କଣ୍ଢେଇର ସ୍ବପ୍ନ

କଣ୍ଢେଇର ସ୍ବପ୍ନ

ଆଃ’ , ପାଦରେ କଣ ପଶିଗଲା ବୋଧେ  ସମୁଦ୍ର ବାଲିରୁ ନିଜର ମଇଳା କଳା ପଡ଼ି ଫାଟି ଆଁ ମେଲିଥିବା ପାଦକୁ ଅଲଗା କରି ଦେଖିଲା କଣ୍ଢେଇ । ନାଇଁ , ପାଦ ଫାଟିଯାଇଛି , ମା ଟା ଭାରି ବଦମାସ୍ । କାଲି କେତେ କଷ୍ଟ ହେଉଥିଲା , ‘ ମା କାଟୁଚି କାଟୁଚି ପାଦ କାଟୁଚି କେତେ ଚିଲ୍ଲେଇ କି କାନ୍ଦିଲା କଣ୍ଢେଇ । ମାର କାନରେ କିଛି ପଶିଲାନି । ବେଲୁନ୍ ଗୁନ୍ଥାକୁ ବାଲିରେ ପୋତି ଦେଇ ବସିଲା । କାନ୍ଦିଲେ କିଏ ଶୁଣିବ ? ତାକୁ କିଛି କରିବାକୁ ହବ । ପଇଡ଼ବାଲା କାଳିଆ ଲୋକଟା ସେଠି ଚିତ୍କାର ଛାଡୁଛି ନାରିୟଲ ପାନି .... ଆଗରେ ନୀଳ ସମୁଦ୍ର , କେତେ ଢ଼େଉ ।

କଣ୍ଢେଇ ଦେଖିଲା , ଗୋଟିଏ ପରିବାର ବୋଧେ , ବାପା , ମା ' ଆଉ କୁନି ଝିଅଟେ । ହେ ... ହେ ... ସେମାନଙ୍କୁ ଦେଖି ହସିଲା । ଏତେ ବଡ଼ ଝିଅଟା , ତାରି ବୟସର ତ ହେବ । ସମୁଦ୍ରକୁ ଡରୁଚି । ତା ବାପା ତାକୁ କାନ୍ଧରେ ଧରୁଛନ୍ତି । ଆହୁରି କାନ୍ଦୁଛି ।

କଣ୍ଢେଇ ତାକୁ ଦେଖି ଡେଇଁ ଡେଇଁ ହସିଲା । ଆଃ ... କିଛି ସମୟ ପାଇଁ ପାଦ କଷ୍ଟଟା ଭୁଲି ଯାଇଥିଲା

 

ଦୌଡିକି ଗଲା , ସମୁଦ୍ର ପାଣିରେ ଗୋଡ଼ ଧୋଇ ଆସିଲା । ମା କାଲି ବାଡ଼େଇଲା । ବଡ଼ ବଡ଼ ଆଖି କରି ଗାଳି କଲା । ଆଉ କହିବିନି ମାକୁ । ସମୁଦ୍ର ପାଣି ବାଜି ପୁଣି କାଟିଲା । ବାଲିରେ ଚୁପ୍ କିନା ବସିଲା କଣ୍ଢେଇ । ଆଖିରୁ ଧାର ଧାର ଲୁହ । ନିଜ ଗୋଡ଼ ହାତକୁ ଚାହିଁଲା । ଛି କେତେ ଅସନା ତା ଦେହସେ ଡ଼ରୁଆ ଝିଅର ଦେହ କେତେ ସଫା , ଗୋରା । ଏବେ ସେ ଝିଅଟା ଡର ଛାଡ଼ି ତଳକୁ ଓହ୍ଲେଇଚି । କଣ୍ଢେଇ ହଜିଗଲା ସେଇ ପରିବାରର ପାଣି ଖେଳରେ । ବାପା , ମା ଦି ହାତ ଧରିଛନ୍ତି ସେ ଝିଅଟିର ଦୁଇ ପାଖରେ । ଯେତେବେଳେ ସମୁଦ୍ର ଲହଡ଼ି ଆସୁଛି ତାକୁ ଉପରକୁ ଉଠେଇ ଦଉଛନ୍ତି | ଝିଅଟି ଖିଲ ଖିଲ ହସୁଛି । ତା ମା ଓ ସେ ଝିଅଟି ଦଉଡ଼ି ଦଉଡ଼ି ଖେଳୁଛନ୍ତି ପୁଣି ତିନି ହେଁ ମିଶି ବାଲିଘର ଗଢ଼ୁଛନ୍ତି | କଣ୍ଢେଇ ଖୁସିରେ ହସିଲା । ସେମାନଙ୍କ ଖୁସିରେ ସେ ବାଇଆ ହେଲା , ତା ନିଜ ଦୁନିଆ ଭୁଲିଲା ।

