ମଧୁସୂଦନ ଦାସ :ଏକ ଆକଳନ

ମଧୁସୂଦନ ଦାସ :ଏକ ଆକଳନ

ଊନବିଂଶ ଶତକର ଶେଷ ପର୍ଯ୍ୟାୟ ଏବଂ ବିଂଶ ଶତକର ପ୍ରଥମ ତିନି ଦଶକରେ ଓଡିଶାରେ ନବ ଜାଗରଣ ଦେଖା ଦେଇଥିଲା । ଓଡିଆମାନେ ଏହି କାଳରେ ଆପଣାର ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ  ପ୍ରବଳ ଉଦ୍ୟମ କରିଥିଲେ । ସେମାନଙ୍କର ଜଣେ ଅଗ୍ରଣୀ ନେତା ତଥା ଓଡିଆ ଜାତୀୟତା ସଂରଚନାର ଅବିସ୍ମରଣୀୟ ପାତ୍ର ଥିଲେ ମଧୁସୂଦନ ଦାସ । ୧୮୮୦ ଦଶକରୁ ମୃତ୍ୟୁ ପର୍ଯ୍ୟନ୍ତ ମଧୁସୂଦନ ଆପଣାର ଜୀବନକୁ  ଆଧୁନିକ ଓଡିଶା ନିର୍ମାଣରେ ବିନିଯୋଗ କରିଥିଲେ । ପ୍ରତିବେଶୀ ବଂଗ ବିହାର ମଧ୍ୟ ପ୍ରଦେଶ ଏବଂ ମାନ୍ଦ୍ରାଜ ପ୍ରଦେଶ ସହିତ ମିଶି ରହିଥିବା ଓଡିଆ ଭାଷୀ ଅଞ୍ଚଳମାନଙ୍କୁ ଏକତ୍ରିତ କରି ଏକ ଅଭିନବ ଓଡିଶା ଗଠନ ଥିଲା ତାଙ୍କର ମୌଳିକ ଲକ୍ଷ୍ୟ । ଏଥି ସହିତ ଓଡିଆମାନଙ୍କର ସାମାଜିକ, ଆର୍ଥନୀତିକ ତଥା ସାଂସ୍କୃତିକ ଜାଗରଣ ପାଇଁ ସେ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ । ମଧୁସୂଦନଙ୍କର ଓଡିଆ ଜାଗୃତି କାର୍ଯ୍ୟକ୍ରମ ସହିତ ସଂଯୋଜିତ ହୋଇଥିଲା ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀ ପରି କେତେକ ବିଶିଷ୍ଟ ଓଡିଆ ଜାତୀୟବାଦୀ ଅନୁଷ୍ଠାନ । ସେ ଥିଲେ ମୁଖ୍ୟତଃ ଓଡିଆ ଜାଗୃତିର ପଟ୍ଟ ପୁରୋଧା । 


 ୧୮୭୦ ଦଶକରେ ମଧୁସୂଦନ କଲିକତାରେ ଓଡିଆ କୁଲିମାନଙ୍କର ସମସ୍ୟା ସହିତ ସଂଯୋଜିତ ହୋଇଥିଲେ ।ଜାତୀୟ ଗୌରବର ଅଭିବୃଦ୍ଧି ନିମିତ୍ତ କଲିକତା ବିଶ୍‍ବବିଦ୍ୟାଳୟର ଛାତ୍ରରୂପେ ମଧୁସୂଦନ ଯାହା କରିଥିଲେ, ତହିଁରେ ତାଙ୍କ ଭବିଷ୍ୟତ ଜୀବନର ସୌରଭ ଓ ମାଧୁରୀ ଆଶାନୁରୂପ ଭାବରେ ଫୁଟିଉଠିଥିଲା । ଯେଉଁ ଓଡିଆ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ଉଚ୍ଚ ଶ୍ରେଣୀମାନଙ୍କରେ ଅଧ୍ୟୟନ କରୁଥ ôଲେ ସେମାନେ ସୁଦ୍ଧା ପରୀକ୍ଷାରେ ପ୍ରଶ୍ନାବଳୀର ଉତ୍ତର ଓଡିଆରେ ଲେଖିବାର ଅଧିକାରରୁ ବଞ୍ôଚତ ହୋଇ ରହିଥିଲେ । ଛାତ୍ର ମଧୁସୂଦନ ପ୍ରଥମେ ଏହି ଭାଷା ଓ ଲିପି ଦିଗରୁ ଓଡିଆର ଜାତୀୟତା ରକ୍ଷା କରିବା ପାଇଁ ଅଣ୍ଟାଭିଡି ବାହାରିଲେ । ତାଙ୍କର ନିର୍ଭୀକ ଉଦ୍ୟମ ଓ ଅଦ୍ୟମ ଚେଷ୍ଟା ଶେଷରେ ତାଙ୍କୁ ଜୟଯୁକ୍ତ କଲା ଏବଂ ପରୀକ୍ଷାରେ ଓଡିଆ ଲିପିରେ ଉତ୍ତର ଲେଖିବାର ଅଧିକାର ସେ ପାଇଲେ ।  ଖ୍ରୀଷ୍ଟଧର୍ମୀ ହୋଇ ମଧ୍ୟ ଓଡିଶାରେ ପୁରୀ ଜଗନ୍ନାଥ ମନ୍ଦିର ମାମଲାର ସମାଧାନ ପାଇଁ ତାଙ୍କର ଉଦ୍ୟମ ସଦା ବନ୍ଦନୀୟ । ପରବର୍ତ୍ତୀ ପର୍ଯ୍ୟାୟରେ ୧୮୮୦ ଏବଂ ୧୮୯୦ ଦଶକରେ ସେ ଓଡିଆ ଜାତୀୟବାଦୀ ଅନୁଷ୍ଠାନ ଉତ୍କଳ ସଭା ମାଧ୍ୟମରେ ପ୍ରଥମେ ଓଡିଆ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ଉତ୍କଳ ସଭାର ସଦସ୍ୟ ତଥା ସଭାପତି ହିସାବରେ ମଧୁସୂଦନ ସମସ୍ତ ଓଡିଆ ଭାଷୀ ଅଞ୍ଚଳମାନଙ୍କୁ ବଙ୍ଗ ଅଧିନରେ ରଖିବାକୁ ଉଦ୍ୟମ କରଥିଲେ । ସମ୍ବଲପୁରରେ ଓଡିଆ ଭାଷାର ସୁରକ୍ଷା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ଆନ୍ଦୋଳନ ମୁଣ୍ଡଟେକି ଉଠିଥିଲା, ସେଥିରେ ମଧୁସୂଦନଙ୍କର ଭୂମିକା ଅବିସ୍ମରଣୀୟ । ଉତ୍କଳ ସଭା ଏକ ସୀମିତ ଅନୁଷ୍ଠାନ ଥିବାରୁ ମଧୁସୂଦନ ଓଡିଆ ଭାଷାଭାଷୀ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ ଏକ ପ୍ରଶସ୍ତତର କର୍ମଭୂମି ଖୋଜି ୧୯୦୩ରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରିତ କଲେ । ଉତ୍କଳ ସମ୍ମିଳନୀ ମାଧ୍ୟମରେ ମଧୁସୂଦନ ପ୍ରଥମେ ଓଡିଆ ଜାତିର ଜୀବନରେ ଜାତୀୟ ଜାଗରଣର ଶୁଭ ସ୍ପନ୍ଦନ ଖେଳାଇ ଦେଇଥିଲେ । ଉତ୍କଳ ସମ୍ମିଳନୀ ଗଠନ କରି