କୃଷ୍ଣଚୂଡ଼ାର ରଙ୍ଗ
ଛୋଟ ରେଳ ଷ୍ଟେସନଟିଏ । ମିଳନ ଗଡ଼ । ଏଠି ଏକ୍ପ୍ରେସ୍ ଟ୍ରେନ୍ ରୁହେନି । ମାତ୍ର ଦୁଇଟି ଅପ୍ ଓ ଦୁଇଟି ଡାଉନ୍ ପାସେଞ୍ଚର ଟ୍ରେନ୍ ଏଠାରେ ଅଟକେ । ଗୋଟିଏ ଅପ୍ ଓ ଗୋଟିଏ ଡାଉନ୍ ଟ୍ରେନ୍ ସକାଳେ ଓ ଅନ୍ୟ ଦୁଇଟି ସନ୍ଧ୍ୟା ସାତଟାରେ ତା’ପରେ ଆଉ ଟ୍ରେନ୍ ନାହିଁ ।
ମିଳନ ଗଡ଼ ଷ୍ଟେସନ୍ ଆଖପାଖ ଜନବସତି ନାହିଁ । କେବଳ ଷ୍ଟେସନ୍ କର୍ମଚାରୀଙ୍କ ରହିବା ଘର ।
ବିଳମ୍ବିତ ସନ୍ଧ୍ୟାରେ ଷ୍ଟେସନ୍ ନିକଟରେ ଯାତ୍ରୀବାହୀ ବସଟିଏ ଅଟକିଲା । ବସ୍ରୁ ଓହ୍ଲାଇଲେ ଶୁଶୁ ବର୍ଦ୍ଧିତ ଜଣେ ବୃଦ୍ଧ । ହାତରେ ତାଙ୍କର ଛୋଟ ସୁଟ୍କେଶଟିଏ । ଯଥେଷ୍ଟ ସମ୍ଭ୍ରାନ୍ତ ଚେହେରା । ବୟସ ଆସନ୍ନ ସତୁରୀ । ମୁଣ୍ଡର ବାଳ ଓ ନିଶଦାଢ଼ି ସବୁ ଧଳା ହୋଇ ଗଲାଣି । ଦେହର ଧଳା ପୋଷାକ ସାଙ୍ଗକୁ ସେ ସବୁ ୟୁନିଫର୍ମର ଭ୍ରମ ସୃଷ୍ଟି କରୁଛି ।
ଏବଂ ସେହି ବସ୍ରୁ ଅନ୍ୟ କେଇ ଜଣ ଯାତ୍ରୀଙ୍କ ସହ ଓହ୍ଲାଇଲେ ଜନୈକା ପ୍ରୌଢ଼ା । ବୟସ ପଚାଶ, ପଞ୍ଚାବନ ହୋଇପାରେ । ପରିଧେୟ ଧଳା ଶାଢ଼ି ଓ ବ୍ଲାଉଜ୍ । କେଶରାଶି ଅନେକ ସ୍ଥାନରେ ଧଳା ହୋଇ ଆସିଲାଣି । ବୟସ ତାଭ୍କର ସେଇ ତରାଙ୍ଗାୟିତ କେଶରେ ମେଞ୍ଚା ମେଞ୍ଚା ସାବୁନ ଫେଣ ବୋଳିଦେଇ ଯାଇଚି ଯେମିତି । ପ୍ରୌଢ଼ାଙ୍କ ସହ ଅନେକ ଛୋଟ ବଡ଼ ଜିନିଷପତ୍ର ବସ୍ରୁ ଓହ୍ଲାଇଲା, ପିଅନ୍ଟିଏ ଏସବୁ ଓହ୍ଲାଇବାରେ ସାହାଯ୍ୟ କରୁଥିଲା ।
ଅଳ୍ପ ସମୟ ରହିବା ପରେ କେଇଜଣ ଯାତ୍ରୀଙ୍କୁ ନେଇ ବସ୍ଟି ଚାଲିଗଲା ଏବଂ ବସ୍ରୁ ଓହ୍ଲାଇଥିବା ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ପଥରେ ଯିବାକୁ ଲାଗିଲେ ।
ବୃଦ୍ଧ ଜଣକ ପ୍ରଥମେ ଆସି ଷ୍ଟେସନ୍ର ବିଶ୍ରାମାଗାରର ସିମେଣ୍ଟ ବେଞ୍ଚ ଉପରେ ବସି ସ୍ୱସ୍ତିର ନିଃଶ୍ୱାସ ମାରିଲେ ।
