ମଣିପୁର ଆମକୁ କ୍ଷମା ଦେବ ତ?

ମଣିପୁର ଆମକୁ କ୍ଷମା ଦେବ ତ?

       ଏତେ ବର୍ଷ ICUରେ କାମ କରିବା ଭିତରେ ଲକ୍ଷ୍ୟ କରିଛି, ଯଦି ଜଣେ ମଣିଷ stuporous (ଜାଗ୍ରତ ଏବଂ ଅଚେତ ଅବସ୍ଥାର ମଝାମଝି, ସମ୍ପୂର୍ଣ୍ଣ ଅଚେତ ବା comatosed ନୁହେଁ) stateରେ ବି ଥାଏ, ନିଜ ନାଁ, ଠିକଣା, ଏବେ କେଉଁଠି ଅଛି କହିବାରେ ଅସମର୍ଥ ଥାଏ…..ତଥାପି ଯେତେବେଳେ ସେଇ ମଣିଷର ପରିଶ୍ରାନଳୀ ବା urination catheter ଲଗାଇବା ପାଇଁ ତା' ଶରୀରର ନିମ୍ନା°ଶ କିମ୍ବା ମହିଳା ରୋଗୀର ECHO କି ECG କରିବା ପାଇଁ ବକ୍ଷରୁ କପଡା ହଟାଯାଏ, ସେ ସେଇ ଅବସ୍ଥାରେ ମଧ୍ୟ ନିଜ ଶରୀରକୁ ଢାଙ୍କିବା ପାଇଁ ଚେଷ୍ଟା କରେ। ୮୦ବର୍ଷ ବୟସ୍କ ବୃଦ୍ଧା କ'ଣ ବୃଦ୍ଧ ହେଲେ ବି ସେଇ ସମାନ reaction ଥାଏ। ରୋଗୀ ଅଚେତ ଥିଲେ ଆମେ ତାଙ୍କ ଆତ୍ମୀୟଙ୍କୁ ଜଣାଇ, consent ନେଇ କାମ ଆରମ୍ଭ କରୁ। ଆପଣ ଆଜି ଚେଷ୍ଟା କରି ଦିନର ଆଲୋକରେ ନିଜ ମା' ଆଗରେବି ଥରେ କପଡା ବଦଳେଇବା ପାଇଁ ଚେଷ୍ଟା କଲେ! ଘରେ କେହି ନଥିଲେ ବି ନିଜ Living Room ବା ବୈଠକରେ ଠିଆ ହୋଇ କପଡା ବଦଳେଇବା ପାଇଁ ଚେଷ୍ଟା କଲେ। ଗୋଟିଏ ବନ୍ଦ କୋଠରୀ ଭିତରେ ବି ଏକୁଟିଆ କ୍ୟାମେରା ଆଗରେ ନିର୍ବସ୍ତ୍ର ହୋଇ ଚାଲିବା ପାଇଁ ଚେଷ୍ଟା କଲେ…….ପାରିବେ? ତାହେଲେ ଭାବିଲେ ଯେତେବେଳେ ୮୦୦- ୧୦୦୦ ଲୋକଙ୍କ ଗୋଟିଏ ହି°ସ୍ର ଭିଡ ସାମନାରେ ଦୁଇ ଜଣ ଝିଅଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରାଯାଇ, ତାଙ୍କୁ ଗାଁ ସାରା ଚଲେଇ ନେବା ଅବସ୍ଥାରେ ତାଙ୍କ ସ୍ତନ ଏବଂ ଯୋନୀରେ ଅଗଣିତଥର ତାଙ୍କ ଇଚ୍ଛା ବିରୁଦ୍ଧରେ ସ୍ପର୍ଶ କରା ଯାଇଥିବ, ସେମାନଙ୍କୁ କ୍ଷେତ ଆଡକୁ ଟାଣି ନେଇ ବଳାତ୍କାର କରା ଯାଇଥାଇ ପାରେ…….କ'ଣ ହୋଇଥିବ ସେଇ ଝିଅ ମାନଙ୍କ ମାନସିକ ସ୍ଥିତି!

