ଫୁଲ ଫୁଟିବାର କଥା

ଫୁଲ ଫୁଟିବାର କଥା

ମୋ ବଗିଚା ରେ  ଚୁପଚାପ୍ ଫୁଲ ଫୁଟୁଥାଏ  ।

 

ରଙ୍ଗ ର ଇନ୍ଦ୍ରଧନୁ ତୋଳି

ପାଖୁଡା ମେଲି

ପବନ ର ସୁରେ ନାଚୁଥାଏ ଢଳି ଢଳି ।

 

ମୋ ବଗିଚାରେ ପ୍ରଜାପତି ଉଡେ ଚୁପଚାପ୍ ।

 

ସୁନ୍ଦର ଡେଣା ମେଲେଇ

ଫୁଲରୁ ରଙ୍ଗ ଚୋରେଇ

ହସି ହସାଇ

ଖୁସିରେ ମତୁଆଲା ହେଇ ।

 

ମୋ ବଗିଚାକୁ ଭଅଁର ଆସେ

ବସିଯାଏ ଫୁଲ ଉପରେ

 ମଧୁ ପାନ କରେ

 ରଙ୍ଗ କୁ ନଷ୍ଟ କରେ-

 

ଯାହା କରେ କ'ଣ ଫୁଲକୁ ପଚାରି କରେ?

 

ମୋ ବଗିଚାକୁ କେତେ କୀଟ ପତଙ୍ଗ ଆସନ୍ତି

କିଏ ଫୁଲର ପାଖୁଡା ଖାଏ,

ମଝି କେଶରକୁ ବିଦାରି ଦିଏ ,

କିଏ ତା' ସବୁଜ ରସ ପିଏ,

ଯେ ଯାହା କରେ କ'ଣ ଫୁଲକୁ ପଚାରି କରେ?

 

ତଥାପି କେମିତି କାହିଁକି

ଭଅଁର  ବସୁ

ପ୍ରଜାପତି ହସୁ

କୀଟ ଖୁମ୍ପି ନଷ୍ଟ ଭ୍ରଷ୍ଟ କରୁ

 

ଫୁଲ ତଥାପି ହସୁଥାଏ

ମୋ ବଗିଚାରେ ଚୁପଚାପ୍ ଫୁଲ ଫୁଟୁଥାଏ ।