ଗରିବ ଗଣତିରେ ଆଇପିଏଲ୍ ଖେଳ

ଗରିବ ଗଣତିରେ ଆଇପିଏଲ୍ ଖେଳ

ଖୁସି ଖବର । ସେ ଖୁସି ଖବରଟି ହେଲା , ଭାରତରେ ଆଉ ଗରିବ ନାହାନ୍ତି । ନାହାନ୍ତି କହିଲେ ଭୁଲ୍ ହେବ । ଭାରତରେ ଆଉ ମାତ୍ର ୫% ଲୋକ ଗରିବ ଅଛନ୍ତି । ଆଶ୍ଚର୍ଯ୍ୟ ହୋଇଗଲେ କି ? ବିଶ୍ବାସ ହେଉନି ନା ? ଆପଣ ଏବେ ନିଶ୍ଚୟ କହିବେ ‘ସରକାର ଅଶୀ କୋଟି ଲୋକଙ୍କୁ ମାଗଣା ଚାଉଳ ଦେବା ବନ୍ଦ କରି ଦେଉ ନାହାନ୍ତି କାହିଁକି ?’ କିନ୍ତୁ ଗତ ସପ୍ତାହରେ ସବୁ ଗଣମାଧ୍ୟମରେ ଏ ଖବର ଆସିଥିଲା ଯେ ବିଶ୍ବବ୍ୟାଙ୍କ କହିଛି ୨୦୨୨-୨୩ରେ ଭାରତରେ ଅତି ଗରିବଙ୍କ ପ୍ରତିଶତ ୫.୨୫% ଥିଲା ।‌ ଏହି ମାସ ୭ ତାରିଖ ଦିନ ବିଶ୍ବବ୍ୟାଙ୍କ ଏକଥା କହିଛି । ବନ୍ଧୁଗଣ, ଗରିବଙ୍କ ସଂଖ୍ୟାକୁ ନେଇ ଆଇପିଏଲ ଖେଳ ଚାଲିଛି । ଏହାର ଠିକ୍ ୪୬ ଦିନ ପୁର୍ବରୁ, ଅର୍ଥାତ୍ ୨୦୨୫ ମସିହା ଏପ୍ରିଲ ୨୨ ତାରିଖ ଦିନ, ବିଶ୍ବବ୍ୟାଙ୍କ କହିଥିଲା ୨୦୨୨-୨୩ ସୁଦ୍ଧା ଭାରତରେ ୨.୩% ଲୋକେ ଅତି ଗରିବ ଅଛନ୍ତି । ତା ମାନେ ମାତ୍ର ୪୬ ଦିନ ଭିତରେ ବିଶ୍ବବ୍ୟାଙ୍କର ଦୁଇ ଦୁଇଟା କଥା । ଏହି ୪୬ ଦିନ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ସେମାନଙ୍କ ଗରିବ ହିସାବ ବଢ଼ିଗଲା । ତଥାପି ଆମ ଟିଭି ବାଲାଏ କହୁଛନ୍ତି ମୋଦୀଙ୍କ ସମୟରେ ଗରିବଙ୍କ ସଂଖ୍ୟା କମିଗଲା । କାହାଣୀ ଏଇଠି ସରିନାହିଁ । ଏହାର ୬ ମାସ ପୁର୍ବରୁ, ବା ଅକ୍ଟୋବର ୨୦୨୪ରେ, ବିଶ୍ବବ୍ୟାଙ୍କ କହିଥିଲା ୨୦୨୧-୨୨ ସୁଦ୍ଧା ଭାରତରେ ୧୨.୯% ଅତି ଗରିବ ଥିଲେ ।‌ ଏମିତି କାହିଁକି ହେଉଛି ? ଅକ୍ଟୋବର ଠାରୁ ଜୁନ୍ ୯ ମାସ ମଧ୍ୟରେ ୨୦୨୨-୨୩ ସୁଦ୍ଧା ଭାରତରେ କେତେ ଅତି ଗରିବ ଥିଲେ ସେ ବିଷୟରେ ବିଶ୍ବବ୍ୟାଙ୍କ ନିଜର ମତ ତିନି ତିନି ଥର ବଦଳାଇଲାଣି । ମୁଁ ଏହାକୁ ଆଇପିଏଲ୍ ଖେଳ କାହିଁକି କହୁଛି, ତାହା ଆଉ କିଛି ସମୟ ପରେ ଜଣାଇବି । ତା ପୁର୍ବରୁ ଭାରତରେ ଗରିବି ମାପିବାର ଇତିହାସ ବିଷୟରେ ମୁଁ ଅତି ସଂକ୍ଷେପରେ ଉଲ୍ଲେଖ କରୁଛି । 