ତାଳି ମାରିଲା କେତେ କେତେ ମଜା .... କେତେ ମଜା, ପୁଣି ତା ପାଦକୁ ଚାହିଁଲା ।

 ପାଖରେ ବସି ବୁଢ଼ା ନୋଳିଆଟା ତାକୁ ଚାହିଁଛି । କଣ୍ଢେଇ କଣେଇ ଚାହିଁଲା , ଏ କ? ଏଇନେ ପାଟି କରିବି ଜାଣିଚୁ , ମୋ ଭାଇ ଏଠି କୋଉଠି ଅଛି , ଆସିବ ନା ତୋ ମୁଣ୍ଡ ଲଣ୍ଡା କରିଦେବ । ଅନଉଚୁ କଣ ମୋ ବେଗରୁ ପଇସା ନବୁ ? ହୁଁ ଭାରି ଆଇଲୁ .. ଆଇଲୁ କେତେ ନେଲାବାଲା ଦେଖୁଛି । ଗୋଟିଏ ନିଃଶ୍ବାସରେ ଏତିକି କହି କଣ୍ଢେଇ ତା ଲୁହ ସିଙ୍ଗାଣି ବୋଳା ମୁହଁକୁ ସେଇ ବାଲି ହାତରେ ପୋଛି ମିଛ ଦମ୍ଭ ଦେଖାଇଲା ।

ବୁଢ଼ା ନୋଳିଆ ଭଙ୍ଗା ଅସନା ଦାନ୍ତ ଦେଖାଇ ହସି ହସି କାନ ପଛରେ ଖୋସିଥିବା ବିଡ଼ି ଟାଣି ତାକୁ ଦେଖି ଆହୁରି ହସିଲା ।

କଣ୍ଢେଇ ମନେ ମନେ ଡରିଗଲା । ଏମିତି ଦିନେ ଗୋଟେ ଲୋକ ତାକୁ ମାଡ଼ିବସି ତା ମୁଣିରୁ ସବୁ ପଇସା ନେଇଗଲା । ଡରରେ କଣ୍ଢେଇ ସେଇ ଜାଗା ଛାଡି ପଳେଇବାକୁ ଉଦ୍ୟତ ହେଲା । ବେଲୁନ୍ ଗୁନ୍ଥା ପାଖେ ହିଁ ତ ବସିଛି ବୁଢ଼ା । ମନେ ମନେ ଗାଳି କଲା । ମନେ ମନେ ଦଉଥିବା ଗାଳି ଏବେ ଜୋର୍ ଜୋର୍‌ରେ କହିଲାଣି , ‘ ଏ ବୁଢ଼ା ମାରିବି ଜାଣିଛୁ , ମୋ ବେଲୁନ୍ ନବୁ ? ହାତ ଲଗେଇ ଦେଖ୍ । କହି କହି ନିଜ ସୁରକ୍ଷା ପାଇଁ ତଳୁ ବାଲି ଉଠେଇ ସାରିଥିଲା କଣ୍ଢେଇ । ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରି ସାରିଥିଲା । ସେ ବୁଢ଼ା ଦଉଡ଼ି ଆସି କଣ୍ଢେଇକୁ ଧରି ତା ହାତ ମୁଠାରୁ ବାଲି ଫିଙ୍ଗି ଦେଇ ଖୁବ୍ ଜୋର୍‌ରେ ପାଟିଟେ କଲା । କଣ କହିଲା ସେଇ ଜାଣିଥିବ । କଣ୍ଢେଇ କାନରେ ଗୁଡେ ତେଢା ମେଢ଼ା ଶବ୍ଦ ପଡ଼ିଲା । ଆଉ ସମ୍ଭାଳି ପାରିଲାନି କଣ୍ଢେଇ , ଶେଷ ଅସ୍ତ୍ର ପ୍ରୟୋଗ କଲା ଖୁବ୍ ଜୋରରେ କାନ୍ଦିଲା

