ଗୋଟିଏ ପ୍ରାକୃତିକ ଇତିହାସ

ଗୋଟିଏ ପ୍ରାକୃତିକ ଇତିହାସ

ବହିଟିର ଅମୁଦ୍ରିତ ପ୍ରକାଶ ଖ୍ରୀଷ୍ଟିୟ ପ୍ରଥମ ଶତାବ୍ଦୀର ସପ୍ତମ ଦଶକ ଆଉ ତାହାର ପ୍ରାୟ ଦୀର୍ଘ ଚଉଦଶହ ବର୍ଷ ପରେ ବହିଟି ସମକାଳର ବହି ଭଳି  ମୁଦ୍ରିତ ରୂପ ନିଏ,୧୪୬୯ଖ୍ରୀଅରେ।

ବହିଟିର ମଲାଟ-ନାଆଁ  ହେଉଛି,"ପ୍ରାକୃତିକ ଇତିହାସ" ,ମାତ୍ର ବହିଟିକୁ ସମସାମୟିକ ବହିମାନଙ୍କରେ ଉପସ୍ଥିତ ଥିବା ଗୁଣାବଳୀ ର ଆଧାରରେ ଯଦି ଆଜି ବର୍ଗୀକରଣ କରିବାପାଇଁ  ଆଲୋଚନା କରାଯାଏ ତେବେ ତାହାକୁ ନିଶ୍ଚିତ ଗୋଟିଏ ବିଶ୍ୱକୋଷ ବୋଲି କୁହାଯାଇ ପାରିବ। ପୃଥିବୀର ସର୍ବପ୍ରଥମ ଏହିଭଳି ବିଶ୍ୱକୋଷ ମୂଳକ ବା ଏନସାକ୍ଲୋପେଡିକ୍ ଲେଖାର ଲେଖକଙ୍କର ପୂରା ନାଆଁ ହେଉଛି ଗାଇଅସ୍ ପ୍ଲିନିଅସ୍ ସେକେଣ୍ଡସ୍  ଅଥବା ପ୍ଲିନି,ଦି ଏଲଡର୍ ଅଥବା ସଂକ୍ଷେପରେ ପ୍ଲିନି। ସେ ଜଣେ ବିଶିଷ୍ଟ ରୋମାନ।ତାଙ୍କର ସମୟ ହେଉଛି ପ୍ରସିଦ୍ଧ ରୋମାନ ସମ୍ରାଟମାନଙ୍କର କାଳ ଯାହା ଭିତରେ କୁଖ୍ୟାତ ସମ୍ରାଟ ନିରୋ ବି ରହିଛନ୍ତି। ତାଙ୍କର ସମୟ କାଳ  ୨୩ ଖ୍ରୀଅ ରୁ ୭୯ ଖ୍ରାଅ। ନିଜର  ପଚାଶ ବର୍ଷରୁ ଉର୍ଦ୍ଧ୍ୱ ଜୀବନ କାଳରେ ସେ ପ୍ରାୟ ୭୫ ଟି ପୁସ୍ତକ ରଚନା କରିଛନ୍ତି ଆଉ ତାଙ୍କର ନାଆଁରେ ରହିଛି ୧୬୦ ଗୋଟି ଲେଖାରେ  ସଂପୂର୍ଣ୍ଣ ନୋଟ ଖାତା। ଏହି ତଥ୍ୟରୁ ଆମକୁ ଗୋଟିଏ ପ୍ରମାଣ ମିଳେ ଯେ ପ୍ଲିନି ତାଙ୍କର ଜୀବଦ୍ଦଶାରେ ଜଣେ ନିରବଚ୍ଛିନ୍ନ ଏବଂ ଗମ୍ଭୀର ଲେଖକ ଥିଲେ । " ପ୍ରକୃତି ଇତିହାସ" ବ୍ୟତୀତ ସେ ଅନେକ ପୁସ୍ତକ ରଚନା କରିଅଛନ୍ତି ଆଉ ବିଷୟବସ୍ତୁର ପ୍ରକାରଭେଦ ହିସାବରେ ଦେଖିଲେ ସେଗୁଡିକ ହେଉଛି ମୁଖ୍ୟତଃ ସ୍ଥାନୀୟ ଇତିହାସ,ବକ୍ତା ମାନଙ୍କ ପାଇଁ ପ୍ରଶିକ୍ଷଣର ଅଭ୍ୟାସ ପୁସ୍ତକ(ସେ ସମୟର ରୋମୀୟ ସମାଜରେ ବକ୍ତା ମାନଙ୍କର ବହୁତ ସମ୍ମାନ ଥିଲା।),ବିଭିନ୍ନ ଭାଷାଗତ ସମସ୍ୟା,ରାଷ୍ଟ୍ରର ସାମରିକ ପରିଚାଳନା ଏବଂ କୌଶଳ,ରାଜ୍ୟର ବିତ୍ତୀୟ ପରିଚାଳନା ଏବଂ ବିଶିଷ୍ଟ ସମ୍ରାଟଙ୍କ ଜୀବନୀ ଇତ୍ୟାଦି।  ଏବଂ ପ୍ଲିନି ତାଙ୍କ ସହିତ ରହିଥିବା ସେହି ନୋଟଖାତାମାନଙ୍କୁ  ଆଧାର କରି ଆଉ ସେଥିରେ ଥିବା ତଥ୍ୟସମୂହଙ୍କୁ ବିଶ୍ଳେଷଣ କରି ପରେ  ଗୋଟିକ ପରେ ଗୋଟିଏ ବହି ରଚନା କରିଯାଇଛନ୍ତି। ନୋଟଖାତାମାନଙ୍କୁ ତଥ୍ୟପର ଏବଂ ତଥ୍ୟପୂରକ ଭାବରେ ପ୍ରସ୍ତୁତ କରିବା ହିଁ ତାଙ୍କର "ୱାର୍କହୋଲିକ" ଜୀବନର ପ୍ରମୁଖ କାର୍ଯ୍ୟ ହିସାବରେ ଶେଷ ଯାଏଁ ଚାଲିଥିଲା। ଏ ପ୍ରସଙ୍ଗରେ ସଠିକ ଭାବରେ  କୁହାଯାଇପାରିବ ଯେ  ସେ ବସ୍ତୁତଃ ନିଜପାଇଁ ଗୋଟିଏ ଲକ୍ଷ୍ୟ ସ୍ଥିର କରିନେଇଥିଲେ । ସେହି ଲକ୍ଷ୍ୟଟି ହେଉଛି  " ସମଗ୍ର ପୃଥିବୀରେ ଯାହାଯାହା ଉପାଦାନ ରହିଅଛି ତାହାର ଏକ ବିସ୍ତୃତ ବସ୍ତୁଭିତ୍ତିକ ବିବରଣୀ " ଲିପିବଦ୍ଧ କରି ରଖିଯିବା । ଏହା ସହିତ ଯେହେତୁ  ରୋମାନ ସାମ୍ରାଜ୍ୟରେ ସେ ସମୟର ସାମରିକ ଆଉ ବେସରକାରୀ ଅଧିକାରୀମାନଙ୍କୁ ସେମାନଙ୍କର  ବୃତ୍ତିଗତ ଦକ୍ଷତାକୁ ବିକଶିତ କରିବା ଉଦ୍ଦେଶ୍ୟରେ ପ୍ଲିନିଙ୍କୁ ଅଭ୍ୟାସ-ଭାଷଣମାନ ଅନେକସମୟରେ  ଦେବାକୁ ହେଉଥିଲା, ସେଇଥିପାଇଁ ସେ ସେମାନଙ୍କ ଭିତରେ ସେତିକିବେଳେ ବିଶେଷ ଭାବରେ  ପାରିପାର୍ଶ୍ୱିକର ଏକ ପ୍ରକାର "ଏନସାଇକ୍ଲୋପେଡିକ" ଜ୍ଞାନ ତଥା ଅବବୋଧର ବିସ୍ତାର କରିବାକୁ ଚାହୁଁଥିଲେ । ଅନ୍ୟଭାବରେ କହିଲେ ସେଥିରୁ ଆମେ ଭଲଭାବରେ ଅନୁମାନ କରିପାରିବା ଯେ, ପ୍ଲିନିଙ୍କ ବିଚାର ଥିଲା,ସୁଶାସନ ପାଇଁ ଏନସାଇକ୍ଲୋପେଡିକ ବା ବିଶ୍ୱକୋଷଯୁକ୍ତ ଅବବୋଧ ଏକାନ୍ତ ଅପରିହାର୍ଯ୍ୟ ।

