ଏଥର ବସନ୍ତରେ
ଲୁହର ଷଡ଼ଯନ୍ତ୍ର ଆଜି ସାରା ରାତି ବର୍ଷିବ ଆକାଶ;
ଖବରଦାର୍, କେହି ନାଁ ଧରିବନି,
ଦୋଷ ଦେବନି ବନ୍ଧୁଗଣ...
ଯେଉଁମାନେ ଉଜାଗର ରହି ଦେଖିଥିଲେ ଶେଷଦୃଶ୍ୟ,
ଯେଉଁମାନେ ମିଳନବେଳାରେ ଗାଇଥିଲେ ମଧୁଗୀତ
ଖବରଦାର୍......
ନା, ନାଁ ଧରିବନି।
ମୁଁ ଅନେକ ଦିନରୁ ବାହାରି ଆସିଛି ପୃଥିବୀରୁ,
ଆସିଲାବେଳେ ଇ' ଚିରି ଦେଇଛି ସବୁ ପ୍ରେମପତ୍ର,
ତା ଦେହକୁ ଆଉଜି ଠିଆ ହେଇଥିବା ଛାଇଟିର ନିର୍ମମ ହତ୍ୟା କରିଛି,
କେହି କେହି କହୁଥିବାର ଶୁଣିଛି ଏ ମନ କାଳେ ମାୟାବିନୀ
ମନକୁ କ'ଣ ଆକଟ କରିହୁଏ !
ଘୋଡାଶାଳ କି ଗାଇଗୋଠରେ ବାନ୍ଧି ହୁଏ !
ମୁଁ ଅନେକ ଦିନରୁ ବାହାରି ଆସିଛି ମନରୁ।
ସକାଳ ହେଲେ ଫୁଟୁ ନାହିଁ ରକ୍ତଗୋଲାପ, ଭ୍ରମର !
ବାସ୍ନା ଏଠି ବାସନ୍ଦ, ଭ୍ରମର !
ସକାଳର ଖବରରେ ଘଟଣା କି ଦୁର୍ଘଟଣା ନାହିଁ,
ମରୁଭୂମି ରଙ୍ଗର ଆଖିରେ କ'ଣ ସ୍ୱପ୍ନ ଫୁଟେ ଭ୍ରମର !
ଯଦି କେହି ମୋ ନାଁ ନେଇ
ଫେରିଆସେ ଏଥର ବସନ୍ତରେ ଭୁବନେଶ୍ୱର,
ଯଦି କେହି ଲେଖିଥିବା ପ୍ରେମକବିତା ସବୁ ପ୍ରଜାପତି ଭଳି
ଖେଳେଇ ଦିଏ ପବନରେ,
ଯଦି କେହି........
ମୋ କାନର କଳାଜାଇରେ ଦେଇଥିବା ଚୁମ୍ୱନର ଦାଗ
ଦେଖେଇ କବିର ପରିଚୟ ଦିଏ..
ଦିନେ ଯଦି ଝଡ଼ ସହ ଉଡିଆସେ ଗୋଟେ ପ୍ରେମ କାହାଣୀ
ଖବରଦାର୍, ଏ ସହର ପାଉଁଶ ହେଲାବେଳେ
ଦୋଷ ଦେବନି ବନ୍ଧୁଗଣ ।