ସମ୍ବଲପୁର ସହରର ଶାନ୍ତି ଓ ହନୁମାନ ଜୟନ୍ତୀ ; ଜଣେ ସମ୍ବଲପୁରନିବାସୀର ପ୍ରତିକ୍ରିୟା-୨
ହନୁମାନ ଜୟନ୍ତୀ ଏକ ନୂଆଁ ପରମ୍ପରା: ସମ୍ବଲପୁରର ଇତିହାସରେ ଗଂଗାଧର ମେହେର କଲେଜରେ ୧୯୮୦ରେ ହେଇଥିବା ଛାତ୍ର ଆନ୍ଦୋଳନ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣା । ୮୦ ରେ ଅଭୁତପୂର୍ବ ବନ୍ୟା ହେଇଥିଲା ଯାହା ସମ୍ବଲପୁରର ଜନଜୀବନକୁ ବେଶ୍ ପ୍ରଭାବିତ କରିଥିଲା । ବନ୍ୟା କାରଣରୁ ଅବଶ୍ୟକ ରିଲିଫ କାମ ବେଳେ ଛାତ୍ର ଓ ବ୍ୟବସାୟିକ ଶ୍ରେଣୀ ଭିତରେ ଏକ ବିବାଦ ହେଇଥିଲା । ଗୋଟିଏ ସମୟରେ ଏହା ମାରୱାଡ଼ି ହଟାଓ ଆଡ଼କୁ ମୁହେଁଇ ଯାଇଥିଲା । ଅନେକ ମାଡ଼ପିଟ ଓ ଗିରଫଦାରୀ ହେଇଥିଲା ସେ ପ୍ରସଂଗକୁ ନେଇ । ସେ ଆନ୍ଦୋଳନ କାରଣରୁ ସହରବାସୀ ଭିତରେ ମାରୱାଡ଼ି ସମୁଦାୟ ପ୍ରତି ବେଶ୍ ସମୟ ଧରି ଅସନ୍ତୋଷ ଲାଗି ରହିଥିଲା । ଏଇ ଆନ୍ଦୋଳନରେ ଲୋକପ୍ରିୟ ହେଇଥିଲେ ସୁରେଶ ପୂଜାରୀ ଯାହା ପରେ ଜାନକୀ ପଟ୍ଟନାୟକ ଓ କଂଗ୍ରେସ ବିରୋଧୀ ଆନ୍ଦୋଳନର ରୂପ ନେଇଥିଲା । । କିନ୍ତୁ ସେ ଆନ୍ଦୋଳନ କାରଣରୁ ମାରୱାଡ଼ି ସମୁଦାୟ ସମ୍ବଲପୁରରେ ନିଜର ଅସ୍ମିତା ଓ ଅସ୍ତିତ୍ୱର ସୁରକ୍ଷାକୁ ନେଇ ବିଚଳିତ ଓ ଆତଙ୍କିତ ହେଇଉଠିଥିଲେ । ସହରବାସୀଙ୍କ ଭିତରେ ସେମାନଙ୍କୁ ନେଇ ବଡ଼ ଧରଣର ଅସନ୍ତୋଷ ଦେଖି ସେମାନେ ଘାବରେଇ ଯାଇଥିଲେ । କିଛିକାଳ ସେମାନେ ସେ ଅସନ୍ତୋଷର ନିଦାନ ଖୋଜିବାରେ ଲାଗି ବ୍ୟସ୍ତ ରହିଲେ । ପରେପରେ ଆଂଚଳିକ ବୈଷମ୍ୟର ପ୍ରସଂଗ ଯାହା ଉପକୂଳ ବନାମ ପଶ୍ଚିମାଂଚଳର ସମୀକରଣକୁ ଜନ୍ମ ଦେଲା । ସର୍ବଭାରତୀୟ ସ୍ତରରେ ୮୦ରୁ ସଂଗଠିତ ରୂପେ ଆରମ୍ଭ ଓ ୯୦ ଦଶକ ବେଳେ ବ୍ୟାପକ ହେଇଥିବା ସାଂପ୍ରଦାୟିକ ରାଜନୀତିର ପ୍ରଭାବରେ ସମ୍ବଲପୁରର ଜନମାନସବି ପ୍ରଭାବିତ ହେଲା । ଏ ଦୁଇଟି ପ୍ରକ୍ରିୟା ଭିତରେ ମାରୱାଡ଼ି ସମୁଦାୟ ପ୍ରତି ସୃଷ୍ଟି ହେଇଥିବା ଅସନ୍ତୋଷ ସମୟକ୍ରମେ ଉଭେଇଗଲା । ସେ ଯାହେଉ ସମୟକ୍ରମେ ସ୍ଥିତି ସ୍ୱାଭାବିକ ହେଇଗଲା । ସେଇ ସମୟଖଣ୍ଡରେ ବା ୮୦ ଦଶକରେ ଆରମ୍ଭ ହନୁମାନ ଜୟନ୍ତୀ ୯୦ ଦଶକରେ ସଂଗଠିତ ରୂପ ନେବା ଆରମ୍ଭ କଲା ।
