ଓଡିଶା ରାଜନୀତିରେ ମହିଳା ନେତୃତ୍ଵ

ରାଜନୈତିକ ଇତିହାସରେ ଅନେକ ସମୟରେ ବିଚିତ୍ର ଘଟଣା ସବୁ ଘଟେ । ୧୯୭୧ ଓଡିଶା ବିଧାନସଭା ନିର୍ବାଚନରେ ଜଣେ ହେଲେ ମହିଳା ବିଧାୟକ ନିର୍ବାଚିତ ହୋଇ ଆସିନଥିଲେ । ହେଲେ ସେହି ବିଧାନସଭାରେ ଗୃହର ନେତା ହୋଇଥିଲେ ଶ୍ରୀମତି ନନ୍ଦିନୀ ଶତପଥି । ୧୯୭୨ ରୁ ୧୯୭୬, ଦୁଇ ପାଳିରେ ନନ୍ଦିନୀ ଦେବୀ ଥିଲେ ଓଡିଶାର ପ୍ରଥମ ଏବଂ ଅନ୍ତିମ ମହିଳା ମୁଖ୍ୟମନ୍ତ୍ରୀ । ରାଜନୈତିକ ଦୃଷ୍ଟିରୁ ଓଡିଶାରେ ମହିଳା ନେତୃତ୍ବକୁ ସବୁବେଳେ ଅଣଦେଖା କରା ହୋଇଛି । ନନ୍ଦିନୀ ଶତପଥୀଙ୍କୁ ବାଦ ଦେଲେ ଓଡିଶାରେ ଆଉ କୌଣସି ମହିଳା ରାଜନେତା କ୍ଷମତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିନାହାନ୍ତି । ଓଡିଶାର ସାମାଜିକ ଏବଂ ରାଜନୈତିକ ଜୀବନରେ ସାମନ୍ତବାଦୀ ଏବଂ ପିତୃତାନ୍ତ୍ରିକ ବିଚାର ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ ଦେବାକୁ ଏହାଠୁ ଅଧିକ ବଡ ପ୍ରମାଣ ଆଉ କିଛି ନାଇଁ ।
ଭାଷା ଭିତ୍ତିରେ ୧୯୩୬ରେ ସ୍ଵତନ୍ତ୍ର ଓଡିଶା ରାଜ୍ୟ ଗଠନ ହେବା ପରଠୁ ୧୯୪୭ ପର୍ୟନ୍ତ ଓଡିଶା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଜଣେ ବି ଓଡିଆ ମହିଳା ବିଧାନସଭାକୁ ନିର୍ବାଚିତ ହୋଇନଥିଲେ । ଯଦିଓ ସେତେବେଳେ କଂଗ୍ରେସ ଭିତରେ ଅନେକ ସଂଗ୍ରାମୀ ମହିଳା ଥିଲେ, ତଥାପି ନିର୍ବାଚନ ରାଜନୀତିରେ ସେମାନଙ୍କୁ ସୁଯୋଗ ମିଳିନଥିଲା । ସ୍ଵାଧୀନ ଭାରତର ପ୍ରତଥମ ନିର୍ବାଚନ ୧୯୫୨ ରୁ ୧୯୯୦ ପର୍ୟନ୍ତ ଓଡିଶା ବିଧାନସଭାକୁ କୌଣସି ନିର୍ବାଚନରେ ୧୦ ରୁ ଅଧିକ ବିଧାୟିକା ନିର୍ବାଚିତ ହୋଇ ଆସିନଥିଲେ । ଓଡିଶା ଗଠନ ହେବାଠୁ ଆଜି ପର୍ୟନ୍ତ ଆମର କୌଣସି ବିଧାନସଭାରେ ମହିଳା ସଦସ୍ୟାଙ୍କ ସଂଖ୍ୟା ୧୫ ଟପି ନାହିଁ । ( ଚଳିତ ବିଧାନସଭାରେ ବିଭିନ୍ନ ଉପ ନିର୍ବାଚନରେ ଜିତିଥିବା ମହିଳା