ନନ୍ଦିନୀ, ବିଶ୍ବାମିତ୍ର ଓ ଗଣତନ୍ତ୍ର
ଅନେକ ବର୍ଷ ତଳର କଥା। ଥରେ ରାଜା କୌଶିକ, ଯାହାଙ୍କୁ ବିଶ୍ବାମିତ୍ର ମଧ୍ୟ କୁହାଯାଏ ନିଜ ରାଜ୍ୟ ଭ୍ରମଣରେ ବାହାରିଥିଲେ। ବୁଲିବୁଲି ଯାଇ ସେ ଜଙ୍ଗଲରେ ବଶିଷ୍ଠ ଋଷିଙ୍କ ଆଶ୍ରମ ପାଖରେ ପହଞ୍ଚିଲେ। ରାଜା କୌଶିକଙ୍କୁ ଦେଖି ଋଷି ବଶିଷ୍ଠ ତାଙ୍କୁ ଏବଂ ତାଙ୍କ ସୈନ୍ୟସାମନ୍ତଙ୍କୁ ସାଦରେ ଆଶ୍ରମକୁ ନିମନ୍ତ୍ରଣ କଲେ। ନିମନ୍ତ୍ରଣ ପାଇ ରାଜା ଟିକେ ତାଚ୍ଛଲ୍ୟ କଲା ପରି ପଚାରିଲେ - ମୋତେ ଓ ମୋ ସେନାଙ୍କୁ ଖାଦ୍ୟ ଯୋଗାଇବାର ସାମର୍ଥ୍ୟ ଆପଣଙ୍କ ଆଶ୍ରମର ଅଛି ତ ଋଷିବର?
ରାଜାଙ୍କ କଥାରେ ସ୍ମିତହାସ୍ୟ ଦେଇ ଋଷି ବଶିଷ୍ଠ, ହଁ ଅର୍ଥରେ ମୁଣ୍ଡ ହଲାଇ କହିଲେ - ନିଶ୍ଚୟ ରାଜନ୍।
ରାଜା ଏବଂ ତାଙ୍କ ସୈନ୍ୟ ଦଳ ଆଶ୍ରମରେ ପ୍ରବେଶ କଲେ। ବଡ଼ ଉତ୍ସୁକତାରେ ରାଜା ଲକ୍ଷ୍ୟ କରୁଥା'ନ୍ତି ଋଷି କେମିତି କ'ଣ ଏତେ ସୈନିକଙ୍କ ପେଟ ପୂରିବା ପାଇଁ ଖାଦ୍ୟ ଯୋଗାଡ଼ କରିବେ? ରାଜାଙ୍କ ସମେତ ସମସ୍ତେ ଖାଇବା ପାଇଁ ବସି ଯିବା ପରେ ଋଷି ବଶିଷ୍ଠ ତାଙ୍କ ଆଶ୍ରମରେ ଥିବା ନନ୍ଦିନୀ (କାମଧେନୁଙ୍କ କନ୍ୟା) ଗୋମାତାଙ୍କୁ ହାତ ଯୋଡି ରାଜା ଏବଂ ତାଙ୍କ ସୈନିକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରକଟ କରିବା ପାଇଁ ପ୍ରାର୍ଥନା କଲେ। ଚାହୁଁ ଚାହୁଁ ରାଜା ଏବଂ ସୈନିକଙ୍କ ଆଗରେ ସୁସ୍ବାଦୁ ଭୋଜନ ସାମଗ୍ରୀର ଧାଡି ଲାଗି ଗଲା। ସମସ୍ତେ ପେଟ ଓ ମନ ଭର୍ତ୍ତି ଖାଇଲେ। ତଥାପି ସରୁ ନଥାଏ। ରାଜା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଥା'ନ୍ତି। ଶେଷରେ ତାଙ୍କର ଲୋଭ ହେଲା। ଖିଆପିଆ ସାରି ବିଦାୟ ନେଲା ବେଳକୁ ରାଜା କୌଶିକ, ଋଷି ବଶିଷ୍ଠଙ୍କୁ କହିଲେ - ହେ ଋଷିବର! ନନ୍ଦିନୀ ପରି ଗାଈ ଏ ଜଙ୍ଗଲ ଭିତରେ ଆପଣଙ୍କ ଆଶ୍ରମରେ ରହି କୌଣସି ଲାଭ ନାହିଁ। ଆପଣ ତାକୁ ମୋତେ ଦେଇ ଦିଅନ୍ତୁ। ମୁଁ ତାକୁ ରାଜମହଲରେ ରଖି ତାର ଦେଖାଶୁଣା କରିବି ଏବଂ ତା'ର ଉପସ୍ଥିତି ଆମ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ମଜବୁତ୍ କରିବ।
ଏଥିରେ ଋଷି ବଶିଷ୍ଠ ଆଦୌ ରାଜି ହେଲେ ନାହିଁ। ଶେଷରେ ରାଜା କୌଶିକ, ନନ୍ଦିନୀକୁ ଜୋର ଜବରଦସ୍ତି ଋଷିଙ୍କ ଠାରୁ ଛଡାଇ ରାଜମହଲକୁ ନେଇଗଲେ। ରାଜମହଲରେ ନନ୍ଦିନୀ ପହଞ୍ଚିଲା। ତା'ର ବଡ଼ ସେବାଯତ୍ନ କରାଗଲା। ତାକୁ ଅତି ସୌଖୀନ ଭାବରେ ରଖାଗଲା। ହେଲେ ନନ୍ଦିନୀକୁ କୋଉ ଏସବୁ ଭଲ ଲାଗୁଥାଏ! ତା'ର ଖାଲି ବଶିଷ୍ଠଙ୍କ ପିତା ସୁଲଭ ସ୍ନେହ ଆଉ ଆଶ୍ରମର ପରିସର ମନେ ପଡୁଥାନ୍ତି। ମୌକା ଦେଖି ନନ୍ଦିନୀ ରାଜମହଲର ସମସ୍ତ ପହରା ଆଉ ବ୍ୟବସ୍ଥାକୁ ଚକମା ଦେଇ ଜଙ୍ଗଲକୁ ଛୁ ମାରିଲା। ରାଜମହଲର ଚାକଚକ୍ୟ, ରାଜକୀୟ ଦରବ ଆଉ ଯତ୍ନକୁ ଛି କରି ଜଙ୍ଗଲରେ ଥିବା ଋଷି ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚିଗଲା। ଦୁନିଆର ସବୁ ଜୀବଜନ୍ତୁ (humans are also a part of Kingdom Animalia) ବୋଧେ ସେୟା। ବାହାର ଏବଂ ଫମ୍ପା ଚାକଚକ୍ୟ ବେଶି ସମୟ ବାନ୍ଧି ରଖି ପାରେନି ତାଙ୍କୁ। ରାଜ ମହଲରେ ବାନ୍ଧି ହେବା ଅପେକ୍ଷା ଜଙ୍ଗଲରେ ମୁକ୍ତ ରହିବାକୁ ବେଶି ପସନ୍ଦ କରନ୍ତି। ସେଇଥିପାଇଁ ହିଁ ରାଜତନ୍ତ୍ରକୁ ହଟା ଯାଇ ଗଣତନ୍ତ୍ରର ସୃଷ୍ଟି। ଆଉ ଗଣତନ୍ତ୍ରରେ ସବୁବେଳେ ଗଣ ବା ଜନତାଙ୍କ ମତ ହିଁ ସବୁଠାରୁ ଅଧିକ ଅର୍ଥ ରଖେ। ଗଣ ହିଁ ସବୁଠାରୁ ଶକ୍ତିଶାଳୀ। ଯାହା ଆମେ ଏଇ ସଦ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳରେ ଦେଖିଲେ।
ରିପୋର୍ଟ ଏବଂ କିଛି ଆକଳନକରୀ ସ°ସ୍ଥାର ବିଶେଷଜ୍ଞଙ୍କ (ଯଦିଓ ଏ ନେଇ କୌଣସି ସରକାରୀ ଆକଳନ କିମ୍ବା ରିପୋର୍ଟ ନାହିଁ) ମତରେ, ଏଇଥରର କର୍ଣ୍ଣାଟକ ନିର୍ବାଚନ ଦେଶର ସବୁଠାରୁ ବ୍ୟୟବହୁଳ ନିର୍ବାଚନ ମଧ୍ୟରୁ ଗୋଟିଏ। ନିର୍ବାଚନ ଆୟୋଗ ବା election commissionଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଜଣେ ପ୍ରତିଦ୍ୱନ୍ଦୀ ପ୍ରଚାର ପାଇଁ ଅତି ବେଶିରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ। ଏବଂ ଗୋଟିଏ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାରର ସମୁଦାୟ ଖର୍ଚ୍ଚ ୧୦୦୦ କୋଟି ଭିତରେ ସିମୀତ ରହିବା କଥା। କିନ୍ତୁ ସବୁ ନୀୟମାବଳୀ, ଉଚିତ ଆଉ କଥା ଭିତରେ ଯେତିକି ନଗଦ ଟଙ୍କା, ଗିଫ୍ଟ, ରିଷ୍ଟ ଓ୍ବାଚ୍, କାନ୍ଥ ଘଣ୍ଟା, ମାଦକଦ୍ରବ୍ୟ, ଡ୍ରାଏଫ୍ରୁଟ୍ସ, ଟିଭି, ଶାଢୀ, କୁକୁଡ଼ା ତଥା ଅନ୍ୟାନ୍ୟ ସାମଗ୍ରୀ କେବଳ କେତୋଟି ନିର୍ବାଚନ ମଣ୍ଡଳୀରୁ ଜବତ କରା ଯାଇଥିଲା ଏବଂ କେବଳ ୧୦ ଦିନ ଭିତରେ ବ୍ୟାଙ୍କରୁ ୯୭୪ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ୍ ଟ୍ରାନଫର ହୋଇଥିଲା; ଏସବୁରୁ କର୍ଣ୍ଣାଟକର ସମୁଦାୟ ୨୨୪ଟି ସିଟ୍ ପାଇଁ ଅତି କମରେ ୪୦, ୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଆକଳନ କରା ଯାଉଛି ( ଆକଳନ ଅନୁସାରେ ଗତ ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଖର୍ଚ୍ଚ ଥିଲା ୧୦, ୫୦୦ କୋଟି; ୨୦୧୪ ଲୋକସଭା ନିର୍ବାଚନ ପ୍ରଚାରର ଖର୍ଚ୍ଚ ଥିଲା ୩୦, ୦୦୦ କୋଟି; ୨୦୧୯ର ଲୋକସଭାର ନିର୍ବାଚନ ପ୍ରଚାରର ଖର୍ଚ୍ଚ ଥିଲା ୬୦,୦୦୦ କୋଟି, କିଛି ଜାଗାରେ ୧ଲକ୍ଷ୍ୟ କୋଟି ମଧ୍ୟ ଆକଳନ କରା ଯାଇଛି) । କିନ୍ତୁ ଏଥର ଭୋଟଗ୍ରହଣ ପୂର୍ବରୁ ଜନତାଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା ଟଙ୍କା ଏବଂ ସାମଗ୍ରୀ ଫେରାଇ ଦେବା (ଯଦିଓ ନିର୍ବାଚନ ଆୟୋଗ ଅନୁସାରେ, ସେମାନେ କୌଣସି ଅଭିଯୋଗ ପାଇ ନାହାନ୍ତି କିମ୍ବା ଏ କଥାର ପୁଷ୍ଟି କରି ନାହାନ୍ତି) ଗୋଟିଏ କଥା ସ୍ପଷ୍ଟ କରେ ଯେ ସାଧାରଣ ଜନତା ଯେତେ ମୂର୍ଖ ହେଲେ ମଧ୍ୟ କ୍ଷଣସ୍ଥାୟୀ ଓ ଚିକମିକିଆ ଦ୍ରବ୍ୟ ଅପେକ୍ଷା ତା'ର ଦରକାର ଥାଏ ଦୀର୍ଘମିୟାଦୀ ରୋଜଗାରର ପନ୍ଥା, ସ୍ଥାୟିତ୍ତ୍ବ, ଶାନ୍ତି ଏବଂ ସୁଶାସନ। ସେଥିପାଇଁ ସେ ଗଣତନ୍ତ୍ରରେ ମତଦାନ ପ୍ରକ୍ରିୟାକୁ ବାଛେ।
