ଆଲୋକ କୁମାର ସାମଲ, ଅମିତ କୁମାର ସାହୁ, ଆଶିଷ କୁମାର ଗୌଡ଼, ତ୍ରିଲୋଚନ ମହାନ୍ତି ପ୍ରମୁଖ ଅନେକ ଲେଖକ ତଥା ସାହିତ୍ୟପ୍ରେମୀ ଯୋଗଦେଇ ଆସରଟିକୁ ସଫଳ କରିଥିଲେ ।