ପ୍ରାର୍ଥୀଙ୍କୁ ମିଶାଇ ଏହି ସଂଖ୍ୟା ୧୭ରେ ପହଞ୍ଚିଛି । ) ସ୍ଵାଧୀନତା ପରଠୁ ୧୯୫୨ରେ ୩ ଜଣ, ୧୯୫୭ରେ ୫ ଜଣ, ୧୯୬୧ରେ ୪ ଜଣ, ୧୯୬୭ରେ ୫ ଜଣ, ୧୯୭୧ରେ ୧ ଜଣ, ୧୯୭୪ରେ ୪ଜଣ, ୧୯୭୭ରେ ୭ ଜଣ, ୧୯୮୦ରେ ୫ ଜଣ, ୧୯୮୫ରେ ୮ ଜଣ, ୧୯୯୦ରେ ୯ ଜଣ, ୧୯୯୫ରେ ୧୦ ଜଣ, ୨୦୦୦ରେ ୧୪ ଜଣ, ୨୦୦୪ରେ ୧୧ ଜଣ, ୨୦୦୯ରେ ୬ ଜଣ, ୨୦୧୪ରେ ୧୦ ଜଣ ଏବଂ ୨୦୧୯ରେ ୧୭ ଜଣ ବିଧାୟିକା ନିର୍ବାଚିତ ହୋଇଛନ୍ତି ।
ରାଜନୀତିରେ ପଞ୍ଚାୟତ ସ୍ତରରେ ମହିଳାମାନଙ୍କୁ ଅଧିକ ଅଂଶୀଦାର କରିବା ଲାଗି ନବେ ଦଶକରେ ବିଜୁ ପଟ୍ଟନାୟକଙ୍କ ସରକାର ପଞ୍ଚାୟତରେ ମହିଳା ଆରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ତା ପରଠୁ ରାଜନୀତିରେ ଓଡିଆ ମହିଳାଙ୍କ ଭାଗୀଦାରୀତା ବଢିଥିଲେ ମଧ୍ୟ, ଆଜି ମଧ୍ୟ ଏହା ଉତ୍ସାହଜନକ ସ୍ତରକୁ ଆସିନାହିଁ ।
ବିଧାନସଭାକୁ ମହିଳାଙ୍କ ନିର୍ବାଚନ ସୀମିତ ରହିଥିବା ବେଳେ ଓଡିଶାର ବିଭିନ୍ନ ମନ୍ତ୍ରୀମଣ୍ଡଳରେ ମହିଳାଙ୍କ ସଂଖ୍ୟା ବେଶ ନଗଣ୍ୟ । କେବଳ ନାମକୁ ମାତ୍ର ଜଣେ କିମ୍ବା ଦୁଇ ଜଣ ମହିଳା ମନ୍ତ୍ରୀଙ୍କୁ ଆମେ ବିଭିନ୍ନ ମନ୍ତ୍ରୀମଣ୍ଡଳରେ ଦେଖିଛୁ । ଅନେକ ବର୍ଷ ପରେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୩ ଜଣ କ୍ୟାବିନେଟଏବଂ ୨ ଜଣ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବରେ ଅଛନ୍ତି ।
ସମୟକ୍ରମେ ପରିସ୍ଥିତି ହୁଏତ ସୁଧୁରୁଛି, ହେଲେ ଐତିହାସିକ ଭାବରେ ନାରୀ ପ୍ରତି ହୋଇ ଆସିଥିବା ଅବହେଳାର ସାମାଜିକ ସଂଶୋଧନ ଏତେ ମନ୍ଥର ହେଲେ ଚଳିବ ନାହିଁ । ରାଜନୈତିକ ଦୃଷ୍ଟିରୁ ନାରୀ ହାତରେ ଅଧିକ କ୍ଷମତା ରହିବା ଆଜିର ସବୁଠୁ ବଡ ଆବଶ୍ୟକତା । ସେହି କ୍ରମରେ ଆମକୁ ଭାବିବାକୁ ପଡିବ ଯେ –
- ୧୯୭୬ ପରେ ନନ୍ଦିନୀ ଦେବୀଙ୍କ ପରେ ଆମର ଶୀର୍ଷ ସ୍ଥାନୀୟ ମହିଳା ନେତୃତ୍ଵ ନିର୍ମାଣ ହୋଇନାହିଁ କାହିଁକି ?