ନିଜ ପାଇଁ ପ୍ଲିନି ପୃଥିବୀର ସମସ୍ତ ଉପାଦାନର ବସ୍ତୁପରକ ବିବରଣୀ ଲିପିବଦ୍ଧ କରିବା ପାଇଁ  ଯେଉଁ ଲକ୍ଷ୍ୟଟି ସ୍ଥିର କରିନେଇଥିଲେ ତାହା ଏମିତି ଧାଡିଟିଏ ଲେଖିଦେବା ଭଳି ସହଜ କଥା ନୁହଁ । ଏହା ଯେମିତି ବିଶ୍ୱକୁ ଏକ ସଂକ୍ଷିପ୍ତ ରୂପ ପ୍ରଦାନ କରିବା ଭଳି କଥା। ଆମର ଇନ୍ଦ୍ରୀୟଗ୍ରାହୀ ବିଶ୍ୱ ଆଉ ଆମର ବିଶ୍ୱାସଗ୍ରାହୀ ବିଶ୍ୱ ଯଦି ସଂକୁଚିତ ତାହାହେଲେ ତାହାକୁ କେତୋଟି ନୋଟଖାତାରେ ଲିପିବଦ୍ଧ କରି ଏକ ସଂକ୍ଷିପ୍ତରୂପ ପ୍ରଦାନ କରିବା ସେତେ କଷ୍ଟକର ନୁହଁ । ମାତ୍ର ଯେତେବେଳେ ତମର ଅନୁସଂଧିତ୍ସା ପ୍ରବଳରୁ ପ୍ରବଳତର ,ଯେତେବେଳେ ତମର ଏକାଗ୍ରତା ପ୍ରଶ୍ନାତୀତ ,ଯେତେବେଳେ ତମର ଆର୍ଥିକ ସ୍ୱଚ୍ଛଳତା ତମକୁ ଏକ ସଂଭ୍ରାନ୍ତ ଜୀବନଯାପନର  ସୁଯୋଗ ଦେଉଛି ସେତେବେଳେ ତମ ଆଗରେ ବିଶ୍ୱ ତାହାର ଅତୀତ,ବର୍ତ୍ତମାନ ତଥା ବ୍ୟକ୍ତି ଆଉ ବସ୍ତୁ ଏସବୁ କୁ ନେଇ ଅଧିକରୁ ଅଧିକ ପ୍ରସାରିତ ହୋଇଯାଉଥିବ । ତମେ ଯେତେ ନୋଟଖାତାରେ ଏହାକୁ ଲିପିବଦ୍ଧକରି ରଖିଯାଅ ତମକୁ ମନେହେବ ଆହୁରି ଯଥେଷ୍ଟ କିଛି ବାହାରେ ରହିଯାଇଅଛି । ପ୍ଲିନିଙ୍କ ଅବସ୍ଥା ବସ୍ତୁତଃ ସେହିଭଳି ଥିଲା ।