ବୁଢ଼ା ତାକୁ ଟାଣି ଅଣ୍ଡା ବିଜୁଥିବା ଲୋକଟା ପାଖକୁ ନେଇଗଲା । କଣ୍ଢେଇର ଶତ ଚେଷ୍ଟା ବେକାର । ପବନରେ ଉଠେଇବା ଭଳି ବୁଢ଼ା ତାକୁ ଉଠେଇ ନେଇ କ'ଣ କହିଲା କେଜାଣି ସେ ଅଣ୍ଡା ବିକା ଲୋକଟା କିରୋସିନି ଡବା ଖୋଲିଲା । ତାର ଯୋଉ ଗୋଡରେ ଖଣ୍ଡିଆ ହୋଇଛି ବୁଢ଼ା ସେଇ ଗୋଡ ଟାଣି ତା ଖଣ୍ଡିଆ ଫାଟି ମେଲା ହୋଇଯାଇଥିବା ଜାଗା ଦେଖେଇଲା , ଅଣ୍ଡାବାଲା ସେଥିରେ କିରୋସିନ୍‌ ଢ଼ାଳିଲା ... ମା ଲୋ ମରିଗଲି ମରିଗଲି ବୋଲି କେତେ କାନ୍ଦିଲା , ସେ ବୁଢ଼ାକୁ ରାମ୍ପୁଡ଼ି କାମୁଡ଼ି ପକାଇଲା ।

ଅଣ୍ଡାବାଲା ଲୋକଟା ଦାନ୍ତ ଆଖି ଦେଖାଇ ତାକୁ କେତେ ଗାଳି କଲା ଓ ବେଞ୍ଚରେ ବସିବା ପାଇଁ ହୁକୁମ୍ ଦେଲା , ଏ ଜିଅ ତର ବଲ କଲା , ମୋ ବାପା , ତ ଗଡ଼ କଣ୍ଡିଆ ବଲ କଲା , ତୁ ଗାଳି କରୁଚି ? ତାକୁ ମାରୁଚି । ଏଇଠି ବସ୍ ଚୁପ୍ ବସ୍ । ଗୁଡ଼ ବଲ ଏଲେ ଟିକେ ଟାଇମ୍ ପରେ ଯିବୁ ତୋ ଗରୁକୁ”- ତେଲୁଗୁ ଲୋକର ଏମିତି ଓଡ଼ିଆ ଶୁଣି ଶୁଣି କଣ୍ଢେଇ ଅଭ୍ୟସ୍ତ । ବୁଝିଗଲା ଏମାନେ ତାର ଖରାପ କରୁନଥିଲେ । ଗୋଟିଏ ଛୋଟ ଗ୍ଲାସ୍‌ରେ ପାଣି ଦେଲା ମୁହଁ ଧୋଇବା ପାଇଁ , କଣ୍ଢେଇ ତଥାପି ଧକଉଥାଏ । ଗାଳି ଚାଲିଥାଏ ତା ପାଟିରୁ ଏଁ ମତେ ମାରିଦେଲେ .... ଏଁ ବୁଢ଼ା ତୁ ମରିଯା .... କଣ୍ଢେଇ ଧୀରେ ଧୀରେ ଚୁପ୍ ହେଲା । ମୁହଁ ଧୋଇ ପାଣି ପିଇଲା ।

