କ୍ଷତ: ଏକ ରାଜନୈତିକ ପ୍ରସ୍ତାବନା
ପ୍ରଶ୍ନଟି ହେଉଛି,ସୁଚିନ୍ତିତ ଭାବରେ କିଏ ଅନ୍ୟ ଆଉ କାହା ଭିତରେ ବେଦନା ଜାଗ୍ରତ କରିବାକୁ ଭଲପାଏ ? ଅନ୍ତତଃ ଯାହା ଭିତରେ ମାନବିକ ସଂବେଦନଶୀଳତାର ଅବଶିଷ୍ଟ କିଛି ରହିଛି ସେ ଏପରି କିଛି କରିବ ନାହିଁ।ସେ ସବୁବେଳେ ଚାହିଁବ ଯେମିତି ଆଉ ଜଣେ କାହା ଭିତରେ ଟିକିଏ ବୋଲି ଦୁଃଖ କଷ୍ଟ ନରହୁ।ସମସ୍ତେ ଆନନ୍ଦରେ କାଳାତିପାତ କରନ୍ତୁ।
କିନ୍ତୁ କେହି କେହି ଅନ୍ୟ ଭିତରେ କ୍ଷତକୁ ସବୁବେଳେ ଉଜାଗର କରି ରଖିବାକୁ ଚାହିଁଥାନ୍ତି। ଏହାକୁ କଦାପି କେହି କୌଣସି ପ୍ରକାରେ ଏକ ସୁସ୍ଥ କ୍ରିୟା ବୋଲି ମନେ କରିବ ନାହିଁ। କାରଣ କ୍ଷତ ହିଁ ସବୁବେଳେ ମଣିଷର ଏକ ପ୍ରକାର ଅବମୂଲ୍ୟାୟନ କରିଥାଏ।କ୍ଷତ ମଣିଷକୁ ଅସହାୟ, ଆବେଗପରକ ଏବଂ ଏକପ୍ରକାର ଭାଗ୍ୟବାଦୀ କରିପକାଏ। ଯଥାସ୍ଥିତି ପ୍ରତି ସେ ନିଷ୍ପୃହ ହୋଇଉଠେ,ସମଗ୍ର ଉପସ୍ଥିତ ପୃଥିବୀ ତାହା ସାମ୍ନାରେ ଯେମିତି କୁହୁଡିମାଳରେ ଆଚ୍ଛନ୍ନ ଦିଶେ। ଯେଉଁମାନେ ଅନ୍ୟ ଭିତରେ କ୍ଷତକୁ ଏମିତି ତେଜିଦେବାକୁ ଆଗଭର ହୁଅନ୍ତି ସେମାନେ ଜାଣନ୍ତି ଏଇ ଭଳି ମଣିଷ ଭିତରେ ସାମୟିକ ବୀତସ୍ପୃହ ହେବାର ବିଭ୍ରମ ପ୍ରତିଷ୍ଠିତ ହେଲେ ସେମାନେ ନିଜର ଦୃଷ୍ଟିକୁ ନିଜର ସମସାମୟିକତା ର ଆଢୁଆଳରେ ରଖିବା ଭଳି ଏକ ଅବସ୍ଥାରେ ରହିବାକୁ ଉଚିତ ମନେ କରିବେ।
ସାଧାରଣକୁ ତାହାର ବସ୍ତୁସ୍ଥିତିଠାରୁ ଦୂରେଇ ରଖିବା ପାଇଁ ଏଇଭଳି କ୍ଷତର ଅବତାରଣା କରିବା ଆଉ କାହା ପାଇଁ ପ୍ରୟୋଜନୀୟ ବସ୍ତୁ ହୋଇଥାଏ। ନିଜକୁ ସେ ଯେତେ ଭିନ୍ନ ବୋଲି କହୁ ଅସଲରେ କ୍ଷତର ରାଜନୀତି ଯିଏ କରେ ସେହିପରି କରିବା ହିଁ ତାହାର ଏକମାତ୍ର ପସନ୍ଦର ବସ୍ତୁ କାରଣ ତାହାର ଏହା ଛଡା ଆଉ କିଛି କରିପାରିବା ଭଳି ସାମର୍ଥ୍ୟ ନଥାଏ।