ତେଣୁ ସେ ଦୃଷ୍ଟିରୁ ଦେଖିଲେ ତାଙ୍କର ଏକ ଅଭାବିତ  ଅକାଳ ମରଣ ହୋଇନଥିଲେ ପ୍ଲିନି ତାଙ୍କର ନୋଟ ଖାତା ରେ ଲିପିବଦ୍ଧ ହୋଇ ରହିଥିବା ତଥ୍ୟ ମାନଙ୍କରୁ ବିଶ୍ଳେଷଣ କରି  ନିଶ୍ଚୟ ଆହୁରି ଅନେକ ବହି ଲେଖି ପାରିଥାଆନ୍ତେ । ଏଇଠି କହିବା କଥା ହେଉଛି ତାଙ୍କର ଲିଖିତ ପର୍ଯ୍ୟାପ୍ତ  ପୁସ୍ତକ ର ଭିନ୍ନ ଧର୍ମିତା ତଥା ତାଙ୍କର ନୋଟଖାତାରେ ଲେଖାହୋଇ  ରହିଥିବା ତଥ୍ୟ ର ବହୁପ୍ରସ୍ଥୀୟ ଦୃଷ୍ଟିକୋଣକୁ ଦେଖିଲେ ସର୍ବପ୍ରଥମେ ଯେଉଁ କଥାଟି ଆମ ମନକୁ ଆସିବ ତାହା ହେଉଛି,ପ୍ଲିନି ଙ୍କ ମସ୍ତିଷ୍କ  ହେଉଛି ଏକ ବିଶ୍ୱକୋଷମୂଳକ ଉପାଦାନରେ ଭରା ମସ୍ତିଷ୍କ । ତାଙ୍କର ଏହି ଏକମାତ୍ର "ପ୍ରାକୃତିକ ଇତିହାସ" ବହିରେ ବିଶ୍ୱକୋଷ ସମାହିତ ହୋଇଯାଇଛି,ଯେହେତୁ ଏଇ ବହିଟି ଏକ ସଂପୂର୍ଣ୍ଣତା ବା ଟୋଟାଲିଟି କୁ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ ଲେଖା ତେଣୁ ଏଥିରେ ସମଗ୍ର ବିଶ୍ୱ ର ଭିନ୍ନ ଭିନ୍ନ ପ୍ରସଂଗ ରହିଛି ଏବଂ ଏହି ସାମଗ୍ରିକତାକୁ "ପ୍ରାକୃତିକ ଇତିହାସ" ବୋଲି ଲେଖକ ପ୍ଲିନି ବିଚାର କରିଛନ୍ତି। ଏବଂ ସେଦୃଷ୍ଚିରୁ ପ୍ଲିନିଙ୍କର ଅନ୍ୟ ସମସ୍ତ ବହି ସମାଜର ଖଣ୍ଡିତାଂଶ ଉପରେ ଲେଖା। 

ପ୍ଲିନିଙ୍କ ପ୍ରାକୃତିକ ଇତିହାସର ସର୍ବପ୍ରଥମ ଆଉ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ,  ପ୍ଲିନି ପୃଥିବୀର ପ୍ରାକୃତିକ ଇତିହାସ ଭିତରେ ପୃଥିବୀର ସମସ୍ତ ଘଟଣା-ଅଘଟଣ କୁ ବିଶ୍ୱକୋଷ ଭଳି ଦେଖିବାଭଳି ଦୃଷ୍ଟି ଓ ବିଶ୍ୱାସ ପୋଷଣ କରିଛନ୍ତି।

ପ୍ଲିନିଙ୍କ ଅକାଳ ତଥା ଅଭାବିତ ମରଣ ପ୍ରସଂଗକୁ ଯିବା ପୂର୍ବରୁ ଆମକୁ ଆଗ ମନେ ରଖିବାକୁ ଯେ ପ୍ଲିନି କେବଳ ପୃଥିବୀର ପ୍ରଥମ ପ୍ରାକୃତିକ/ ବିଶ୍ୱକୋଷ ର ଲେଖକ ନୁହଁନ୍ତି ସେ ହେଉଛନ୍ତି ପୃଥିବୀର ପ୍ରଥମ ଲେଖକ ଯାହାର ସମସ୍ତ ଲେଖକୀୟ ତଥା ଅନ୍ୟାନ୍ୟ କାର୍ଯ୍ୟ କରିବାର ନିର୍ଘଣ୍ଟ ଓ ପ୍ରଣାଳୀ ସଂପର୍କରେ ବିସ୍ତୃତ ବିବରଣୀ ମିଳେ । ଆମର ଏଇ ଲେଖକ  ପ୍ଲିନି ଅର୍ଥାତ୍ ପ୍ଲିନି,ଦି ଏଲଡର୍ ତାଙ୍କର ଉତ୍ତରାଧୀକାରୀ ତଥା ତାଙ୍କର ଭଣଜା ପ୍ଲିନି,ଦି ୟଙ୍ଗର୍ ଙ୍କୁ ଅନେକ ପତ୍ର ଲେଖିଛନ୍ତି ଏବଂ ପ୍ଲିନି,ଦି ୟଙ୍ଗର୍ ବି ତାଙ୍କର ମାତୁଳଙ୍କ ସଂପର୍କରେ ଅନେକ କଥା ଲେଖିଯାଇଛନ୍ତି।


