କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୨
(ଦ୍ଵିତୀୟ ଭାଗ)
ବ୍ୟାପାରଟି ତାହାହେଲେ ଏଇଠି କ'ଣ ? ମୋଟାମୋଟି ଏଇପରି ଯେ,ବାକ୍ୟ ଯେତେବେଳେ କାବ୍ୟ ବୋଲି ଗଣ୍ୟ ହେବାକୁ ଚାହେଁ ,ସେତେବେଳେ ତାହା ଭିତରେ ନିତାନ୍ତ ଶବ୍ଦାର୍ଥର ଅତିରିକ୍ତ ଅର୍ଥ ,ଏହାର ପ୍ରସଙ୍ଗରେ ଆସିବ ବ୍ୟଞ୍ଜନାର କଥା। କିନ୍ତୁ ତାହାର ଆଗରୁ ଥରେ ପାଶ୍ଚାତ୍ୟର କାବ୍ୟତତ୍ତ୍ୱର ସନ୍ଧାନ ନିଆଯାଉ ,ଏବଂ ଦେଖାଯାଉ ଯେ,କାବ୍ୟ ବିଚାରର କୌଣସି ସହଜ ସୂତ୍ର ସେଇଠି ମିଳୁଛି କି ନାହିଁ ।
ଆରିଷ୍ଟୋଟଲ୍ ଙ୍କ କଥା ଧରାଯାଉ। କାବ୍ୟ ବିଷୟରେ ତାଙ୍କର ଅତିବିଖ୍ୟାତ ଯେଉଁ ପ୍ରସ୍ତାବର କଥା ସମସ୍ତେ ଜାଣନ୍ତି ,ଏବଂ ଗିଲବର୍ଟ ମରେଙ୍କ ସିଦ୍ଧାନ୍ତ ମାନିନେଲେ ଯେଉଁ ପ୍ରସ୍ତାବକୁ ଆମେମାନେ କବିତା ନାମକ ବ୍ୟାପାର ପ୍ରତି ପ୍ଲାଟୋଙ୍କ ଉଗ୍ର ଉଷ୍ମା ର ଉତ୍ତର ବୋଲି ଗଣ୍ୟ କରିଥାଉ,ସେଇଠି କିନ୍ତୁ ଆମର ପ୍ରାରମ୍ଭିକ ଜିଜ୍ଞାଷା ର କୌଣସି ଜବାବ ମିଳେନାହିଁ। କବିତାକୁ ସେଇଠି ହରେକ ଶ୍ରେଣୀରେ ବିନ୍ୟସ୍ତ କରିଛନ୍ତି ଆରିଷ୍ଟୋଟଲ୍,ଏବଂ ବର୍ଣ୍ଣନା କରିଛନ୍ତି ତାହାର ଇତିହାସ ଓ ଲକ୍ଷଣାବଳୀ,କିନ୍ତୁ କବିତା କହିଲେ ଯେ ଠିକ୍ କ'ଣ ବୁଝାଏ,କୌଣସି ସ୍ପଷ୍ଟ ସଂଜ୍ଞାର ମାଧ୍ୟମରେ ତାହାର ସେ ନିର୍ଦ୍ଦେଶ କରିନାହାଁନ୍ତି ।
କବିତାର ଜନ୍ମରହସ୍ୟ ସଂପର୍କରେ ଅବଶ୍ୟ ସେ ନୀରବ ନୁହଁନ୍ତି । ରାଜଶେଖରଙ୍କ କାବ୍ୟମୀମାଂସାରେ ରହିଛି,"ପୂର୍ବକାଳରେ ସରସ୍ୱତୀ ପୁତ୍ରକାମନା ଉଦ୍ଦେଶ୍ୟରେ ହିମାଳୟପର୍ବତରେ ତପସ୍ୟା କରିଥିଲେ । ସନ୍ତୁଷ୍ଟ ମନରେ ବ୍ରହ୍ମା ତା'ଙ୍କୁ କହିଥିଲେ,"ମୁଁ ତମର ପୁତ୍ର ସୃଷ୍ଟି କରିଅଛି "।