ହନୁମାନ ଜୟନ୍ତୀ ୮୦ ଦଶକରୁ ଆରମ୍ଭ ହେଇଛି । ପ୍ରଥମ ହନୁମାନ ଜୟନ୍ତୀ ‘ହନୁମାନ ବ୍ୟାୟମଶାଳା’ରୁ ଆରମ୍ଭ ହେଇଥିଲା । ପ୍ରଥମରେ ଅଳ୍ପସଂଖ୍ୟକ ମାରୱାଡ଼ି ସମୁଦାୟ ଓ କିଛି ପହିଲମାନ ଏହାକୁ ଆରମ୍ଭ କରିଥିଲେ । ସେତେବେଳେ ଖୁବ୍ କମ ଲୋକ ଭାଗ ନେଉଥିଲେ । ଏପରିକି ସହରର ସବୁ ପଡ଼ାରେ ଏହା ପାଳିତ ହେଉନଥିଲା । ସେସମୟରେ ଏଇପରି ଆଶଙ୍କା ଓ ଭୟର କଥା କେହି ଅନୁଭବ କରୁନଥିଲେ । ଅନ୍ୟ ପର୍ବପର୍ବାଣୀ ପରି ଏହା ଥିଲା ସହଜ ଓ ସ୍ୱାଭାବିକ । ୧୯୮୬ ମସିହାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାକାରୀ ଦଳକୁ ପୀରବାବା ଛକରେ ହୁସେନ ନାମକ ଏକ ମୁସଲମାନ ସହ କିଛି ଲୋକ ଅଟକେଇ ପୀର ବାବାଙ୍କ ସାମ୍ନାରେ ବାଜା ବଜେଇବାକୁ ମନା କଲେ । ତାକୁ ନେଇ ସେମାନଙ୍କ ଭିତରେ ଟଣାଓଟରା ହେଇଥିଲା । ତା ପରଠୁ ବିଭିନ୍ନ ପଡ଼ାର ଲୋକେ ମିଳିତ ରୂପେ ସହର ପରିକ୍ରମାର କାର୍ଯ୍ୟକ୍ରମ ଆରମ୍ଭ କଲେ । ଜନତା ଦଳର ସରକାର ଭାଂଗିବା ପରେ ଜନସଂଘର ଲୋକେ ଭାଜପାରେ ସକ୍ରିୟ ହେଲେ । ଆରମ୍ଭରେ ହନୁମାନ ଜୟନ୍ତୀ କିଛି ପଡ଼ାର ଲୋକ ଚ୍ୟୈତ୍ର ପୂର୍ଣ୍ଣିମାରେ ପାଳନ କରୁଥିଲା ବେଲେ କିଛି ଯାଗାରେ ସଂକ୍ରାନ୍ତି ଦିନରେ ପାଳିତ େହେଉଥିଲା । ଗୋଟିଏ ସମୟରେ ବେନିଭୁଜ ସାହୁ ପରି ରାଜନୈତିକ ବ୍ୟକ୍ତି ଏ ଗତିବିଧିରେ ସାମିଲ ହେଲେ ଯିଏ ସମ୍ବଲପୁରରେ ଭାଜପା ଦଳର ଆଦ୍ୟ ପ୍ରତିଷ୍ଠାତାଙ୍କ ଭିତରୁ ଜଣେ । ତଥାପି ସେ ସମୟରେ ଏହା ସାଂପ୍ରଦାୟିକ ରାଜନୀତିର ନିୟନ୍ତ୍ରଣକୁ ଯାଇନଥିଲା । ସମୟକ୍ରମେ ଏହାକୁ ସଂଗଠିତ ରୂପ ଦେବାର ଗତିବିଧି ଆରମ୍ଭ ହେଲା ।
ଏହାପରେ କେବଳ ସଂକ୍ରାନ୍ତି ଦିନ (ଯାହା ପ୍ରାୟତଃ ଏପ୍ରିଲ ୧୪ ରେ ପଡ଼େ) ଏହା ପାଳନ ହେଲା । ପ୍ରଥମରୁ ବାଇକ୍ ର୍ୟାଲି ହେଉନଥିଲା । ପରେ ବାଇକ୍ ର୍ୟାଲି ସହ ସଂଗଠିତ ଓ ବଡ଼ ରୂପରେ ଗଲା ୨୫ ବର୍ଷ ହେଲା ଏହା ପାଳିତ ହେଉଛି । ହନୁମାନ ଜୟନ୍ତୀ ସମୟରେ ଆଇନ ଶୃଂଖଳା