ବିଭାଜନର କୁ ମନେ ପକାଇବା ପାଇଁ ଯିଏ ଚାହୁଁଥାଏ ସେ ଅସଲରେ ମଣିଷ ଭିତରେ ସେଇ ଅତୀତ କ୍ଷତକୁ ଭୁଲିଯିବାକୁ ଦେଉନଥାଏ କାରଣ ସେ ଏଇଭଳି ବ୍ୟବସ୍ଥାପନାରେ ନିଜକୁ ହିଁ ସାବ୍ୟସ୍ତ କରିବାକୁ ଚାହୁଁଥାଏ ,ବିଶେଷତଃ ଏମିତି ଗୋଟିଏ ତୁଳନାରେ। ଅତୀତର ଐତିହାସିକ କ୍ଷତ ଆଉ ବର୍ତ୍ତମାନର ସମସାମୟିକ କ୍ଷତ ଉଭୟର ତୁଳନାରେ ସମସ୍ତେ ମାତି ରହିବେ,ବ୍ୟସ୍ତ ରହିବେ। ଆଉ କୌଣସି କଥା ପ୍ରତି ସେମାନଙ୍କ ଦୃଷ୍ଟି ରହିବ ନାହିଁ।
ବିଭାଜନର କ୍ଷତ ଏକ ଐତିହାସିକ କ୍ଷତ।ଏହା ଆମର ସାଧାରଣ ଅନୁଭବରେ ନାହିଁ। ଏହାକୁ ଆଜି ଆଲୋକିତ କଲେ ଆମ ଭିତରେ ସାଧାରଣତଃ ଏକ କାଳ୍ପନିକ କ୍ଷତ ମନକୁ ଆସିବ। ହୁଏତ ଆମର ସଂବେଦନଶୀଳ ହୃଦୟ ଏଥିରେ ନିଜକୁ ବ୍ୟଥିତ କରିବ।ଏଇ ପ୍ରସଙ୍ଗରେ ଉପସ୍ଥିତ ଲେଖକର ମନକୁ ଆସୁଛି ବିଭାଜନର କ୍ଷତ ସଂପର୍କରେ ଗୋଟିଏ ଅତି ପରିଚିତ କାହାଣୀ।କାହାଣୀର ଲେଖକ ଗୁଲଜାର ଆଉ କାହାଣୀର ଶୀର୍ଷକ ହେଉଛି "ରବି ପାର୍" ।ଆପଣମାନେ ଅନେକେ ଏଇ କାହାଣୀକୁ ପଢିଥିବେ।ସଂକ୍ଷେପରେ ସେହି କାହାଣୀଟି ଏହିପରି: ବିଭାଜନ ର ରକ୍ତକ୍ଷୟୀ ଅବସ୍ଥା ପରେ ପାକିସ୍ଥାନରୁ ଟ୍ରେନ୍ ରେ ଶରଣାର୍ଥୀ ଦଳ ଆସୁଛନ୍ତି ଭାରତ। ସେତେବେଳେ ଜଣେ ମାଆର କୋଳରେ ରହିଛି ଦୁଇଟି ସଦ୍ୟଜାତ ଯମଜ ଶିଶୁ। ଆସିଲା ବେଳେ ସେଇ ଯମଜ ଶିଶୁ ଭିତରୁ ଜଣକର ମୃତ୍ୟୁ ହୋଇଯାଇଛି। ସହଯାତ୍ରୀ ମାନେ ସେହି ତରୁଣୀମାଆକୁ ବୁଝାଉଛନ୍ତି ବାରଂବାର ଯେ ମଲା ଶିଶୁକୁ ସାଥିରେ ନେଇ ଯିବାର କୌଣସି ଅର୍ଥନାହିଁ। ଟ୍ରେନ୍ ର ଝରକା ଦେଇ ମଲା ଶିଶୁ କୁ ଫୋପାଡିଦେବାକୁ ସେମାନେ ତାହାକୁ ପ୍ରବର୍ତ୍ତାଉଛନ୍ତି। ଶେଷରେ ଟ୍ରେନ୍ ବାଟରେ
" ରବି" ନଦୀକୁ ଅତିକ୍ରମ କରୁଛି।ଏହାପରେ ଆସିବ ଭାରତ।ସେତେବେଳେ ରବି ନଈକୁ ସେ ମାଆଟି ତାହାର ମଲା ଶିଶୁ କୁ ଫୋପାଡି ଦେଇଛି। ମାତ୍ର ନିଜର କୋଳରୁ ସେ ନଈକୁ ଫୋପାଡିଦେଲା ବେଳେ ଗୋଟିଏ ବଡ ଭୂଲ୍ କରିବସିଛି।