ଆମ ଦେଶରେ ଅଖବର ଇ ସବୁଠୁ ବଡ ଖବର
ଦୁଇ-ତିନି ଦିନ ହେଲା ଗଣ ମାଧ୍ୟମରେ ଯେଉଁ ଖବରଟି ଜୋରସୋରରେ ପ୍ରସାରିତ ହେଉଛି ତାହା ହେଉଛି ଅପ୍ରେଲ ୨୪- ୨୫ ତାରିଖ ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମଧ୍ୟପ୍ରଦେଶରେ, କେରଳ, ଡାମନ୍ ଆଣ୍ଡ୍ ଡିୟୁ ତଥା ଦାଦର ଆଣ୍ଡ୍ ନଗରହବେଲିରେ ସମୁଦାୟ ୨୭୦୦୦ କୋଟି ଟଙ୍କାର ବିଭିନ୍ନ ଯୋଜନା ଗୁଡିକର ଶିଳାନ୍ୟାସ କରିବା ସହ କେରଳରେ ରୋଡ୍-ସୋ କରିବା। ଏହାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆସାମରେ ୧୪୩୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରୋଜେକ୍ଟର ଘୋଷଣା କରିଥିଲେ ଏବଂ ସେହି ମହୋତ୍ସବରେ ୧୦୦୦୦ ବିହୂ ନୃତ୍ୟ ଶିଳ୍ପୀଙ୍କ ଦ୍ବାରା ଏକତ୍ରିତ ହୋଇ ନୃତ୍ୟ ପରିବେଷଣ କରିବାର ରେକର୍ଡ ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇଥିଲା। ବର୍ତ୍ତମାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରେ ଦେଶରେ ଯଦି ଅନ୍ୟ କୌଣସି ଚର୍ଚ୍ଚିତ ବିଷୟ ଥାଏ ତା' ହେଲେ ସେ ହେଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଗଣତନ୍ତ୍ର ପାଇଁ ନିର୍ବାଚନ ଗୋଟିଏ ଉତ୍ସବ। କିନ୍ତୁ ବର୍ତ୍ତମାନ ସମୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଷୟରେ ଯେଉଁ ପ୍ରକାର ଖବର, ଆଲୋଚନା, ଅଘୋଷିତ ଧାରାବିବରଣୀ ଏବଂ ଧାରାବାହିକ ଉପସ୍ଥାପନା ଲାଗି ରହିଛି, ଏହା ପୂର୍ବରୁ ବୋଧେ ଏମିତି ଉତ୍ସାହ ଦେଶର ଲୋକସଭା ନିର୍ବାଚନ ଗୁଡିକୁ ନେଇ ମଧ୍ୟ ଦେଖା ଯାଇ ନାହିଁ। ଉତ୍ସବ ନୁହେଁ ତ ସତେ ଯେମିତି ନିର୍ବାଚନର ମହା ଉତ୍ସବ ଚାଲିଛି। ଦେଶର ଦୁଇଟି ଯାକ ମୁଖ୍ୟ ଦଳର ପ୍ରଚାରଶୈଳୀ ଏବଂ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଦେଖିଲେ ମନେ ହେଉଛି, ସତେ ଯେମିତି କୌଣସି ରାଜା ତାଙ୍କର ଦୁଇ ରାଜକୁମାରଙ୍କ ମଧ୍ୟରୁ ଜଣକୁ ଉତ୍ତରାଧିକାରୀ ବାଛିବା ପାଇଁ ଯୋଗ୍ୟତା ପରୀକ୍ଷା ଚାଲିଛି। କେନ୍ଦ୍ରର ଗୃହ ମନ୍ତ୍ରୀ ଅମିତ ଶାହଙ୍କଠୁ ଆରମ୍ଭ କରି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଉ ଏମିତି ଏମିତି କରି ମୋଟ ୧୨ ଜଣ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତଥା ୪ ରାଜ୍ୟର ଭାଜପା ମୁଖ୍ୟମନ୍ତ୍ରୀ ଯେଉଁଠି ଭାଜପାର ଷ୍ଟାର୍ ପ୍ରଚାରକ ଭାବରେ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ସଭାରେ ଯୋଗ ଦେବାର ପ୍ରସ୍ତୁତି ଚାଲିଛି। ସେମିତି କ°ଗ୍ରେସ ତରଫରୁ ମଧ୍ୟ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତଥା କ°ଗ୍ରରେସ ମୁଖ୍ୟ ମଲ୍ଲିକାର୍ଜୁନ୍ ଖଡ୍ଗେଙ୍କ ଛଡା କ°ଗ୍ରେସର ୩ ଜଣ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବେ। ଏତେ ସବୁ ଶହ ଶହ, ହଜାର ହଜାର କୋଟିର ଯୋଜନା ଗୁଡିକ ବିଷୟରେ ଶୁଣିଲା ବେଳକୁ ଏବଂ କର୍ଣ୍ଣାଟକର ନିର୍ବାଚନର ହଟଚମଟ ଦେଖିଲା ବେଳକୁ ସତରେ IMF (International Monetary Fund) ଦ୍ବାରା ଜାରୀ କରା ଯାଇଥିବା ଭାରତର ବିକାଶ ଇଣ୍ଡେକ୍ସ ୫.୯% କୁ ଖସି ଆସିଥିବା, ଯାହା ଗତବର୍ଷ ୬% ଥିଲା ଏବଂ ଆଠ ବର୍ଷ ପୂର୍ବରୁ ୭.୫% ଥିଲା କିମ୍ବା ଭାରତ Economic Output Rangeରେ ସର୍ବନିମ୍ନ ପ୍ରଦର୍ଶନ କରିଥିବା ରାଷ୍ଟ୍ର ମାନଙ୍କ ତାଲିକାରେ ସର୍ବୋଚ୍ଚ ସ୍ଥାନରେ ରହିଥିବା କଥା ଆଦୌ ଅନୁମାନ କରି ହେଉ ନାହିଁ। Economic Outputର ଅର୍ଥ ଗୋଟିଏ ଆର୍ଥିକ ବର୍ଷରେ ଗୋଟିଏ ଦେଶର ଉତ୍ପାଦିତ ସମୁଦାୟ ସାମଗ୍ରୀ ଏବଂ ସେବାର ଆକଳନ, ଯାହା ସେହି ଦେଶର ବାସିନ୍ଦାଙ୍କ ଦ୍ଵାରା ଉତ୍ପାଦିତ ଏବଂ ମାଲିକାନାରେ ଥିବା ଆବଶ୍ୟକ। Economic Outputରେ ଭାରତର ମାପଦଣ୍ଡ ମାଇନସ୍ ୧୮% (-18%) ରହିଛି (-୧୩% ସହ ମଲେସିଆ ଏବଂ ଥାଇଲ୍ୟାଣ୍ଡ ଆମ ଉପରେ ରହିଛନ୍ତି)।
କେବଳ ଭାରତର Development Index କିମ୍ବା Economic output ନୁହେଁ, ଆମର ଉତ୍ପାଦନ କ୍ଷେତ୍ର ବା manufacturing sectorରେ ଶ୍ରମଶକ୍ତି ବା workforce ଯାହା ବର୍ଷ ୨୦୧୨-୧୩ରେ ୧୨.୬% ଥିଲା ଖସିକି ୧୧.୬% ହୋଇଯାଇଛି। ସମାନ ରୂପରେ କୃଷି କ୍ଷେତ୍ରରେ ମଧ୍ୟ ଶ୍ରମଶକ୍ତି ଯାହା ଡା. ମନମୋହନ ସି°ଙ୍କ ସମୟରେ ୪୮% ଥିଲା ଏବେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ୪୫.୫%କୁ ଖସି ଆସିଛି। ୨୦୧୪ ରୁ ୨୦୨୨ ଭିତରେ ଭାରତର average growth rate ୫.