ଅଣ୍ଡା କେତେ ଟଙ୍କା ? ’ ପଚାରିଲା କଣ୍ଢେଇ । ପାଞ୍ଚ ଟଙ୍କା ସେମିତି ଦାନ୍ତ ଖୋଲି ଖୋଲି କହିଲା ଅଣ୍ଡା ବିକାଳି ଲୋକଟା । ପାଞ୍ଚ ଟଙ୍କା .... ? ’ ‘ ହୁଁ ମନେ ମନେ ଭାବିଲା .... ସକାଳୁ କିଛି ବିକ୍ରି ହେଇନି । ସେ ପଟେ ରଘୁଆ ତା ଜୀବନ ନେଇଯିବ । ମୁଣିରେ ମାତ୍ର କିଛି ରେଜା ପଇସା ପଡ଼ିଛି । ସେଇଟା ବି ସେ ଗଣିକି ଦେଇଚି । କାଲି ରାତିଠୁ କିଛି ଖାଇନି ।

ଆଉ ସମୟ ନଷ୍ଟ ନ କରି ବେଲୁନ୍ ତକ ଧରି ତରତର ହୋଇ ଦଉଡ଼ିଲା  କଣ୍ଢେଇ । ସେଇ ଝିଅ ପାଖକୁ ଗଲା । ମା ବେଲୁନ୍ ନିଅ ତମ ଝିଅ ଖେଳିବ । ମା ପାଞ୍ଚ ଟଙ୍କାରେ ଗୋଟେ ନିଅ .... ନିଅ ... । ସେ କହୁଥାଏ , ମା ଓ ଝିଅଙ୍କୁ ଦେଖୁଥାଏ । ତାଙ୍କ ସଫା ଦେହ ତାଙ୍କ ପୋଷାକ , ତାଙ୍କ ରଙ୍ଗ .... ଭେଶ ..... । ମା ଗୋଟେ ନିଅ । ସ୍ତ୍ରୀଲୋକ ଜଣକ ତାଠୁ ବେଲୁନ୍ ନେଲେ । ଝିଅର ପସନ୍ଦ ହେଲାନି । ଶୁଣ୍ ’ , କଣ୍ଢେଇକୁ ଡାକିଲେ , ‘ ନେ ପଚାଶ୍‌ ଟଙ୍କା ରଖ ଯା ଣ ଖାଇଦେ |

ମା , ମୋ ବେଲୁନ୍ ନିଅ ମତେ ପଇସା ଦିଅ ।

ସେ ଧୀରେ ଧୀରେ କଣ୍ଢେଇ ପାଖକୁ ଆସିଲେ । କଣ୍ଢେଇ ଚାହିଁଲା , ତାଙ୍କ ଆଖି ମୁହଁ ଆହୁରି ଭଲ ଭାବେ ଦେଖିଲା | କେତେ ସୁନ୍ଦର ସେ ଆଖ୍ ! ନେ ଧର ’ , ଏଥର ଆଉ ଅଧିକା ଜୋର ଗଳାରେ କହିଲେ ସେ ମା ଜଣକ ।

ନାଇଁ ... ନାଇଁ .... । "

ଣ ଚାଲିଛି ଦେଖିବା ପାଇଁ ସେ ଅଣ୍ଡାବାଲା ଆସିଗଲା ପାଖକୁ । ଆରେ ତୋ ବେଲୁନ୍ ନେ , ମା ଦେଇଛନ୍ତି ପଇସା ନେ ..... ଯା ' , ଅଣ୍ଡାବାଲା ଲୋକଟା କହିଲା ।

