ତପନ ଭାଇ : ଆପଣ ଅଛନ୍ତି- ଆପଣ ନାହାନ୍ତି
ତପନ ପଟ୍ଟନାୟକ ଗୋଟେ ସରୁନଥିବା ସ୍ଵପ୍ନର ନାଁ । ତାଙ୍କର ବହୁ ସ୍ଵପ୍ନ ସାହିତ୍ୟକୁ ନେଇ, ଓଡିଶାର ଇତିହାସ ଓ ସଂସ୍କୃତିକୁ ନେଇ, ପ୍ରକାଶନ ଓ ନାଟକ ପରିବେଷଣକୁ ନେଇ । ତାଙ୍କର ସବୁଠୁ ବଡ ସ୍ଵପ୍ନ ସାହିତ୍ୟର ସଂପର୍କକୁ ନେଇ । ତାଙ୍କ ଜାତିର ନାମ ପ୍ରେମ ଓ ଗୋତ୍ରର ନାମ ଅଭିମାନ।
ତପନ ଭାଇ ଚିଲିକା ପାଣି ପରି ଗଭୀର ଓ ଅଭିମାନୀ ।
ତାଙ୍କର ଭଲପାଇବା କୁଳକିନାରା ମାନେ ନାଇଁ । ସେମିତି କଳାହାଣ୍ଡିଆ ମେଘ ପରି ତାଙ୍କର ଅଭିମାନ । କେତେବେଳେ ଭଲପାଉଥିବା ଲୋକକୁ ନିର୍ଦ୍ଧୁମ ଭିଜେଇ ଦେଇଯିବ ।
ବହୁ ଭଲ କବିତା ଲେଖୁଥିବା କବି ଅଛନ୍ତି, ହେଲେ ତପନ ଭାଇ ଭଳି କବିକୁ ଓ କବିତାକୁ ଭଲ ପାଉଥିବା ଲୋକ ଯଥେଷ୍ଟ କମ । ସବୁ କବି ତାଙ୍କର ଆପଣାର । ଯିଏ ଗଲା ତାଙ୍କ ପାଖକୁ ସେ ତାଙ୍କର ଘରଲୋକ । ପୁରୀ ଯାଇ ତପନ ଭାଇଙ୍କୁ ଫୋନ ନ କଲେ ତାଙ୍କର କି ରାଗ !
(ନା, ତପନ ଭାଇଙ୍କୁ ରାଗି ଆସେନି, ସେ ଓଦା ଥମ ଥମ ମୁହଁରେ କହିବେ, ହଁ ମ, ତପନ ଭାଇ କିଏ ଯେ ତାକୁ ଫୋନ କରିବୁ!)
ବେଳେ ବେଳେ ନିଜ ଉପରେ ରାଗ ଲାଗେ । ଆମେ କେବେ କାହିଁକି ତପନ ଭାଇ ପରି ତାଙ୍କୁ ଭଲ ପାଇ ପାରିଲୁ ନାଇଁ ! ସେ ସବୁବେଳେ ଉଦାର ବଡଭାଇ ଆଉ ମୋ ଭଳି ଅନେକ ତାଙ୍କର ଦୁଷ୍ଟ ସାନଭାଇ । ତପନ ଭାଇଙ୍କୁ ଦେଖିଲେ ଆମର ଆରମ୍ଭ ହୁଏ ଯାବତୀୟ ଗମାତ । ଏ ସବୁ ଗମାତର ଅଧିନାୟକ ପ୍ରିୟ ଅଜୟ ଭାଇ ଓରଫ ଗାଳ୍ପିକ ଅଜୟ ସ୍ଵାଇଁ । ତପନ ଭାଇଙ୍କ ପ୍ରିୟ ଲୋକଙ୍କ ତାଲିକାରେ ସବୁବେଳେ ଯେଉଁ ଦି ଜଣ ଲୋକଥାନ୍ତି, ସେ ଦୁହେଁ ଗୋଟେ ସପ୍ତାହରେ ଡକାଡକି ହେଇ ଆରପାରିକି ଚାଲିଗଲେ । ଗତ ସପ୍ତାହରେ ଯାଇଥିଲେ “ମହଲ” ପତ୍ରିକାର ଅଭୁଲା ସମ୍ପାଦକ ଓ ସାହିତ୍ୟର ମହାଅଘୋରୀ ବଂଶୀଧର ରାଉତ । ତାଙ୍କ ପଛେ ପଛେ ଚାଲିଗଲେ ଚିଲିକା ପାଣିର କବି ଓ ନାଟ୍ୟକାର ତପନ ପଟ୍ଟନାୟକ ।