ସତୁରୀ ଦଶକରେ ଯେପରି ଗରିବଙ୍କ ସଂଖ୍ୟା ମପା ଯାଉଥିଲା, ସେଥିରେ କିଏ ଗରିବ ତାହା ମଣିଷ ଖାଉଥିବା କ୍ୟାଲୋରୀର ଖାଦ୍ୟ ଆଧାରରେ ନିର୍ଦ୍ଧାରଣ ହେଉଥିଲା । ଜଣେ ଭାରତୀୟ ଯାହା ଖାଉଥିଲା ସେଥିରୁ ତାକୁ କେତେ କ୍ୟାଲୋରୀ ମିଳୁଥିଲା ତାହା ଦେଖା ଯାଉଥିଲା । ଯେଉଁ କମିଟି ଏହା କହିଥିଲା ତାକୁ ଅଲଗ୍ କମିଟି କୁହାଯାଏ । ୧୯୯୩ରେ ଆସିଲା ଲକଡଓ୍ବାଲା କମିଟି । ଏଥିରେ ଲୋକର ଖର୍ଚ୍ଚ କରିବାର ସାମର୍ଥ୍ୟ ଦେଖାଗଲା । ଜଣେ ମଣିଷ ଦିନକୁ କେତେ ଖର୍ଚ୍ଚ କରି ପାରୁଛି ତା ଆଧାରରେ ଗରିବର ସଂଜ୍ଞା ନିରୁପଣ ହେଲା । ୨୦୦୯ ରେ ହେଲା ତେନ୍ଦୁଲକର କମିଟି । ତେନ୍ଦୁଲକର କମିଟି କହିଲା ଗାଁରେ ଯିଏ ମାସକୁ ୪୪୭ ଟଙ୍କା ଖର୍ଚ୍ଚ କରି ପାରୁନି ଓ ସହରରେ ଯିଏ ମାସକୁ ୫୭୯ ଟଙ୍କା ଖର୍ଚ୍ଚ କରି ପାରୁନି ସେ ଗରିବ । ପୁଣି ୨୦୧୧-୧୨ରେ ଦରଦାମ ବୃଦ୍ଧି ସହିତ ତାଳ ମିଳାଇବା ପାଇଁ ତେନ୍ଦୁଲକର କମିଟି ସ୍ଥିର କରିଥିବା ସୀମାକୁ ବଢାଗଲା । ସେତେବେଳେ ସ୍ଥିର ହେଲା ଗାଁରେ ଯିଏ ଦିନକୁ ୨୭ ଟଙ୍କା ଓ ସହରରେ ଯିଏ ଦିନକୁ ୩୩ ଟଙ୍କା ଖର୍ଚ୍ଚ କରି ପାରୁନି ସେ ଗରିବ । ସେତେବେଳେ ଏ ଖବର ବାହାରକୁ ଚାଲିଆସିଲା । ଟିଭିବାଲାଏ କଥାଟିକୁ ଧରିଲେ । ସେତେବେଳେ ମନମୋହନ ସିଂଙ୍କ ନେତୃତ୍ବରେ ୟୁପିଏ ଶାସନ ଚାଲିଥିଲା । 

‘କଣ ହେଲା ! କଂଗ୍ରେସ ସରକାର କଣ ଭାବୁଛି, ଯିଏ ଦିନକୁ ୨୭ ଟଙ୍କା ଓ ୩୩ ଟଙ୍କା ଖର୍ଚ୍ଚ କରି ପାରୁନି କେବଳ ସିଏ ହିଁ ଗରିବ ? ଏତେ ଅମାନବୀୟ କଂଗ୍ରେସ ସରକାର ? ମୁମ୍ବାଇରେ ଗୋଟିଏ ଥାଳି ମିଲ୍ ର ଦାମ୍ କେତେ ? କଣ ଯିଏ ଦିନକୁ ୨୮ ଟଙ୍କା ଓ ୩୪ ଟଙ୍କା ଖର୍ଚ୍ଚ କରି ପାରୁଛି ସେ ଆଉ ଗରିବ ନୂହେଁ ?’ 

ଏମିତି କେତେ କଣ କୁହାଗଲା । ତିନି ଚାରି ଦିନ କାଳ ଏହା ଟିଭିରେ ବାଜିଲା । ସରକାରରେ ଥିବା ନେତାମାନେ ଯେତେ ବୁଝାଇଲେ, ଯେ ଏହା ସରକାରଙ୍କ ମତ ନୁହେଁ , ଏହା କେବଳ ଏକ କମିଟିର ରିପୋର୍ଟ, ଯାହାକୁ କେବଳ ଏକ ପରିସଂଖ୍ୟାନ ଭାବେ ନିଆଯାଉଛି, ଟିଭିବାଲାଏ ମାନିଲେ ନାହିଁ । ସରକାର ବାଧ୍ୟ ହୋଇ ଆଉ ଗୋଟିଏ କମିଟି ବସାଇଲେ । ତା ନାଁ ହେଲା ରଙ୍ଗରାଜନ କମିଟି । ରଙ୍ଗରାଜନ କମିଟି ରିପୋର୍ଟ ଦେଲା ୨୦୧୪ରେ । ସେତେବେଳକୁ ମୋଦୀ ସରକାର ଆସି ସାରିଥାଏ । ରଙ୍ଗରାଜନ କମିଟି ପ୍ରସ୍ତାବ ଦେଲା , ଗାଁ ଗଣ୍ଡାରେ ଯିଏ ଦିନକୁ ୩୨ ଟଙ୍କା ଓ ସହରରେ ଯିଏ ଦିନକୁ ୪୭ ଟଙ୍କା ଖର୍ଚ୍ଚ କରି ପାରୁନି ତାକୁ ହିଁ ଗରିବ ବୋଲି କୁହାଯାଉ । ଏଠାରେ ଦେଖିବାର କଥା, ଯଦି ୨୦୧୧ରେ ୨୭ ଟଙ୍କା ଓ ୩୩ ଟଙ୍କା ଯଥେଷ୍ଟ ନଥିଲା, ଯେଉଁଥିପାଇଁ ସେତେବେଳେ ତାହାକୁ ସମାଲୋଚନା କରା ଯାଉଥିଲା, ଏ ରଙ୍ଗରାଜନ କମିଟି ସୁପାରିଶ ଅନୁସାରେ ଦିନକୁ ୩୨ ଟଙ୍କା ଓ ୪୭ ଟଙ୍କା କଣ ଯଥେଷ୍ଟ ଥିଲା ? ଏକଥା ପଚାରିବା ପାଇଁ ୟୁପିଏ ସମୟର ଟିଭି ଚ୍ୟାନେଲ ଗୁଡ଼ିକ ଆଉ ନାହାନ୍ତି । ଏବେ ମୋଦି ସରକାର ସମୟର ଟିଭି ଚ୍ୟାନେଲ । ଗୋଦି ଚ୍ୟାନେଲ । 

ଏବେ ଚାଲିଛି ୨୦୨୫ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଏବେ ବି ସରକାରୀ ଭାବେ ୨୦୧୧ର ଗରିବୀ ସୀମାରେଖା ରହିଛି - ଗାଁରେ ଦିନକୁ ୨୭ ଟଙ୍କା ଓ ସହରରେ ଦିନକୁ ୩୩ ଟଙ୍କା । ଏବେ ଆଉ ଏହାକୁ ନେଇ କେହି ପ୍ରଶ୍ନ କରୁନି । କଣ ୨୦୧୧ରେ ଦରଦାମ ଯାହା ଥିଲା, ଏବେ ସେଇଆ ଅଛି ? ଏବେ କେବଳ ଏଇଆ ଖବର ଆସୁଛି , ନୀତି ଆୟୋଗ କହିଲା ଏତେ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉଠିଗଲେ, ବିଶ୍ବବ୍ୟାଙ୍କ କହିଛି ସେତେକୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଗଲେ । ସର୍ଭେ କରି ନୂଆ ଦାରିଦ୍ର୍ୟ ସୀମାରେଖା ନିର୍ଦ୍ଧାରଣ କରିବା କାମ ଥିଲା ଯୋଜନା କମିଶନର । ଯୋଜନା କମିଶନ ତ ଆଉ ନାହିଁ । ତା ଜାଗାରେ ଆସିଗଲା ନୀତି ଆୟୋଗ । ନୀତି ଆୟୋଗ ନୂତନ ଦାରିଦ୍ର୍ୟ ସୀମାରେଖା ତିଆରି କରୁ ନାହିଁ । କିନ୍ତୁ ମିଡିଆରେ ଥିବା ଲୋକଙ୍କ କଥା କଥା ମାନିବେ ତ, ନୀତି ଆୟୋଗକୁ ପ୍ରଶ୍ନ ପଚରା ଯାଇ‌ ପାରିବ ନାହିଁ । ନୀତି ଆୟୋଗର କଥା‌ ହେଉଛି ବେଦର‌ ଗାର । 

ଏବେ ଆଉ ଗୋଟିଏ କଥାକୁ ଆସନ୍ତୁ । ୧୯୫୦ ଦଶକରୁ ନିୟମ ଅଛି ପ୍ରତି ୫ ବର୍ଷରେ ଥରେ NSO ଗୋଟିଏ ସର୍ଭେ କରିବ । NSO ହେଉଛି National Statistical Organisation । ଏହା ଏକ ସରକାରୀ ସଂସ୍ଥା । ଏହି ସର୍ଭେର ନାଁ ହେଉଛି Household Consumption Expenditure Survey ବା ସଂକ୍ଷେପରେ HCES । ୨୦୧୧-୧୨ରେ ବା ୟୁପିଏ ସମୟରେ ଗୋଟିଏ Consumption Expenditure ସର୍ଭେ ହୋଇଥିଲା । ମୋଦୀ ସରକାର ଆସିବା ପରେ ଆଉ ସର୍ଭେ କରିବା ପାଇଁ ମନ ବଳେଇଲେ ନାହିଁ ।‌ ୨୦୧୭-୧୮ରେ ଯାଇ Household Consumption Expenditure Survey ହେଲା । ମାତ୍ର ଏଥିରୁ ଯାହା ବାହାରିଲା, ତାହା ମୋଦୀ ସରକାର ପାଇଁ ଏତେ ଭୟାନକ ଥିଲା ଯେ, ତାକୁ ମୋଦୀ ସରକାର ଦବେଇ ଦେଲା । କହିଲା ଏହି ସର୍ଭେ ଭୁଲ୍ ହୋଇ ଯାଇଛି । କାରଣ ଏହା ସରକାରଙ୍କ ନ୍ୟାସନାଲ ଆକାଉଣ୍ଟ ଡାଟା ସହ ମେଳ ଖାଉ ନାହିଁ । ଆଉଥରେ ସର୍ଭେ ହେଲା ୨୦୨୨-୨୩ରେ । କିନ୍ତୁ ଏଥର ସର୍ଭେ କରିବାର ପ୍ରଣାଳୀ ବଦଳାଇ ଦିଆଗଲା । ଏଥର ସର୍ଭେରେ ପ୍ରଥମ ଥର ପାଇଁ ଲୋକଙ୍କୁ ପଚାରିବା ପାଇଁ,ତିନୋଟି ଅଲଗା ଅଲଗା ପ୍ରଶ୍ନ ସେଟ୍ ରଖାଗଲା । ସର୍ଭେରେ ନିଯୁକ୍ତ ଲୋକମାନେ ଡାଟା ସଂଗ୍ରହ ପାଇଁ ଲୋକଙ୍କ ପାଖକୁ ଆଗଭଳି ଥରୁଟିଏ ନ ଯାଇ ବାରମ୍ବାର ଗଲେ । କମ୍ପ୍ୟୁଟର ଆଧାରିତ ସାକ୍ଷାତକାର ନିଆଗଲା । କେଉଁ ମାନଙ୍କୁ ପଚରାଯିବ ସେଥିରେ ବି ଅପେକ୍ଷାକୃତ ଧନୀ ମାନେ ରହୁଥିବା ଅଞ୍ଚଳକୁ ଚିହ୍ନିତ କରାଗଲା । ପୁଣି ଏଥିରେ ମାଗଣା ଚାଉଳ ଓ ଗ୍ୟାସକୁ ବି ଲୋକର ଖର୍ଚ୍ଚରେ ନିଆଗଲା । ମନେ ରଖନ୍ତୁ, ଏ ଫ୍ରି ଚାଉଳ କି ଗ୍ୟାସ ଲୋକଟି ନିଜ ଆୟରୁ ବା ସାମର୍ଥ୍ୟରୁ ଖର୍ଚ୍ଚ କରୁ ନାହିଁ । ଏହାକୁ ସରକାର ଦେଉଛନ୍ତି । ତେଣୁ ଏସବୁ ଫଳରେ ପୁରୁଣା ସର୍ଭେ ସହିତ ତୁଳନା କରି ସଠିକ ଭାବେ କହି ହେବନି ଯେ ଗରିବି ପୁର୍ବ ସର୍ଭେ ତୁଳନାରେ କେତେ କମିଲା । ତେଣୁ ଯେ ପର୍ଯ୍ୟନ୍ତ ଭଲ ରେଜଲ୍ଟ ନ ମିଳିବ ସେ ପର୍ଯ୍ୟନ୍ତ ମୋଦି ସରକାର ଅଟା ଦଳିବା ଭଳି କେତେବେଳେ ସେଥିରେ ପାଣି ମିଶାଇଲା କିମ୍ବା ଅଟା ମିଶାଇଲା । ମୋଟ କଥା ହେଲା, ଏବେ ବି, ୨୦୨୨-୨୩ର ସର୍ଭେ ପରେ ବି, ଭାରତରେ ସେହି ୨୦୧୧ ମସିହାର ପୁରୁଣା ଦାରିଦ୍ର୍ୟ ସୀମାରେଖା ରହିଛି । 