ଏହି ନଥିବଦ୍ଧ ସୂତ୍ରରୁ ଯାହା ମିଳେ ତାହା ଅନୁସାରେ ନିଜର କେବଳ ଶାସକୀୟ କାର୍ଯ୍ୟକୁ ଛାଡିଦେଲେ ଏହି ଲେଖକ ର ଅନ୍ୟ ସମସ୍ତ ସମୟ କେବଳ ପଢିବାରେ ଆଉ ଉପଯୁକ୍ତ ମନେ ହେଉଥିବା ଅଂଶକୁ ବା ହଠାତ୍ ଉପସ୍ଥିତ ଚିନ୍ତାମାନଙ୍କୁ ଲିପିବଦ୍ଧ କରିବା ରେ ବିତୁଥିଲା । ଖାଇ ବସିଲା ବେଳେ, ମସାଜ୍ ନେଉଥିବା ବେଳେ,ଏପରିକି ଶୌଚକର୍ମ କଲାବେଳେ ପ୍ଲିନିଙ୍କର ପଢିବା ଲେଖିବା କାମ ଅବ୍ୟାହତ ରହୁଥିଲା । ଏହା କେଉଁପରି ସମ୍ଭବ ବୋଲି ପ୍ରଶ୍ନ ଉଠିପାରେ ମାତ୍ର ତାହାର ସରଳ ଉତ୍ତର ହେଉଛି ଲେଖକ ପ୍ଲିନିଙ୍କ ସହ ସବୁବେଳେ ଗୋଟିଏ ବେଶ୍ ବଡ କ୍ରୀତଦାସ ଦଳ ରହୁଥିଲେ ଆଉ ସେମାନଙ୍କର କାମ ଥିଲା ଭିନ୍ନ ଭିନ୍ନ ବହିକୁ ପଢି ପ୍ଲିନିଙ୍କୁ ଶୁଣାଇବା ଏବଂ ପ୍ଲିନି ଯେତେବେଳେ ଉପଯୁକ୍ତ ବିଚାର କରି କିଛି ଲେଖିବାକୁ କହିବେ ସେତେବେଳେ ତାହାକୁ ସଂପୃକ୍ତ ପୁସ୍ତକରୁ ଟିପିବା ବା ତାଙ୍କଠାରୁ କୌଣସି ଶ୍ରୁତଲେଖନ ନେବା। ସମୟ ନଷ୍ଟ ହେବ ବୋଲି ପ୍ଲିନି ପ୍ରାୟତଃ ବାହାରକୁ ପାଦରେ ଚାଲିଚାଲି ଯାଉନଥିଲେ।ସେ ପାଲିଙ୍କିରେ ବସି ଯାଉଥିଲେ ଆଉ ସେତେବେଳେ ବି କ୍ରୀତଦାସ ମାନଙ୍କ ଦ୍ୱାରା ତାଙ୍କର ପଢିବା ଓ ଲେଖିବା କାମ ଚାଲିଥାଏ।


ଏଇଠି ଏଇ କଥା କହିବା ପ୍ରାସଙ୍ଗିକ ହେବ ଯେ ଲେଖକ ପ୍ଲିନି ସେତେବେଳେ ରୋମାନ ସମାଜର ଜଣେ ଧନାଢ୍ୟ ବ୍ୟକ୍ତି ଥିଲେ।ଭିନ୍ନ ଭିନ୍ନ ସମ୍ରାଟ ମାନଙ୍କ ପାଇଁ ସେ ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି।ଶେଷ ଆଡକୁ ସେ ରୋମାନ୍ ସମ୍ରାଟ୍ ଭେସପାସିଆନ୍ ଙ୍କ ପ୍ରଧାନ ଉପଦେଷ୍ଟା ଥିଲେ। ଏକଥା କହିବା ବାହୁଲ୍ୟ ପ୍ଲିନିଙ୍କ ଆଭିଜାତ୍ୟ ଆଉ ଉଚ୍ଚ ବର୍ଗ ତାଙ୍କର ଲେଖକ ଜୀବନ କୁ ନିର୍ବିଘ୍ନ ଓ ପରିପୁଷ୍ଟ କରିଥିଲା ।

ପ୍ଲିନିଙ୍କ  "ପ୍ରାକୃତିକ ଇତିହାସ" ବହି ରେ କେବଳ କୌଣସି ପର୍ଯ୍ୟବେକ୍ଷଣ ନୁହଁ ବିଧିବଦ୍ଧ ତଥ୍ୟାନୁସରଣ ତଥା କୌଣସି ତଥ୍ୟ ବା ଲେଖକର କୌଣସି ଲେଖାକୁ ଉଦାହାରଣ ଆକାରରେ ରଖିବା ର ପ୍ରୟୋଗ ପ୍ରଥମ ଥର ଦେଖିବାକୁ ମିଳିଛି ।  ବହିର ଆରମ୍ଭରେ ଆମର ସୂଚୀପତ୍ର ରହିଥାଏ ସେହି ଭଳି ସୂଚୀପତ୍ର ରହିବାରେ ପ୍ଲିନିଙ୍କର ଏଇ ବହିଟି ହେଉଛି ପୃଥିବୀର ପ୍ରଥମ ବହି। ତେଣୁ କହିବାକୁ ଗଲେ ସୂଚୀପତ୍ର ବା ଇଣ୍ଡେକ୍ସିଙ୍ଗ ଏବଂ ଉଦାହାରଣ ବା ରେଫରେନ୍ସ,ଏଇ ଦୁଇଟି କଥା ହେଉଛି ଭବିଷ୍ୟତ ପାଇଁ ପ୍ଲିନିଙ୍କ ଅବଦାନ। ଏହା ଛଡା ଆଉ ଗୋଟିଏ କଥା ବି ସେଥିରୁ ଆସୁଛି ଯାହା ସାମଗ୍ରିକ ପୁସ୍ତକ ଇତିହାସ ପାଇଁ ମହତ୍ୱପୂର୍ଣ୍ଣ। ପ୍ଲିନିଙ୍କ "ପ୍ରାକୃତିକ ଇତିହାସ"ରେ ଆମେ ଯାହାକୁ ବିଜ୍ଞାନ କହୁ ତାହା ସିଧା ପର୍ଯ୍ୟବେକ୍ଷଣରୁ ଆସିନାହିଁ,ଆସିଛି ସାହିତ୍ୟ ପରଂପରାରୁ। ପର୍ଯ୍ୟବେକ୍ଷଣ କହିଲେ ଅନ୍ୟମାନେ ଯାହା ଯାହା ଆଗରୁ କହିଛନ୍ତି ତାହାର ପାରସ୍ପରିକ ତୁଳନା ହିସାବରେ ସମସ୍ତ ପର୍ଯ୍ୟବେକ୍ଷଣ କୁ ସେଇଠି ପ୍ରସ୍ତୁତ କରି ରଖାଯାଇଛି।ଦେଖିଲେ ଲାଗିବ ଲେଖକ ପ୍ଲିନି ଯେମିତି ବାହାରେ କୁଆଡକୁ ଯାଇ ନାହାଁନ୍ତି ।