ତାଙ୍କ ପରେ ପ୍ରୌଢ଼ ଜଣକ ଆସି ନିକଟସ୍ଥ ସିମେଣ୍ଟ ବେଞ୍ଚଟି ଦଖଲ କଲେ । ପିଅନଟି ତାଙ୍କର ଜିନିଷ ପତ୍ର ଆଣି ରଖିଦେଇ ପ୍ଲାଟଫର୍ମ ଆଡ଼େ ଗଲା ।
ଷ୍ଟେସନ୍ ଅଞ୍ଚଳର ବାତାବରଣ ଶୂନ୍ଶାନ୍ । ଷ୍ଟେସନ୍ ମାଷ୍ଟର ନିଜ କୋଠରିରେ ବସି ଏକ ତେଲୁଗୁ ପତ୍ରିକାର ପୃଷ୍ଠା ଓଲଟାଉଛନ୍ତି ଓ ସିଗାରେଟ୍ ଟାଣୁଛନ୍ତି । ଆଉ କେହି କେଉଁଠି ନାହାନ୍ତି ।
କ୍ରମେ ଅନ୍ଧାର ଘନୀଭୂତ ହେବାକୁ ବସିଲାଣି । ବୃଦ୍ଧ ଏଥର ଅଳସ ଭାଙ୍ଗି ଉଠିଲେ ଓ ଷ୍ଟେସନ ମାଷ୍ଟରଙ୍କ ନିକଟକୁ ଯାଇ ଟ୍ରେନ୍ ବିଳମ୍ବ ଅଛି କି ବୋଲି ପ୍ରଶ୍ନ କଲେ ।
ଷ୍ଟେସନ ମାଷ୍ଟର ପତ୍ରିକାଟି ଉପରୁ ମୁହଁ ଉଠାଇ ପାଟିରେ ଭର୍ତ୍ତି କରିଥିବା ସିଗାରେଟ୍ର ଧୂଆଁ ଗୁଡ଼ିକୁ ଛାଡ଼ି ବୃଦ୍ଧଙ୍କ ମୁହଁକୁ ଚାହିଁଲେ ଏବଂ କିଛି ସମୟ ପରେ ଉତ୍ତର ଦେଲେ, “ଟ୍ରେନ୍ ପ୍ରାୟ ଅଧ ଘଣ୍ଟା ହେବ ଚାଲିଗଲାଣି । ଆଉ ଟ୍ରେନ୍ ସକାଳେ ।”
ଷ୍ଟେସନ ମାଷ୍ଟରଙ୍କ ଉତ୍ତର ଶୁଣି ବୃଦ୍ଧ ବିମର୍ଷ ଦେଖାଗଲେ । ସେ ହଠାତ୍ ଅନ୍ୟମନସ୍କ ଭାବରେ ପ୍ରଶ୍ନ କଲେ, “ଆଜ୍ଞା, ବସ୍ଟି ଆସିବା ପରେ ଟ୍ରେନ୍ ପରା ଯାଏ? ମୁଁ ଯେ ସେଇ ବସ୍ରେ ଆସିଲି ।”
ଷ୍ଟେସନ ମାଷ୍ଟର ଏଥର ବିଦ୍ରୁପଭରା ସ୍ୱରରେ କହିଲେ, “ନାଇଁ ଆଜ୍ଞା ବସ୍ ଆସିବା ସହ ଟ୍ରେନ୍ର ଯିବା ଆସିବାର କିଛି ସମ୍ପର୍କ ନଥାଏ । ଟ୍ରେନ୍ ତା’ ନିର୍ଘଣ୍ଟ ଅନୁଯାୟୀ ଆସେ ଓ ଯାଏ । ଆଜି ଦୁଇଟିଯାକ ଟ୍ରେନ୍ର ରାଇଟ୍ ଟାଇମ୍ ଥିଲା । ଆପଣ କ’ଣ ଜାଣି ନାହାଁନ୍ତି ଯେ ବସ୍ଟି ଆଜି ପ୍ରାୟ ପଇଁଚାଳିଶ ମିନିଟ୍ ବିଳମ୍ବରେ ଆସି ପହଞ୍ôଚଛି ।”
ବୃଦ୍ଧ ଆଉ ଟିକିଏ ହତୋତ୍ସାହ ହୋଇ ପଡ଼ିଲେ । ପ୍ରଶ୍ନ କଲେ, “ତେବେ ବାଲେଶ୍ୱର ଯିବା ଲାଗି ପରବର୍ତ୍ତୀ ଗାଡ଼ି କେତେବେଳେ?”
- କାଲି ସକାଳ ପାଞ୍ଚଟା ପଞ୍ଚାବନ ମିନିଟ୍ରେ ।
- ଏଇ ଆପଣଙ୍କ ବିଶ୍ରାମାଗାରରେ ରାତିଟା କଟାଇବାର କିଛି ଆପତ୍ତି ଅଛି କି?