ନନ୍ଦିନୀ ଗୋମାତାଙ୍କ ପିଛା କରି କରି ରାଜା କୌଶିକ ଏବଂ ତାଙ୍କ ସୈନ୍ୟ ସାମନ୍ତ ବି ଆସି ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚିଲେ। ରାଜା ଆଶ୍ଚର୍ଯ୍ୟ ହେଲେ ଯେ, କେମିତି ରାଜମହଲର ସୁଖ ସୁବିଧା, ଯାବତୀୟ ଖାଦ୍ୟ ଆଉ ସୁଖ ଛାଡି ନନ୍ଦିନୀ ଜଣେ ସାଧାରଣ ଋଷିର ଜଙ୍ଗଲ କୁଡିଆ ଆଉ ଆଶ୍ରମକୁ ଶ୍ରେଷ୍ଠ ମଣୁଛି? ସେ ମନେ ମନେ ଚିନ୍ତା କଲେ, ତା' ମାନେ କ'ଣ ଋଷି ହେବା ରାଜା ହେବା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ବନାଏ! ଏୟା ଚିନ୍ତାକରି ରାଜା କୌଶିକ ଘଞ୍ଚ ଜଙ୍ଗଲକୁ ତପସ୍ୟା କରିବାକୁ ଚାଲିଗଲେ। ଦୀର୍ଘ ଦଶ ବର୍ଷର ଘୋର ତପସ୍ୟା ପରେ ଭଗବାନ ଶିବ ତାଙ୍କ ଉପରେ ପ୍ରସନ୍ନ ହେଲେ ଏବଂ ତପସ୍ୱୀଙ୍କ ମନ ମୁତାବକ ଅନେକ ଅସ୍ତ୍ରଶସ୍ତ୍ର ତାଙ୍କୁ ବରଦାନରେ ଦେଲେ। ଏଥର ତପସ୍ୱୀ ରାଜା ଶିବଙ୍କ ଠାରୁ ବିଭିନ୍ନ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ରର ବର ପାଇ ବଶିଷ୍ଠ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ଲକ୍ଷ୍ୟ ଗୋଟିଏ, ନନ୍ଦିନୀ ଗାଈକୁ ହାସଲ କରିବା। ଏଥର ତ ଅସୀମ ଶକ୍ତି ଏବଂ ଶିବଙ୍କ ଆଶୀର୍ବାଦ ବି ଅଛି ତାଙ୍କ ପାଖରେ। ଏଥର ଆଉ ଋଷି ତାଙ୍କୁ ନନ୍ଦିନୀକୁ ହାତେଇବାରୁ ରୋକି ପାରିବେନି। ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚି କୌଶିକ ଆହ୍ୱାନ କଲେ ଏବଂ ନନ୍ଦିନୀକୁ ତାଙ୍କ ହାତରେ ତୋଳିଦେବାକୁ ପରାମର୍ଶ ଦେଲେ। ବଶିଷ୍ଠ ପୁଣି ତାଙ୍କ ସେଇ ପୁରୁଣା ସ୍ମିତହାସ୍ୟ ଦେଇ ରାଜାଙ୍କୁ ବାରଣ କଲେ। ନନ୍ଦିନୀ ବି ଋଷିଙ୍କୁ ଛାଡି ଯିବା ପାଇଁ ନାରାଜ। ଏଥର ତପସ୍ୱୀ ରାଜା କୌଶିକ କ୍ରୋଧିତ ହୋଇ ଶିବଙ୍କ ଠାରୁ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ। ତାଙ୍କର ଦୃଢ ବିଶ୍ୱାସ ଥାଏ ଜଣେ ସାଧାରଣ ଋଷି କ'ଣ ଶିବଙ୍କ ଠାରୁ ପ୍ରାପ୍ତ ଏ ଅସ୍ତ୍ରଶସ୍ତ୍ର ଆଗରେ ତିଷ୍ଠି ପାରିବ? ସେ ଯୁଦ୍ଧ ଆରମ୍ଭ କରିଦେଲେ। ନିଜର ସମସ୍ତ ରଣ କୌଶଳ ଏବଂ ଶକ୍ତି ଖର୍ଚ୍ଚ କରି ମହା ମହା ଅସ୍ତ୍ର ସବୁ କ୍ଷେପଣ କରିବାକୁ ଲାଗିଲେ। ହେଲେ ଋଷି ବଶିଷ୍ଠ ନିଜ ତପଶକ୍ତି ବଳରେ କୌଶିକଙ୍କର ସବୁ ସୈନ୍ୟସାମନ୍ତ ଏବଂ ଅସ୍ତ୍ରଶସ୍ତ୍ରକୁ ନିଜ ଭିତରେ ଲୀନ କରିଦେଲେ। ଅଳ୍ପ ସମୟ ଭିତରେ ରାଜା କୌଶିକ ନରସ୍ତ୍ର ଏବଂ ପରାଜିତ ହୋଇଗଲେ। ଠିକ୍ ତପସ୍ୟା ପରେ ରାଜା କୌଶିକଙ୍କ ଦ୍ବାରା ପ୍ରାପ୍ତ ହୋଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ପ୍ରୟୋଗ କଲା ପରି ଦୃଶ୍ୟ ଏବଂ ଘଟଣା ଏଥର ସମ୍ପୂର୍ଣ୍ଣ କର୍ଣ୍ଣାଟକ ନିର୍ବାଚନର ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା।