ଏଇଠି ଟିକିଏ ଆଗରୁ ଯାହା କୁହାଗଲା ପ୍ଲିନିଙ୍କର ନୋଟଖାତା ତଥା ନୋଟଖାତାର ଆଧାରରେ ପରେ ଲିଖିତ ତାଙ୍କର " ନେଚୁରାଲ୍ ହିଷ୍ଟୋରି " ରେ ତାଙ୍କର ଯେଉଁ ପର୍ଯ୍ୟବେକ୍ଷଣ ଦକ୍ଷତା ଦେଖାଯାଏ ତାହାର କୌଣସି ବୈଜ୍ଞାନିକ ଆଧାର ନଥିଲା । ତାହା ସାହିତ୍ୟର ପରଂପରାରୁ ଆସିଥିଲା । ପୂର୍ବ ଲେଖକମାନଙ୍କର  ଲେଖାର ତୁଳନାକରି ପ୍ଲିନି  ତାହାର ନିଷ୍କର୍ଷ ଉପସ୍ଥାପନ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବରେ କହିଲେ, ବୈଜ୍ଞାନିକ ଦୃଷ୍ଟିଭଂଗୀର ଅଭାବ ଏବଂ ଅନେକ ସମୟରେ ବସ୍ତୁସ୍ଥିତିର ପୁଙ୍ଖାନୁପୁଙ୍ଖ ଯାଂଚ କରିବାର ଅଭାବ କେତେକ ସ୍ଥଳରେ ତାଙ୍କର ଲେଖାରେ କେତେକ କିମ୍ଭୁତକିମାକାର ତଥ୍ୟର ଉପସ୍ଥାପନା ଦେଖିବାକୁ ମିଳେ । ଶୁଣା କଥା ରେ ବିଶ୍ୱାସ କରିବା ଭଳି ସତ୍ୟର ପ୍ରୟୋଗ ହୋଇଥିବା କାରଣରୁ  ବେଳେବେଳେ ତାଙ୍କର ପ୍ରାକୃତିକ ଇତିହାସ ସମକାଳରେ ଅପ୍ରାସଙ୍ଗିକ ହୋଇଛି । ପ୍ଲିନିଙ୍କ "ପ୍ରାକୃତିକ ଇତିହାସ" ରୁ ଥିବା କେତୋଟି ଏଇଭଳି ଅଦ୍ଭୁତ ତଥ୍ୟ କୁ ଦେଖାଯାଉ । କେତେକ ସ୍ଥାନରେ ମଣିଷର କୁକୁରର ମୁହଁ ଥିବା କଥା ସେ ଲେଖିଛନ୍ତି । ପ୍ଲିନିଙ୍କ ଅନୁସାରେ  ପୃଥିବୀରେ ଏମିତି ଅଂଚଳ ଥିଲା ଯେଉଁଠି ଲୋକମାନଙ୍କର ବେକ ଉପରର ସ୍ଥାନଟି ଗଢଣ ଅଦ୍ଭୁତ ଥିଲା । ଅର୍ଥାତ୍ ସେମାନେ ସବୁ ଜନ୍ମରୁ ମସ୍ତକବିହୀନ ଥିଲେ । ବେକ ଉପରେ ସେମାନଙ୍କର ଯେଉଁ ଗଢଣ ଥିଲା ସେଇଠି ଆଖି କାନ କି ପାଟି ନଥିଲା । ଥିଲା କେବଳ ଦୁଇଟି ନାକ । ଲୋକମାନେ ପାଟି ନଥିବା କାରଣରୁ କଥା କହିପାରୁନଥିଲେ, କାନ ନଥିବା କାରଣରୁ କୌଣସି କଥା ଶୁଣିପାରୁନଥିଲେ । ନାକ ଦ୍ୱାରା ସେମାନେ ଶ୍ୱାସ ପ୍ରଶ୍ୱାସ ନେବା ଆଣିବା କରୁଥିଲେ ଆଉ ଖାଦ୍ୟ ଗ୍ରହଣ କରୁଥିଲେ । ପ୍ଲିନି ବି ଆଉ ଗୋଟିଏ ପ୍ରକାର ମଣିଷ ପୃଥିବୀରେ ବାସକରୁଥିବାର କଥା ଲେଖିଛନ୍ତି । ସେହି ସବୁ ମଣିଷର ଥିଲା ଗୋଟିଏ ଗୋଟିଏ ଗୋଡ। ଆଉ ଖରା ବେଶି ବାଧିଲେ ସେମାନେ ସେହି ଗୋଟିକ ଗୋଡକୁ ଛତା ଆକାରରେ ବ୍ୟବହାର କରି ଖରାର ଦୌରାତ୍ମରୁ ରକ୍ଷା ପାଇଯାଉଥିଲେ। 