ତପନ ଭାଇଙ୍କର ପ୍ରିୟ କବି ମାୟାଧର ମାନସିଂ ଓ ରମାକାନ୍ତ ରଥ । ଉଭୟଙ୍କ ପ୍ରତି ତପନ ଭାଇଙ୍କର ଶ୍ରଦ୍ଧା ପ୍ରଚୁର । ସେ ସେଇ ଧାରାର କବି । ତପନ ଭାଇ ମାୟାଧର ମାନସିଂହଙ୍କ ପରି ବାଳ କାଟନ୍ତି । ମାନସିଂହଙ୍କ କଥା କହିଲା ବେଳେ ତାଙ୍କ ଆଖି ଅଧିକ ଉଜ୍ଜଳ ଦିଶେ । ଦେହ ଖରାପ ହେଲା ପରେ ଯେତେବେଳେ ତପନ ଭାଇଙ୍କ ବାଳ ସବୁ ଝଡିଗଲା ସେତେବେଳେ ସେ ସବୁଠୁ ବେଶୀ ଦୁଃଖୀ ଥିଲେ ଯେ ତାଙ୍କ ମୁହଁ ଆଉ ତାଙ୍କ ପ୍ରିୟ କବିଙ୍କ ପରି ଦେଖାଯିବନି ।
ପ୍ରେମ, ତାରୁଣ୍ୟ, ତନ୍ମୟତା ଓ ଜୀବନମୋହ ତାଙ୍କ କବିତାର ମାଟି। ସେଇ ମାଟିରେ ସେ କବିତାର ପ୍ରତିମା ନିର୍ମାଣ କରନ୍ତି । ବଡ ବିନୟୀ ଓ ଭାବାତୁର ତାଙ୍କର କବିତା । ଅବଶ୍ୟ ସେ ଗୋଟେ କବିକୁଳ ପରମ୍ପରାର ପ୍ରତିନିଧି । ତାଙ୍କ ବାପା ପଦ୍ମଚରଣ ପଟ୍ଟନାୟକ ଥିଲେ ବାଲୁଗାଁର ପ୍ରସିଦ୍ଧ ଶିକ୍ଷକ ଓ ସଂସ୍କୃତି ସଂଗଠକ। ଘରେ କବିତା ଓ ଗୀତର ଆସର ଏମିତି ଇ ଥିଲା । ତେଣୁ ତାଙ୍କ କବିତାରେ ସ୍ଵାଭାବିକ ଭାବରେ ଆସିଛି ପ୍ରକୃତି ଓ ମାଟିପ୍ରେମ । ତାଙ୍କ କବିତାରେ ଝଲମଲ କରିଛି ଚିଲିକା ଓ ଚିଲିକା ପାଣିରେ ସୋଲରୀ ପାହାଡର ଛାଇ । ଗୋଟେ ସମୟରେ ତପନ ଭାଇ ଥିଲେ ବେଶ ଲୋକପ୍ରିୟ ଗୀତିକାର ।
ତପନ ଭାଇ କବିତା ଲେଖୁଥିବା କବି ନଥିଲେ, ସେ କବି ପରି ବଞ୍ଚୁଥିବା ଜଣେ ଚୁପଚାପ କବି । ମଞ୍ଚରେ କି ମଞ୍ଚ ଆଗରେ ତାଙ୍କୁ କେହି କେବେ ଦେଖିନଥିବେ । ସେ ସବୁବେଳେ ନେପଥ୍ୟେ କୋଳାହଳ କରୁଥିବା ପଛଧାଡିର ଖିୟାଲି ମଣିଷ । ସାନଭାଇମାନଙ୍କ କବିତାରେ ଆହ୍ଲାଦିତ ହେଉଥିବା ଓ ପିଠି ଆଉଁସି ଦେଉଥିବା ପ୍ରିୟ ବଡଭାଇ । ଖାଇବାକୁ ଦେବାରେ ତପନ ଭାଇଙ୍କର ବଡ ଆନନ୍ଦ । ପୁରୁଣା ବସଷ୍ଟାଣ୍ଡ ଖଟିକୁ ଆସିଲେ ତାଙ୍କର ଆରମ୍ଭ ହୋଇଯିବ ନିର୍ଦ୍ଦେଶ- ଏଇଟା ଖା’, ଏଇଟା ପିଇ । ତାଙ୍କ ଭଲପାଇବା ଆଗରେ ସବୁବେଳେ ମୁଣ୍ଡ ନଇଁଯାଏ ।
ଆଜି ଯେତେବେଳେ ତପନ ଭାଇ ନଥିବାର ଖବର ଲେଖୁଛି, ସେତେବେଳେ ଲାଗୁଛି, ତପନ ଭାଇର ଅଭିମାନ କଣ ସତରେ ମରିବ!!
ତପନ ଭାଇ, ଆଜି ଛାତି ଭିତରେ ଆପଣ ଗୋଟେ ଶୂନଶାନ ସ୍ମୃତି । ଆପଣ ଅଛନ୍ତି- ଆପଣ ନାହାନ୍ତି ।