ଏଠାରେ ଗୋଟିଏ ମହତ୍ତ୍ବପୂର୍ଣ କଥା । ୨୦୨୨-୨୩ ରେ ହୋଇଥିବା ଏହି ବିବାଦିତ ସର୍ଭେ ଅନେକ ଅର୍ଥନୀତିଜ୍ଞଙ୍କୁ ଅଡ଼ୁଆରେ ପକାଇଥିଲା । ସେମାନଙ୍କ ମଧ୍ୟରୁ ହିମାଂଶୁ, ପିଟର ଲଞ୍ଜୋ ଓ ଫିଲିପ୍ ସ୍କିରମେରାଣ୍ଡ ନାମକ ତିନି ଜଣ ଅର୍ଥନୀତିଜ୍ଞ ଏହି ବିବାଦିତ ସର୍ଭେ ଡାଟାକୁ ନେଇ ଏକ ଅଧ୍ୟୟନ କରିଥିଲେ , ଯାହା ଏହି ବର୍ଷ ଏପ୍ରିଲରେ Economics and Political Weekly ବା EPW ନାମକ ଏକ ପତ୍ରୀକାରେ ବାହାରି ଥିଲା । ସେମାନେ ଲେଖିଛନ୍ତି , ୨୦୧୧-୧୨ ପରଠାରୁ ଭାରତରେ ଗରିବଙ୍କ ସଂଖ୍ୟା କମିଛି ସତ । କିନ୍ତୁ ୨୦୦୪ରୁ ୨୦୧୪ ମଧ୍ୟରେ ଯେଉଁ ବେଗରେ କମିଥିଲା, ତା ଠାରୁ କମ୍ ବେଗରେ କମିଛି । 