ଏବଂ ନିଜ ହାତରୁ ଅଜସ୍ର ଅର୍ଥ ବ୍ୟୟ କରି ସେ ରାଜା, ପ୍ରଜା, ଧନୀ, ନିର୍ଦ୍ଧନ-ଓଡିଆ ମାତ୍ରେ ସମସ୍ତଙ୍କ ଭିତରେ ଗୋଟାଏ ଭ୍ରାତ୍ରୁଭାବର ଉଚ୍ଛ୍ୱାସ ଖେଳାଇଥିଲେ । ଉତ୍କଳ ସମ୍ମିଳନୀର ନବମ ଅଧିବେଶନ(୧୯୧୩ ଡିସେମ୍ବର)ରେ ସଭାପତି ହିସାବରେ ତାଙ୍କର ଅଭିଭାଷଣ ଓଡିଆ ଜାଗୃତିର ଏକ ପ୍ରଶସ୍ତ କ୍ଷେତ୍ର ତିଆରି କରିଥିଲା । ସେଥିରେ ସେ ଜାତୀୟ ଜୀବନର ସ୍ୱରୂପ ଆକଳନ କରିବା ସଂଗେ ସଂଗେ ମତ ଦେଇଥିଲେ- “ସମ୍ମିଳନ ଜାତିର ସମ୍ମିଳନ ନିମନ୍ତେ ଉତ୍କଳବାସୀ ହୃଦୟରେ ଜାତୀୟ ଜୀବନ ସଂଚାର କରିବା ନିମନ୍ତେ ସ୍ଥାପିତ ହୋଇଅଛି ।ଏ ସମ୍ମିଳନୀ କୌଣସି ଏକ ସମ୍ପ୍ରଦାୟସ୍ଥ ବ୍ୟକ୍ତିମାନଙ୍କର ଉନ୍ନତି ସାଧନ ନିମନ୍ତେ ହୋଇନାହିଁ । ଯାହାଦ୍ୱାରା ସମସ୍ତ ଉତ୍କଳବାସୀମାନଙ୍କର ଉନ୍ନତି ହେବ ସେହି ପ୍ରକାର ବିଷୟସବୁ ଆଲୋଚନା କରିବା ନିମନ୍ତେ ଏ ସମ୍ମିଳନୀର ସୃଷ୍ଟି । ଏ ରୂପ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜାତୀୟ ଜୀବନର ସଂଚାର ହୃଦୟରେ ଜାଗ୍ରତ ହେବା ଉଚିତ ।” ଏହିପରି ନାନା ମତ ଓ ମନ୍ତବ୍ୟ ମାଧ୍ୟମରେ ଉତ୍କଳ ସମ୍ମିଳନୀ ସଭାପତି ଅଭିଭାଷଣ ତଥା ନାନା ନିର୍ଦ୍ଧାରଣମାନଙ୍କ ମାଧ୍ୟମରେ ସେ ଓଡିଆ ଜାତୀୟତାର ସଂରଚନା କରିଥିଲେ । ଉତ୍କଳ ସମ୍ମିଳନୀର ମୁଖପତ୍ର ଞଷର ଙକ୍ସସଚ୍ଚବ ସଂପାଦନା କରି ମଧୁବାବୁ ଓଡିଆ ଅସ୍ମିତାର ପରିପ୍ରସାର କରିଥିଲେ । 


 ଜାତୀୟ ଜାଗରଣ ତଥା ଓଡିଆଭାଷୀ ଅଞ୍ଚଳମାନଙ୍କର ସମ୍ମିଶ୍ରଣ ପାଇଁ ଦାବୀ ସହିତ ଓଡିଶାର ଆର୍ଥିକ ବିକାଶ ପାଇଁ ତାଙ୍କର ଅନ୍ତର ଆଲୋଡିତ ହୋଇଥିଲା । ସେଥିପାଇଁ ଉତ୍କଳ ଟାନେରୀ(ଚମଡା କାରଖାନା) ଏବଂ ଓଡିଶା ଆର୍ଟ ଓ୍ୟାର୍କସ୍‍(ତାରକଶି ଶିଳ୍ପାଗାର) ନାମରେ ଦୁଇଟି ଅନୁଷ୍ଠାନ ନିଜ ହାତରୁ ପଇସା ଖର୍ଚ୍ଚ କରି