ବିଶେଷ ଭାବରେ ପୃଥିବୀର ଏହି  ପ୍ରଥମ ପ୍ରାକୃତିକ ଐତିହାସିକ ପ୍ଲିନି,ଦି ଏଲଡର୍ ଙ୍କ ବିବରଣୀରେ ଏମିତି ଗୋଟିଏ ଅଦ୍ଭୁତ କଥା ରହିଅଛି । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ସର୍ବକାନ ବୋଲି ଗୋଟିଏ ଦ୍ୱୀପ ଥିଲା । ସେଇଠି ବସବାସ କରୁଥିବା ଲୋକମାନଙ୍କୁ ପାନୋତିଓଇ ବୋଲି କୁହାଯାଏ।

ପାନୋତିଓଇ ମାନେ ବଡ ଅଦ୍ଭୁତ ।

ସେମାନଙ୍କର କାନ ମାନ ଦେଖିବାକୁ ଖୁବ୍ ବିଶାଳ । ଗୋଟିଏ ସାଧାରଣ ମଣିଷର ଉଚ୍ଚତା ଯେତିକି ହେବ ସେତିକି ଉଚ୍ଚତାବିଶିଷ୍ଟ ଥିଲା ସେମାନ ଙ୍କର କାନ ।

ରାତି ହେଲେ ସେମାନେ ନିଜର ଗୋଟିଏ କାନକୁ ତକିଆ  ଆଉ ଆର କାନଟିକୁ ଚାଦର କରି ଘୋଡିଘାଡି ହୋଇ ବେଶ୍ ଆରାମରେ ଶୋଇପଡୁଥିଲେ।  

ଯାହାର କାନମାନ ଦେଖିବାକୁ ଏତେ ବଡ ବଡ, ତାହାକୁ କୌଣସି କଥା ଭଲ ଭାବରେ ଶୁଭିବା ପାଇଁ ଆମକୁ ସେତିକି ଜୋର୍ ରେ ଆମର କଥାମାନକୁ  କହିବାକୁ ହେଉଥିଲା ।

ପାନୋତିଓଇ ମାନେ ତେଣୁ କିଛି କଥା ଶୁଣିପାରୁନଥିଲେ ,ଆମ ମାନଙ୍କ ଭଳି ସେଇ ବିଚରାମାନଙ୍କର ତାହା ହେଉଛି ସବୁଠୁ ବଡ ଦୁଃଖ ।

ପ୍ଲିନିଙ୍କ ପ୍ରାକୃତିକ ଇତିହାସରେ ଲେଖାଯାଇଥିବା ଏଇ ଭଳି କିଛି ତଥ୍ୟକୁ ଆଜି ଦେଖିଲେ ଆମେ ଆମ ଭିତରେ ଥିବା ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ଆଉ ଅନୁମାନ ଶକ୍ତିକୁ ନିଶ୍ଚୟ ସାବାସୀ ଦେବା ଯେ ଏହା ପ୍ଲିନିଙ୍କ ଉଲ୍ଲିଖିତ ତଥ୍ୟକୁ ଅବିଶ୍ୱାସ କରିବା ଆଉ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ଭଳି ଆମକୁ ସୁଶିକ୍ଷିତ କରିଅଛି । କିନ୍ତୁ ଅନ୍ୟପକ୍ଷରେ ଏହା ଆମର କଳ୍ପନାଶକ୍ତିକୁ ପ୍ରଭାବିତ କରିପାରିବା ଭଳି ସାମର୍ଥ୍ୟ ରଖିଛି । ଏହା ଆମର କଳ୍ପନାଶକ୍ତିକୁ ଏଇଥିପାଇଁ ପ୍ରଭାବିତ କରୁଅଛି ଯେ ଆମେ ଯେତେବେଳେ ପ୍ଲିନିଙ୍କ ବର୍ଣ୍ଣିତ ଏଇ ଭଳି ମସ୍ତକବିହୀନ ,ଏକପଦ ବିଶିଷ୍ଟ ମଣିଷମାନଙ୍କର ପ୍ରକୃତ ଅବସ୍ଥିତିକୁ ସନ୍ଦେହ କରିବସୁଛୁ ସେତେବେଳେ ସେମାନେ ଆମର ସେହି ସନ୍ଦେହ କାଳରୁ ଭିନ୍ନ ଭାବରେ ପରିଭାଷିତ କରିବାର ପରିସର ପ୍ରସ୍ତୁତ କରୁଛନ୍ତି । ଆମର ମନକୁ ସେତେବେଳେ ଆସୁଛି ମଣିଷର ଏଇଭଳି ଅବସ୍ଥାନ ବାସ୍ତବରେ ଏକ ପ୍ରତିକୀ ଅବସ୍ଥାନ ନୁହଁ ତ? ପ୍ଲିନି ଏଇଭଳି ଯାହା କହିଛନ୍ତି ତାହା କୌଣସି ସମାଜର ପ୍ରତୀକାତ୍ମକ ସ୍ଥିତିକୁ  ବୁଝାଉନାହିଁ ତ ? ଯେହେତୁ ଶୁଣାକଥା ଆଉ ସାହିତ୍ୟ ଉପରେ ପ୍ଲିନିଙ୍କର ସମସ୍ତ ପର୍ଯ୍ୟବେକ୍ଷଣ ଆଧାରିତ ତେଣୁ ଏହା ସମକାଳର ବିଚାରରେ ବାସ୍ତବ ଅପେକ୍ଷା ପ୍ରତୀକ ହୋଇଥିବା ଅଧିକ ଯଥାର୍ଥ ଆଉ ପ୍ରାସଙ୍ଗିକ ହେବ ।

ଆନ୍ୟପକ୍ଷରେ ଆଉ କେତେକ କ୍ଷେତ୍ରରେ ପ୍ଲିନି ସେ ସମୟର ଅସୁଖ ମାନଙ୍କର କିଛି ପ୍ରତିକାରବିଧି ର କଥା କେତେକ ସ୍ଥଳରେ ଉଲ୍ଲେଖ କରିଛନ୍ତି । ମାତ୍ର ସେଇଠି କିଛି କଥାର ଉଲ୍ଲେଖ ପଛରେ ସମକାଳର ବିଶ୍ୱାସ ଆଉ କିଛି ଶୁଣାକଥା ରହିଥିବା କାରଣରୁ  ଏବଂ ସେଇଠି କୌଣସି ବିଜ୍ଞାନସମ୍ମତ ଆଧାର ନଥିବା କାରଣରୁ ସେହି ଅଦ୍ଭୁତ ବିବରଣୀ ରେ ଆମପାଇଁ  କୌଣସି ପ୍ରତୀକାତ୍ମକତା ନଥାଏ । ଆମେ ଏହାକୁ ଅତି ସରଳରେ କହିଲେ ଅବିଶ୍ୱାସ କରୁ ଆଉ ବେଳେବେଳେ ଅଂଧବିଶ୍ୱାସ ବୋଲି ପ୍ରତ୍ୟାଖ୍ୟାନ କରୁ। ପ୍ଲିନିଙ୍କ ପ୍ରାକୃତିକ ଇତିହାସରେ ଥିବା ଏଇଭଳି କିଛି ଉପଚାର ବିଧିକୁ ପଢାଯାଉ । କେବଳ ପଢାଯାଉ ,ଏହାର କୌଣସି ବ୍ୟବହାରିକ ଉପଯୋଗ କରାନଯାଉ । ଅବଶ୍ୟ ଏହାକୁ ପଢିବାପରେ ଅତିବେଶିରେ ଉଚ୍ଚକଂଠରେ ହସିବାରେ କୌଣସି ପ୍ରତିବନ୍ଧକ ନାହିଁ । ପ୍ଲିନି ଙ୍କ ଅନୁସାରେ, ମର୍କତ ମଣି ବା ଏମେରାଲ୍ଡ କୁଷ୍ଠ ରୋଗ ଦୂରକରିଥାଏ,ବାଘର ପ୍ରଜଛନ ଅଙ୍ଗକୁ ମହୁରେ ବୁଡାଇ ସେବନ କଲେ ଯୌନଶକ୍ତି ର ଅଭିବୃଦ୍ଧି ଘଟିଥାଏ ,ମୁଣ୍ଡବଥା ହେଲେ କପାଳରେ ଗଧିଆର ଗୁପ୍ତାଙ୍ଗକୁ ଘଷିଲେ ତୁରନ୍ତ ଉପଶମ ମିଳିଥାଏ , ଅର୍ଶ ହେଲେ ଘୁଷୁରିର ଚର୍ବି କୁ ରଥଚକର କଳିଙ୍କି ସହିତ ଏକାଠି ଭାଜି ସେବନ କରାଯିବା ଉଚିତ,ବିଶେଷରେ ଅର୍ଶପାଇଁ ଗୁହ୍ୟଦ୍ୱାରରେ ଗୋଟିଏ କୋଲା ରସୁଣ ପ୍ରବେଶକରାଇ ଗୋଟିଏ ରାତି ରଖିବା ବାଧ୍ୟତାମୂଳକ,ମୂଷାଲଣ୍ଡିକୁ ଚନ୍ଦାମୁଣ୍ଡରେ ଲଗାଇଲେ କେଶ ଉତ୍ପାଦନ ସୁନିଶ୍ଚିତ । ଏହି ଭଳି ଭିନ୍ନ ଭିନ୍ନ ଅସୁଖର ପ୍ରତିକାରବିଧି ସଂପର୍କରେ ପ୍ଲିନିଙ୍କର ଅନେକ ବର୍ଣ୍ଣନା ରହିଅଛି। ଉପସ୍ଥିତ ଲେଖକ ର ବିଚାରରେ ପ୍ଲିନିଙ୍କ ପ୍ରାକୃତିକ ଇତିହାସରେ ବର୍ଣ୍ଣିତ କୌଣସି ଏକ ଅସୁଖର ଅଦ୍ଭୁତତମ ଉପଚାର ଟି ହେଉଛି କୌଣସି ନାରୀର ଗର୍ଭଧାରଣ ନକରିବାର ଉପାୟ । ଆପଣମାନେ ଜାଣନ୍ତି ଅବାଂଛିତ ଗର୍ଭଧାରଣ ନାରୀ ପାଇଁ ( କେବଳ ନାରୀ ପାଇଁ,ପୁରୁଷର ନୁହଁ ) ଆବହମାନକାଳରୁ ଏକ ପ୍ରମୁଖ ସମସ୍ୟା ଆକାରରେ ରହିଆସିଛି । ଏଥିରୁ ଅର୍ଥାତ୍ ଅବାଂଛିତ ଗର୍ଭଧାରଣରୁ ସୁରକ୍ଷା ପାଇଁ ନାରୀ ଆବହମାନକାଳରୁ ଭିନ୍ନ ଭିନ୍ନ ଉପାୟର ଉପଯୋଗ କରିଆସିଛି । ଆଦ୍ୟ କାଳରେ ଗର୍ଭପ୍ରତିରୋଧର ସବୁଠାରୁ ସଫଳ ଉପାୟ ଥିଲା ମେଣ୍ଢାର ପୁଟା ରେ ପ୍ରସ୍ତୁତ ହେଉଥିବା ଏକ "କଣ୍ଡୋମ" । ଅବଶ୍ୟ ଏହା ଉଚ୍ଚବିତ୍ତଙ୍କ ମଧ୍ୟରେ ସିମୀତ ଥିଲା ।
ସେ ଯାହାହେଉ ପ୍ଲିନି ଅବାଂଛିତ ଗର୍ଭକୁ ପ୍ରତିରୋଧ କରିବାପାଇଁ ଯେଉଁ ଉପାୟର ବର୍ଣ୍ଣନା କରିଛନ୍ତି ତାହା ହେଉଛି, ପୁରୁଷ ସଂସର୍ଗ ପରେ ଜଣେ ନାରୀ ଘରର ବାହାରକୁ ଯାଇ ଗୋଟିଏ ବ୍ରାହ୍ମଣୀବେଙ୍ଗର ପାଟିକୁ ମେଲାଇ ତାହା ଉପରକୁ  ଥରୁଟିଏ  ନିଜର ଛେପ ପକାଇବ । 