ମଲା ଶିଶୁ ବଦଳରେ ସେ ସେଇ ନଈକୁ ଫୋପାଡି ଦେଇଛି ନିଜର କୋଳରୁ ନିଜର ଜିଅନ୍ତା ଶିଶୁକୁ। ଗୁଲଜାରଙ୍କର କାହାଣୀ ଏଇଠେ ଶେଷ। ଉପସ୍ଥିତ ଲେଖକ କିନ୍ତୁ ବିଭାଜନ କହିଲେ ଗୁଲଜାରଙ୍କର ସେଇ ତରୁଣୀମାଆ ଭଳି ଚିରକାଳ ଗୋଟିଏ ମଲାଶିଶୁକୁ କୋଳରେ ଧରି ଏପଟକୁ ଆସିଛି ଆଉ ତାହାକୁ କୋଳଛଡା କରିବାକୁ ଦେଉନାହିଁ।
ଆଜି ଯେତେବେଳେ ବିଭାଜନର କ୍ଷତକୁ ମନେପକାଇଦେବାର ଉପକ୍ରମ ହେଉଛି ସେତେବେଳେ ହୁଏତ ଆମ ଭିତରୁ କେହି କେହି ଗୁଲଜାରଙ୍କ କାହାଣୀର ସେହି ମଲାଶିଶୁକୁ ନିଜର କୋଳରେ ଶୋଇଥିବାର ଅନୁଭବ କରିପାରନ୍ତି। ମାତ୍ର ଅନେକେ ସେଇ କ୍ଷତକୁ କାଳ୍ପନିକ ମନେକରିବେ ଯାହା ସେମାନଙ୍କର ଆତ୍ମା କି ହୃଦୟକୁ ଆଦୌ ସ୍ପର୍ଶ କରିବ ନାହିଁ। ଅନ୍ୟପକ୍ଷରେ ସେମାନଙ୍କ ସାମ୍ନାରେ ଏହାଫଳରେ ଉପସ୍ଥିତ ହେବେ ଅନେକେ ଐତିହାସିକ ଦାନବ ଇତିହାସ ପୃଷ୍ଠାରୁ,ଯେଉଁମାନଙ୍କୁ ସେମାନଙ୍କ ଆଗରେ ସେହିଭଳି ହିଁ ଚିହ୍ନଟ କରାଯାଇଥିବ ଯେ, ଏମାନେ ହିଁ ସେତେବେଳର କ୍ଷତର କାରକ। କ୍ଷତ ର କାରକ ବୋଲି ସେଇ ଐତିହାସିକ ଦାନବ ମାନଙ୍କୁ ଚିହ୍ନଟ କରିବା ହିଁ ହେଉଛି ଏଇ ସବୁ କ୍ଷତକୁ ଉଜାଗର କରି ସାମ୍ନାକୁ ଆଣିବା ପଛରେ ରହିଥିବା ଏକମାତ୍ର ଉଦ୍ଦେଶ୍ୟ। ଅନ୍ୟ ଭାବରେ କହିଲେ, କୌଣସି କ୍ଷତ ପ୍ରତି ସଂବେଦନା ନୁହଁ,କୌଣସି ମାନବିକତା ପ୍ରତି ଆହ୍ୱାନ ନୁହଁ, ସେହି କ୍ଷତ ପଛର କାରଣର ଦାନବକରଣ ହିଁ ଏଇଭଳି ପ୍ରଚେଷ୍ଟା ର ଏକମାତ୍ର ଉପଲକ୍ଷ।
ଆଗରୁ କହିଛି କ୍ଷତ ଆମକୁ ବୀତସ୍ପୃହ କରେ,ଯଥାସ୍ଥିତିରୁ ବିଚ୍ୟୁତି ଭଳି ବିଭ୍ରମ ପ୍ରସ୍ତୁତ କରେ ଆଉ ସେତିକିବେଳେ ଇତିହାସ ପୃଷ୍ଠାରୁ ଯଦି ଦଳକୁ ଦଳ ଦାନବ ଓହ୍ଲାଇ ଆସନ୍ତି ତାହାହେଲେ ଏଇ କ୍ଷତଯଜ୍ଞର ଯିଏ ହୋତା ଓ ପ୍ରମୁଖ ସେ ସମସ୍ତଙ୍କ ଆଗରେ ଅଧିକରୁ ଅଧିକ ମଣିଷ ଭଳି ଦିଶିବେ।
ଭାରତ ବିଭାଜନର ସଂଲଗ୍ନ ଛବି ଗୁଡିକ ବ୍ରିଟିଶ୍ ଫଟୋଗ୍ରାଫର୍ ଶ୍ରୀମତୀ ମାର୍ଗାରେଟ୍ ବର୍କ ଙ୍କ ଦ୍ୱାରା ଉତ୍ତୋଳିତ।