ଏବେ ଆସନ୍ତୁ ଦେଖିବା ବିଶ୍ବବ୍ୟାଙ୍କ ପ୍ରକୃତରେ କଣ କହିଛି । ବିଶ୍ବବ୍ୟାଙ୍କ ପୁରା ବିଶ୍ବପାଇଁ ଗୋଟିଏ ଆନ୍ତର୍ଜାତିକ ଦାରିଦ୍ର୍ୟ ସୀମାରେଖା ସ୍ଥିର କରେ , ଯାହାକୁ International Poverty Line ବା IPL କୁହାଯାଏ । ବିଶ୍ବବ୍ୟାଙ୍କ ମୂଖ୍ୟତଃ ଦୁଇ ପ୍ରକାର ତଥ୍ୟ ଦିଏ । ଗୋଟିଏ ଅତି ଗରିବଙ୍କ ସମ୍ପର୍କରେ ଓ ଅନ୍ୟଟି ଗରିବଙ୍କ ସମ୍ପର୍କରେ । ଆଗରୁ ସ୍ଥିର ଥିବା ୨୦୧୭ IPL ଅନୁସାରେ ଯିଏ ଦିନକୁ ୨.୧୫ ଡଲାର ଖର୍ଚ୍ଚ କରି ପାରିବ ନାହିଁ ସେ ଥିଲା ଅତି ଗରିବ । ଏଥର ବିଶ୍ବବ୍ୟାଙ୍କ ତାହାକୁ ବଢାଇ ୨୦୨୧ IPL ଅନୁଯାୟୀ ୩.୦୦ ଡଲାର କରିଛି । ଗରିବଙ୍କ ପାଇଁ ବିଶ୍ବବ୍ୟାଙ୍କର ପୁରୁଣା ୨୦୧୭ IPL ଥିଲା ୩.୬୫ ଡଲାର । ଏବେ ତାହାକୁ ବଢାଇ ଏବେ ୪.୨୦ ଡଲାର କରା ଯାଇଛି। ଏହି ନୂଆ IPL ନିର୍ଦ୍ଧାରଣ ପରେ ବିଶ୍ବବ୍ୟାଙ୍କ ଏବେ କହିଛି, ଭାରତରେ ୨୦୧୧-୧୨ରେ ଯେଉଁ ୨୭.୧୨% ଅତି ଗରିବ ଥିଲେ , ୨୦୨୨-୨୩ ସୁଦ୍ଧା ନୂଆ IPL ଅନୁଯାୟୀ ସେଇଟା କମିଯାଇ ୫.୨୫% ହୋଇ ଯାଇଛି । ସେହିପରି ୨୦୧୭ର IPL ଅନୁଯାୟୀ ୨୦୧୧-୧୨ରେ ଭାରତରେ ୫୭.୭% ଗରିବ ଥିଲେ ଏବେ ସେମାନଙ୍କ ସଂଖ୍ୟା ହେଉଛି ୨୩.୮୯% ।

ଆପଣ ହୁଏତ ହିସାବ କରିବେ, ଯଦି ବର୍ତମାନ ଏକ ଡଲାରର ମୂଲ୍ୟ ହେଉଛି ପ୍ରାୟ ୮୬ ଟଙ୍କା, ତେବେ ଏହି ତିନି ଡଲାରର ମୂଲ୍ୟ ହେବ ୨୫୮ ଟଙ୍କା । ତାହେଲେ କଣ ବିଶ୍ବବ୍ୟାଙ୍କ ଅନୁସାରେ ଭାରତରେ ଯିଏ ଦିନକୁ ୨୫୮ ଟଙ୍କା ଖର୍ଚ୍ଚ କରି ପାରିବ ନାହିଁ ସିଏ ଅତି ଗରିବ ? ତାହେଲେ ତ ଭାରତ ସରକାରଙ୍କ ୨୭ ଟଙ୍କା ଓ ୩୩ ଟଙ୍କା ଠାରୁ ଏହା ଅଧିକ ବାସ୍ତବ ? କିନ୍ତୁ ନା । ଏଠାରେ ଡଲାରର ମୂଲ୍ୟ PPP ବା Purchasing Power Parity ଅର୍ଥରେ ବୁଝାଯାଏ । ଏକ ଡଲାର PPP ହେଉଛି ଭାରତରେ ପ୍ରାୟ ୨୦ ଟଙ୍କା । ତେଣୁ ବିଶ୍ବ ବ୍ୟାଙ୍କ ସଦ୍ୟତମ ଘୋଷଣା ଅନୁଯାୟୀ ଭାରତରେ ଯିଏ ୨୦୨୧ର PPP ଅନୁଯାୟୀ ପ୍ରାୟ ୬୦ ଟଙ୍କା ଖର୍ଚ୍ଚ କରି ପାରୁ ନାହିଁ ସେ ଗରିବ । ଆଗରୁ ୨୦୧୭ର PPP ଅନୁଯାୟୀ ତାହା ୨.୧୫ ଡଲାର ବା ୪୩ ଟଙ୍କା ଥିଲା । 

ତେବେ ଏଠାରେ ଆଉ ଏକ ମହତ୍ତ୍ବପୂର୍ଣ କଥା । ଭାରତ ଆଉ ନିମ୍ନ ଆୟକାରୀ ଦେଶ ହୋଇ ରହି ନାହିଁ । ୨୦୦୭ ମସିହା ଠାରୁ ଭାରତ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶ ହୋଇ ସାରିଛି । ଭାରତ ପାଇଁ ଅତି ଗରିବ ଅପେକ୍ଷା ଗରିବଙ୍କ ଡାଟା ବେଶି ମହତ୍ତ୍ବପୂର୍ଣ । ଏହି ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶଗୁଡ଼ିକ ପାଇଁ ବିଶ୍ବବ୍ୟାଙ୍କ ଦ୍ବାରା ନିର୍ଦ୍ଧାରିତ ଗରିବ ସୀମାରେଖା ହେଉଛି ୪.୨୦ ଡଲାର, ଯାହା ଆଗରୁ ୩.୬୫ ଡଲାର ଥିଲା । ତେଣୁ ଭାରତ ପାଇଁ ବିଶ୍ବବ୍ୟାଙ୍କର ପ୍ରକୃତ ଗରିବି ସୀମାରେଖା ହେବା କଥା ୪.୨୦ ଡଲାର ବା ୮୪ ଟଙ୍କା, ୩.୦୦ ଡଲାର ବା ୬୦ ଟଙ୍କା ନୁହେଁ । ଏହି ହିସାବରେ ଭାରତରେ ପ୍ରକୃତରେ ଏବେ ବି ୨୩.୮୯% ଲୋକ ଗରିବ ଅଛନ୍ତି । ଆପଣଙ୍କୁ ଏକଥା ଟିଭି ବାଲା କହିବେ ନାହିଁ । ତେଣୁ ଆମେ ବିଶ୍ବବ୍ୟାଙ୍କ ଡାଟା ଅନୁସାରେ ସେହି ପୁରୁଣା ହିସାବରେ ବା ୪.୨୦ ଡଲାର ହିସାବରେ ୨୩.୮୯% ଲୋକ ଗରିବ ଅଛନ୍ତି ବୋଲି ନକହି ୩.୦୦ ଡଲାର ହିସାବରେ କାହିଁକି ବାରମ୍ବାର କହିବା ଭାରତରେ ଆଉ ୫.୨୫% ଅତି ଗରିବ ଅଛନ୍ତି ? ସେହି ହିସାବରେ ଆମେ କଣ ନେହେରୁଙ୍କ ସମୟର ମାପଦଣ୍ଡକୁ ନେଇ ଏବେ କହିବା ଯେ ଭାରତରେ ସମସ୍ତେ ଧନୀ ହୋଇ ସାରିଲେଣି ? 