         ମୁଁ ଜାଣେ, ଆପଣ ଜାଣି ସାରିବେଣି ଯେ ମୁଁ ମଣିପୁରରୁ ସଦ୍ୟ ପ୍ରଘଟିତ ହୋଇ ଥିବା ଦୁଇଟି ଝିଅଙ୍କ ଉପରେ ଯୌନନିର୍ଯାତନା ବିଷୟରେ କହୁଛି। ଏହା କେବଳ ଯୌନନିର୍ଯାତନା ନୁହେଁ ତ ଦଳେ ଅମଣିଷ, ହି°ସ୍ର, ବର୍ବରଙ୍କର ସମ୍ପୂର୍ଣ୍ଣ ମାନବ ସମାଜ ଓ ସଭ୍ୟତାର ଧର୍ଷଣ (ସେ ଅସଭ୍ୟ ମାନଙ୍କ ପାଇଁ ମଣିଷ/ ବ୍ୟକ୍ତି/ ଲୋକ ପରି ଶବ୍ଦ ମୁଁ ପ୍ରୟୋଗ କରି ପାରିବି ନାହିଁ, "ପଶୁ" ଶବ୍ଦ ତ ଆଦୌ ନୁହେଁ। ପଶୁମାନେ ତ ସବୁବେଳେ ହିଁ ମଣିଷଠାରୁ ଅଧିକ ଶୃଙ୍ଖଳିତ)। ଗତଥର "ମଣିପୁର, ମୌନବ୍ରତ ଓ ମନକୀ ବାତ୍" ଲେଖା ଲେଖିଲା ବେଳେ ବି କହିଥିଲି ଯେ, "ଏ ହି°ସାର କାରଣ, ଏହା ପଛରେ କ'ଣ କାହାଣୀ, କିଏ ଏମିତି ଗଣ୍ଡଗୋଳ ଆରମ୍ଭ କଲା, କ'ଣ ସବୁ ରହିଛି ଏହା ପଛର କଥା, କାହା କାହା ଭିତରେ ଗଣ୍ଡଗୋଳ, କେମିତି ସେଠି ଇଣ୍ଟରନେଟ୍ ସେବା ବନ୍ଦ ଅଛି, କେମିତି ସେଠି ସେନା ଛାଉଣୀ ହୋଇଛି ଏସବୁ ବିଷୟରେ ଆପଣ ଏହା ଭିତରେ ଅନେକ ରିପୋର୍ଟ ପଢି ସାରିବେଣି। ତେଣୁ ସେ ସବୁ କଥାର ପୁନରାବୃତ୍ତି ମୁଁ ଜରୁରୀ ଭାବୁନି।" ଇତିହାସ ଏବଂ ବର୍ତ୍ତମାନର ହି°ସାର ସବିଶେଷ ବିବରଣୀ ଗତ ୭୯ -୮୦ ଦିନ ହେଲା ଅନେକ ବୁଦ୍ଧିଜୀବୀ ଆପଣ ମାନଙ୍କ ଆଗରେ ରଖି ଆସୁଛନ୍ତି, କିନ୍ତୁ ଆପଣ ମାନଙ୍କୁ ହୁଏତ ତାହା ଛୁଇଁ ପାରିନି, ସେଇଥିପାଇଁ ବି ଆଉ ସବିଶେଷ ବିବରଣୀ ଦେବା ଜରୁରୀ ଭାବୁନି। ସେଇଥିପାଇଁ ଭାବିଛି ଯେଉଁ କଥା (ଖବର) ଆପଣଙ୍କୁ ମଣିପୁର ଆଡ଼କୁ ଅନେଇବା ପାଇଁ, France ପରି ସେଠି ବି କ'ଣ ଗୋଟେ ହି°ସା ଘଟୁଛି ଭାବିବା ପାଇଁ, ମଣିପୁର ବି ଆମ ଦେଶର ଗୋଟିଏ ରାଜ୍ୟ ମନେ ପକାଇବା ପାଇଁ, ମଣିପୁରରେ ବି ଆମ ପରି ରକ୍ତ, ମା°ସ, ହାଡ ଆଉ ଘର-ପରିବାର ଥିବା ୨୮ ଲକ୍ଷ ଲୋକ ବାସ କରନ୍ତି ଭାବନା ସୃଷ୍ଟି କରିବା ପାଇଁ ମଜବୁର୍ କରିଛି, କେବଳ ସେଇ ଘଟଣା ବିଷୟରେ କହିବି। କାରଣ ଏହା ପୂର୍ବରୁ ଯେତେବେଳେ ୭ ଜୁନରେ ଗୋଟିଏ ୫ ବର୍ଷର ଛୁଆକୁ ଜୀଅନ୍ତା ଆମ୍ବୁଲାନ୍ସ ଭିତରେ ଜାଳି ଦିଆଯିବାର ଖବର ଆସିଥିଲା, ପଢିକି