ତାହାର ପରେ ସରସ୍ୱତୀ କାବ୍ୟପୁରୁଷକୁ ପ୍ରସବ କରିଥିଲେ।"ଆରିଷ୍ଟୋଟଲ୍ କିନ୍ତୁ ସେଇଭଳି କୌଣସି ଦୈବଉତ୍ସବର ଉଲ୍ଲେଖ କରିନାହାଁନ୍ତି।ବରଂ ବେଶ୍ ସ୍ପଷ୍ଟ ଭାବରେ ସେ ଆମମାନଙ୍କୁ ଜଣେଇଦେଇଛନ୍ତି ଯେ,କବିତା ଅସଲରେ ବାସ୍ତବ ଜୀବନ କିମ୍ବା ଘଟଣାର ଏକ ଧରଣର ଅନୁକୃତି ମାତ୍ର । ତାଙ୍କର ବକ୍ତବ୍ୟ,"ମଣିଷ ହେଉଛି ଅନୁକରଣପ୍ରିୟ ପ୍ରାଣୀ,ସେ ସବୁକିଛିକୁ ଅନୁକରଣ କରି ଦେଖାଇ ପାରେ,ଯାହା ବା ଯେଉଁଭଳି ଅନ୍ୟ କୌଣସି ପ୍ରାଣୀ କରିବାକୁ ସମର୍ଥ ନୁହଁନ୍ତି ",ଏବଂ ତାହାର ଏହି ଅନୁକରଣସ୍ପୃହାରୁ ଜନ୍ମ ନେଇଛି କବିତା।
କହିବା ବାହୁଲ୍ୟ ,ଆରିଷ୍ଟୋଟଲ୍ ଙ୍କ ଏହି ଉକ୍ତି ଆମକୁ ଭାବିବାକୁ ଦିଏ,କିନ୍ତୁ ଆମର କୌତୁହଳ କେବଳ ଏତିକି ଜାଣି ତୃପ୍ତ ହୁଏ ନାହିଁ । ତାହାର କାରଣ,ଗ୍ରୀକ୍ ଦାର୍ଶନିକ ମାନଙ୍କର ଭାବନା ସହିତ ପରିଚୟ ଘଟିବା କାରଣରୁ ଇତିମଧ୍ୟରେ ଆମେମାନେ ଏହା ବି ଜାଣିଛୁ ଯେ,କେବଳ କବିତା ନୁହଁ,ସବୁ ପ୍ରକାରର ସୁକୁମାର ଶିଳ୍ପ ହେଉଛି ବାସ୍ତବର ଅନୁକରଣ । ଅର୍ଥାତ୍ କୌଣସି ଶିଳ୍ପକୁ ହିଁ ମୌଳ କୌଣସି ରଚନା ବୋଲି ଗଣ୍ୟ କରିବା ଚାଲିବ ନାହିଁ ,ସବୁ ହିଁ ଅସଲରେ ମୂଳର ପ୍ରତିବିମ୍ବ ବା ପ୍ରତିଛବି । ସେକ୍ଷେତ୍ରରେ ପ୍ରଶ୍ନ ଉଠିବ ଯେ,ଚିତ୍ରକଳା ସହିତ କବିତାର ତାହାହେଲେ ଆଉ ପାର୍ଥକ୍ୟ କେଉଁଠି ,କିମ୍ବା କାହାର ଉପରେ ଭିତ୍ତିକରି ତାହାହେଲେ ଭାସ୍କର୍ଯ୍ୟ କିମ୍ବା ସଂଗୀତ ରୁ କବିତାକୁ ଆମେ ଅଲଗା କରି ଚିହ୍ନି ପାରିବା ?