୫% ରହିଛି। ବର୍ଷ ୨୦୨୨-୨୩ ପାଇଁ ଭାରତ ସରକାରଙ୍କ ଦ୍ବାରା ମାର୍ଚ୍ଚ ମାସରେ ଜାରୀ କରାଯାଇଥିବା ତଥ୍ୟ ଅନୁସାରେ ଭାରତର ଆମଦାନୀ- ରପ୍ତାନୀ କ୍ଷେତ୍ରରେ ମଧ୍ୟ ଅଧୋଗତି ଦେଖା ଯାଇଛି। ଭାରତର ସମୁଦାୟ ରପ୍ତାନୀ କ୍ଷେତ୍ରରେ ୭.୫୩%ର ହ୍ରାସ ରେକର୍ଡ କରାଯାଇଛି। ୨୦୨୨-୨୩ ପାଇଁ ଭାରତର ଟ୍ରେଡ୍ ଡେଫିସିଟ୍ ୧୨୨ ବିଲିଅନ ଡଲାର ରହିଛି। ମାର୍ଚ୍ଚ ମାସ ସୁଦ୍ଧା ଭାରତର ରପ୍ତାନୀ ସାମଗ୍ରୀରେ ୧୩.୯% ହ୍ରାସ ରହିଥିବା ବେଳେ, ଆମଦାନୀ କ୍ଷେତ୍ରରେ ୭.୯% ହ୍ରାସ ଦେଖା ଯାଇଛି (ଭାରତର ସମୁଦାୟ ରପ୍ତାନୀର ୫୦% କେବଳ ଗୁଜରାଟ ଏବଂ ମହାରାଷ୍ଟ୍ରରୁ ହିଁ ହୋଇଥାଏ)। World Bank ଏବଂ IMF ଅନୁସାରେ ଭାରତର ଆମଦାନୀ- ରପ୍ତାନୀ କ୍ଷେତ୍ରରେ ଏ ପ୍ରକାର ହ୍ରାସ ଦେଶର ନିର୍ମାଣ ବା ଉତ୍ପାଦନ କ୍ଷେତ୍ରରେ ନେଗେଟିଭ୍ ପ୍ରଡକ୍ସନ୍ କାରଣରୁ ହୋଇଛି। ଦରଦାମ ବଢିବା, ଲୋକଙ୍କ ଉପରେ ଋଣଭାର ବଢିବା ଏବଂ ଟ୍ୟାକ୍ସ ବଢିବା ହେଉଛି ଏହି ଉତ୍ପାଦନ କ୍ଷେତ୍ରରେ ନେଗେଟିଭ୍ ପ୍ରଡକ୍ସନର କାରଣ। ଏବଂ ଏ ସମସ୍ତେ ଭାରତୀୟ ଅର୍ଥବ୍ୟବସ୍ଥା ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ବୋଲି ସୂଚାଇ ଥା'ନ୍ତି।
କେବଳ ଭାରତ ନୁହେଁ, ସମଗ୍ର ବିଶ୍ବ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଆଡକୁ ବଢୁଛି। ଏହାର ଗୋଟିଏ ଛୋଟ ଉଦାହରଣ ହେଉଛି ମାର୍ଚ୍ଚ ମାସରେ Meta ପାଖାପାଖି ୧୦୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଏହା ପୂର୍ବରୁ ୩ ମାସ ପୂର୍ବରୁ ଆହୁରି ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରା ଯାଇଥିଲା। ସେମିତି ଜାନୁଆରୀ ମାସରେ Google ତା'ର ୧୨୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଥିଲା। ଏ ଛଟେଇ ଏବଂ ଚାକିରୀ ହରାଇବା କେବଳ ବଡବଡ ବହୁଦେଶୀୟ କମ୍ପାନୀଗୁଡିକରେ ନୁହେଁ, ଭାରତରେ ମଧ୍ୟ ଛୋଟବଡ ଅନେକ ଅନୁଷ୍ଠାନରେ ଦେଖା ଯାଇଛି। ବର୍ଷ ୨୦୨୧ରେ ଦେଶରେ ସମୁଦାୟ ୫୧୫ଟି ଷ୍ଟାର୍ଟ-ଅପ୍ ସ°ସ୍ଥା ବନ୍ଦ ହେବା ସହ ସମୁଦାୟ ୧,୫୦,୦୦୦ ଲୋକ ତାଙ୍କ ଜୀବିକା ହରାଇଛନ୍ତି। ବର୍ଷ ୨୦୨୨ରେ ସମୁଦାୟ ୧୦,୬୧୩୦ ଜଣ ତାଙ୍କ ଚାକିରୀ ହରାଇଛନ୍ତି। ୨୦୨୩ ମସିହାରେ ଜାନୁଆରୀରୁ ମାର୍ଚ୍ଚ ମାସ ଭିତରେ ସମୁଦାୟ ୧୬ଟି ସ°ସ୍ଥା ବନ୍ଦ ହୋଇଯିବା ସହ ପାଖାପାଖି ୧,୬୭,୭୬୦ଜଣ ନିଜ ଜୀବିକା ହରାଇ ସାରିଥିବା ବେଳେ ପ୍ରତିଦିନ ହାରାହାରି ୧୮୬୪ଜଣ ରୋଜଗାର ହରାଉଛନ୍ତି। କିନ୍ତୁ ଆପଣ ଏଠି ପ୍ରଶ୍ନ କରି ପାରନ୍ତି, ପ୍ରତିଦିନ ହଜାରେ ଉପରେ ଲୋକ କେମିତି ରୋଜଗାର ହରାଉଛନ୍ତି ? କାରଣ ପ୍ରତିଥର ଭାଷଣ ଏବଂ ନିର୍ବାଚନ ପ୍ରଚାର ସମୟରେ, ସରକାରୀ କଳ ଦ୍ବାରା "ମୁଦ୍ରା ଲୋନ୍ ଯୋଜନା"ର (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ) ଗୁଣଗାନ କରି କୁହାଯାଇଛି ଯେ ଏହା ଭାରତର ସହରୀ ଯୁବପିଢ଼ି ପାଇଁ ନିଜର ବ୍ୟବସାୟ ପ୍ରତିଷ୍ଠାନ ଛିଡା କରିବା, ସ୍ବାବଲମ୍ବୀ ହେବା ତଥା ସହରୀ ବେକାରୀ ସମସ୍ୟାକୁ ଦୂର କରିବାରେ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ଷ ୨୦୧୫ରୁ ୨୦୨୩ ମଧ୍ୟରେ ସମୁଦାୟ ୨୩ ଲକ୍ଷ ୨୦ ହଜାର କୋଟି ଟଙ୍କାର ଋଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ଯୋଗାଇ ଦିଆ ସରିଲାଣି (ଆପଣ ଚାହିଁଲେ ତଥ୍ୟ PMMY site ରୁ ପାଇଯିବେ)। ଗୋଟିଏ ଦେଶର ଯୁବ ପିଢିକୁ ୨୩ ଲକ୍ଷ ୨୦ ହଜାର କୋଟିର ରାଶି ଯୋଗାଇ ଦେବା କିଛି କମ୍ ବଡ଼ କଥା ନୁହେଁ। ଆମ ପରି ଯେକୌଣସି ସାଧାରଣ ନାଗରିକ ନିଶ୍ଚିତ ଭାବିବା ସ୍ବାଭାବିକ ଯେ ଏହା ଦ୍ବାରା ଖାଲି ବେରୋଜଗାରୀ ହଟିବ ତା' ନୁହେଁ ଅନେକ ପିଲା ସ୍ବାବଲମ୍ବୀ ବା ଆଉ ଟିକେ ଅଧୁନିକ ଧାରାରେ କହିଲେ entrepreneur ହୋଇଯାଇଥିବେ ଏବଂ ସେମାନେ ଆହୁରି ଅନେକଙ୍କୁ ରୋଜଗାର ଯୋଗାଇ ଥିବେ। କିନ୍ତୁ ତଥ୍ୟ ଅନୁସାରେ ୨୦୧୫-୨୦୨୩ ମଧ୍ୟରେ ପାଖାପାଖି ୪୦ କୋଟି ଲୋକ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ମୁଦ୍ରା ଋଣର ଲାଭବାନ ହୋଇଛନ୍ତି। ଏବେ ଗୋଟିଏ ଛୋଟିଆ ହରଣ କଲେ ଆପଣ ବୁଝିପାରିବେ ଯେ ଯଦି ୪୦ କୋଟି ଲୋକ ୨୩ ଲକ୍ଷ ୨୦ ହଜାର କୋଟି ଟଙ୍କା ନିଅନ୍ତି ତାହେଲେ ପ୍ରତି ଲୋକ ପିଛା ହାରାହାରି ୫୭୫୦୦ ଟଙ୍କା ପଡୁଛି। ଆଉ ଆଜିର ପରିସ୍ଥିତି ତଥା ଦରଦାମ ହିସାବରେ ଅନୁମାନ ଲଗାଇଲେ, ୫୭୦୦୦ ଟଙ୍କାରେ କେତେ ବଡ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିହେବ? ଅବଶ୍ୟ ଏଇଟା