ସନ୍ୟାସ
ତମେ ପଚାରିଲ
-"ଅନୁଭୂତିମାନେ ମଲା ବେଳେ କଷ୍ଟ ପାଆନ୍ତି କି?"
ମୁଁ କହିଲି
-"ଜାଣିନି,
ମୁଁ ସେମାନଙ୍କୁ ଜୀବନ୍ତ କବର ଦେଇଥିଲି।
ତେବେ ବଞ୍ଚିଥିବା ବେଳେ ଖୁବ ଛଟପଟ ହଉଥିଲେ
ଯନ୍ତ୍ରଣାରେ, ଅଭିମାନରେ…
ସେବେ
ତୁମ ଉଦାସୀନତା ରେ କବିତା ଝରୁଥିଲା
ଏବେ
ତୁମ ପ୍ରତାରଣା ବି ଭାରି ସାଧାରଣ ଲାଗେ।
ସେମାନେ ଥିଲେ ବୋଲି
ଅଥୟପଣ ଥିଲା
ସେମାନଙ୍କ ନଥିବାପଣରେ ମୁଁ ସ୍ଥିର।
ପୋଖରୀ କୂଳର ହଳଦୀ କାଠୁଆରେ
ଆଉ ମୁଁ ରଙ୍ଗ ଖୋଜେନା।
ଏବେ କେବଳ ପାଉଁଜି ହିଁ ବାଜେ
ତୁମକୁ ହରେଇବାର ଭୟ ବାଜେନା।
ମାଟିରେ କାନ ପାତି
କାହିଁକି ଖୋଜିବି ତାଙ୍କ କଷ୍ଟର ଠିକଣା?
କାଳେ ତୁମ ପ୍ରେମିକାର ରୁମାଲ ବି
ତାଙ୍କରି ସହ ପୋତି ହେଇ ଯାଇଥିବ?"