ଦେଶର ପାଞ୍ଚଟି ସ୍କେଚ

ଦେଶର ପାଞ୍ଚଟି ସ୍କେଚ

ପ୍ରଗତି କରୁଛି ଦେଶ 
ଇଣ୍ଟରନେଟରେ ସାଇତା ଥିଲା
ରମଣ,ଜୀବନ,ଯୁଦ୍ଧ ଓ ମରଣ,
କିନ୍ତୁ ବନ୍ଦ ହୋଇ ନଥିଲା ବଜାର
ଉଚ୍ଚା ଦାମରେ ବିକ୍ରୀ ହେଉଥିଲା 
ଭୋକ, କଞ୍ଚା ରକ୍ତ, ଜୀବନ୍ତ ମାଂସ ।


ଆଖି କୋରଡରେ ରଖିବାକୁ 
ମିଳିଲାନି ଚାଉଳ ,
ଲଗାଣ ବର୍ଷାରେ ଧୋଇଗଲା ଅମଳ
ହଳେ  ସ୍ବପ୍ନଖୋର କଳା କଳା ଆଖି 
ଋଣରେ ପଚିଗଲା ଧାନଗଛ ସହ ।


ଚଷମା ପିନ୍ଧା ଅନ୍ଧମାନେ 
ଚାଷୀ ଆତ୍ମହତ୍ୟାର ଖବର ବିକି କୋଟିପତି,
ଦେଶ ସାରା ଲଙ୍ଗଳା ଧଳାବାଘଙ୍କ ପ୍ରାଦୁର୍ଭାବ
ଅଥଚ ମୁକ ମୁକ ଦେଶ ।



ସହରରେ ଜଙ୍ଗଲ ଖୋଜୁ ଖୋଜୁ
ଭଉଁରୀରେ ଫସି ଯାଇଛି ଶୋଷିଲା ହାତୀ 
ରେସ୍କ୍ଯୁ ଦଳ ପୂର୍ବରୁ 
ଡଙ୍ଗା ବାଇ  ପହଁଚିଲା କ୍ୟାମେରା,
ଡଙ୍ଗା ବୁଡ଼ିଲା, କ୍ୟାମେରା ବୁଡ଼ିଗଲା ।


ଯଦିଓ ଏବେ ନଈରେ ପାଣି ନାହିଁ  ଖାଲି ବାଲି
ତଥାପି କ୍ୟାମେରା କହୁଛି 
ଦୁଷ୍ଟହାତୀ ବାହାରି ପାରି ନାହିଁ ଭଉଁରୀରୁ ,
..ରେକର୍ଡ ଦେଖୁଛି ଦେଶ ।



କବି କହିଲେ
ପକ୍ଷୀ କେବଳ ପକ୍ଷୀ ନୁହେ 
ବରଂ ଏକ ଉଦାହରଣ ପକ୍ଷୀଟିଏ ହବାର ।


ଦୁଃଖଦ ..ଏଥର ବି ଅଣଦେଖା ହେଲା କବିର କଥା ।

ଚାକିରିଆ ବାବୁ,ଆଜନ୍ମ ଗରିବ ଚାଷୀ,
ମୁଣ୍ଡବିକା ସମାଜସେବୀ, ବୈଜ୍ଞାନିକ 
ଓ ମାତାଲି  କବି ସମେତ
ବସିଥିଲା ସୁଧର୍ମା ସଭା,
ମୁଖିଆ ମାନେ ନିଜ ନିଜ ଭୋକ ର ଭୁଗୋଳ ବଖାଣି
ମାଟିରେ ଗଢ଼ା କେକ୍ କାଟି
ବାଛି ନେଲେ ନିଜ ନିଜ ଭାଗ ।


...ଯେମିତି କୁ ସେମିତି ରହିଲା ଗ୍ଲୋବ,
କ୍ଷତାକ୍ତ ଆକାଶ, ପର ଝାଡୁଛି ଦେଶ ।



ତରଳୁଛି ଗ୍ଲେସିଅର
ଫୁଟୁଛି ଜୀବନ 
ବିକ୍ରି ହଉଛି 
ପାହାଡ଼,ନଦୀ,ପବନ, ଜଙ୍ଗଲ
ବିକଳାଙ୍ଗ ସ୍ବପ୍ନ ।


ଗଢ଼ା ଚାଲିଛି ପ୍ରଗତି
ଅଥଚ କପାଳର ଝାଳ ରେ 
ଦିସୁନାହିଁ ମେଘ ନଈ
ବିଜୁଳିର ମାଛ,
ଦେଶ ଏକ ସତ ଅଭିନୟ 
ଯାହାର କାହାଣୀ ସବୁ ମିଛ ।