ଶେଷରେ ପ୍ଲିନିଙ୍କର ଅକାଳ ଆଉ ଅଭାବିତ ମରଣର ପ୍ରସଂଗ। 

ପ୍ଲିନିଙ୍କ ଭଳି ଜଣେ ଲେଖକର ସମସ୍ତ ଚାଳିକାଶକ୍ତିର  କହିବାକୁ ଗଲେ କେବଳ ଗୋଟିଏ ମାତ୍ର ଆଧାର,କୌତୁହଳ,ସବୁ ବିଷୟ ପ୍ରତି ଅପରିସୀମ କୌତୁହଳ। ସେଇଥିପାଇଁ ତ ୭୯ ଖ୍ରୀଅରେ ସେଇଠି ଅସଲରେ କ'ଣ ହେଉଛି ଦେଖିବା ପାଇଁ ମୁଣ୍ଡରେ ଗୋଟିଏ ତକିଆ ବାନ୍ଧି ପ୍ଲିନି ଆଗେଇ ଯାଇଥିଲେ ସେଇଠିକୁ। କ'ଣ ଦେଖିଲେ ସେଇଠି  ସେକଥା ଲେଖା ହୋଇ ପାରିଲା ନାହିଁ। ଚାରିଆଡେ ଉତ୍ତପ୍ତ ଧୂଳି,ଲାଭା ବର୍ଷା। ବିସୁଭିୟସ ନାମକ ଆଗ୍ନେୟଗିରି ସେଦିନ  ବିଶ୍ୱପ୍ରସିଦ୍ଧ ହେବାପାଇଁ ଜୀବନ୍ତ ଥିଲା। 

ବିସୁଭିୟସ ର ସେଦିନର ସେହି ଉଦଗୀରଣ ରେ ଚାରୋଟି ଅଘଟଣ ଘଟିଥିଲା। ଇତାଲୀର ତିନୋଟି ବୃହତ୍ ଜନବସତି ଏହି ଅକସ୍ମାତ ଅଗ୍ନ୍ୟୁତ୍ପାତ କାରଣରୁ ଛାରଖାର ହୋଇଯାଇଥିଲା । " ପଂପେଇ ନଗରୀ ର ଶେଷ ଦିନ " ଭଳି ଏକ କାହାଣୀରୁ ପଂପେଇ ନଗରୀର ସେଦିନର ଭୟାବହତାକୁ ଆମେ ଆମର କଳ୍ପନା ଚକ୍ଷୁରେ ଦେଖିଅଛୁ । ପଂପେଇ,ହରକ୍ୟୁଲାନିମ୍ ଆଉ ଓପଲାଣ୍ଟିସ୍  ଭଳି ତିନୋଟି ବିପର୍ଯ୍ୟୟ ସହିତ ଯେଉଁ ଚତୁର୍ଥ ଛାରଖାରଟି ସେଦିନ ସଂଘଟିତ ହୋଇଥିଲା ତାହା ଥିଲା ପୃଥିବୀର ପ୍ରଥମ ପ୍ରାକୃତିକ ଇତିହାସ ଯାହାକୁ ଆମେ ପୃଥିବୀର ପ୍ରଥମ ବିଶ୍ୱକୋଷ ବୋଲି କହିପାରିବା ତାହାର ଖ୍ୟାତନାମା ରଚୟିତା ପ୍ଲିନିଙ୍କର ଶାରିରୀକ ଉପସଂହାର ।

ପୃଥିବୀର ଏହି ପ୍ରଥମ ପ୍ରାକୃତିକ ଇତିହାସର ରଚୟିତା ଙ୍କର କୌଣସି ଏକ ଆଗ୍ନେୟଗିରିର ଉଦଗୀରଣରେ ଏହିଭଳି ଏକ ଅବଶେଷବିହୀନ ମୃତ୍ୟୁ ଆମକୁ ଶେଷ ଯାଏଁ ତାଙ୍କର ଇତିହାସ ଭଳି ଗୋଟିଏ ତଥ୍ୟ ପାଲଟି ଯାଏ । 

ଏହା କେତେ ପ୍ରାକୃତିକ ? ଏହା କେତେ ଅପ୍ରାକୃତିକ ?