ବି ଆପଣଙ୍କୁ ସେଇଟି ଛୁଇଁ ପାରି ନଥିଲା। ଯେତେବେଳେ ୫୦,୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇ ଯାଇଥିବା ନେଇ ଖବର ଆସୁଥିଲା, ସେତେବେଳେ ବି ଆପଣଙ୍କୁ ଫରକ ପଡି ନଥିଲା। ଯେତେବେଳେ ୧୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରଣ ହରାଇ ସାରିଲେଣି ଶୁଣୁଥିଲେ ସେତେବେଳେ ବି ଆପଣଙ୍କ ମନରେ ତରଙ୍ଗ ସୃଷ୍ଟି ହୋଇନଥିଲା। ଯେତେବେଳେ ବାରମ୍ବାର ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍ କରା ଯାଉଥିଲା, ଆପଣ ଭାବୁଥିଲେ "ହେଃ! ରାଜନୀତି"! ତେଣୁ ଆମେ ଖାଲି ଆପଣଙ୍କୁ ମଣିପୁର ବିଷୟ ମନେ ପକାଇଦେଇଥିବା ଘଟଣା ବିଷୟରେ କଥା ହେବା।

         ବୁଧବାର (୧୯/୭/୨୩) ମୋର ଛୁଟି ଥାଏ। ମଙ୍ଗଳବାର, ଦିନ ଆଉ ରାତି ମିଶାଇ ୧୮ ଘଣ୍ଟା ଲଗାତାର ICU ଭିତରେ ରହି, ବାହାରକୁ ବାହାରିଲା ବେଳକୁ ମୁଣ୍ଡରେ ଖାଲି ଗୋଟିଏ କଥା ଥାଏ କେମିତି ଘରେ ଯାଇ ଟିକେ ଶୋଇବି, ବାକି ସବୁ ପରେ। ଅତି ସ୍ବାଭାବିକ ଭାବରେ ଖାଇ, ଶୋଇ, ଉଠି ଦୁଇ ଭଉଣୀ ସନ୍ଧ୍ୟାରେ ଏମିତି ଟିକେ ପାଖ ବଜାରରୁ ବୁଲି ଆସି, ରାତି ୯ଟାରେ ହଠାତ୍ ଦେଖିଲା ବେଳକୁ ସୋସିଆଲ ମିଡ଼ିଆରେ ମଣିପୁରରେ ଦୁଇ ଝିଅଙ୍କ ପ୍ରତି ହୋଇଥିବା ଅମାନୁଷିକ କାଣ୍ଡ ନଜରକୁ ଆସିଲା। ଖବରଟି କ'ଣ ଜାଣିବା ପାଇଁ ବିଭିନ୍ନ ଖବରପ୍ରଦାନକାରୀ ସ°ସ୍ଥାର digital pageକୁ ଯାଇ ଖୋଜି ପକାଇଲି। ମୋ search ମୁତାବକ India Today North East ଦ୍ବାରା ପ୍ରଥମେ ସ°ନ୍ଧ୍ୟା ୬:୩୦ରେ ଏହି ଖବରଟି ପ୍ରକାଶ କରାଯାଇଥିଲା (ଆଉ କେଉଁ ସ°ସ୍ଥା ଏହାଠାରୁ ଆଗରୁ ପ୍ରକାଶ କରିଥାଇ ପାରେ, ମୋ ନଜରକୁ ଆସିନି)। ପ୍ରଥମେ ଯାହା ପଢିଲି ଘଟଣାଟି କେବେ ଘଟିଥିଲା ହଠାତ୍ ସଠିକ୍ ଭାବରେ ଜାଣି ପାରିଲି ନାହିଁ। ତା'ପରେ ବହୁତ ଗୁଡିଏ ରିପୋର୍ଟ ପଢିବା ପରେ ଜାଣିଲି ଯେ ଏହା  ମେ' ୪, ୨୦୨୩ର ଘଟଣା। ୩ ମେ' ୨୦୨୩ରେ ପ୍ରଥମେ ମଣିପୁର ହି°ସା ଆରମ୍ଭ ହେଲା (ଆପଣଙ୍କ ଦାୟିତ୍ୱ କେମିତି