ଏଠାରେ ଆଉ ଗୋଟିଏ ପ୍ରଶ୍ନ । ଆମ ଭାରତ ସରକାର ସିନା ଏବେ ବି ଦିନକୁ ୨୭ ଟଙ୍କା ଓ ୩୩ ଟଙ୍କା ଖର୍ଚ୍ଚ କରି ପାରୁ ନଥିବା ଲୋକଙ୍କୁ ଗରିବ ବୋଲି ଗଣୁଛି, ବିଶ୍ବବ୍ୟାଙ୍କ ବି କାହିଁକି ଅତି ନିମ୍ନ ୩.୦୦ ଡଲାର ଓ ୪.୨୦ ଡଲାର ରଖିଛି ? ଏହାର କାରଣ କଣ ଜାଣନ୍ତି ? ବିଶ୍ବବ୍ୟାଙ୍କର ଏହି ଗରିବି ସୀମାରେଖା ୧୫ଟି ଗରିବ ଦେଶଗୁଡିକର ଗରିବି ସୀମାରେଖା ଉପରେ ଆଧାରିତ, ଯେଉଁମାନେ ଅଧିକାଂଶ ଆଫ୍ରିକା ମହାଦେଶର ।

ଅବଶ୍ୟ, ବିଶ୍ବବ୍ୟାଙ୍କ ତା ରିପୋର୍ଟରେ ଲେଖିଛି, ଦେଶମାନେ ନିଜ ଯୋଜନା ଓ ପ୍ରୋଗ୍ରାମ ତିଆରି କଲାବେଳେ ନିଜ ଦେଶର ଜାତୀୟ ଦାରିଦ୍ର୍ୟ ସୀମାରେଖା ଉପରେ ନିର୍ଭର କରିବା ବେଶି ଉପଯୋଗୀ ହେବ । ସେଥିରେ ଆଉ ମଧ୍ୟ ଲେଖା ଯାଇଛି, ଗୋଟିଏ ଦେଶର ଗରିବଙ୍କ ସଂଖ୍ୟାରେ ଗତିବିଧି ବିଶ୍ଳେଷଣ କରିବାକୁ ହେଲେ, ସେ ଦେଶର ନିଜ ଜାତୀୟ ଦାରିଦ୍ର୍ୟ ସୀମାରେଖା ଉପଯୁକ୍ତ ଷ୍ଟାଣ୍ଡାର୍ଡ ହେବ । କିନ୍ତୁ ଆମର ଏଠି ବିଶ୍ବବ୍ୟାଙ୍କର ଷ୍ଟାଣ୍ଡାର୍ଡକୁ ନେଇ କୁହା ଯାଉଛି ଭାରତର ଗରିବଙ୍କ ସଂଖ୍ୟା ୫% ହୋଇଗଲା । ଅନ୍ୟପକ୍ଷରେ ବିଡ଼ମ୍ବନାର ବିଷୟ ହେଉଛି ଆମ ଦେଶର ନିଜସ୍ବ ଦାରିଦ୍ର୍ୟ ସୀମାରେଖା ୨୦୧୧ ଠାରୁ ବଦଳି ନାହିଁ । 

ଏବେ ଆସନ୍ତୁ ଦେଖିବା ବିଶ୍ବବ୍ୟାଙ୍କ କାହିଁକି ବାରମ୍ବାର ତାର କଥା ବଦଳାଉଛି । ବିଶ୍ବବ୍ୟାଙ୍କ କେମିତି ଜାଣୁଛି ଭାରତରେ କେତେ ଗରିବ ଅଛନ୍ତି ? ବିଶ୍ବବ୍ୟାଙ୍କ ନିଜେ ତ କୈଣସି ସର୍ଭେ କରୁନାହିଁ ? ତାହେଲେ ବିଶ୍ବବ୍ୟାଙ୍କ କେମିତି କହୁଛି ଭାରତରେ ଗରିବଙ୍କ ସଂଖ୍ୟା କମିଗଲା ? ତାହାର ଉତ୍ତର ହେଉଛି, ବିଶ୍ବବ୍ୟାଙ୍କ ଭାରତରୁ ସର୍ଭେ ଡାଟା ନେଉଛି । ସେଥିରେ ନିଜର International Poverty Line ପ୍ରୟୋଗ କରୁଛି । ସେହି ଅନୁସାରେ କହୁଛି ଗରିବଙ୍କ ସଂଖ୍ୟା କେତେ କମିଲା । 

