ପଟୁଆର

ପଟୁଆର

ବୟସ  ବଢିଚାଲେ ହଠାତ୍ ଅବସର ପରେ
ବିଗତ ଯୌବନ। ପତ୍ନୀ ବି ମନେ ହୁଅନ୍ତି
ଷୋଡ଼ଶୀ ପ୍ରେମିକା ପରି ଲୋଭନୀୟ ଓ
ସୁନ୍ଦର, ମନୋମୁଗ୍ଧକର
ଚାକିରି କାଳ ସରିଗଲେ
ମନେପଡ଼େ ପୁରୁଣା କୋଠରୀ
 ଚଉକି, ଫାଇଲ୍ ଓ ଦରବାର

କେଉଁଠି ଥାଏ ଜୀବନଯାତ୍ରାର ଦୌଡ଼
କାହିଁକି ଥମିଯାଏ ଅଚାନକ୍ ଭିଡ଼
ଚାରିପଟେ ବହୁଦିନୁ ଘୁରିବୁଲୁଥିବା
ରଙ୍ଗୀନ୍ ମହୁମାଛିମାନେ
ହଠାତ୍ ବନ୍ଦ କରି ଦିଅନ୍ତି ଗୁଣୁଗୁଣୁ
ଅବସର ପରେ କାହିଁକି ଯେ ନିସ୍ତବ୍ଧ ହୋଇଯାଆନ୍ତି ପ୍ରିୟତମ ସହରର ସବୁସ୍ଵର !

ତା'ପରେ ଛକମାନଙ୍କରେ
ଚା' ଦୋକାନ ଆଡ୍ଡାରେ ବହି ଓ କଲମ ଧରି
ମିଳନ୍ତି ଗତ ଶତାବ୍ଦୀର
କିଛି ହଜିଯାଇଥିବା ଚଢ଼େଇ
ବିଗତ ଫୁଲମାନେ ଉଙ୍କି ମାରୁଥାନ୍ତି
ଝରକାରୁ,ନିଜ ନିଜ ବ୍ୟକ୍ତିଗତ ଇଲାକାରୁ
ପୁରୁଣା ଟୋପି ଓ କୋଟମାନଙ୍କୁ ପିନ୍ଧି
ଚୁପଚାପ୍ ଚାଲିଥାଏ
ଗୋଟେ ବାହୁଡ଼ା ଯାତ୍ରାର ପଟୁଆର !