ରାଜା କୌଶିକ ନିଜ ରାଜମହଲ ଏବଂ ରାଜକୀୟ ସାମଗ୍ରୀର ଲାଳସା ଦେଖାଇଲା ପରି, ଭାରତୀୟ ଜନତା ପାର୍ଟିର ପ୍ରଚାର ସମୟରେ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ "ଡବଲ ଇଞ୍ଜିନ୍ ସରକାର" ହେଲେ କ'ଣ ଓ କେମିତି କର୍ଣ୍ଣାଟକ ଜନତାଙ୍କ ବିକାଶ ହେବ, ଲାଭ ହେବ ତାହା କହିଥିଲେ। ଏହା ମଧ୍ୟ କହିଥିଲେ ଯେ ତାଙ୍କ ପାର୍ଟିର ସରକାର ଆସିଲେ କର୍ଣ୍ଣାଟକ ଦେଶର ନମ୍ବର ୧ ରାଜ୍ୟ ହୋଇଯିବ। ହେଲେ ପ୍ରଚାର ସମୟରେ ଭାଷଣ ଦେଲା ବେଳେ ସେ କେମିତି ଭୁଲିଗଲେ ଯେ କର୍ଣ୍ଣାଟକର ଗତ ବିଧାନସଭା ନିର୍ବାଚନ ପରେ ଭାଜପାର ହିଁ ସରକାର ରହିଛି ଏବଂ କେନ୍ଦ୍ରରେ ମଧ୍ୟ ତାଙ୍କରି ସରକାର ରହିଛି। ଏବଂ ବର୍ତ୍ତମାନର ସରକାର ଜନତା ପାଖରେ
ଭ୍ରଷ୍ଟାଚାର ପାଇଁ କେତେ ବଦନାମ। ଏମିତି କି ତତ୍କାଳୀନର ରାଜ୍ୟ ସରକାର ଉପରେ ୪୦% କମିଶନର ଆରୋପ ଲଗାଇ ଜଣେ ସିଭିଲ ଓ୍ବାର୍କର୍ସ କଣ୍ଟ୍ରାକ୍ଟରଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିବା, ଯିଏକି ନିଜେ ଜଣେ ଭାଜପାର କର୍ମୀ ଥିଲେ। ତଥା ସେହି ଭାଜପା କର୍ମୀଙ୍କ ଆତ୍ମହତ୍ୟା କରିବା ଏବଂ ଏହି ଆରୋପର ସନ୍ଦିଗ୍ଧ ହିସାବରେ ସେତେବେଳର ଗ୍ରାମ ବିକାଶ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ ଏସ ଇଶ୍ବୋରପ୍ପାଙ୍କ ଇସ୍ତଫା ଦେବା, ଏ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ରାଜ୍ୟର ଜନତା ଅବଗତ ଥିଲେ। ଯଦିଓ ରାଜ୍ୟ ଗତ କିଛି ବର୍ଷ ଧରି ବିଦେଶୀ ନିବେଶକ ଓ ଧନ ପାଇବାରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହୁଥିଲା। କିନ୍ତୁ ଲୋକ ରାଜ୍ୟରେ ହୋଇଥିବା କୃଷି ଆନ୍ଦୋଳନ ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଥିବା ୪୨୫୭ ଜଣ କୃଷକ ଏବଂ ତାଙ୍କ ପରିବାରର ଦୁଃଖକୁ ବେଶି ଭଲରେ ଅନୁଭବ କରି ପାରୁଥିଲେ। ପ୍ରତିଦିନ ବନ୍ଦ ହେଉଥିବା ଷ୍ଟାର୍ଟ-ଅପ୍, ରୋଜଗାର ହରାଉଥିବା ଯୁବକ ଗୋଷ୍ଠୀ ଏବଂ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ନହେବାକୁ ମଧ୍ୟ ଜନତା ଜାଣିସାରିଥିଲେ।