ସେ କଟକରେ ସ୍ଥାପନ କରିଥିଲେ । ୧୮୯୮ ମସିହାରୁ ଓଡିଶା ଆର୍ଟ ଓ୍ୟାରସ୍‍ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ୧୯୦୦ ଖ୍ରାୀଷ୍ଟାବ୍ଦରେ ଏହାର ଅଗ୍ରଗତି ଘଟିଥିଲା । ସେହିପରି ଉତ୍କଳ ଟାନେରୀ ୧୯୧୩ ଠାରୁ ୧୯୨୩ରେ ବେଶ୍‍ ଖ୍ୟାତି ଲାଭ କରିଥିଲା । ଏହିସବୁ ଅନୁଷ୍ଠାନମାନଙ୍କରେ ଉତ୍କଳୀୟ ଶିଳ୍ପକଳାର ପ୍ରସାର ଓ ପ୍ରଶସ୍ତି ବର୍ଦ୍ଧିତ ହେବା ସଂଗେ ସଂଗେ ବହୁ ନିର୍ଦ୍ଧନ ପରିବାର ମଧ୍ୟ ଜୀବିକା ଅର୍ଜ୍ଜନରେ ସମର୍ଥ ହୋଇଥିଲେ । ଦେଶ ଓ ଜାତିର ଜୀବନରେ ଏ ଦୁଇଟି ଅନୁଷ୍ଠାନର ପ୍ରଭାବ ପ୍ରକୃତରେ ଅପରିମେୟ । ଏହାଛଡା ଉତ୍କଳୀୟ ବସ୍ତ୍ରଶିଳ୍ପର ଉନ୍ନତି ଏବଂ ସ୍ୱଦେଶୀ ପ୍ରଚାର ଦିଗରେ ତାଙ୍କର ଯେଉଁ କାର୍ଯ୍ୟ ତାହା ଭାବିଲେ ବିସ୍ମିତ ହେବାକୁ ପଡେ । ଖଦଡ ପ୍ରଚାର କଳ୍ପନା ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ମସ୍ତିସ୍କରେ ସୁଦ୍ଧା ସ୍ଥାନ ପାଇନଥିଲା ସେତେବେଳେ ସେ ଦେଶୀ ତନ୍ତରେ ଦେଶୀ ତନ୍ତୀମାନଙ୍କ ଦ୍ୱାରା ସୁନ୍ଦର ପଖାଳକରା ଲୁଗା ବୁଣାଇ ଦେଶସାରା ତାର ପ୍ରଚାର ଓ ବ୍ୟବହାର ପାଇଁ ତୁମୂଳ ଆନ୍ଦୋଳନର ସୂତ୍ରପାତ କରିଥିଲେ । ବିଦେଶୀ ବସ୍ତ୍ରର ପ୍ରତିଯୋଗିତାରେ ଏ ଦେଶର ତନ୍ତୀମାନେ ଏକ ପ୍ରକାର ହାତ ବାନ୍ଧି ବସିଥିଲେ କହିଲେ ଚଳେ, କିନ୍ତୁ ମଧୁବାବୁଙ୍କ ପ୍ରଗାଢ ଯତ୍ନରେ ସେମାନଙ୍କ ହାତ ପୁଣି କାର୍ଯ୍ୟ ପାଇଥିଲା ଏବଂ ନଷ୍ଟପ୍ରାୟ ବସ୍ତ୍ରଶିଳ୍ପର ପୁନରୁଦ୍ଧାର ହୋଇଥିଲା । ୧୯୦୪ ମସିହାର ପ୍ରଥମ ସମବାୟ ଆଇନ ପ୍ରଣୟନର ଛଅ ବର୍ଷ ପୂର୍ବେ ୧୮୯୮ ମସିହାରେ ସମବାୟର ଜଣେ ଆଦ୍ୟ ପ୍ରବର୍ତ୍ତକ ମଧୁସୂଦନ ଦାସଙ୍କ ଦ୍ୱାରା ଭାରତର ଅନ୍ୟତମ ପ୍ରଥମ ସମବାୟ ସମିତି କଟକ କୋପରେଟିଭ୍‍ ଷ୍ଟୋର୍‍ ସ୍ଥାପନା ହୋଇଥିଲା ।