ଆରିଷ୍ଟୋଟଲ୍ ଯେ ଏଇ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି, ତାହା ଅବଶ୍ୟ ନୁହଁ ; ସେ ଆମକୁ କହିଦେଇଛନ୍ତି ଯେ, ସବୁ ଶିଳ୍ପ ହିଁ ଯଦିଓ ବାସ୍ତବ ଅଥବା ସତ୍ୟର ଅନୁକୃତି ମାତ୍ର,ତଥାପି ବିଭିନ୍ନ ଶିଳ୍ପର ମାଧ୍ୟମ,ବିଷୟ ଓ ରୀତି ବା ପଦ୍ଧତି ତ ଏକ ନୁହଁ,ସେ କ୍ଷେତ୍ରରେ ସେମାନେ ପରସ୍ପର ଠାରୁ ଅଲଗା। ବସ୍ତୁତଃ,ମାଧ୍ୟମ,ବିଷୟ ଓ ରୀତିର ବିଶିଷ୍ଟତା ଭିତରୁ ବିଭିନ୍ନ ଶିଳ୍ପକୁ ଆମେ ଅଲଗା ଭାବରେ ଚିହ୍ନି ପାରିବା ।
କୌଣସି ଶିଳ୍ପକୁ ପୃଥକ୍ ଭାବରେ ଶନାକ୍ତ କରିବାର ଏଇ ଯେଉଁ ଉପାୟ ,ଏହାର ଭିତରୁ ବାହାରି ଆସୁଛି ଚିତ୍ର ଭାସ୍କର୍ଯ୍ୟ କିମ୍ବା ସଂଗୀତକଳା ରୁ କବିତାକୁ ଏକେବାରେ ଚିହ୍ନି ନେବାର ଗୋଟିଏ ସହଜ ସୂତ୍ର। ଚିତ୍ରର ମାଧ୍ୟମରେ ଯଦି ରଂଗ ଓ ରେଖା,ଭାସ୍କର୍ଯ୍ୟର ମାଧ୍ୟମରେ ଯଦି ତ୍ରିମାତ୍ରିକ ଶିଳାଖଣ୍ଡ ଏବଂ ସଂଗୀତର ମାଧ୍ୟମ ଯଦି ଧ୍ୱନୀ,କବିତାର ମାଧ୍ୟମ ତାହାହେଲେ ଶବ୍ଦ । କବିତା କ'ଣ ,ଏଇ ପ୍ରଶ୍ନକୁ କେନ୍ଦ୍ରକରି ତାହାହେଲେ ଆଉ ଚାହା ପିଆଲାରେ ଝଡ ସୃଷ୍ଟିକରିବାର ଆଉ ଦରକାର କ'ଣ ? ଖୁବ୍ ସହଜରେ ତ ଏଇଲେ ତାହାହେଲେ ଆମେ କହିପାରିବା ଯେ,କବିତା ହେଉଛି ଶବ୍ଦ । ମୁସକିଲ୍ ହେଉଛି,କେହି କେହି ଏତିକି ମାତ୍ର କହି କ୍ଷାନ୍ତ ହୁଅନ୍ତି ନାହିଁ, ଆଉ ଟିକିଏ ଆଗକୁ ଆଗେଇ ଯାଆନ୍ତି । ସେମାନଙ୍କର ବକ୍ତବ୍ୟ ,ଶବ୍ଦକୁ ଏଇ କ୍ଷେତ୍ରରେ କେବଳ "ମାଧ୍ୟମ" କହିବା ଯଥେଷ୍ଟ ନୁହଁ ,ଶବ୍ଦର ଭୂମୀକା ଏକ୍ଷେତ୍ରରେ ଆହୁରି ବିପୁଳ । ଯାହା ଭିତର ଦେଇ ଗୋଟିଏ କବିତା ପ୍ରକାଶ ପାଉଛି ,ସେଇ ଶବ୍ଦଗୁଡିକୁ ଯଦି ଆମେ ଅପସାରଣ କରି ନେବୁ,କବିତାର କୌଣସି ଅସ୍ତିତ୍ୱ ତାହାହେଲେ ରହିବ ନାହିଁ । ସେଇ ବିଚାରରେ ଆମକୁ କହିବାକୁ ହୁଏ ଯେ,କବିତା ହେଉଛି ଶବ୍ଦ,ଏବଂ ଶବ୍ଦ ହିଁ ହେଉଛି କବିତା।
ତାହା କ'ଣ ଆମେ କହିପାରିବା ? ନା,ପାରିବା ନାହିଁ । କାହିଁକି ପାରିବା ନାହିଁ ସେଇ ପ୍ରସଂଗକୁ ଟିକିଏ ପରେ ଆସିବାକୁ ହେବ । ତାହା ଆଗରୁ ଏକଥା କହିବା ଦରକାର ଯେ,କାବ୍ୟଜିଜ୍ଞାଷାର ଏହି ସହଜ ସମାଧାନକୁ ହିଁ ଅନେକେ ଏକେବାରେ ଅଗ୍ରାହ୍ୟ କରିନାହାଁନ୍ତି । ସେମାନଙ୍କ ମଧ୍ୟରୁ ଜଣେ ,ଚାର୍ଲସ୍ ହୁଇଲର୍, ଆମକୁ ଜଣାଇଛନ୍ତି ଯେ,ଯେଉଁ ସମାଧାନ ସବୁଠାରୁ ସରଳ,କେବଳ ଏଇ ସାରଲ୍ୟର କାରଣରୁ ଅନେକ କ୍ଷେତ୍ରରେ ତାହା ଆମର ଦୃଷ୍ଟିକୁ ଏଡାଇ ଯାଇଥାଏ । ପ୍ରସଙ୍ଗତଃ ସେ ଏଡଗାର୍ ଆଲେନ୍ ପୋ'ଙ୍କର ସେଇ ଗଳ୍ପର କଥା ଆମକୁ ସ୍ମରଣ କରାଇ ଦିଅନ୍ତି,ପୁଲିସ୍ କୁ ଧୋଖା ଦେବାପାଇଁ ଗୋଟିଏ ଚୋରା ଚିଠି କୁ ଆସାମୀ ପୁଲିସ୍ ଯେଉଁଠି ଆଖିର ସାମ୍ନାରେ ରହିଛି ଠିକ୍ ସେଇଠି ପକାଇଦେଇଛି । କହିବା ବାହୁଲ୍ୟ ,ଆଖିର ସାମ୍ନାରେ ଥିଲା ବୋଲି ତ ପୁଲିସ୍ ତାହା ଦେଖିପାରିନାହିଁ,କିମ୍ବା ଦେଖିପାରିଥିଲେ ବି ତାହାକୁ ସେମିତି ଗୁରୁତ୍ୱ ଦେଇନି,ହରେକ ଗୋପନସ୍ଥାନରେ ସେମାନେ ସେହି ଚିଠି ଟି ପାଇବା ପାଇଁ ଗଳଦଘର୍ମ ତଲ୍ଲାସୀ ଚଳେଇଛି। କେବଳ " ପୋ " ଙ୍କର ଏଇ ଗୋଟିକ କାହାଣୀ ନୁହଁ ,ଏଇ ଭଳି ଆହୁରି ଅନେକ ରହସ୍ୟ କାହାଣୀ ଆମେ ପଢିଛୁ ,ଲେଖକ ଯେଉଁଠି ପାଠକର ସାମ୍ନାରେ ଗୋଟିଏ ସହଜ ସମାଧାନ ଝୁଲାଇ ରଖିଦେଇଥାନ୍ତି,ଅଥଚ ସହଜ ବୋଲି ପାଠକ ତାହା ଉପରେ ଗୁରୁତ୍ୱ ଦେବାକୁ ଚାହିଁ ନଥାଏ ,ତାହାର ନଜର ସ୍ୱତଃ ଚାଲିଯାଏ ସଂଭାବ୍ୟ ଆହୁରି ହରେକ ସମାଧାନର ଦିଗକୁ ,କିନ୍ତୁ ଶେଷପର୍ଯ୍ୟନ୍ତ ତା'କୁ ବୋକା ବନିବାକୁ ପଡେ,କାରଣ ଶେଷ ପରିଚ୍ଛେଦରେ ଲେଖକ ଜଣାଇ ଦେଇଥାନ୍ତି ଯେ,ଏହି ସହଜ ସମାଧାନଟି ହେଉଛି ଏକମାତ୍ର ସମାଧାନ।। କିନ୍ତୁ ସେକଥା ଥାଉ । ଦରକାରୀ କଥାଟି ହେଉଛି,କବିତା-ବିଷୟକ ଏହି ସହଜ ସମାଧାନଟିକୁ ହୁଇଲର୍ ବି ଅସଲରେ ତା'ଙ୍କ ଆଲୋଚନାକୁ ଆଗେଇନେବାର ସୁବିଧା ନିମନ୍ତେ ଗ୍ରାହ୍ୟ କରିଅଛନ୍ତି । ଶେଷ ପର୍ଯ୍ୟନ୍ତ କିନ୍ତୁ ସେ ବି ଏହାକୁ ଚୂଡାନ୍ତ ସମାଧାନ ବୋଲି ମାନି ନାହାଁନ୍ତି ।