ଯେତେବେଳେ ଭାଜପାର ପ୍ରଚାରକ ହିସାବରେ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାର ଦ୍ଵାରା କେମିତି ଅନେକ Women Friendly ଯୋଜନା ବା ମହିଳା ମାନଙ୍କ ଶିକ୍ଷା, ସୁରକ୍ଷା, ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛି ଏବଂ ତାଙ୍କ ସରକାର କର୍ଣ୍ଣାଟକରେ ଆସିଲେ କେମିତି ମହିଳାମାନଙ୍କ ସମ୍ମାନ ଏବଂ ବିକାଶ ପାଇଁ କାମ କରିବ କହୁଥିଲେ, ସେତେବେଳେ ଲୋକ ନିଶ୍ଚୟ "କାଠ୍ବା", "ଉନ୍ନାଓ" ଏବଂ "ହାଥରସ୍" ଏବଂ ଦେଶର ଆଉ ୪, ୨୮, ୨୭୮ (NCRB ରିପୋର୍ଟ ଅନୁସାରେ ବର୍ଷ ୨୦୨୧ରେ ଦେଶରେ ରେକର୍ଡ଼/ ଦର୍ଜ କରାଯାଇଥିବା ସମୁଦାୟ ମହିଳା ବିରୋଧୀ ଅପରାଧର ସ°ଖ୍ୟା) ମହିଳାଙ୍କ ବିଷୟରେ ଭାବୁଥିଲେ। ଯେତେବେଳେ ମହିଳା ମାନଙ୍କ ବିଷୟରେ ଚିନ୍ତା ପ୍ରକଟ କରି ଏବଂ କେମିତି ସେମାନେ ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ଜାଣିବା ପାଇଁ ଭାଜପାର ପ୍ରଚାରକ ହିସାବରେ ଶ୍ରୀ ନରେନ୍ଦ୍ର ମୋଦି "ଦ କେରଲା ଷ୍ଟୋରୀ" ଫିଲ୍ମ ଦେଖିବା ପାଇଁ ଲୋକଙ୍କୁ ଆହ୍ଵାନ କରୁଥିଲେ ସେତେବେଳେ କର୍ଣ୍ଣାଟକର ଜନତା ଦେଶର ପ୍ରଧାନମନ୍ତ୍ରୀ କାହିଁକି ଜନ୍ତରମନ୍ତରରେ ଯୌନନିର୍ଯାତନାର ବିରୋଧ କରି ଧାରଣାରେ ବସିଥିବା ବିଶ୍ବସ୍ତରୀୟ ମହିଳା କୁସ୍ତି ଖେଳାଳିଙ୍କୁ ସାନ୍ତ୍ବନା ଦେଲା ପରି କିମ୍ବା ଜାଞ୍ଚ ପାଇଁ ପଦେ ମଧ୍ୟ କହୁ ନାହାନ୍ତି, ନିଶ୍ଚୟ ମନେମନେ ପ୍ରଶ୍ନ କରୁଥିଲେ। 'ବେଟି ବଚାଓ ବେଟି ପଢାଓ'ର ନାରା ଦେଉଥିବା ତାଙ୍କ ଦେଶର ପ୍ରଧାନମନ୍ତ୍ରୀ କାହିଁକି, ଜେଲରୁ ବେଲରେ ଆସି ଜଣେ ବଳାତ୍କାରର ଅପରାଧୀ ଉନ୍ନାଓରେ ପୀଡିତ ନାବାଳିକା ଏବଂ ତାର ୪ ମାସର ଶିଶୁକୁ ନିଆଁ ଲଗାଇ ଦେବା କଥା ଉପରେ କଡା ପଦକ୍ଷେପ ନେଉ ନାହାନ୍ତି ଭାବିଥିବେ।
ଯେତେବେଳେ ଦେଶର ଗୃହମନ୍ତ୍ରୀ ଭାଜପାର ପ୍ରଚାରକ ହିସାବରେ କହିଥିବେ ଯେ, ତାଙ୍କ ଦଳ କର୍ଣ୍ଣାଟକରେ ସରକାର ନ ଗଢି ପାରିଲେ ରାଜ୍ୟରେ ଦଙ୍ଗା ଏବଂ ହି°ସାକାଣ୍ଡ ହେବ ସେତେବେଳେ ନିଶ୍ଚୟ କର୍ଣ୍ଣାଟକ ଜନତାଙ୍କର ୨୦୦୨ ଗୋଧ୍ରା, ଗୁଜରାଟ ଏବଂ ଏପ୍ରିଲ ୨୦୧୭ର ସହାରନପୁର, ଉତ୍ତରପ୍ରଦେଶର ଦଙ୍ଗା ବେଳେ ସେଇ ରାଜ୍ୟରେ କାହାର ସରକାର ଥିଲା ମନେ ପକାଇଥିବେ! ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଭାଜପାର ପ୍ରଚାରକ ହିସାବରେ କର୍ଣ୍ଣାଟକ ଜନତାଙ୍କୁ ଆଶ୍ବାସନା ଦେଇଥିବେ ଯେ, "କର୍ଣ୍ଣାଟକର ବିକାଶ ଓ ଉନ୍ନତିର ଦାୟିତ୍ୱ ମୁଁ ନିଜେ ମୋ' କାନ୍ଧ ଉପରକୁ ନେଉଛି" ସେତେବେଳେ ଜନତାଙ୍କର ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଠିକ୍ ସେଇ, ମଣିପୁରର ଦାୟିତ୍ୱ ନିଜ କାନ୍ଧ ଉପରକୁ ନେବା ଏବଂ ମଣିପୁରରେ ଚାଲିଥିବା ହି°ସା, ଦଙ୍ଗା, ଅଗ୍ନିକାଣ୍ଡ, ଜନଜୀବନ ହାନୀ ବିଷୟ ଆଖିଆଗରେ, ମାନସପଟରେ ଦିଶି ଯାଇଥିବ। ପୁଣି ସେଇ ଭାଜପାର ରାଜ୍ୟସଭା ମେମ୍ବର ମେରୀ କମଙ୍କ ଦ୍ବାରା ମଣିପୁରକୁ ଧ୍ବଂସ ହେବାରୁ ରକ୍ଷା କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ ଦେବା ସତ୍ତ୍ୱେ, ତାଙ୍କର ସେଇ ମାମଲାରେ ସମ୍ପୂର୍ଣ୍ଣ ନିରବ ରହିବା