trigger ହେଲା ଖବର ସ°ଗ୍ରହ କରିବେ)। ୟାର ଗୋଟିଏ ଦିନ ପରେ, ୪ ମେ' ୨୦୨୩ରେ ଗୋଟିଏ କୁକି ଜନଜାତିର ଦଳଙ୍କୁ ମଣିପୁର ପୁଲିସ କାବୁ କରି ଥାନାକୁ ନେଉଥାଏ। ସେହି ସମୟରେ ଗୋଟିଏ ମୈତୈୟୀ ଗାଁରେ ଗୋଟିଏ ଭିଡ ଦ୍ବାରା ସେହି ପୁଲିସ ଗାଡିକୁ ଅଟକା ଯାଇ କୁକି ଜନଜାତିର ଲୋକ ମାନଙ୍କୁ ତଳକୁ ଓହ୍ଲା ଯାଏ। ସେହି କୁକି ଦଳରେ ଏହି ଝିଅ ମଧ୍ୟ ଥା'ନ୍ତି। ସେମାନଙ୍କୁ ଦଳରୁ ଅଲଗା କରି ଠିଆ କରି ପ୍ରଥମେ ନିର୍ବସ୍ତ୍ର କରାଯାଏ। ଗୋଟିଏ ଝିଅର ଭାଇ ଯେତେବେଳେ ନିଜ ଭଉଣୀକୁ ବଞ୍ଚାଇବା ପାଇଁ ଚେଷ୍ଟା କରେ ଦଙ୍ଗାର ସେଇ ଭିଡ ତାକୁ ହତ୍ୟା କରିଦିଏ। ସେଇ ଝିଅ ଦୁଇ ଜଣଙ୍କୁ ତା'ପରେ ଉଲଗ୍ନ କରି ଗାଁର ରାସ୍ତାରେ, ଭିଡ ଏବଂ କ୍ୟାମେରା ସାମନାରେ ଚଲେଇ ଚଲେଇ ନିଆଯାଏ। ସେହି ଚଲେଇ ନେବା ଅବସ୍ଥାରେ କିଛି ଦୁର୍ବୃତ୍ତ ଝିଅ ମାନଙ୍କ ଶରୀରରକୁ ଆପତ୍ତିଜନକ ଭାବରେ ଛୁଉଁଥା'ନ୍ତି। ତା'ପରେ ସେମାନଙ୍କୁ କ୍ଷେତ ଆଡକୁ ନିଆଯାଏ। ପ୍ରଥମେ ଯଦିଓ ଗ୍ୟାଙ୍ଗରେପର ଆଶଙ୍କା କରା ଯାଉଥିଲା, ଗତକାଲି ପିଡୀତାର ବୟାନରୁ ଜଣା ପଡିଛି ଯେ, ଯଦିଓ ସେମାନେ ପ୍ରଥମେ ଧର୍ଷଣ ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ପରେ ସେମାନଙ୍କୁ ସେମିତି ଲହୁଲୁହାଣ ଅବସ୍ଥାରେ କ୍ଷେତରେ ଛାଡି ଚାଲି ଯାଇଥିଲେ। କ୍ଷତାକ୍ତ ଏବଂ ଉଲଗ୍ନ ଅବସ୍ଥାରେ ସେ ଝିଅ ମାନେ ପାଖର ଗୋଟିଏ ଜନଜାତି ଗ୍ରାମରେ ଶରଣ ନେଲେ। ଏବଂ ୧୮ ମେ' ୨୦୨୩ ରେ ଏ ଘଟଣାକୁ ନେଇ FIR ହେଲା। ଗତ ତିନି ମାସ ହେଲା ମଣିପୁରରେ ଇଣ୍ଟରନେଟ ବନ୍ଦ ଅଛି, ମୁଖ୍ୟଧାରାର ମିଡିଆ ମଣିପୁର ବିଷୟରେ ଖବର ଦେଖାଉ ନାହିଁ, ଅନେକ ସାମ୍ବାଦିକ ଏବଂ ବୈଦେଶିକ ସ°ସ୍ଥାକୁ ମଣିପୁରର access ନାହିଁ। ତେଣୁ ଏହି ଘଟଣା ବିଷୟରେ ସାଧାରଣ ଜନତାଙ୍କ ପାଖରେ ଖବର ପହଞ୍ଚିବା ନିଶ୍ଚିତ ଭାବରେ ଅସମ୍ଭବ। କିନ୍ତୁ FIR ପରେ ଯେ ଏପରି ଜଘନ୍ୟ କାଣ୍ଡର ଖବର ରାଜ୍ୟ ପୁଲିସ, ରାଜ୍ୟ ସରକାର, ରାଜ୍ୟ ଗୃହମନ୍ତ୍ରଣାଳୟ ପାଖରେ ନଥିବ, ବିଶ୍ୱାସଯୋଗ୍ୟ ଲାଗେ କି? ପୁଣି ରାଜ୍ୟ ଏବଂ କେନ୍ଦ୍ରରେ ଯେତେବେଳେ ସମାନ ଦଳର ସରକାର ଅଛି ଏବଂ ଦେଶର ଗୋଟିଏ ରାଜ୍ୟ ଭିତରେ ଏମିତି ଗୃହଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି ସେତେବେଳେ କେନ୍ଦ୍ର ସରକାର, କେନ୍ଦ୍ର ଗୃହମନ୍ତ୍ରଣାଳୟ, କେନ୍ଦ୍ର ରକ୍ଷା ବିଭାଗ ଏବଂ କେନ୍ଦ୍ର ମହିଳା ତଥା ବାଳବିକାଶ ମନ୍ତ୍ରଣାଳୟ ଏ ବିଷୟରେ ଅବଗତ ନଥିବ, ଏହା ବି ବିଶ୍ୱାସଯୋଗ୍ୟ ଲାଗେ କି? ଇତିହାସରେ ଯେକୌଣସି ଦଙ୍ଗା ସମୟରେ ମହିଳା ମାନଙ୍କ ଉପରେ ଯୌନନିର୍ଯାତନାର ଆଶଙ୍କାକୁ କେହି ଏଡାଇ ପାରେ କି? କିନ୍ତୁ ଗତ ଦୁଇ ଦିନର ଏ ସମସ୍ତ ମନ୍ତ୍ରୀ ଏବଂ ମନ୍ତ୍ରଣାଳୟର ବୟାନ ଦେଖିଲେ ତ ଜଣା ପଡୁଛି, ଆମ ପରି ଏମାନେ ବି ସେଇ ୧୯ ତାରିଖରେ ହିଁ ଅବଗତ ହୋଇଛନ୍ତି! ତା'ହେଲେ ଆମ ଦେଶର ଆନ୍ତରିକ ସୁରକ୍ଷା ସୁରକ୍ଷିତ ଅଛି ତ? ଅବଶ୍ୟ ଆମ ଦେଶକୁ ଯେକୌଣସି ସୀମା ହୈଦର୍ PUBG ପ୍ରେମ କରି ଭାବି ବନି କେତେବେଳେ ବି ପ୍ରବେଶ କରି ପାରୁଛି। ଛାଡନ୍ତୁ ସେ କଥା। ସେଇ ଭିତରେ ୫ ମେ'ରେ "ଦ କେରଲା ଷ୍ଟୋରୀ" ଫିଲ୍ମ ରିଲିଜ କଥା ମନେ ଥିବ ଆପଣଙ୍କର, ଏତେ ଚର୍ଚ୍ଚିତ ଫିଲ୍ମକୁ ଆପଣ ଭୁଲି ନଥିବେ ନିଶ୍ଚୟ। ପ୍ରଚାର, କର୍ଣ୍ଣାଟକା ନିର୍ବାଚନ ସମୟରେ ଖୋଦ୍ ଆମ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଏବଂ ମହିଳା ଓ ବାଳ ବିକାଶ ମନ୍ତ୍ରୀ କରିଥିଲେ ପରା! କେରଳର ମହିଳା ମାନଙ୍କ କ୍ଷେତ୍ରରେ ହେଉଥିବା ଷଡ଼ଯନ୍ତ୍ର ଦେଖି ପରା ଆମ ମାନନୀୟା ମନ୍ତ୍ରୀ ମହୋଦୟା କହିଥିଲେ "ଏ ଫିଲ୍ମ ଯିଏ ନଦେଖିବ ସେ ଆତଙ୍କବାଦୀ".....ତା' ହେଲେ ମଣିପୁରରେ ଘଟିଥିବା ଏ ଜଘନ୍ୟ କାଣ୍ଡକୁ ଆପଣ କି ଜିହାଦର ନାମ ଦେବେ? କେହି ଜଣାଇଲେନି ତ ଆମକୁ। ଛାଡନ୍ତୁ ଏମିତିରେ ବି "ଲଭ୍ ଜିହାଦ" କହି ଯେଉଁ ଜଘନ୍ୟ ହତ୍ୟା ଘଟଣା ଗୁଡିକରେ ବହେ ଖବର ଏବଂ ପୋଷ୍ଟ ଆସିଥିଲା, ଆପଣ ମାନଙ୍କ ରକ୍ତ ତତେଇ ଦେଇଥିଲା, ସେ ସବୁ ଘଟଣାରେ ଦୋଷୀକୁ ଦୃଷ୍ଟାନ୍ତମୁଳକ ଦଣ୍ଡ ମିଳିଲାଣି କି ନାଇଁ ଥରେ ପଚାରି ଦେଖିବେ ତ?

