ମଞ୍ଚ
ସେ ଯେତେବେଳେ ମଞ୍ଚରେ,
ସାରା ସଂସାର ଶୁଣେ
ତାଙ୍କ ଶବ୍ଦ ପଦ୍ମତୋଳା,
ସଂଚାର ନାଚେ ।
ସେ ଯେବେ ମଞ୍ଚରୁ ଉଭାନ,
ସାରା ସଂସାରକୁ ଘାରେ
ତାଙ୍କ ସ୍ମୃତି ପଦ୍ମତୋଳା,
ସଂସାର ନାଚେ ।
ଏତଦ୍ଭିନ୍ନ, ଅନ୍ୟ ଗତି କିଛି ନାହିଁ,
ନାଚିବା ମୁହୂର୍ତ୍ତ ଛଡା ଏ ସଂସାରରେ
ବିଭୋର ବେଳା ବୋଲି ଆଉ କିଛି ନାହିଁ,
ତାଙ୍କ ଶବ୍ଦ ଓ ସ୍ମୃତି ଛଡା
ପଦ୍ମତୋଳା ବୋଲି କିଛି ନାହିଁ ।
ସେ ହିଁ ଏକମାତ୍ର ଅବଲମ୍ବନ ।
ଏବଂ ତାଙ୍କରି ଉତ୍ତରାୟଣ ଓ
ଦକ୍ଷିଣାୟନ ହିଁ, ଆମ ଋତୁଚକ୍ର ।
ତାଙ୍କର ପ୍ରତିଟି ନିଃଶ୍ୱାସ
ସତେ ସମ୍ମୋହନୀ ସଂଗୀତ ।
ଅଷ୍ଟମ ନବମ ଦଶମ ଓ ଦ୍ୱାଦଶ ସ୍ୱର,
ସେଇଠି । ଏକାଦଶ ସ୍ୱର ପ୍ରଶ୍ୱାସରେ,
ପ୍ରଶଂସାରାଗ ଓ ଆଦ୍ୟତାଳରେ ତହୁଁ
କେବଳ ସ୍ତୁତିଗାନ ।
ସ୍ତୁତି, ତାଙ୍କ ଅମ୍ଳଜାନ ।
ସେ ହସନ୍ତି, ଓ ହସ ଛଳରେ
ଇଙ୍ଗିତ କରନ୍ତି, ତୁମେ ବି ହସ ।
ଏବେ ହସିବାର ବେଳ...
ସେ ପାଲା କରନ୍ତି,
ଓ ଚାମର ହଲାଇ ଇଙ୍ଗିତ କରନ୍ତି ,
ପାଳି ଧର । ଏବେ ପାଳି ଧରିବାର ବେଳ...
ସେ କଥାରେ ଛଳନ୍ତି,
ଓ ପଲକ ପକାଇ ଇଙ୍ଗିତ କରନ୍ତି ,
ତାଳି ମାର । ଏବେ ତାଳି ମାରିବାର ବେଳ...
ସେ ଗୋଟାପଣେ ବଂଶୀ,
ଏ ସଂସାର ଗୋପଦାଣ୍ଡ,
ଜୀବ ମାତ୍ରେ ହିଁ ଗୋପୀ ।
ସେ ଏକଥା ଜାଣନ୍ତି ।
ଜାଣନ୍ତି ବୋଲି ତ ବେଳ ଅବେଳରେ
ଆଉଜି ପଡନ୍ତି କଦମ୍ବ ଦେହରେ,
ବଢ଼େଇ ଦିଅନ୍ତି ଛନ୍ଦାଚରଣ ,
ଯାଚି ଦିଅନ୍ତି ଆଶ୍ରୟ, ଆନୁଗତ୍ୟ...
ଜାଣନ୍ତି ବୋଲି ତ,
ସେ ଚିରକାଳ ମଞ୍ଚରେ,
ତାଙ୍କ ତୋଫାଚାନ୍ଦର ବେଶ
ପ୍ରତିଭାତ ସବୁ ଆକାଶରେ ।