ନିଶ୍ଚୟ ସାଧାରଣ ଜନତାର ମନକୁ ଆନ୍ଦୋଳିତ କରିଥିବ। ଯେତେବେଳେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଚାର ସମୟରେ ଜନତାଙ୍କୁ ସମ୍ବୋଧିତ କରି କହିଥିବେ ଯେ, "ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କୃପା ପାଇବା ପାଇଁ ତାଙ୍କ ଦଳକୁ ଭୋଟ ଦେବାକୁ ପଡିବ।" ସେତେବେଳେ ଭୋଟରଙ୍କ ମନରେ "କର୍ଣ୍ଣାଟକ କ'ଣ ଭାରତର ରାଜ୍ୟ ନୁହେଁ ନା' ଦେଶର ପ୍ରଧାନମନ୍ତ୍ରୀ କେବଳ ଭାଜପା ଦଳର" ପ୍ରଶ୍ନ ଉଙ୍କି ମାରିଥିବ। "ସମ୍ପୂର୍ଣ୍ଣ ଦେଶର ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ପାଣ୍ଠିରୁ ଅର୍ଥ ଆସେ ନା' କୌଣସି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ କିମ୍ବା ଦଳୀୟ ପାଣ୍ଠିରୁ" ଏ ପ୍ରକାର ପ୍ରଶ୍ନ ମଧ୍ୟ ସାଧାରଣ ଜନତା ମନରେ ନିଶ୍ଚୟ ଆସିଥିବ।
ଯେତେବେଳେ ଦେଶର ମହିଳା ଓ ବାଳ ବିକାଶ ମନ୍ତ୍ରୀ, ବିରୋଧୀ ଦଳର ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ବାରା ୨୦୧୯ ମସିହାରେ ନମାଜ ପଢିବା କଥା କିମ୍ବା "ଦ କେରଳା ଷ୍ଟୋରୀ"ରେ ହଜାର ହଜାର ହିନ୍ଦୁ ଝିଅ ଲଭ- ଜିହାଦର ଶିକାର କଥା ପ୍ରଚାର ସମୟରେ ଉଠେଇଥିବେ, ସେତେବେଳେ ସାଧାରଣ ଜନତାଙ୍କ ମନରେ ସେ ନିଜେ Zoroastrian ସମ୍ପ୍ରଦାୟରେ ବିବାହ କରି ନିଜର ପୈତୃକ ସାଙ୍ଗିଆଟି ବଦଳାଇଥିବା କଥା ନିଶ୍ଚୟ ଆସିଥିବ! ଦେଶରେ ଘଟିଥିବା ୪, ୨୮, ୨୭୮ ମହିଳା ବିରୋଧୀ ଏବଂ ୧,୪୯,୪୦୪ ବାଳବିରୋଧୀ ଅପରାଧ (NCRB data for the year 2021), କିମ୍ବା ନିଖୋଜ ମାମଲା ଦର୍ଜ ହୋଇଥିବା ୨,୬୫,୪୮୧ ମହିଳା ଏବଂ ୫୯୫୪୪ ଜଣ ବାର ବର୍ଷରୁ କମ ବାଳିକାଙ୍କ ବିଷୟରେ କେବେ ଉଦବେଗ ପ୍ରକାଶ ନକରିଥିବା କଥା ନିଶ୍ଚୟ ଭୋଟଦାତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିବ। ଯେତେବେଳେ ଷ୍ଟାର ପ୍ରଚାରକ ସାଜି ଆସାମର ମୂଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା, ରାହୁଲ ଗାନ୍ଧୀଙ୍କ ଉପରେ ପ୍ରଶ୍ନ କରିଥିବେ, ତାଙ୍କ ନିଜର ରାଜନୈତିକ ଜୀବନର ଆରମ୍ଭ ଏବଂ ସେ କେମିତି ଭାଜପାରେ ସାମିଲ ହୋଇଥିଲେ, ଏ କଥା ନିଶ୍ଚୟ ସାଧାରଣ ଭୋଟରଙ୍କର ସ୍ମୃତିରେ ତାଜା ହୋଇ ଯାଇଥିବ। ଯେତେବେଳେ ହି°ସା ଉଦ୍ରେକକାରୀ ଗୋଷ୍ଠୀ ଗୁଡିକୁ ବ୍ୟାନ୍ କରିବା କଥାରେ ସ୍ବୟଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଜରଙ୍ଗବଲୀଙ୍କ ବ୍ୟାନ୍ ସହ ତୁଳନା କରିଥିବେ ଏବଂ ସେଇ ଆଧାରରେ ଭୋଟ ମାଗିଥିବେ; ସେତେବେଳେ କର୍ଣ୍ଣାଟକ ଜନତାଙ୍କର ବଜରଙ୍ଗ ଦଳର କର୍ମୀଙ୍କ ଦ୍ବାରା ୨୦୦୮, ୨୦୧୩ ଏବଂ ୨୦୨୧ରେ ବିଭିନ୍ନ ଖ୍ରୀଷ୍ଟୀଆନ୍ ପ୍ରେୟାର ହଲ୍ ଗୁଡିକ ଉପରେ ଆକ୍ରମଣ ଏବଂ ଭଙ୍ଗାରୁଜା; ୨୦୧୮, ୨୦୨୨ରେ ବିଭିନ୍ନ ସମୟରେ ମୁସଲମାନ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଏବଂ ପୋଲିସ୍ ପ୍ରଶାସନ ଦ୍ବାରା ସେମାନଙ୍କୁ ଗିରଫ କରିବା ତଥା ଅନେକ ସମୟରେ ନିଜେ ସେମାନେ ଏସବୁ ଅପରାଧ ଘଟାଇ ଥିବା କଥା ସ୍ବୀକାର କରିବା; ନିଶ୍ଚୟ ଏଇ ହି°ସକ ଘଟଣା ଗୁଡିକ ମନେ ପଡିଥିବ। ଯେତେବେଳେ ଭାଜପାର ପ୍ରଚାର ତନ୍ତ୍ର ଦ୍ବାରା କୁହାଯାଇଥିବ ଯେ ଟିପୁ ସୁଲତାନ ହନୁମାନ ମନ୍ଦିର ଭାଙ୍ଗି ସେଠି ତାଙ୍କ ରାଜମହଲ ଗଢିଥିଲେ, ସେତେବେଳେ ସେଠିକା ଜନତାଙ୍କର ଟିପୁ ସୁଲତାନଙ୍କ ଇ°ରେଜ ମାନଙ୍କ ବିରୋଧରେ ଲଢେଇ ଏବଂ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଇ°ରେଜ ତଥା ମୁସଲିମ ଲିଗ୍ ସହ ମିଶି, ହିନ୍ଦୁ ମହାସଭାର ସରକାର ଗଢିବାରେ ସାମିଲ ହେବା ଏବଂ ଦେଶର ଯୁବକ ମାନଙ୍କୁ ବ୍ରିଟିଶ ସେନା ପାଇଁ ରିକ୍ରୁଟ କରିବା କଥା ନିହାତି ମନରେ ଆସିଥିବ। ଗତ ବର୍ଷର ଉଡୁପ୍ପି- ହିଜାବ ଘଟଣା ନିହାତି ସେମାନଙ୍କର ମନେପଡି ଅନୁଭୂତ ହୋଇଥିବ ଯେ ଭାରତ ଏବଂ ଏହାର ଧର୍ମ ହେଉଛି ବିବିଧତା ମଧ୍ୟରେ ଏକତା। ସଙ୍କୀର୍ଣ୍ଣ ଏବଂ କଠୋର ନୁହେଁ ବୋଲି ହିଁ ଆମ ଧର୍ମ ଆଜି ଯାଏଁ ଏ ଧରା ପୃଷ୍ଠରେ ତିଷ୍ଠି ରହିଛି, ନହେଲେ ତ ଅନେକ ଆଦିମ ଧର୍ମ ଲୋପ ପାଇ ଗଲେଣି!
ଯେତେବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସଭାରେ ଠିଆ ହୋଇ ତାଙ୍କୁ ଦିଆ ଯାଇଥିବା ସମୁଦାୟ ଗାଳିର ସ°ଖ୍ୟା ଗଣେଇ, ସମ୍ବେଦନା ଯୋଗାଡ ପାଇଁ ଲାଗିପଡିଥିବେ; ଶୁଣୁଥିବା ଜନତାର ନିଜ ପାଇଁ ଦୁଇବେଳା ଖାଦ୍ୟ ଯୋଗାଡ, ଘରେ ବେକାର ଥିବା ପୁଅ, ବାହା ହୋଇ ପାରୁ ନଥିବା ଝିଅ, ନଷ୍ଟ ହୋଇଯାଇ ଥିବା ଫସଲ, ଦରଦାମ ବୃଦ୍ଧି, ବେରୋଜଗାରୀ, ବଢୁଥିବା EMI, ଚାଷୀ ଏବଂ ଯୁବ ଆତ୍ମହତ୍ୟା, ସରକାରୀ ସ୍କୁଲ ଏବଂ ହସ୍ପିଟାଲର ଅଭାବ ମନେପଡୁ ଥିବ। ଆଉ ଏହା ପ୍ରଧାନମନ୍ତ୍ରୀଙ୍କ ଗାଳି ଶୁଣିବା ଠୁ କମ ଦୁର୍ଦ୍ଦଶାର କଥା ନା' ବେଶି ପ୍ରଶ୍ନ ଉଠି ଥିବ। ଯେଉଁଠି ଭାଜପା ସବୁବେଳେ ଅନ୍ୟ ଦଳର ସ୍କିମକୁ "ଫ୍ରି କି ରେବଡି" କୁହେ, କ°ଗ୍ରେସ ଦ୍ଵାରା ଦିଆ ଯିବାକୁ ଥିବା ମହିଳା ଏବଂ ବେରୋଜଗାରୀ ଭତ୍ତାକୁ "ମୁଫ୍ତଖୋରୀ" କହି ଆଲୋଚନା କରିଥିଲା, ସେଇଠି ନିଜ ମ୍ୟାନିଫେଷ୍ଟୋରେ ବର୍ଷକୁ ତିନୋଟି ଗ୍ୟାସ୍ ସିଲିଣ୍ଡର ଏବଂ ଅଧା ଲିଟର ନନ୍ଦିନୀ କ୍ଷୀର ଯୋଗାଇ ଦେବା କ'ଣ, ତାହା ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରି ଥିବ। ଆଉ ନିର୍ବାଚନ ପ୍ରଚାରର ପ୍ରାରମ୍ଭିକ ସମୟରେ ନନ୍ଦିନୀ ଏବଂ ଅମୁଲକୁ ନେଇ କରାଯିବାକୁ ଥିବା ରାଜନୀତି ବିଷୟରେ ତ ଜନତା ଅଧା ଲିଟର ନନ୍ଦିନୀ କ୍ଷୀର ଯୋଗାଇବା କଥା ପରେ ବି ଭୁଲି ନଥିବେ ନିଶ୍ଚୟ।