ଗତବର୍ଷ ଅକ୍ଟୋବର ମାସରେ ବିଶ୍ବବ୍ୟାଙ୍କ କହିଥିଲା , ୨୦୨୧-୨୨ ସୁଦ୍ଧା ଭାରତରେ ୪୪% ଲୋକ ଗରିବ ଥିଲେ ଓ ୧୨.୯% ଲୋକ ଅତି ଗରିବ ଥିଲେ । କିନ୍ତୁ ଏଇ ବର୍ଷ ଏପ୍ରିଲ୍ ମାସରେ ବିଶ୍ବବ୍ୟାଙ୍କ କହିଲା ୨୦୨୨-୨୩ ସୁଦ୍ଧା ଭାରତରେ ଗରିବଙ୍କ ସଂଖ୍ୟା ୨୮.୧%କୁ ଖସି ଆସିଲା ଓ ଅତି ଗରିବଙ୍କ ସଂଖ୍ୟା ୨.୩%କୁ ଖସି ଆସିଲା । ଅବଶ୍ୟ ଗତବର୍ଷ ଅକ୍ଟୋବରରେ ୨୦୨୧-୨୨ ସୁଦ୍ଧା କହିଥିଲା ଓ ଏବର୍ଷ ଏପ୍ରିଲରେ ୨୦୨୨-୨୩ ସୁଦ୍ଧା କହିଲା । ତଥାପି ଗୋଟିଏ ବର୍ଷ ବ୍ୟବଧାନ ଭିତରେ ଅତି ଗରିବଙ୍କ ସଂଖ୍ୟା ୧୨.୯%ରୁ ୨.୩%କୁ ଓ ଗରିବଙ୍କ ସଂଖ୍ୟା ୪୪%ରୁ ୨୮.୧%କୁ ଖସିବା ବିଶ୍ବାସ ଯୋଗ୍ୟ ହେଉଛି କି ? ନାହିଁ ନା ? ପୁଣି ସେହି ଏକା ସମୟ ପାଇଁ ବିଶ୍ବବ୍ୟାଙ୍କର ଡାଟା ମାତ୍ର ୬ ମାସ ମଧ୍ୟରେ କେମିତି ଏତେ ମାତ୍ରାରେ ବଦଳି ଯାଉଛି ? ତା ଛଡା ୨୦୨୧-୨୨ରେ ତ NSSO ଦ୍ବାରା କୌଣସି ସର୍ଭେ ହୋଇ ନାହିଁ । ତେବେ ଏପରି ହେବାର କାରଣ ହେଲା, ଅକ୍ଟୋବର ରିପୋର୍ଟ ପାଇଁ ବିଶ୍ବବ୍ୟାଙ୍କ CMIE ଠାରୁ ଡାଟା ନେଇ ହିସାବ କଲା । CMIE ହେଉଛି Centre for Monitoring Indian Economy । ଏହା ହେଉଛି ଏକ ପ୍ରାଇଭେଟ ସଂସ୍ଥା । ଏହା ନିୟମିତ ଭାବେ ସର୍ଭେ କରେ ଓ ଭାରତୀୟ ଅର୍ଥନୀତିର ସବୁ ଦିଗ ବିଷୟରେ ଡାଟା ଦିଏ । ଏହା ଏକ ଅଧିକ ବିଶ୍ବାସଯୋଗ୍ୟ ସଂସ୍ଥା । ଅଧିକାଂଶ ଅର୍ଥନୀତିଜ୍ଞ ଏହାରି ଡାଟା ଉପରେ ବିଶ୍ବାସ କରିଥାନ୍ତି । ବିଶ୍ବବ୍ୟାଙ୍କ ଏହି CMIE ଠାରୁ ଡାଟା ନେଇ ଓ ସେଥିରେ ନିଜର ଆନ୍ତର୍ଜାତିକ ଗରିବି ସୀମାରେଖା ବା IPL ପ୍ରୟୋଗ କରି ଅକ୍ଟୋବର ମାସରେ କହିଥିଲା ଯେ ଭାରତରେ ୧୨.୯% ଲୋକ ଅତି ଗରିବ ଓ ୪୪% ଗରିବ ଅଛନ୍ତି । କିନ୍ତୁ ବିଶ୍ବବ୍ୟାଙ୍କ ଏବର୍ଷ ଏପ୍ରିଲ ୨୨ ତାରିଖରେ ଯେଉଁ ରିପୋର୍ଟ ପ୍ରକାଶ କଲା ତାହା ସରକାର ୨୦୨୨-୨୩ ପାଇଁ କରିଥିବା HCES ସର୍ଭେ ଡାଟା ଉପରେ ଆଧାରିତ ଥିଲା । ସେଥିପାଇଁ ଗରିବଙ୍କ ସଂଖ୍ୟା କମିଗଲା । ମୁଁ ଆଗରୁ ଉଲ୍ଲେଖ କରିଛି , ସରକାରଙ୍କ ୨୦୨୨-୨୩ ସର୍ଭେ ବିବାଦିତ ଥିଲା । ଏଥିରେ ସର୍ଭେ ପ୍ରଣାଳୀରେ ଏମିତି ପରିବର୍ତନ କରା ଯାଇଥିଲା ଯେମିତି ଗରିବଙ୍କ ସଂଖ୍ୟା କମ୍ ବାହାରିବ । ତେଣୁ ଏପ୍ରିଲ ୨୦୨୫ର ବିଶ୍ବବ୍ୟାଙ୍କର ଯେଉଁ ରିପୋର୍ଟ ଆସିଲା, ସେଥିରେ ଅତି ଗରିବ ଓ ଗରିବଙ୍କ ସଂଖ୍ୟା ଦ୍ରୁତ ବେଗରେ କମିବାର ଦେଖାଗଲା । ମୋଟ କଥା ହେଲା , CMIE ସର୍ଭେ ଡାଟାରୁ ଅଧିକ ଗରିବ ଥିବା ଜଣା ପଡିଥିଲା । ଏହାର କିଛି ଦିନ ପରେ ବିବାଦିତ ସରକାରୀ ସର୍ଭେ ଡାଟାରେ କମ୍ ଗରିବ ବାହାରିଲେ । 

