କାଫକାଙ୍କ ସହର -୧

କାଫକାଙ୍କ ସହର -୧

(୧)

ପ୍ୟାରିସର ଓର୍ଲି ଏୟାରପୋର୍ଟରୁ ବାହାରି ମୁଁ ଚେକ୍ ରିପବ୍ଲିକର ରାଜଧାନୀ ପ୍ରାଗ୍ ସହରରେ ପହଂଚିଲା ବେଳକୁ ରାତି ପ୍ରାୟ ଆଠଟା ବାଜିଥାଏ । ଅଳ୍ପ ଅଳ୍ପ ବର୍ଷା ହଉଥାଏ ବାହାରେ, ତାପମାତ୍ରା ସାତ ଡିଗ୍ରୀ ଥାଏ । ପ୍ରାଗ୍ ଏୟାରପୋର୍ଟ, ସିଟି-ସେଣ୍ଟର ଠାରୁ ତିରିଶ ଚାଳିଶ ମିନିଟର ବାଟ । ସିଟି-ସେଣ୍ଟର ଯିବା ପାଇଁ ଏୟାରପୋର୍ଟ ସାମ୍ନାରୁ ମୁଁ ଶହେ ଉଣେଇଶ ନମ୍ବର ବସ ଧରିଲି । 'ନାଦ୍ରାଜି ଭେଲେସ୍ଲାଭିନ୍' ନାମକ ଜାଗାରେ ମତେ ବସରୁ ଓହ୍ଲେଇ 'ଏ' ଲାଇନର ମେଟ୍ରୋ ଧରିବାକୁ ଥାଏ, ମୁସ୍ତେକ୍ ଷ୍ଟେସନ ପର୍ଯ୍ୟନ୍ତ । ମୁସ୍ତେକ୍ ରୁ ମୋ ହୋଟେଲ ମାତ୍ର ଦଶ ମିନିଟର ଚଲାବାଟ । ଚାହିଁଥିଲେ, ଚାଲିକି ଯିବା ପରିବର୍ତ୍ତେ ମୁଁ ପାଞ୍ଚ, ତିନି, ନଅ କିମ୍ବା ଛଅ ନମ୍ବର ଟ୍ରାମ୍ ରେ ଯାଇ ଠିକ୍ ମୋ ହୋଟେଲ ସାମ୍ନାରେ ଥିବା 'ଲାଜ୍ରାସ୍କା' ଷ୍ଟେସନରେ ଓହ୍ଲେଇପାରିଥାନ୍ତି । ମୁଁ କିନ୍ତୁ ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଲି । ହାଲ୍କା ହାଲ୍କା ବର୍ଷାରେ, ପ୍ରାଗ୍ ଭଳି ସୁନ୍ଦର ସହରରେ ରାତିରେ ଚାଲିବାର ନିଆରା ଅନୁଭବକୁ ମୁଁ ହାତଛଡା କରିବାକୁ ଚାହୁଁ ନଥିଲି ।

 ହୋଟେଲ ପହଂଚି ଚେକ୍-ଇନ୍ କଲା ପରେ ପରେ ଲବିରେ ମୋର ଦେଖାହେଲା ଜୁନ୍ ସହିତ । ଗୋଟେ ଦିନ ଆଗରୁ ପ୍ରାଗ୍ ବୁଲିବାକୁ ଆସି ସେ ବି ରହୁଥାଏ ସେଇ ସମାନ ହୋଟେଲରେ । ଦିନକ ପରେ ତା’କୁ ଯିବାର ଥାଏ ବର୍ଲିନ୍, ତା' ପ୍ରେମିକ ଦାନିଏଲ୍ ପାଖକୁ । ଦିନ ଏଗାରଟାରେ ତା’ର ଫ୍ଲାଇଟ ଥାଏ ଟର୍ମିନାଲ ତିନିରୁ । ସୌଜନ୍ୟମୂଳକ କଥାବାର୍ତ୍ତାରୁ ବୁଝିଲି,  ଦାନିଏଲ୍ ବର୍ଲିନ୍ ସହରରେ ପାଠ ପଢେ, ଜୁନ୍ ରହେ ଫ୍ରାନ୍ସରେ । ଜୁନ୍ ସାହିତ୍ୟର ଛାତ୍ରୀ, ଦାନିଏଲ୍ ପଦାର୍ଥ ବିଜ୍ଞାନର । ଅଧିକାଂଶ ସମୟ ସେମାନେ ପରସ୍ପରଠୁ ଦୂରରେ ବିତାନ୍ତି । ତିନି ଚାରି ମାସକୁ ଥରେ ଯାହା ଦେଖା ହୁଏ । କେବେ ଦାନିଏଲ୍  ଆସେ ଫ୍ରାନ୍ସ, ତ କେବେ ଜୁନ୍ ଯାଏ ବର୍ଲିନ୍ । କେବେ ପୁଣି ଦୁହେଁ ଦେଖାହୁଅନ୍ତି କୌଣସି ଏକ ନିରପେକ୍ଷ ଜାଗାରେ, ଓ ଦୁଇ ତିନି ଦିନ ଏକାଠି ରହି ପୁଣି ଫେରିଯାନ୍ତି ନିଜ ନିଜ କର୍ମକ୍ଷେତ୍ରକୁ । ଏଭଳି ଏକ ଲଂଗଡିଷ୍ଟାନ୍ସ ରିଲେସନଶିପରେ ରହିବା ଅସହଜ ନିଶ୍ଚିତ । ଅତୀତରେ, ପ୍ରାୟ ଏଗାର ବର୍ଷ ଧରି ମୁଁ ଏମିତି ଏକ ସଂପର୍କର ଜଟିଳତାକୁ ଭୋଗିଛି । ମୋ ଅନୁଭବ କହେ, ଆଇନଷ୍ଟାଇନଙ୍କ ସମୟର ଆପେକ୍ଷିକତା ଥିଓରୀକୁ ବ୍ୟାବହାରିକ ସ୍ତରରେ ବୁଝିବା ପାଇଁ ଏମିତି ସଂପର୍କଟିଏ ହିଁ ଯଥେଷ୍ଟ । କିଛି ସମୟର କଥାବାର୍ତ୍ତା ପରେ ମୁଁ ବିଦାୟ ନେଲି ଜୁନ୍ ପାଖରୁ । ସେ ଧରିଥିବା ଗ୍ଲାସରୁ ୱାଇନ ଆହୁରି ସରିନଥାଏ, ମୋ ଦେହର କ୍ଳାନ୍ତି କିନ୍ତୁ ଲୋଡ଼ୁଥାଏ ବିଶ୍ରାମ । ହୋଟେଲର ସପ୍ତମ ମହଲାରେ ମୋ ରୁମ । ରୁମର କାନ୍ଥରେ ଝୁଲୁଥାଏ କାଠଫ୍ରେମରେ ବଂଧା ସୁନ୍ଦର ଚିତ୍ର କେତୋଟି । ସେଥିମଧ୍ୟରୁ ଗୋଟିଏ ଥିଲା ପିକାଶୋଙ୍କର ବହୁଚର୍ଚ୍ଚିତ ‘ଦ ଓଲଡ ଗିଟାରିଷ୍ଟ’ । ଉନବିଂଶ ଶତାବ୍ଦୀର ଆରମ୍ଭରେ ନିଜ ଘନିଷ୍ଠ ବନ୍ଧୁଙ୍କ ଆତ୍ମହତ୍ୟାରେ ବ୍ୟଥିତ ହେଇ ପିକାଶୋ ଏ ଚିତ୍ରଟି ଆଙ୍କିଥିଲେ । ରୁମ ଭିତରେ ଅନେକ ସମୟ ମୋର ସେଇ ଚିତ୍ରକୁ ଚାହିଁ ଚାହିଁ ବିତିଲା । ରୁମର ଝରକାରୁ ସହର ଦିଶୁଥାଏ ମେଘୁଆ ଆକାଶତଳେ ଆଲୁଅର ଚାଦର ଘୋଡ଼େଇହେଇ ଶୋଇଥିବା ତରୁଣୀଟିଏ ଭଳି । ଝରକାରୁ ଆହୁରି ବି ଦିଶୁଥାଏ ପ୍ରସିଦ୍ଧ ‘ଡ୍ୟାନ୍ସିଂ ହାଉସ’ । ୧୯୯୬ ମସିହାରେ ବ୍ଳାଦୋ ମିଲୁନିଚ୍ ଓ ଫ୍ରାଙ୍କ ଗେରିଙ୍କ ଦ୍ଵାରା ନିର୍ମିତ ଏହି ସୁଦୃଶ୍ୟ ଅଟ୍ଟାଳିକାଟି ବାସ୍ତବରେ ଏକ କରୁଣ ଐତିହାସିକ ଘଟଣାର ସ୍ମୃତିସ୍ତମ୍ଭ । ଯେଉଁଠି ଏ ଅଟ୍ଟାଳିକାଟି ଠିଆ ହେଇଚି, ଆମେରିକୀୟ ଆକ୍ରମଣ ଦ୍ବାରା ୧୯୪୫ରେ ପ୍ରାଗ୍ ସହରରେ ନଷ୍ଟ ହେଇଥିବା ସ୍ଥାନମାନଙ୍କ ମଧ୍ୟରେ ସେ ସ୍ଥାନଟି ବି ଥିଲା । କାହିଁକି କେଜାଣି, ମୋ ଝରକାରୁ ଏ ଅଟ୍ଟାଳିକା ମତେ ଦିଶୁଥାଏ ପାଉଁଶଗଦାରୁ ଫୁଟି ଉଠିଥିବା ପଦ୍ମଟିଏ ଭଳି ! ସେଇ ଫୁଲଟିକୁ ଦେଖୁଦେଖୁ ନିଦ ହେଲା ସେଦିନ ।

 ପରଦିନ ସକାଳେ ପ୍ରାୟ ଆଠଟା ବେଳକୁ ମୁଁ ହୋଟେଲରୁ ବାହାରିଲି । ବାହାରେ ଶୀତ, ରହିରହି ମୁହଁରେ ଫୁଟିଯାଉଥାଏ ଥଣ୍ଡାପବନର ଛୁଞ୍ଚି । ମୁଁ କଳାରଙ୍ଗର ଗୋଟେ ଲମ୍ବା ଓଭରକୋର୍ଟ ପିନ୍ଧିଥାଏ, ସାଙ୍ଗରେ ହଳଦୀରଙ୍ଗର ମଫଲର ଓ ଧୂସର ଟୋପି । ହାତରେ ହାଲକା ନୀଳରଙ୍ଗର ଗ୍ଳୋବ୍ସ । ରାସ୍ତାଘାଟରେ ବେଶୀ ଭିଡ଼ ନଥାଏ । ମାର୍ଚ୍ଚମାସର ପ୍ରଥମ ସପ୍ତାହ, ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ତେଣୁ କମ । ସହରଟି ସେତେ ବଡ଼ ନୁହେଁ, ପ୍ରମୁଖ ଦର୍ଶନୀୟ ସ୍ଥାନଗୁଡିକ ମଧ୍ୟ ପରସ୍ପରଠୁ ଅଳ୍ପ ଦୂରତାରେ ଅବସ୍ଥିତ । ପ୍ରାଗ୍ ସହରର ଲୋକାଲ ଟ୍ରାନ୍ସପୋର୍ଟ ବ୍ୟବସ୍ଥାଟି ବି ଖୁବ୍ ସୁବିଧାଜନକ । ଶହେ କୋଡିଏ ଚେକ୍ କ୍ରୋନା (ପ୍ରାୟ ୪୪୦ ଟଙ୍କା)ର ଟିକେଟଟିଏ କିଣିଲେ, ତା’କୁ ମେଟ୍ରୋ, ଟ୍ରାମ୍ ଓ ବସରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅସୀମିତ ସଂଖ୍ୟକ ଟ୍ରିପ୍ସ ପାଇଁ ବ୍ୟବହାର କରାଯାଇପାରେ । ମୁଁ ମଧ୍ୟ ସେଇ ଟିକେଟଟିଏ କିଣିଲି, ଆବଶ୍ୟକ ସ୍ଥଳେ ବ୍ୟବହାର କରିବା ପାଇଁ । କିନ୍ତୁ ଅଧିକାଂଶ ସମୟରେ ମୁଁ ଚାଲି ଚାଲି ହିଁ ବୁଲୁଥିଲି । କାରଣ ପ୍ରାଗ୍, ଚାଲି ଚାଲି ଦେଖିବା ଭଳି ସହରଟିଏ, ଯାହାର ମନୋରମ ରାସ୍ତାସବୁରେ ଚାଲିଲା ବେଳେ କାଫ୍କାଙ୍କ ହାତଧରି ଚାଲିଲା ଭଳି ଲାଗେ ।

