ମେନୋପଜ୍
କେତେ ଦୂର ବା ଯାଇ ପାରିଥା'ନ୍ତି !
ଏଇବେଳେ ତ ଲାଗୁଛି ପୃଥିବୀର ସବୁ ଗଛ
ପତ୍ରଝଡ଼ା ଭୋଗୁଛି;
ସେଦିନ କ'ଣ ଭାବିହେଲା ଫିମ୍ପି ମାରିଲା ପରି
ହାଡ଼ ମାଂସରେ ଚରିଯିବ ନିଃସଙ୍ଗତା,
ବରଫଳ ଖାଇ ବଡ଼ ହେଇ ଉଡିଯିବେ ଶାବକ,
ପ୍ରେମର ଫାଶ ପକେଇ ମୋର ଦେହକୁ
ଗୋଟେ କାଗଜଡଙ୍ଗାରେ
ଜଗି ବସିଥିବା ନାଉରିଆ
ତଥାପି ଗୁଣୁଗୁଣୁ ଗାଉଥିବ ଗୀତ;
ଏଇବେଳେ ତ ଲାଗୁଚି ଦର୍ପଣର ସ୍ତ୍ରୀ ଲୋକଟି
କହିବ କହିବ ହେଇ ଲୁଗା ସିଇଁଲା ପରି
ସିଲେଇଲା ଓଠ।
ଗୋଟେ ମହୋତ୍ସବ ଚାଲିଛି ମୋ ଦେହରେ ବୋଲି କହିବାର ଥିଲା ଯେ '
ନାଲି ଜୁଡୁବୁଡୁ ଅଳତା ଭଳି ରକ୍ତଧାରରେ କେଜାଣି କିଏ ବସି ବାହୁନୁଛି !
ଉଦିଆ ଜହ୍ନ ପରା କେହି କେହି କହି
କଳାଟିପା ଦେଇଥିଲେ କାନମୂଳରେ !
ଜୁଆର ଭଳି ବୟସ ମାଡ଼ି ଆସିଲାବେଳେ
ତାଟି କବାଟ ପଡ଼ିଥିଲା ଘରେ !
କେତେ ଦୂର ବା ଯାଇ ପାରିଥା'ନ୍ତି,
ଚିତା କୂଟେଇଲା ପରି ଯୌବନ ସମୟ କାନ୍ଥରେ ଇନ୍ଦ୍ରଧନୁ ଆଙ୍କିଲା ବେଳେ ;
ଏବେ କାହାକୁ ଖୋଜି ଖୋଜି
ଯାଇ ଦେଖେ ତ ମୋର ପ୍ରାଣହୀନ ଶରୀର
ଠିଆ ହେଇଛି ହା'ଲଙ୍ଗ୍ ବେ'ରେ,
କେଉଁ ଗୋଟେ ପ୍ରସ୍ଥାନ ପାଇଁ ସଜ ହେଉଥିବା ସେଇ ଛୋଟ ଛୋଟ ପାହାଡ଼ ମଝିରେ ଭୂତ ପରି;
ମତେ କ'ଣ ଫୁଲ ଏବଂ ଫଳରେ ଲଦି ହେଇଥିବା ଡାଳମାନେ ଦାନ୍ତ ଦେଖେଇ
ଚିଡାନ୍ତି ସ୍ୱପ୍ନରେ !
ମତେ କ'ଣ ଏ ପୃଥିବୀ ଏବେ ମାଟିପିଣ୍ଡୁଳା ଭଳି ଆବୋରି ନେବାର ଅପେକ୍ଷାରେ !