ଅଲଗା କଥା ଯେ ମୁଦ୍ରା ଋଣ ମାଧ୍ୟମରେ କାହାକୁ ୨୦୦୦୦/- ଦିଆ ଯାଇଛି ତ କାହାକୁ ଶହ ଶହ କୋଟି, ସେମାନଙ୍କ ସ°ଖ୍ୟା ଏବଂ ସେମାନେ କିଏ ଏସବୁ ଆପଣ ନିଜେ ବିଚାର କରିପାରିବେ। ଏ ତ ଗଲା ୪୦ କୋଟି ଲୋକଙ୍କୁ ୨୩ ଲକ୍ଷ ୨୦ ହଜାର କୋଟି ଟଙ୍କା ଋଣ ଯୋଗାଇ ଦେବା କଥା। କିନ୍ତୁ ଗର୍ବରେ ଭାଷଣ ଦେଲା ବେଳେ ଏହା ବିଲକୁଲ୍ କୁହା ଯାଇନି ଯେ ଏପର୍ଯ୍ୟନ୍ତ ସେଥିରୁ ୪ ଲକ୍ଷ କୋଟି ଟଙ୍କାର ଋଣ NPA ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଏବଂ ସେଥିରୁ ୫ ହଜାର କୋଟି ଟଙ୍କାର NPA କେବଳ ମହାରାଷ୍ଟ୍ରରୁ ରହିଛି। ଯଦିଓ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ପରେ ବର୍ତ୍ତମାନ ଭାରତୀରେ ହିଁ ଷ୍ଟାର୍ଟ-ଅପ୍ ପାଇଁ ଉପଯୁକ୍ତ ବଜାର ରହିଛି, କିନ୍ତୁ ଆରମ୍ଭ ହୋଇଥିବା ହଜାର ହଜାର ଷ୍ଟାର୍ଟ-ଅପ୍ ସ°ସ୍ଥା ବନ୍ଦ ହୋଇ ଯାଉଛନ୍ତି ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କାର କ୍ଷତି ହେଉଛି। ଏ ସମସ୍ତ ଷ୍ଟାର୍ଟ-ଅପ୍ ମଧ୍ୟରୁ ବଡବଡ ଷ୍ଟାର୍ଟ-ଅପ ଯେଉଁଥିରେ ଭାରତର ବଡବଡ କର୍ପୋରେଟ ସ°ସ୍ଥା ଏବଂ ବହୁଦେଶୀୟ କମ୍ପାନୀର ମଧ୍ୟ ଅ°ଶଧନ ଲାଗିଥିଲା, ଯେଉଁ ମାନଙ୍କ ଆସେଟର ମୂଲ୍ୟ ଶହ ଶହ କୋଟି ଥିଲା, ସେମିତି ସମୁଦାୟ ୮୦ଟି ଷ୍ଟାର୍ଟ-ଅପ୍ ସ°ସ୍ଥା ବନ୍ଦ ହୋଇଯାଇଛନ୍ତି। ବିଶେଷଜ୍ଞଙ୍କ ମତରେ ଏବେକା ଭାରତ ସରକାରଙ୍କ ଅର୍ଥନୀତି କେବଳ ବଡ଼ବଡ଼ କର୍ପୋରେଟ ସ°ସ୍ଥା ଗୁଡିକୁ ବ୍ୟାଙ୍କ୍ ମାଧ୍ୟମରେ ଅର୍ଥ ବା ଋଣ ଯୋଗାଇବାରେ ହିଁ ସହାୟକ ହେଉଛି। ଯାହା ଛୋଟଛୋଟ ଷ୍ଟାର୍ଟ-ଅପ୍ ତଥା ଛୋଟ ଏବଂ ମଧ୍ୟମ ଧରଣର industryର ବଜାରକୁ ଗିଳିଦେବା ସଦୃଶ କାମ କରୁଛି। ଛୋଟଛୋଟ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଦେବାଳିଆ ହୋଇ ବନ୍ଦ ହୋଇ ଯାଉଛନ୍ତି। କେବଳ ମୁଦ୍ରା ଋଣ ମାଧ୍ୟମରେ ଖୋଲିଥିବା ଷ୍ଟାର୍ଟ-ଅପ୍ ନୁହେଁ ସରକାରଙ୍କ ଦ୍ବାରା ପାର୍ଲିଆମେଣ୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପାଖାପାଖି ୧୦୬୬୫ଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠାନ (MSME) ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛନ୍ତି। ଅଖିଳ ଭାରତୀୟ ନିର୍ମାତା ସ°ଗଠନ ଅନୁସାରେ ଦେଶରେ ବର୍ତ୍ତମାନ ମହଜୁଦ ଥିବା ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠାନ ମଧ୍ୟରୁ ୩୫% ପ୍ରତିଷ୍ଠାନ ଭୀଷଣ କ୍ଷତି ସହୁଥିବାରୁ ଯେକୌଣସି ମୂହୁର୍ତ୍ତରେ ମଧ୍ୟ ବନ୍ଦ ହୋଇ ଯାଇ ପାରନ୍ତି।
କୌଣସି ସରକାରୀ ସ୍ତରରେ ଦରଦାମ ନିୟନ୍ତ୍ରଣ କିପରି କରାଯିବ, ଲୋକଙ୍କ ଉପରେ EMIର ଭାର କେମିତି କମ୍ କରା ଯିବ, ଏ ସବୁକୁ ନେଇ ଉପାୟ ବିଷୟରେ ଆଲୋଚନା କରା ଯାଉ ନାହିଁ। ଯେଉଁ ଚିକିମିକିଆ ବିଜ୍ଞାପନ ଅଧିକ GST ଆଦାୟକୁ ନେଇ ଲୋକଙ୍କୁ ଦେଖା ଯାଉଛି, ସେଥିରେ ଆଦୌ ଜଣାଇ ଦିଆ ଯାଉନି ଯେ, ଦରଦାମ ବଢିଲେ GST ଆଦାୟ ଆପେ ବଢିବ। ଲୋକ ନିଜ ଅଜାଣତରେ ଅଧିକ ଟ୍ୟାକ୍ସ ଦେଇ ଚାଲୁଛନ୍ତି। ଏଠି ଟ୍ୟାକ୍ସର ଅର୍ଥ କେବଳ ଆର୍ଥିକ ବର୍ଷ ଶେଷରେ ବେତନଧାରୀଙ୍କ ଦ୍ଵାରା income tax ପଇଠ କରିବା ନୁହେଁ, ଆପଣ ନିଜର ଗ୍ୟାସ୍ ସିଲିଣ୍ଡର ଡେଲିଭରୀ ବିଲ୍ ଠୁ ଆରମ୍ଭ କରି ରେଷ୍ଟୋରାଣ୍ଟରେ ଖାଇବା ପରେ ପଇଠ କରିଥିବା ବିଲ୍ କିମ୍ବା ଘରକୁ ଆଣିଥିବା ଫ୍ୟାନ୍, ଗ୍ରାଇଣ୍ଡର, ଏସି କିମ୍ବା ୧୦ ଟଙ୍କିଆ ବିସ୍କିଟ୍ ପ୍ୟାକେଟ୍ ବି ଉଠାଇ ଦେଖନ୍ତୁ, ସବୁଠି ଆପଣ ଟ୍ୟାକ୍ସ ଦିଅନ୍ତି। କୌଣସି ନିର୍ବାଚନ ରାଲିରେ କିମ୍ବା ଡିବେଟରେ ଆଲୋଚନା କରା ଯାଉନି ଯେ, ଏଇ ଫେବୃଆରୀ ଶେଷରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ବଜେଟ ପ୍ରସ୍ତୁତ କରାଯାଇଥିଲା ବେଳେ ସରକାରୀ ପାଣ୍ଠିରେ ଅର୍ଥ ଅଭାବରୁ ଘୋଷଣା କରାଯାଇଥିବା ସମସ୍ତ ପ୍ରୋଜେକ୍ଟ ଭିତରୁ ପାଖାପାଖି ୩୫୦ଟି ଯୋଜନା ୩ -୪ ମାସ ବିଳମ୍ବରେ ଚାଲିଛନ୍ତି, ଏବଂ ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଅତିରିକ୍ତ ୪ ଲକ୍ଷ କୋଟି ଟଙ୍କାର ବୋଝ ବଢାଇବ। ୨୦୧୪ର ୨୦୨୨ ଭିତରେ ଘୋଷଣା କରା ଯାଇଥିବା ସମୁଦାୟ ୩୫୫ଟି ଯୋଜନାର କାମ ୫ ବର୍ଷ ପଛୁଆ ଚାଲିଛନ୍ତି। ନିର୍ମାଣ ବା infrastructure ଆଧାରିତ ୩୪୬ଟି (୧୭୧ ଟି ଯୋଜନା ୨ ବର୍ଷ ପଛୁଆ ଏବଂ ୧୭୨ ଟି ଯୋଜନା ବର୍ଷେ ଲେଖା ପଛୁଆ ଚାଲିଛନ୍ତି) ଯୋଜନା କେବଳ ଉପଯୁକ୍ତ ସରକାରୀ ସହାୟତା