ମାନି ନାହୁଁ,କହିବା ବାହୁଲ୍ୟ,ଆମେମାନେ ମଧ୍ୟ। କାରଣ , ଆମମାନଙ୍କର ଚିତ୍ତରେ ଇତିମଧ୍ୟରେ ଅନ୍ୟ ଗୋଟିଏ ଜିଜ୍ଞାଷାର ଉଦ୍ଭବ ହୋଇଅଛି। କବିତା ଅବଶ୍ୟ ହିଁ ଶବ୍ଦ। ନିତାନ୍ତ ସେଇ କାରଣରେ କି ଶବ୍ଦକୁ ଆମେ କବିତା ବୋଲି ଗ୍ରାହ୍ୟ କରିବୁ ? ଯେ କୌଣସି ଭାବରେ ବ୍ୟବହୃତ ଶବ୍ଦକୁ ? ତାହାହେଲେ ତ ଯେ କୌଣସି ଭାବରେ ବ୍ୟବହୃତ ରଙ୍ଗ ଓ ରେଖାକୁ ଚିତ୍ର ବୋଲି,ଯେ କୌଣସି ଭାବରେ ବ୍ୟବହୃତ ତ୍ରିମାତ୍ରିକ ଶିଳାଖଣ୍ଡକୁ ଭାସ୍କର୍ଯ୍ୟ ବୋଲି ଏବଂ ଯେ କୌଣସି ଭାବରେ ବ୍ୟବହୃତ ଧ୍ୱନୀକୁ ସଂଗୀତ ବୋଲି ଆମକୁ ଗ୍ରାହ୍ୟ କରିବାକୁ ହେବ। କିନ୍ତୁ ତାହା ତ ଆମେ କରୁନା । କେବଳ ତାହା ନୁହଁ,ଇତିମଧ୍ୟରେ ପୁଣି ଆଉ ଗୋଟିଏ ଦିଗରୁ ଆମେ ଏଇ ସମସ୍ୟାଟିକୁ ଦେଖିବାକୁ ଆରମ୍ଭ କରିଛୁ। ଆମେ ଭାବୁଛୁ,କେବଳ କବିତା କାହିଁକି, ସାହିତ୍ୟର ଅନ୍ୟାନ୍ୟ ଶାଖାରେ -ଉପନ୍ୟାସରେ,ଗଳ୍ପରେ କି ନାଟକରେ-ମାଧ୍ୟମ ତ ହିଁ ଶବ୍ଦ । କେବଳ ମାଧ୍ୟମ ନୁହଁ,ତାହାଠୁ ଅଧିକ କିଛି। କାରଣ ସେକ୍ଷେତ୍ରରେ ଆମେ ଦେଖିପାରୁଛୁ ,ଯାହାର ମାଧ୍ୟମରେ ସେଗୁଡିକ ରଚିତ ହୋଇଛି,ସେହି ଶବ୍ଦଗୁଡିକୁ ଯଦି ଅପସାରଣ କରିନିଆଯାଏ ,ଉପନ୍ୟାସ,ଗଳ୍ପ କି ନାଟକର ବି କୌଣସି ପୃଥକ ଅସ୍ତିତ୍ୱ ତାହାହେଲେ ରହେନା। ସୁତରାଂ ଶବ୍ଦ ଆଉ କବିତାକୁ ଯଦି ଆମେ ତୁଲ୍ୟମୂଲ୍ୟ ବୋଲି ମନେ କରିବା ,ତାହାହେଲେ ଶବ୍ଦ ଆଉ ଉପନ୍ୟାସ ,ଶବ୍ଦ ଆଉ ଗଳ୍ପ,କିମ୍ବା ଶବ୍ଦ ଆଉ ନାଟକକୁ ହିଁ ତୁଲ୍ୟମୂଲ୍ୟ ଜ୍ଞାନ କରିବାକୁ ହେବ। ଏବଂ ଆମେ ଯଦି ତାହା କରିବା ,ଅବସ୍ଥାଟି ଏହି ଭଳି ହେବ:
କବିତା ହେଉଛି ଶବ୍ଦ
ଶବ୍ଦ ହେଉଛି ଉପନ୍ୟାସ
(ସୁତରାଂ) କବିତା ହେଉଛି ଉପନ୍ୟାସ।
ଅର୍ଥାତ୍ ବ୍ୟାପାରଟି ଯତ୍ପରୋନାସ୍ତି ହାସ୍ୟକର ହୋଇ ଉଠିବ ।
(ବାକି ଆସନ୍ତା କାଲି)
କବିତା କ'ଣ : ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ -୧