ଏହିରୂପେ ସକଳ ଦିଗରୁ ସେ ଓଡିଶା ଓ ଓଡିଆର ଜାତୀୟ ଜୀବନ ଗଠନ କରିବାରେ ମନଃପ୍ରାଣ ବିନିଯୋଗ କରିଥିଲେ । ଯାଜପୁରର ବନ୍ୟା ଅଞ୍ଚଳ ଏବଂ ପରେ ଅନାବୃଷ୍ଟି ହେତୁ ଅନାହାରକ୍ଳିଷ୍ଟ ଜନସାଧାରଣଙ୍କର ଅବସ୍ଥାରେ ସେ ଏକାନ୍ତ ବ୍ୟଥିତ ହୋଇ ପ୍ରାଣରେ ସମବେଦନା ଅନୁଭବ କରିଥିଲେ । ବନ୍ୟା-ପ୍ରପୀଡିତ ଅଞ୍ଚଳର ଦୁର୍ଦ୍ଦଶା ଓ ଲୋକସାଧାରଣଙ୍କ ଦୁରବସ୍ଥା ଦେଖାଇବା ନିମନ୍ତେ ସେ ନେଭିନ୍‍ସନ୍‍ ସାହେବଙ୍କୁ ମଫସଲକୁ ଡାକି ଆଣିଥିଲେ ଏବଂ ତାଙ୍କ ସହିତ ବିଭିନ୍ନ ସ୍ଥାନରେ ବୁଲି ସକଳ ଦୁଃଖ ଦୁର୍ଦ୍ଦଶା ତାଙ୍କ ନିକଟରେ ବର୍ଣ୍ଣନା କରିଥିଲେ । ଯେଉଁମାନେ ଐ.ଡ. ଘରଙ୍ଖସଦ୍ଭଗ୍ଦକ୍ଟଦ୍ଭଙ୍କ ଞଷର ଘରଙ୍ଗ ଝକ୍ଟ୍ରସକ୍ସସଗ୍ଧ ସଦ୍ଭ ଓଦ୍ଭୟସବ ପୁସ୍ତକ ପାଠ କରିଥିବେ ସେମାନେ ଏ ପ୍ରସଂଗରେ ମଧୁବାବୁଙ୍କ କାର୍ଯ୍ୟକଳାପ ସ୍ପଷ୍ଟଭାବରେ ବୁଝିପାରିଥିବେ । ପ୍ରଜାସାଧାରଣଙ୍କର ମଙ୍ଗଳ ନିମିତ୍ତ ସବୁବେଳେ ସତେ ଯେପରି ତାଙ୍କର ହୃଦୟ କାନ୍ଦୁଥିଲା । ସେମାନଙ୍କର ଉନ୍ନତି ସାଧନ ନିମିତ୍ତ ତାଙ୍କରି ଉଦ୍ୟମ ଓ ଅର୍ଥବ୍ୟୟରେ ପ୍ରଜା ପ୍ରତିନିଧି ସଭା ନାମରେ ଗୋଟିଏ ଅନୁଷ୍ଠାନ ମଧ୍ୟ ସ୍ଥାପିତ ହୋଇଥିଲା । 


 ଛୋଟଲାଟ ସଭାଠାରୁ ଆରମ୍ଭ କରି ବଡଲାଟ ସଭାଯାଏ ସରକାରୀ ମହଲରେ ସକଳ କ୍ଷେତ୍ରରେ ସେ ସଭ୍ୟରୂପେ ଯେଉଁ ବିଚକ୍ଷଣତା ଦେଖାଇଥିଲେ ତଦ୍ୱାରା ତାଙ୍କର ସମ୍ମାନ ଓ ମର୍ଯ୍ୟାଦା ବର୍ଦ୍ଧିତ ହେବା ସଂଗେ ସଂଗେ ଓଡିଆ ଜାତିର ଗୌରବ ମଧ୍ୟ ବୃଦ୍ଧିଲାଭ କରିଥିଲା । ମଣ୍ଟେଗୁ-ଚେମସ୍‍ଫୋର୍ଡ  ପ୍ରବର୍ତ୍ତିତ ନୂତନ ଶାସନ ସଂସ୍କାର ଆଇନ ଭାରତରେ ପ୍ରଚଳିତ ହେଲାପରେ ସେ ବିହାର ଓଡିଶା ବ୍ୟବସ୍ଥାପକ ସଭାର ସଭ୍ୟରୂପେ ନିର୍ବାଚିତ ହୋଇଥିଲେ ଏବଂ ସରକାର ତାଙ୍କର ପ୍ରତିଭାରେ ଚମତ୍କୃତ ହୋଇ ତାଙ୍କୁ ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ । ସେ କେତେକ ବର୍ଷ ଏହି ପଦରେ ଥିଲେ, ସେହି କେତେକ ବର୍ଷ ଯେପରି ଦକ୍ଷତା ଓ ବିଚକ୍ଷଣତାର ସହିତ ଦେଶ ଓ ଜାତିର ମଙ୍ଗଳ ଉପରେ ଆଖି ରଖି  ସେ କାର୍ଯ୍ୟ ପରିଚାଳନା କରିଥିଲେ, ତାହା ପ୍ରକୃତରେ ତାଙ୍କରି ଭଳି ଲୋକ ପକ୍ଷରେ ସମ୍ଭବପର । ତାଙ୍କ ଉଦ୍ୟମରେ ଯେତେ ଦେଶହିତକର ଅନୁଷ୍ଠାନ ଓଡିଶାରେ ଆତ୍ମ ପ୍ରକାଶ କରିଥିଲା, ସେସବୁର ସୃଷ୍ଟି ଓ ସ୍ଥିତି ପାଇଁ କେବେହେଲେ ପରର ଦ୍ୱାରସ୍ଥ ହୋଇନଥିଲେ, ନିଜ ହାତରୁ ନିଜ ଅଣ୍ଟାରୁ ସହସ୍ର ସହସ୍ର ମୁଦ୍ରା ବ୍ୟୟ କରି ସେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ପଥ ଉନ୍ମୁକ୍ତ କରିଥିଲେ ଏବଂ ଭବିଷ୍ୟତ ବଂଶଧରମାନଙ୍କ ଆଖିଆଗରେ ଉଚ୍ଚ ଆଦର୍ଶ ଉପସ୍ଥାପିତ କରିଥିଲେ । ବାସ୍ତବରେ ସେ ଥିଲେ ଓଡିଶାରେ ନବଯୁଗର ପ୍ରବର୍ତ୍ତକ ଏବଂ ପ୍ରକୃତ ଜାତୀୟତାର ଉଦ୍‍ବୋଧକ ।


 ମଧୁସୂଦନଙ୍କର ଆକଳନ ଓଡିଶାରେ ଯେପରି ଥିଲା, ବଂଗରେ ତାହାଠାରୁ ଅଧିକ ଥିବାର ଦୃଷ୍ଟାନ୍ତ ରହିଛି । ସାର୍‍ ଆଶୁତୋଷ ମୁଖୋପାଧ୍ୟାୟଙ୍କର ସେ ଗୃହଶିକ୍ଷକ ଥିଲେ । ଆଶୁତୋଷଙ୍କର ଛାତ୍ରଜୀବନ ଉପରେ ଆଲୋକପାତ କରି ରାଜେନ୍ଦ୍ରଲାଲ୍‍ ବିଦ୍ୟାଭୂଷଣ ବଙ୍ଗବାଣୀ(୩/୫, ସାଲ ୧୩୩୯, ପୃ-୬୦୧)ରେ ଲେଖିଥିଲେ-ଏ ସମୟେ ବାଡିତେ ପଡାଇତେନ୍‍ ବିହାର ଓଡିଶାର ବର୍ତ୍ତମାନ ପୁରୁଷଶ୍ରେଷ୍ଠ ଶ୍ରୀଯୁକ୍ତ ମଧୁସୂଦନ ଦାସ । ମଧୁସୂଦନ ଆଶୁତୋଷେର୍‍ ଯେ ଏକ୍‍ସର୍‍ସାଇଜ୍‍ଗୁଲି ସଂଶୋଧନ କରିୟାଦିତେନ୍‍ ସେଇ ଖାତାଗୁଲି ଅଦ୍ୟାବଧି ଆଶୁତୋଷେର୍‍ ସଯତ୍ନରକ୍ଷିତ ଆଲ୍‍ମିରାୟ ବିଦ୍ୟମାନ । ଆଶୁତୋଷ ମାଝେମାଝେ ତାହା ଦେଖିତେନ୍‍ ।” ଏହି କେତୋଟି ବାକ୍ୟରୁ ମଧୁସୂଦନଙ୍କର ଜ୍ଞାନଗାରିମା ତଥା ଉଚ୍ଚ ବ୍ୟକ୍ତିତ୍ୱର ସ୍ପଷ୍ଟ ପରିଚୟ ମିଳେ ।