ନଯୋଗାଇ ପାରିବା କାରଣରୁ ବିଳମ୍ବରେ ଚାଲିଛି। ସରକାରୀ ସହାୟତାର ଅର୍ଥ ଭୂମି ଅଧିଗ୍ରହଣ, ଫଣ୍ଡି°, ଜଙ୍ଗଲ ଏବଂ ପରିବେଶ ସ°ରକ୍ଷଣ, ବୃକ୍ଷକଟା ଏମିତି ଅନେକ ରହିଛି। ସେହି ୩୪୬ ଟି ଯୋଜନାର କାମରେ ବିଳମ୍ବ ପାଇଁ ଦେଶର ଅର୍ଥନୀତି ଉପରେ ଏହାଦ୍ବାରା ଅତିରିକ୍ତ ୪ ଲକ୍ଷ ୪୬ ହଜାର କୋଟି ଟଙ୍କାର ଋଣଭାର ବା ବୋଝ ବଢି ଯାଇଛି। ନିର୍ବାଚନ ପୂର୍ବରୁ ଘୋଷଣା କରା ଯାଉଥିବା ନୂତନ ପ୍ରକଳ୍ପ ବିଷୟରେ କହିଲା ବେଳେ ଆଦୌ ଜଣାଇ ଦିଆ ଯାଉନି ଯେ ଚଳିତ ବର୍ଷର ବଜେଟ୍ ଘୋଷଣା ସମୟରେ ବିତ୍ତ ମନ୍ତ୍ରୀ ଯେଉଁ ୪ ଲକ୍ଷ ୪୭ ହଜାର କୋଟି ଟଙ୍କାର Govt Sponsored Scheme ଯେମିତିକି ସ୍ବଚ୍ଛ ଭାରତ ମିଶନ୍, MGNREGA, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅମ୍ରିତ ଓ ସ୍ମାର୍ଟ ସିଟି ଯୋଜନା, National Rural Drinking Water Mission, National Health Mission, National Education Mission, Umbrella Integrated Child and Employment Development Services ଗୁଡିକ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ ତା' ପାଇଁ ମଧ୍ୟ ସରକାର ପାଖରେ ପାଣ୍ଠି ନାହିଁ। ଆଗରୁ ଧିମା ଗତିରେ ଚାଲିଥିବା ଏହି ଯୋଜନା ଗୁଡିକ କହିବାକୁ ଗଲେ ଏକପ୍ରକାର ଠପ୍ ହୋଇ ଯାଇଛି। ମୁଁ ଜାଣିଛି ଏସବୁ ତଥ୍ୟ ପଢିସାରିଲେ ବି ଆପଣଙ୍କୁ ବିଲକୁଲ୍ ବି ବିଶ୍ୱାସ ହେଉନଥିବ ଯେ ଆମ ଦେଶର ସରକାରୀ ଯୋଜନା ପାଇଁ ପାଣ୍ଠି ନାହିଁ। କାରଣ ଆପଣ ଜାଣନ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଯେଉଁ ସରକାରୀ ଗାଡିର ବ୍ୟବହାର କରୁଛନ୍ତି ତା'ର ମୂଲ୍ୟ ହେଉଛି ୧୫ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ଯେତେବେଳେ ବି ଦେଶ ଭିତରେ ଗସ୍ତରେ ଯାଆନ୍ତି ସମୁଦାୟ ୬ଟି ଗାଡିର ଶୋଭାଯାତ୍ରା ଯାଏ ଅର୍ଥାତ ସମୁଦାୟ ୯୦ କୋଟି ଟଙ୍କାର ଖାଲି ଗାଡି ପାଇଁ ଖର୍ଚ୍ଚ ହୋଇଛି। ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଯେଉଁ ଉଡାଜାହଜରେ ଯାତ୍ରା କରନ୍ତି ତା'ର ମୂଲ୍ୟ ୮୮୦୦ କୋଟି ଟଙ୍କା। ୨୦୧୪ରୁ ୨୦୨୩ ଭିତରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସମୁଦାୟ ୨୩୨ ଟି ଯୋଜନାର ପ୍ରଚାର ପାଇଁ, ପ୍ରଧାନମନ୍ତ୍ରୀଙ୍କ ଫଟୋ ଥାଇ ଯାଉଥିବା ବିଜ୍ଞାପନ ଯାହା ଆମେ ଟିଭି, ଖବରକାଗଜ, ସୋସିଆଲ୍ ମିଡ଼ିଆ ଏବଂ ହୋର୍ଡି° ଗୁଡିକରେ ଦେଖୁ ତା' ପାଇଁ ପ୍ରତି ମିନିଟ୍ ପିଛା (ସବୁ ମନ୍ତ୍ରଣାଳୟ) ୫୫- ୬୫୦୦୦ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୁଏ। ହିସାବ କଲେ ଗତ ୮ ବର୍ଷ ଭିତରେ ଏହା ୨୨, ୮୦୯ କୋଟି ଟଙ୍କା ହୁଏ। ପ୍ରତିଥର ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ବିଭିନ୍ନ ଗସ୍ତ କରନ୍ତି, ସେଇ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦେଶର ସରକାରୀ ପାଣ୍ଠିରୁ (ଯଦିଓ ପ୍ରଚାର ଭାଜପା ପାଇଁ ହୁଏ) ପ୍ରତି ମିନିଟରେ ୪୨୩୧ ଟଙ୍କା ଖର୍ଚ୍ଚ ହୁଏ। ତା' ହେଲେ ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ପାଣ୍ଠି କାହିଁକି ଅଣ୍ଟେନି? କାହିଁକି ଶହ ଶହ ଷ୍ଟାର୍ଟ-ଅପ୍ ବନ୍ଦ ହୋଇଯାଏ? କାହିଁକି ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଆନ୍ତି? କାହିଁକି ଭାରତର ଆର୍ଥନୀତି ବିପଦରେ ଅଛି ବୋଲି ବିଶ୍ବ ବ୍ୟାଙ୍କ ଏବଂ IMF ଆଶଙ୍କା ଜାହିର କରେ? ସେ ବିଷୟରେ କେହି ଆଲୋଚନା କରନ୍ତିନି!
ଏହି ମାସ ପ୍ରଥମାର୍ଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ବିଶ୍ବ ବ୍ୟାଙ୍କ ଏବଂ IMFର ବୈଠକରେ ଯୋଗ ଦେବା ଅବସରରେ ଯେତେବେଳେ ଆଶଙ୍କା ଜାହିର କରାଯାଇଥିଲା ଯେ ବିଶ୍ବ ଆର୍ଥିକ ମାନ୍ଦାବସ୍ତାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ରହିବ। ସେତେବେଳେ ଉଭୟ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଏବଂ RBI Governer ଜୋର୍ ଦେଇ କହିଥିଲେ ଯେ "ବିଶ୍ବ ମାନ୍ଦାବସ୍ଥାର କୁପ୍ରଭାବ ଭାରତ ଉପରେ ଆଦୌ ପଡିବାକୁ ଦିଆ ଯିବନି। ଏହା ଖୁବ ସୁଦୃଢ।" ଦେଶର ଅର୍ଥମନ୍ତ୍ରୀଙ୍କ ବୟାନ ଶୁଣି ଏବଂ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଚାକଚକ୍ୟ ଆଉ ବିକାଶମୂଳକ ଯୋଜନା ଘୋଷଣାର ଲମ୍ବା ଧାଡି ଦେଖି ଆଖି ଖୋସି ହୋଇ ଯାଉଛି। ମନରେ ପ୍ରଶ୍ନ ଆସୁଛି, ଏ ଚିକିମିକିଆ ଖବର କୁହୁଡି ଖାଲି ଆମ ପରି ଭୋଟର୍ ମାନଙ୍କ ଚକ୍ଷୁବନ୍ଧନ ପାଇଁ ନୁହଁ ତ?