ତପସ୍ୟା କରି ଶିବଙ୍କ ଠାରୁ ବର ପାଇ ଆସି ରାଜା କୌଶିକ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କଲା ପରି, ଦେଶର ବର୍ତ୍ତମାନର ସବୁଠାରୁ ଶକ୍ତିଶାଳୀ ଏବଂ ଧନୀ ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଛଡା ଆଉ ୧୨ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସହାୟତାରେ ତା'ର ନିର୍ବାଚନ ପ୍ରଚାର କରିଥିଲା। ନିର୍ବାଚନ ପୂର୍ବରୁ ସତ୍ତାରେ ଥିବା ସରକାରୀ କଳର ଭ୍ରଷ୍ଟାଚାର ଏବଂ ବିଫଳ ଶାସନର ଛବିକୁ ସମ୍ପୂର୍ଣ୍ଣ ଭାବରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୧୯ଟି ସଭା ଏବଂ ୬ଟି ରୋଡ୍-ସୋ ମାଧ୍ୟମରେ ଘୋଡେଇବାକୁ ଚେଷ୍ଟା କରା ଯାଇଥିଲା। କିନ୍ତୁ ଗଣତନ୍ତ୍ରରେ ଯେ ଗଣ ବା ଜନତା ହିଁ ସର୍ବଶକ୍ତିମାନ ଏବଂ ସେଇ ଗରିବ, ନିସହାୟ, ସ୍ବପ୍ନ ଆତୁର ଜନତା ହାତରେ ହିଁ "ଖଣ୍ଡିଏ" ହେଉ ପଛେ ଭୋଟର ବଳ ଅଛି ତାହା କୌଣସି ରାଜନୈତିକ ଦଳ ଭୁଲିଯିବା ଅନୁଚିତ।
ବଶିଷ୍ଠ ଋଷି, ତପସ୍ୱୀ ରାଜା କୌଶିକଙ୍କର ସବୁ ଅସ୍ତ୍ରଶସ୍ତ୍ର ନିଜ ଭିତରେ ଲୀନ କରିଦେବା ପରେ, ଆଉ ନନ୍ଦିନୀକୁ ହାତେଇବାର ଉପାୟ ନଥିଲା ରାଜାଙ୍କ ପାଖରେ। ନିଜ ସୈନ୍ୟସାମନ୍ତ, ଅସ୍ତ୍ର ହରାଇ, ପରାଜୟରେ ହତୋତ୍ସାହିତ ହୋଇ ରାଜା ପୁଣି ଜଙ୍ଗଲକୁ ଚାଲିଗଲେ ତପସ୍ୟା ପାଇଁ। ଏଥର ଆହୁରି ଅଧିକ ଶକ୍ତି ଯୋଗାଡ଼ କରିବା ଥିଲା ତାଙ୍କର ଲକ୍ଷ୍ୟ, ଯେମିତି ସେ ଆର ଥରକୁ ବଶିଷ୍ଠ ଋଷିଙ୍କ ଠାରୁ ଅକ୍ଳେଶରେ ନନ୍ଦିନୀକୁ ନେଇ ଯାଇ ପାରିବେ। ହେଲେ ଏଥର ତପସ୍ୟା ସରିଲା ବେଳକୁ ରାଜା ପାର୍ଥିବ ମୋହମାୟାରୁ ଊର୍ଦ୍ଧ୍ବରେ ପହଞ୍ଚି ପକୃତ ମାନସିକ ଶାନ୍ତି ପାଇସାରିଥିଲେ। ତପସ୍ୟା ସରିଲା ବେଳକୁ ରାଜା କୌଶିକ ଦେବର୍ଷି ବିଶ୍ବାମିତ୍ରରେ ପରିଣତ ହୋଇ ସାରିଥିଲେ। ତାଙ୍କର ଆଉ ନନ୍ଦିନୀକୁ ହାତେଇବା କିମ୍ବା ଅଧିକାର କରିବାର ଇଚ୍ଛା ନଥିଲା। ସେମିତି ଏଥର ଗଣତନ୍ତ୍ରର ଗଣ ପର୍ବରେ ଜନତା ମଧ୍ୟ ଆଉ ହଓ୍ବାଇ ଚପଲ ପିନ୍ଧି, ହଓ୍ବାଇ ଜାହାଜ ଚଢିବାର ସ୍ବପ୍ନକୁ ଛାଡି ନିଜର ଦୈନନ୍ଦିନ ଜୀବନ, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ରୋଜଗାର ଏବଂ ବିକାଶ ପାଇଁ ସରକାର ବଦଳାଇବାର ନିଷ୍ପତ୍ତି ନେଲେ। ସେ ଯେକୌଣସି ଦଳ ହେଉ, ଜନତା ତାଙ୍କୁ ଭୋଟ ଦିଅନ୍ତି ଜନତା ଓ ଦେଶର ବିକାଶ ପାଇଁ। ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ପ୍ରତ୍ୟେକ ନିର୍ବାଚନ ସମୟରେ ସେଇ "ଗରିବି ହଟାଓ, ଭ୍ରଷ୍ଟାଚାର ହଟାଓ, ଫ୍ରି ରାସନ୍, " ଏୟା ହିଁ ଆମର ମୁଦ୍ଦା ଥାଏ। ଆଉ ପ୍ରତିଥର ଜନତା ଅତିଷ୍ଠ ହେଲା ପରେ ହିଁ ସରକାର ବଦଳାଇଥା'ନ୍ତି। କିନ୍ତୁ ଦେଶସାରା ଜନତା ମନେରଖିବା ଦରକାର ଯେ ଗଣତନ୍ତ୍ରର ତାଙ୍କ ପାଇଁ ଏବଂ ତାଙ୍କୁ ନେଇ। ତେଣୁ ସେମାନେ ସରକାର ବାଛିଲା ବେଳେ ଅତିଷ୍ଠ ନୁହେଁ ସଚେତନ ହେବା ଆବଶ୍ୟକ।