ଏବେ ଗତ ୭ ତାରିଖରେ ପ୍ରକାଶିତ ବିଶ୍ବବ୍ୟାଙ୍କ ରିପୋର୍ଟକୁ ଆସନ୍ତୁ । ଏଥିରେ ଦେଖାଉଛି ଅତି ଗରିବଙ୍କ ସଂଖ୍ୟା ୫.୨୫% ହୋଇଗଲା ଓ ଗରିବଙ୍କ ସଂଖ୍ୟା ୨୩.୮୯% ହୋଇ ଯାଇଛି । ଅର୍ଥାତ୍ ଏପ୍ରିଲ୍ ମାସରେ ଦେଖାଇଥିବା ପ୍ରତିଶତ ବଢ଼ିଗଲା । ଏପରି ହେବାର କାରଣ ହେଉଛି ଏଥର ବିଶ୍ବବ୍ୟାଙ୍କ ପାସ ମାର୍କ ବଢ଼େଇ ଦେଇଛି । ଅତି ଗରିବଙ୍କ ପାଇଁ IPL ୨.୧୫ ଡଲାରରୁ ବଢାଇ ୩.୦୦ ଡଲାର ଓ ଗରିବଙ୍କ ପାଇଁ ୩.୬୫ ଡଲାରରୁ ବଢାଇ ୪.୨୦ ଡଲାର କରିଦେଇଛି । ତେଣୁ ଅତି ଗରିବ ଓ ଗରିବଙ୍କ ସଂଖ୍ୟା ଗତ ଏପ୍ରିଲ ମାସର ରିପୋର୍ଟ ଠାରୁ ବଢ଼ି ଯାଇଛି । ମିଡିଆ ଏକଥା କହୁନାହିଁ । ଆଶ୍ଚର୍ଯ୍ୟର କଥା ଏପ୍ରିଲର ଗରିବ ସଂଖ୍ୟାଠାରୁ ଜୁନ୍ ଗରିବ ସଂଖ୍ୟା ବଢ଼ିଥିବା କଥା ମିଡ଼ିଆ କହୁନାହିଁ । କେବଳ କହୁଛି ମୋଦୀଙ୍କ ସମୟରେ ଦ୍ରୁତ ଗତିରେ ଦାରିଦ୍ର୍ୟ କମିଛି । ମିଡ଼ିଆର କାମ ହେବା କଥା ସରକାରଙ୍କ ସବୁ କଥାକୁ ଓ ସବୁ ଘୋଷଣାକୁ ସନ୍ଦେହ ଚକ୍ଷୁରେ ଦେଖିବା ଓ ସେଥିରେ ଭୁଲ୍ ଥିଲେ ସରକାରଙ୍କୁ ପ୍ରଶ୍ନ ପଚାରିବା । କାରଣ ମିଡ଼ିଆ ହେଉଛି ଲୋକଙ୍କ ପାଇଁ । କିନ୍ତୁ ଏବେ ତ ଅଧିକାଂଶ ମିଡ଼ିଆ ସରକାରଙ୍କର ହୋଇଛନ୍ତି । ବାହାନା ମାରୁଛନ୍ତି ଯେ ଆମେ ନିରପେକ୍ଷ ହୋଇ ଯାଇଛୁ । କିହୋ ତମକୁ ନିରପେକ୍ଷ ହେବାକୁ କିଏ କହିଲା ?  

ଗରିବଙ୍କ ସଂଖ୍ୟା ସହିତ କେମିତି IPL ଖେଳ ଚାଲିଛି ତାହା ତ ଆପଣ ପଢିଲେ । ଶେଷରେ ଆଉ ଗୋଟିଏ ମଜାଦାର କଥା । ଗରିବଙ୍କ ସଂଖ୍ୟା କମୁ କି ନକମୁ, ଦ୍ରୁତ ଗତିରେ କମୁ କି ଧୀର ଗତିରେ କମୁ, ସରକାର ୧୫ ବର୍ଷ ଧରି ନୂଆ ଦାରିଦ୍ର୍ୟ ସୀମାରେଖା ପଛେ ଘୋଷଣା ନ କରନ୍ତୁ, କିନ୍ତୁ ବିଲିଓନାୟାରଙ୍କ ସଂଖ୍ୟା ଭାରତରେ ଦ୍ରୁତ ଗତିରେ ବଢ଼ି ଚାଲିଛି । ଗତ ୫ ବର୍ଷ ଧରି ୨୦୫ ଜଣ ବିଲିଓନାୟାର ସହିତ ଭାରତ, ଆମେରିକା ଓ ଚାଇନା ପଛରେ ତୃତୀୟ ସ୍ଥାନରେ ଅଛି ।