 ଏକଥା ଅତ୍ୟୁକ୍ତି ନୁହେଁ, ଯେ ପ୍ରାଗ୍, କାଫ୍କାଙ୍କ ସହର, ଯଦିଓ ରିଲକେଙ୍କ ଭଳି କବି ମଧ୍ୟ ଏ ସହର ସହିତ ଖୁବ୍ ନିବିଡ଼ ଭାବେ ଜଡିତ । ଏଠି ପ୍ରତି ଶହେ ଦୁଇଶ' ମିଟରରେ କାଫ୍କାଙ୍କ ସଂପର୍କିତ କିଛି ନା କିଛି ଦେଖିବାକୁ ମିଳିଯାଏ । କୋଉଠି ବହିଦୋକାନରେ କାଫ୍କା, ତ କେଉଁଠି କାଫ୍କା ଥିମ୍ ର କ୍ୟାଫେ । କେଉଁଠି ପଥରକାନ୍ଥରେ କାଫ୍କାଙ୍କ ଲିଖିତ ଧାଡ଼ିସବୁ, ତ ଆଉ କେଉଁଠି କାଫ୍କାଙ୍କ ପ୍ରତିମୂର୍ତ୍ତି, କେଉଁଠି ପୁଣି କାଫ୍କାଙ୍କୁ ନେଇ ଚିତ୍ର ପ୍ରଦର୍ଶନୀ, ନହେଲେ ସିନେମା । ସାରା ସହର ଯେମିତି କାଫ୍କାମୟ । ଜଣେ ସାହିତ୍ୟିକକୁ ଏମିତି ଉତ୍ସବ ଭଳି ପାଳୁଥିବା ସହରଟିଏ ମୁଁ ଆଗରୁ କେବେ ଦେଖିନଥିଲି । ସେ ଅମୃତ ଉତ୍ସବ ମତେ ଉଲ୍ଲସିତ କରିବା ସ୍ଵାଭାବିକ ଥିଲା, କାରଣ କାଫ୍କା ମୋର ପ୍ରିୟ ଲେଖକଙ୍କ ଭିତରୁ ଜଣେ । ଖୁବ ତରୁଣ ବୟସରେ ମେଟାମରଫୋସିସ ପଢିବା ପରଠୁ ମୁଁ ତାଙ୍କ ଶବ୍ଦର ମାୟାରେ ବାନ୍ଧି ହେଇଯାଇଥିଲି । ତେଣୁ କାଫ୍କାଙ୍କ ସହରରେ ବୁଲିବା ମତେ ସ୍ବପ୍ନ ଦେଖିବା ଭଳି ଲାଗୁଥାଏ । ଏମିତି ସ୍ବପ୍ନ ଦେଖୁ ଦେଖୁ ମୁଁ ପ୍ରଥମେ ପହଂଚିଲି ନ୍ୟୁ ଯ୍ୟୁଇସ୍ ସେମେଟେରୀରେ କାଫ୍କାଙ୍କ ସମାଧି ପାଖରେ । ଆଖପାଖର ଅନ୍ୟ ସମାଧିସବୁ ଭଳି, ସେ ସମାଧିଟି ବି ଦେଖିବାକୁ ଖୁବ ସାଧାରଣ ଥିଲା । ତାହାକୁ ଘେରି କୌଣସି ବିରାଟ ସ୍ମୃତିସୌଧ ନଥିଲା, ବା ତା’ ଆଖ ପାଖରେ କୌଣସି ସୁଦୃଶ୍ୟ ତୋରଣ ନଥିଲା । ଏମିତି କିଛି ବି ନଥିଲା ସେଠି, ଯାହାକୁ ଦେଖି ଦୂରରୁ ଜଣେ ସହଜରେ ଜାଣିପାରିବ ତାହା କାଫ୍କାଙ୍କ ସମାଧି ବୋଲି । ଏ ସାଧାରଣତା ଦେଖି ମୁଁ ମନେ ମନେ ଟିକେ ଅସନ୍ତୁଷ୍ଟ ହେଲି, ଆଶ୍ଚର୍ଯ୍ୟ ବି ହେଲି । ହୁଏତ ମୁଁ କିଛି ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ଦେଖିବାର ଆଶା ନେଇ ଯାଇଥିଲି ସେଠିକୁ । କିଛି ସମୟ ନିରବରେ ସମାଧି ନିକଟରେ ବସିବା ପରେ କିନ୍ତୁ ଏ ଭାବନାଟି ମୋ ମନ ଭିତରୁ ଛାଏଁ ଛାଏଁ ଦୂରେଇଗଲା । ମୁଁ ପ୍ରଶ୍ନ କଲି ନିଜକୁ, ଗୋଟେ ଲେଖକର ସମାଧି ଅସାଧାରଣ ବା କାହିଁକି ହୁଅନ୍ତା ? ଲେଖକଟିଏ କଣ ଅସାଧାରଣ ସତରେ ? ଯଦି ହଁ, ତେବେ କାଫ୍କାଙ୍କ ସମାଧିର ଆଖପାଖରେ ଯେଉଁସବୁ ଲୋକଙ୍କର ସମାଧି ଅଛି, ସେମାନେ ସମସ୍ତେ ସାଧାରଣ ହେଇଥିବେ ବୋଲି ମୁଁ କାହିଁକି ଭାବିଲି ? କେବଳ ଏଇଥି ପାଇଁ, ଯେ ମୋ ଜାଣିବାରେ ସେମାନଙ୍କ ଭିତରୁ କେହି ବି କାଫ୍କାଙ୍କ ଭଳି ଲେଖକ ନଥିଲେ ! ଏ କଥା ମନ ଭିତରକୁ ଆସିବା କ୍ଷଣି, ନିଜ ଉପରେ ହସିବାକୁ ଇଚ୍ଛା ହେଲା ମୋର ।

 ପାଖାପାଖି ଅଧଘଂଟାଏ ସମୟ କାଫ୍କାଙ୍କ ସମାଧି ପାଖରେ ବିତେଇବା ପରେ ସେମେଟେରୀରୁ ବାହାରି ମୁଁ ପହଂଚିଲି 'ନାର୍ଦନି ତ୍ରିଡ଼ା'ରେ ଥିବା କାଫ୍କାଙ୍କର ବିଶ୍ୱପ୍ରସିଦ୍ଧ 'ରୋଟଟିଙ୍ଗ ହେଡ଼' ସାମ୍ନାରେ । ଗୋଟେ କାନ୍ଥକୁ ଆଉଜି ମୁଁ ଏକ ଲୟରେ ଚାହିଁ ରହିଥାଏ ଅଦ୍ଭୁତ ଓ ଆକର୍ଷଣୀୟ ଢଙ୍ଗରେ ଘୁରୁଥିବା କାଫ୍କାଙ୍କ ଧାତବ ମୁଣ୍ଡଟିକୁ । ଠିକ ଏତିକି ବେଳେ, ମୋ କାନରେ ପଡିଲା ଏକ ପରିଚିତ ସ୍ୱର ! ଜୁନ୍ ! ଅଳ୍ପଦୂରରେ ଠିଆହେଇ ମୋରି ଆଡକୁ ଚାହିଁ ହସୁଥାଏ ସେ । ହଠାତ ତା’କୁ ସେଠି ଦେଖି ମୁଁ ଅପ୍ରସ୍ତୁତ ହେଇପଡ଼ିଲି, କାରଣ ଗତରାତିର ଆମ କଥାବାର୍ତ୍ତା ଅନୁସାରେ ଏତେବେଳକୁ ସେ ଫ୍ଲାଇଟରେ ବସିଥିବା କଥା । ସେ କଣ ତେବେ ବର୍ଲିନ୍ ଗଲାନି ! କିନ୍ତୁ କାହିଁକି ? ମୁଁ ଏ ବିଷୟରେ ତା’କୁ ପଚାରିବା ଆଗରୁ ସେ ପଚାରିଲା ମତେ, ‘ଏଠି କାହାକୁ ଖୋଜୁଛ, କାଫ୍କାଙ୍କୁ ?’  ମୁଁ ଏମିତି ପ୍ରଶ୍ନଟିଏ ପାଇଁ ପ୍ରସ୍ତୁତ ନଥିଲି । ଜୁନ୍ କ’ଣ ତେବେ କାଫ୍କାଙ୍କୁ ଜାଣେ, ମୋରି ଭଳି ସେ ବି କ'ଣ ଭଲପାଏ ତା’ଙ୍କୁ ? 'ଏଠି ପାଇବନି ତାଙ୍କୁ, ଏ ମିଛ ପ୍ରହସନ ସବୁରେ ନାହାନ୍ତି ସେ', ସେ କହିଲା । ମୁଁ ପଚାରିଲି, 'ତେବେ କୋଉଠି ଅଛନ୍ତି ?' କିଛି ସମୟ ନିରବ ରହି ସେ କହିଲା, ‘ଆସ, ନେଇଯିବି ।’ କହିଲା, ଓ ପଛକୁ ବୁଲିପଡ଼ି ଅଚାନକ ଚାଲିବାକୁ ଲାଗିଲା । ମୁଁ ବି ଯନ୍ତ୍ରଚାଳିତ ଭାବରେ ତା’କୁ ଅନୁସରଣ କଲି । ମୁଁ ସେବେ ସଂପୂର୍ଣ ପାଶୋରି ସାରିଥାଏ ସେ ବର୍ଲିନ୍ ନଯିବା କଥା । ସେବେ, ସେ ପାଲଟିଯାଇଥାଏ ମୋ ମାର୍ଗଦର୍ଶକ, ଯିଏ ପ୍ରାଗ୍ ସହରର ଅଣଓସାରିଆ ଗଳିସବୁରେ ମତେ ବାଟକଡେଇ ନେଉଥାଏ ଆଗକୁ ଆଗକୁ । ଚାଲୁ ଚାଲୁ ସେ ଅଟକିଲା ଗୋଟେ ଅନ୍ଧାରୁଆ ଗଳି ଭିତରେ, ଛୋଟ ଏକ କ୍ୟାଫେ ସାମ୍ନାରେ । କ୍ୟାଫେଟି ଦେଖିବାକୁ ସେତେ ଆକର୍ଷଣୀୟ ଲାଗୁନଥିଲା । ମାତ୍ର ଦୁଇଟି ଚୌକି ଓ ଗୋଟିଏ ଟେବୁଲ ପଡିଥିଲା ବାହାରେ । ଭିତରର ସାଜସଜ୍ଜା ବି ସେତେ ସମ୍ଭ୍ରାନ୍ତ ନଥିଲା । ଲାଗୁଥିଲା, ଯେମିତି ଅନେକ ବର୍ଷ ଧରି ବନ୍ଦ ରହିବ ପରେ ଏ କ୍ୟାଫେଟି ନିକଟ ଅତୀତରେ ହିଁ ଖୋଲିଚି । ଭିତରେ ଜଣେ ବୟସ୍କ ଲୋକ ବସିଥିଲେ, ହୁଏତ ସେ ହିଁ କ୍ୟାଫେଟିର ମାଲିକ ଥିଲେ । ଏକ ଅଦ୍ଭୁତ ନୈରାଶ୍ୟ ଥିଲା ତାଙ୍କ ଚେହେରାରେ । ତାଙ୍କ ଭାବଭଙ୍ଗୀରେ ବ୍ୟାପାର କରିବା ନେଇ କୌଣସି ଆଗ୍ରହ କିମ୍ବା ଚଞ୍ଚଳତା ନଥିଲା । ଲାଗୁଥିଲା, ଜୀବନର ସବୁ ବିସଙ୍ଗତି ଓ ଅସମାନତାକୁ ସ୍ଵାଭାବିକତା ବୋଲି ଗ୍ରହଣ କରିନେଇ, ଯେମିତି ସେ ପ୍ରସ୍ତୁତ ଏବେ ମୃତ୍ୟୁକୁ ସ୍ଵାଗତ କରିବା ପାଇଁ ! ମୁଁ ପଚାରିଲି, ‘କାଫ୍କା କ’ଣ ତେବେ ଏଇ କ୍ୟାଫେକୁ ଆସୁଥିଲେ, ଏକୁଟିଆ ନୀରବରେ ବସି ଲେଖିବା ପାଇଁ ?’ ମୋ କଥା ଶୁଣି ହସିଦେଲା ଜୁନ୍, କହିଲା, ‘ନା, ଏଇଟା ଏ ସହରରେ ମୋର ସବୁଠୁ ପ୍ରିୟ କ୍ୟାଫେ ! ଏଠିକାର କଫି ମତେ ଖୁବ୍ ଭଲଲାଗେ ! ପିଇବ ? ନା କେବଳ କାଫ୍କାଙ୍କୁ ଭେଟିବା ହିଁ ଏକମାତ୍ର ଶୋଷ ତୁମର ?’ ମୁଁ ବି ହସିଦେଲି ଏଥର । 

(କ୍ରମଶଃ)