- ଇତିହାସ ଦୃଷ୍ଟିରୁ ନନ୍ଦିନୀ ଶତପଥି ଆମ ସମାଜ ଓ ରାଜନୀତିର ସବୁଠୁ ତୁଙ୍ଗ ବ୍ୟକ୍ତିତ୍ବ । ହେଲେ ତାଙ୍କର ନେତୃତ୍ଵ ଓ ବ୍ୟକ୍ତିତ୍ବର ସଠିକ ଆକଳନ ଆମେ କରିପାରିଛୁ କି ?
- ଆଜି ମଧ୍ୟ ଓଡିଶା ପ୍ରଶାସନରେ କୌଣସି ମହିଳା ଅଧିକାରୀ ମୁଖ୍ୟ ଶାସନ ସଚିବ କିମ୍ବା ପୁଲିସ ମହା ନିର୍ଦ୍ଦେଶକ ହେବାର ସୁଯୋଗ ପାଇ ନାହାନ୍ତି କାହିଁକି ?
- ସାମାଜିକ ଜୀବନରେ ଆଜି ମଧ୍ୟ ନାରୀର ଅଧିକାରକୁ ନେଇ ନୀତି, ନିୟମ ଓ ଯୋଜନା ପୁରୁଷମାନେ ଇ ପ୍ରବର୍ତ୍ତନ କରୁଛନ୍ତି କାହିଁକି ?
- ଓଡିଶା ହାଇକୋର୍ଟରେ ଏତେ ବର୍ଷ ଭିତରେ ମହିଳା ବିଚାରପତିଙ୍କ ସଂଖ୍ୟା ୫ ଭିତରେ ସୀମିତ କାହିଁକି ?
- ୨୦୧୯ ସାଧାରଣ ନିର୍ବାଚନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭାରେ ୩୩% ମହିଳାଙ୍କୁ ପ୍ରତିନିଧିତ୍ଵ କରିବାର ସୁଯୋଗ ଦେଇଥିଲେ । ତାହା ବିଧାନସଭାରେ ନିର୍ବାଚନରେ କେବେ ଲାଗୁ ହେବ ?
- ସଂସଦରେ ମହିଳା ସଂରକ୍ଷଣ ଆଇନ ଗୃହୀତ କରାଇବାକୁ ବିଜେଡି ବାରମ୍ବାର ଦାବୀ କରୁଛି । ଏହାକୁ ନେଇ ଓଡିଶା ବିଧାନସଭାରେ ଏକ ସ୍ଵତନ୍ତ୍ର ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି । ଏହି ପ୍ରସ୍ତାବକୁ କାର୍ୟକାରୀ କରି ବିଧାନସଭା ଏବଂ ମନ୍ତ୍ରୀ ମଣ୍ଡଳରେ ଅତିକମରେ ୩୩% ମହିଳାଙ୍କ ପ୍ରତିନିଧିତ୍ଵ ନିଶ୍ଚିତ କରାଯିବ କି ?
- ପୁଲିସ ଏବଂ ଅଦାଲତ, ଏ ଦୁଇଟି କ୍ଷେତ୍ରରେ ମହିଳା ନେତୃତ୍ଵ ଅଧିକ କେବେ ହେବ ?
- ନାରୀ ସଶକ୍ତିକରଣ କେବଳ ଉଚ୍ଚ ଜାତି ଓ ଉଚ୍ଚ ବର୍ଗରେ ସୀମିତ ରହିଲେ ହେବନାହିଁ । ରାଜ୍ୟର ଏକ ଚତୁର୍ଥାଂଶ ଆଦିବାସୀ ମହିଳା ଏବଂ ଦଳିତ ମହିଳାଙ୍କ ହାତକୁ ବାସ୍ତବ କ୍ଷମତା ଆସିବ କେବେ ?
ଏ ସବୁ ପ୍ରଶ୍ନର ଉତ୍ତରରେ ଇ ଆମର ସାମାଜିକ ଏବଂ ରାଜନୈତିକ ଭବିଷ୍ୟତ ନିହିତ ଅଛି ।