        ଯେତେବେଳେ ଏ ଘଟଣାର ଯାଞ୍ଚ୍ କରାଗଲା ଆଉ ଗୋଟିଏ ଭିଡିଓ ସାମନାକୁ ଆସିଲା। ଜଣେ ମୈତୈୟୀ ଯୁବକ fake news ପ୍ରଚାରରେ ଲାଗିଥିଲା। ମଥୁରା କିମ୍ବା ଦିଲ୍ଲୀର ଗୋଟିଏ ପୁରୁଣା ଭିଡିଓ ସେୟାର କରି ସେହି ଯୁବକ ମୈତୈୟୀ ସମାଜରେ fake news ପ୍ରଚାର କରିଥିଲା ଯେ, କେମିତି କୁକି ଜନଜାତି ଦ୍ବାରା ମୈତୈୟୀ ମହିଳା ମାନଙ୍କ ଉପରେ ଯୌନ ଅତ୍ୟାଚାର କରା ଯାଉଛି! ବାସ୍, ତା'ପରେ ଗୋଟିଏ ରାଗ, ହି°ସା, ଦ୍ବେଷ ମୁଡରେ ଥିବା ଭିଡକୁ କ'ଣ କେବେ କେହି ବୁଝାଇ ପାରେ? ଭିଡ ବା mob କ'ଣ କେବେ logic ଦେଖେ? ଯଦି ଦେଖୁଥା'ନ୍ତା ତା' ହେଲେ ଏଇ ଗତ ସପ୍ତାହରେ ହରିଦ୍ବାରରେ ଶ୍ରାବଣମାସର କାଉଡ଼ିଆଙ୍କର ଗୋଟିଏ ଭିଡ ଏକ ସାମାନ୍ୟ ଘଟଣାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ମୁସଲମାନ୍ ଭାବି ବାଡେଇ ନଥାନ୍ତେ, ତାଙ୍କ ପରିବାରକୁ ଗାଡିରୁ ଟାଣି ଓହ୍ଲାଇ ନଥାନ୍ତେ, ତାଙ୍କ ଗାଡିକୁ ଭାଙ୍ଗି ନଥାନ୍ତେ। ସେ ଖାଲି ଗୋଟିଏ ଭିଡ ଥିଲା, ଯିଏ ଖାଲି ମୁଣ୍ଡର ଟୋପି ଏବଂ ମୁହଁର ଦାଢୀକୁ ଦେଖି ଚିହ୍ନିଥିଲା, ହେଲେ କଳା ଟୋପିଟା RSSର ବୋଲି ପରଖି ପାରି ନଥିଲା! ହି°ସା, ଅପରାଧର କୌଣସି ଜାତି, ଧର୍ମ, ଲିଙ୍ଗ, ସମାଜ, ଚେତନା କି ବିଚାରଧାରା ନଥାଏ, ଆପଣ ନମାନିଲେବି ଏହା ସତ୍ୟ। ନିଜ ଆଡ୍ରେନାଲିନ୍ ରସକୁ ଶାନ୍ତ କରିବା ପାଇଁ ସେତେବେଳେ ସେ ଭିଡକୁ ଗୋଟିଏ ଅଘଟଣର ଖୋରାକ ଦରକାର ବାସ୍!

        ଯଦି ଉକ୍ତ ଯୁବତୀ ଦୁଇଙ୍କ ଭିଡିଓ ଦେଖିଥିବେ ତା' ହେଲେ ଆପଣ ଲକ୍ଷ୍ୟ କରିବେ ସେଥିରେ ଉପସ୍ଥିତ ଥିବା ଅନେକ ଯୁବକଙ୍କ ଚେହେରା ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ୧୮ ମେ' ୨୦୨୩ରେ FIR ଦର୍ଜ ହୋଇଥିଲେ ସୁଦ୍ଧା କାହାକୁ ମଧ୍ୟ ଗିରଫ କରା ଯାଇ ନଥିଲା। ପୁଲିସ ପାଖରେ ଭିଡିଓ ଉପଲବ୍ଧ ନଥାଇ ପାରେ କିନ୍ତୁ ଘଟଣାସ୍ଥଳରେ ଥିବା ପୁଲିସଙ୍କ ବୟାନ୍ ଏବଂ ଚିହ୍ନଟ କରିବା ଶକ୍ତି ମଧ୍ୟ ନଥିଲା, ତାହା ବିଶ୍ୱାସଯୋଗ୍ୟ ମନେ ହେଉଛି? ହେଲେ ୧୯ -୨୦ ଜୁଲାଇ ମାନେ ଘଟଣା ଘଟିବାର ୭୭-୭୮ ଦିନ ପରେ ଯେତେବେଳେ ଦେଶସାରା ଉକ୍ତ ଘଟଣାକୁ ନେଇ ଭର୍ତ୍ସନା କରଗଲା, ହଠାତ୍ ଗୋଟିଏ ଦିନ ଭିତରେ ମୁଖ୍ୟ ଅଭିଯୁକ୍ତ ଗିରଫ କରା ଯାଇଥିବାର ଫୋଟୋ ଓ ଖବର ଜାରି କରା ଯାଇଥିଲା! କେବଳ ମଣିପୁର ପୁଲିସ୍ ନୁହେଁ ଭିଡିଓ ଏବଂ ତାକୁ ନେଇ ଦେଶ ସାରା ଜନତାଙ୍କ ଆକ୍ରୋଶ ଦେଖିଲା ପରେ ହିଁ ଅନେକ ମାସ ପରେ ଆମ ଦେଶର ମହିଳା ଓ ବାଳ ବିକାଶ ମନ୍ତ୍ରୀ, ମହିଳା ବିରୋଧୀ ଅପରାଧକୁ ନେଇ ଗୋଟିଏ ଟ୍ବିଟ୍ କରିଥିଲେ ଯେ, ସେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି, ଏବଂ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସବୁ ପରେ କାଲି ଯେତେବେଳେ ୨୦ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଣିପୁର ମାମଲାର ତଦାରଖ ନିଜ ହାତକୁ ନେବେ ବୋଲି ଘୋଷଣା କଲେ ଏବଂ ଏ ଭିତରେ ସରକାର ଏହି ହି°ସାକୁ ରୋକି ଶାନ୍ତି ପ୍ରତିଷ୍ଠା ପାଇଁ କ'ଣ ପଦକ୍ଷେପ ନେଇଛନ୍ତି ୨୮ ତାରିଖ ସୁଦ୍ଧା ଜଣାଇବା ପାଇଁ କହିଲେ, ସେତେବେଳେ ଯାଇ ଆମ ପ୍ରଧାନମନ୍ତ୍ରୀଙ୍କର ମଣିପୁରକୁ ନେଇ ୩୬ ସେକେଣ୍ଡର ବୟାନ୍ ଆସିଲା। ୟା ଭିତରେ କର୍ଣ୍ଣାଟକା ନିର୍ବାଚନ, ରାଜସ୍ଥାନ, ଜାପାନ- ପାପୁଆନିୟୁଗିନି- ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା- ତୁର୍କୀ, ମଧ୍ୟପ୍ରଦେଶ, ଫ୍ରାନ୍ସ- ୟୁଏଇ ଗସ୍ତର ଭିଡ ଭିତରେ, ନିର୍ବାଚନ ସମୟରେ ମଣିପୁରର ଭାର ଖୋଦ୍ ନିଜ କାନ୍ଧ ଉପକୁ ନିଆଯାଇଛି ବୋଲି  ବୋଧେ ପାସୋରି ହୋଇ ଯାଇଥିଲା। [ ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ, ଛତିଶଗଡ଼ ଏବଂ ମଣିପୁରର ମୁଖ୍ୟମନ୍ତ୍ରୀଙ୍କୁ ଆଇନକାନୁନ ରକ୍ଷା କରିବା ପାଇଁ କଠୋର ପଦକ୍ଷେପ ନେବାର ଆହ୍ୱାନ ପାଇଁ ଧନ୍ୟବାଦ। ଆଜି ସେଇ ଆହ୍ୱାନ ପାଇଁ ହିଁ ମଣିପୁର ଜଘନ୍ୟ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଧରାଯାଇ ପାରିଲା, ଅବଶ୍ୟ  ଜୋଧପୁର, ରାଜସ୍ଥାନର ଗ୍ୟାଙ୍ଗ୍-ରେପ୍ କେସରେ ପୁଲିସ୍ ୪ ଜଣ ଆରୋପୀଙ୍କୁ ୧୬ ଜୁଲାଇରୁ ହାଜତକୁ ନେଇ ସାରିଥିଲା। (According to the police, the accused were campaigning for a student leader running for students' union president at Jai Narayan Vyas University (JNVU) as an Akhil Bharatiya Vidyarthi Parishad( ABVP) candidate. The ABVP categorically denied any links with the three: NDTV).] କିନ୍ତୁ ସବୁ ଭିତରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବୟାନ୍ ଆସିଥିଲା ମଣିପୁରର ମୁଖ୍ୟମନ୍ତ୍ରୀ N Biren Singhଙ୍କ ତରଫରୁ। ଯେତେବେଳେ ତାଙ୍କୁ ଏ ଘଟଣା ବିଷୟରେ ପଚରାଗଲା, ସେ କହିଥିଲେ, "ମୁଁ ଜାଣେ ଏ ଘଟଣାର ଭିଡିଓ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି, କିନ୍ତୁ ଏ ଭିତରେ ଏମିତି ଶହ ଶହ ଘଟଣା ଘଟିଛି"!

          ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଏ ବୟାନ୍ ଶୁଣି ମୋର ସୋସିଆଲ ମିଡ଼ିଆରେ ପଢିଥିବା କିଛି ଲୋକଙ୍କ comments ମନେ ପଡି ଯାଇଥିଲା। କିଛି ଲୋକ ଦଙ୍ଗା ସମୟରେ ଏଭଳି ମହିଳା ମାନଙ୍କ ଗ୍ୟାଙ୍ଗ୍ ରେପ୍ ହେବା ଗ୍ରହଣୀୟ କହିଥିଲେ। ଆଉ କିଛି ଦୁଇ ମାସ ତଳର ଘଟଣା ଉପରେ ଏତେ reactive ହେବାର ଆବଶ୍ୟକତା ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ। ସତରେ କ'ଣ ଏମିତି ଗୋଟିଏ ଅମାନବୀୟ ଘଟଣାର validity ଅଛି ଯେ, ଦୁଇ ମାସ ତଳର ବୋଲି ଆମେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ଆବଶ୍ୟକ ନାହିଁ! କିଛି ଲୋକ କାଳେ ଏମିତି ଦଙ୍ଗା ଏବଂ ଦଙ୍ଗା ସମୟରେ ଧର୍ଷଣ ଦେଖିସାରିଛନ୍ତି, ତେଣୁ ବୋଧେ ସେମାନଙ୍କ ନିଭୃତ କୋଣରେ କେଉଁଠି ଗୋଟିଏ ଇଚ୍ଛା ଅଛି, ସମ୍ପୂର୍ଣ୍ଣ ମାନବ ସମାଜ ଏମିତି ଦଙ୍ଗା ଭୋଗୁ। ଯେତେବେଳେ ଏ ଭିଡିଓ ଦେଖି, ଖବର ପଢି ଅନେକ ପୁରୁଷ କାନ୍ଦିବାର ଦୃଶ୍ୟ ଦେଖିଛି, ସେତେବେଳେ କିଛି ମହିଳା ମାନଙ୍କ ମତ ମୋତେ ଆଶ୍ଚର୍ଯ୍ୟ କରିଛି! ସବା ଶେଷରେ ମନେ ହେଲା ଏମାନେ ବୋଧେ ନିଜେ ନାରୀ ନୁହନ୍ତି, କିମ୍ବା ରକ୍ତ-ମା°ସର ଶରୀର ଧରି ଚଳପ୍ରଚଳ ହେଉଥିବା ଦଳେ ମୁର୍ଦାର। ସେମାନେ କାଗଜ-କଲମ ଧରି, ନିଜ ଶବ୍ଦ ଆଉ ଲେଖାରେ ବି ମଣିଷକୁ ବିବସ୍ତ୍ର କରି ଖୁସି ହୁଅନ୍ତି, ପ୍ରେମିକାର କାନ୍ଧ ତଳକୁ ପଣତ ଖସାନ୍ତି, ତା' ନାଭିର ଠିକ୍ ଚାରି ଆଙ୍ଗୁଳି ତଳକୁ କଳାଜାଇ ଅଛି ବର୍ଣ୍ଣନା କରନ୍ତି, ଦଳେ ବିଭତ୍ସ ଶ୍ରୋତା ତାଙ୍କ ପାଇଁ ତାଳି ପିଟନ୍ତି। ସେମାନେ ପାଖରେ ହତ୍ୟା, ଗଣଧର୍ଷଣ, ହି°ସା, ଅମାନବୀୟ କାଣ୍ଡର ସପକ୍ଷରେ ମଧ୍ୟ ଯୁକ୍ତି ଯୋଗାଡ କରି ପାରନ୍ତି (ଅବଶ୍ୟ କେହି ଜଣେ ନେତା ବି ଥରେ "rape can be used as political weapon' କହିଥିଲେ। ମନେ ପଡୁନି, ଟିକେ Google search କରିବେ ତ)! ୨୮ ମେ' ୨୦୨୩, ନୂତନ ସ°ସଦ ଭବନ ଉଦଘାଟନ ସମୟରେ ବିରୋଧ ପ୍ରଦର୍ଶନ କରୁଥିବା ମହିଳା କୁସ୍ତି ଖେଳାଳୀଙ୍କୁ ପୁଲିସ୍ ଦ୍ଵାରା ଟଣାଓଟରା କରି ନେବା ସମୟରେ ମନରେ ପ୍ରଶ୍ନ ଆସିଥିଲା - ଆମେ କ'ଣ ମାନସିକ ସ୍ତରରେ ଗୋଟିଏ ମୃତ ସମାଜରେ ବାସ କରୁଛେ? ହେଲେ କାଲିଠାରୁ ମୁଁ ନିଶ୍ଚିତ ଯେ, ହଁ, we are living in a morally dead society!