କଣ୍ଢେଇ କି ଜମା ଇଚ୍ଛା ହେଲାନି । ନାଇଁ ତମେ ଦିଟା ବେଲୁନ୍ ନିଅ ଦଶଟଙ୍କା ଦିଅ । ତାଠୁ ଅଧିକା ସାଙ୍ଗେ ସାଙ୍ଗେ ସେ ଗଣି ବି ପାରୁନି । ପଚାଶ ଟଙ୍କାରେ କେତେଟା ବେଲୁନ୍ ହବ ସେ ଜାଣିନି । ଦଶ ଟଙ୍କାରେ ଦିଟା ଏମିତି ଗଣି ଗଣି ସେ ପଚାଶ ଯାଏଁ ଯିବ । ଏବେ ତାକୁ ଲାଜ ଲାଗୁଛି ସେମିତି ଗଣିବା ପାଇଁ । ତା ହାତରେ ଜବରଦସ୍ତ ଶହେ ଟଙ୍କା ଧରେଇ ତା ସବୁ ବେଲୁନ୍ ମାଗିଲେ । କଣ୍ଢେଇ ତାଙ୍କ ସୁନ୍ଦର ମୁହଁକୁ ଚାହିଁ ଚାହିଁ ସବୁ ବେଲୁନ୍ ଦେଇ ଦେଲା ଓ ସେଇ ପାଖରେ ବାଲିରେ ବସିଗଲା । ସେଇ ମା ଝିଅଙ୍କ ଖେଳ ଦେଖିବା ପାଇଁ । ଦିହେଁ ମିଶି ବେଲୁନ୍ ତକ ଉପରକୁ ଉଡେଇଦେଲେ , ପୁଣି ପାଣିରେ କେତେ ଖେଳିଲେ ।

କଣ୍ଢେଇ ସେମାନଙ୍କ ଖେଳ ଦେଖି ଖୁସିରେ ପାଗଳ ହୋଇଗଲା । ସେ ଚିଲ୍ଲେଇଲା , ଗୀତ ଗାଇଲା , ସମୁଦ୍ରରେ ବହୁତ ଖେଳିଲା । କୂଳରୁ ରଘୁଆ ଦେଖିଲା , କଣ୍ଢେଇ କି , ଟାଣି ଆଣିଲା , ‘ ଏ ବେଲୁନ୍ କାହିଁ ?

 କଣ୍ଢେଇ ହୋସ୍‌କୁ ଆସିଲା , “ ମୁଁ ସବୁ ବିକି ଦେଲି , ମତେ ଖାଇବାକୁ ଦେ ’ , ଡେଇଁ ଡେଇଁ କି କହିଲା କଣ୍ଢେଇ ।

 ମୁଁ ଶହେ ଟଙ୍କା ଆଣିଛି , ଖାଇବାକୁ ଦେ ।

 ‘ ଆଜି ମୁଁ ସବୁ ଖାଇବି । ଏ ଅଣ୍ଡା ଖାଇବି , ସେ ମସଲା ମୁଢ଼ି ଖାଇବି ...... ଏମିତି କେତେ କଣ କହିଚାଲିଥିଲା କଣ୍ଢେଇ ।

ରଘୁଆର ଥାପଡରେ ସେ ପ୍ରକୃତିସ୍ଥ ହେଲା , ' ଏ ! କାଇଁ ପଇସା ଦେ ??

 ‘ ଦଉଚି ! ମତେ ଖାଇବାକୁ ଦବୁ , ମୁଁ ଯାହା କହିବି । କଣ୍ଢେଇ ପଇସା ଖୋଜୁଛି । ପଇସା କାହିଁ ... ? ସବୁ ଖୋଜିଲା ସବୁଠି ଦେଖିଲା ..... ପଇସା କାହିଁ ?

ତା ସମୁଦ୍ର ଖେଳରେ ପଇସା କୁଆଡ଼େ ପଳେଇଛି । କେବଳ କିଛି ଖୁଚୁରା ପଇସା ପଡ଼ି ରହିଛି ।

ରଘୁଆର ମାଡ଼ରେ ଲହୁ ଲୁହାଣ କଣ୍ଢେଇ ଥକି ଶୋଇଯାଇଛି । ଆଉ ସ୍ଵପ୍ନ ଦେଖୁଚି ସେ ବି ସୁନ୍ଦର ହେଇଯାଇଛି ଓ ମା ସାଥୀରେ ସମୁଦ୍ରରେ ଖେଳୁଛି ।