- ନା, ଆପଣଙ୍କର ଯଦି କିଛି ଅସୁବିଧା ନ ଥାଏ ତେବେ ରହି ପାରନ୍ତି ।
ବୃଦ୍ଧ ଏକ ଶୂନ୍ୟତାର ନିଃଶ୍ୱାସ ମାରି, ଷ୍ଟେସନ ମାଷ୍ଟରଙ୍କୁ ଧନ୍ୟବାଦ ଜଣାଇ ଫେରି ଆସିଲେ । ସେ ବିଶ୍ରାମାଗାରରେ ପହଞ୍ôଚବା ମାତ୍ରେ ଏକାକାନୀ ବସିଥିବା ପ୍ରୌଢ଼ା ପ୍ରଶ୍ନକଲେ, “ଟ୍ରେନ୍ ଆଉ ଡେରି ଅଛି କି?”
- ଆପଣ କେଉଁଆଡ଼େ ଯିବେ କି?
- ମୁଁ ଭୁବନେଶ୍ୱର ଯିବି ।
- ଆଜି ଆଉ ଟ୍ରେନ୍ ନାହିଁ । ପ୍ରାୟ ଅଧଘଣ୍ଟା ତଳୁ ଦୁଇଟିଯାକ ଟ୍ରେନ୍ ଚାଲିଯାଇଛି । ମୋ ଟ୍ରେନ୍ ଆଉ ଆପଣଙ୍କ ଟ୍ରେନ୍ ।
ଏଇ ଉତ୍ତର ଶୁଣି ପ୍ରୌଢ଼ା ସାମାନ୍ୟ ଆତଙ୍କିତା ହେବା ଭଳି କହିଲେ, “ତେବେ କ’ଣ କରିବା? ମୁଁ ଏ ରାତିଟାରେ କୁଆଡ଼େ ଯିବି? ଆପଣ କ’ଣ ଚାଲିଯିବେ?”
- ଆପଣ ଏଇ ବିଶ୍ରାମାଗାରରେ ରହିଯାଇ ପାରନ୍ତି । ଷ୍ଟେସନ ମାଷ୍ଟରଙ୍କର କିଛି ଆପତ୍ତି ନାହିଁ । ତା’ଛଡ଼ା ଆପଣଙ୍କ ପିଅନ୍ ବୋଧେ ବର୍ତ୍ତମାନ ଫେରି ଆସିବ ।
- ଆଉ ଆପଣ?
- ଆପଣଙ୍କର ଯଦି କିଛି ଅସୁବିଧା ନଥାଏ ତେବେ ଏଇ ବିଶ୍ରାମାଗାରରେ ହିଁ ରହିବି । ନଚେତ୍ ଷ୍ଟେସନ ମାଷ୍ଟରଙ୍କ ବାରଣ୍ଡାରେ ରହିଯିବି ।
- ନା, ନା, ଆପଣ ଏଠି ରହିପାରନ୍ତି । ମୋର ବା ଆପତ୍ତି କ’ଣ? ଆପଣ କ’ଣ କାଲି ଭୁବନେଶ୍ୱର ଯିବେ?
- ନା, ମୁଁ ବାଲେଶ୍ୱର ଯିବି ।
- ବାଲେଶ୍ୱରରେ କ’ଣ ଆପଣଙ୍କର ଘର?
- ନା, ମୋ ଘର ବାଲେଶ୍ୱରରେ ନୁହେଁ । ଏମିତି ବୁଲି ଯାଉଛି ।
- ଆପଣଙ୍କ ଘର ଭୁବନେଶ୍ୱର?
- ହଁ, ଭୁବନେଶ୍ୱର ଶହୀଦ ନଗରରେ ।
- ଏଣେ କୁଆଡ଼େ ଆସିଥିଲେ?
- ମୁଁ ଏ ଅଞ୍ଚଳରେ ଗୋଟିଏ ଗାର୍ଲସ ସ୍କୁଲରେ ହେଡ଼ମିଷ୍ଟ୍ରେସ୍ ଥିଲି । ରିଟାୟାର୍ଡ କରି ଫେରି ଯାଉଛି । ଅବଶିଷ୍ଟ ଜୀବନ ଭୁବନେଶ୍ୱରରେ ରହିବାକୁ ପଡ଼ିବ ।
ବୃଦ୍ଧ ଏଥର ଦୀର୍ଘ ନିଃଶ୍ୱାସଟିଏ ମାରି ପ୍ରଶ୍ନ କଲେ, “ଭୁବନେଶ୍ୱରରେ ଆପଣଙ୍କର ଆଉ କିଏ ସବୁ ଅଛନ୍ତି?”
- ମୋର ଭାଇମାନେ ଓ ସେମାନଙ୍କର ପିଲାମାନେ, ବାପା, ବୋଉ । ବେଶ୍ ଏତିକି ।