ପରିସ୍ଥିତି ଠିକ୍ ରହିବ କି ନାହିଁ ଏ ନେଇ ଲୋକ ଓ ପ୍ରଶାସନ ଭିତରେ ଏକ ଆଶଙ୍କା ଗଲା କିଛି ବର୍ଷ ହେଲା ରହିଆସୁଛି । ଗୋଟିଏ ସମୟରେ ସାରା ସହରରେ ମାଇକ୍ ଲଗାଯାଇ ହନୁମାନ ଚାଲିଶା ଶୁଣେଇବା କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏଇ ସମୟଖଣ୍ଡରେ ହନୁମାନ ଜୟନ୍ତୀ ଦୁଇ ଦିନ ପୂର୍ବରୁ ଝଣ୍ଡା ର୍ୟାଲି ଓ ଏପ୍ରିଲ ୧୪ ର ର୍ୟାଲିରେ ଖଣ୍ଡା, ତରୱାଲ ଓ ନିଆଁ ଖେଳ ବଢିଲା । ଏହାର ପ୍ରଭାବ ମୁସଲମାନ ସମୁଦାୟର ମହରମ ବେଳେ ଦେଖିବାକୁ ମିଳିଲା । ସେମାନେ ଯଦିଓ ତାଙ୍କ ପରମ୍ପରା ଅନୁଯାୟୀ ମହରମରେ ବହୁ ଆଗରୁ ଅସ୍ତ୍ର ଧରନ୍ତି ଓ ନିଜକୁ ପିଟନ୍ତି । ଶୋକ ପାଳନ କରନ୍ତି । ଏହା ଭାରତ ଓ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ସେମାନେବି ସେଇ ସମୟଖଣ୍ଡରେ ଦୁଇ ଚାରି ବର୍ଷ ଲାଗି ଅସ୍ତ୍ର ଖେଳକୁ ଆଗ ଅପେକ୍ଷା ଅଧିକ ଗୁରୁତ୍ୱ ଦେବା ଦେଖିବାକୁ ମିଳିିଥିଲା ।
୧୯୯୭ରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ତିଆରି ହେଲା । ସାରା ସହରର ବିଭିନ୍ନ ପଡ଼ାରୁ ଶୋଭାଯାତ୍ରକାରୀ ଦଳ ଗୋଟିଏ ଯାଗାରେ ଜମା ହେଇ ମିଳିତ ରୂପେ ସହର ପରିକ୍ରମା କରିବା ଆଜିଯାଏଁ ଜାରି ରହିଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟଯେ ୫୦୦ବର୍ଷର ସମ୍ବଲପୁର ସହରର ଇତିହାସରେ ହନୁମାନ ଜୟନ୍ତୀ ପାଳନର ପରମ୍ପରାଟି ମାତ୍ର ୪୦ ବର୍ଷର । ତା ଅର୍ଥ ଏହା ସମ୍ବଲପୁରର ପାରମ୍ପରିକ ଉସ୍ଛବ ନୁହେଁ । ତେଣୁ ଝଣ୍ଡା ର୍ୟାଲି ହେଉକି ଜୟନ୍ତୀଜନିତ ଶୋଭାଯାତ୍ରା ଏ ସହର ପାଇଁ ଏକ ନୂଆଁ ପରମ୍ପରା । ସେ ଭିତରେ ପୁଣି ଭକ୍ତି ପ୍ରଦର୍ଶନରୁ ଶକ୍ତି ପ୍ରଦର୍ଶନ ଆଡ଼କୁ ଯିବା ହନୁମାନ ଜୟନ୍ତୀ ପାଳନର ଇତିହାସରେ ଅହୁରି ନୂଆଁ ପରମ୍ପରା ।
ଭକ୍ତି ବନାମ ଶକ୍ତି ପ୍ରଦର୍ଶନର ରାଜନୀତି: ୨୦୦୬ ପରଠୁ ସ୍ଥିତିରେ ଆହୁରି ପରିବର୍ତନ ଆସିଲା । ବିଜେପି-ବିଜେଡ଼ିର ମିଳିତ ସରାକାର ଥିବାରୁ ହନୁମାନ ଜୟନ୍ତୀ ପାଳରେ ଆସୁଥିବା ସାଂପ୍ରଦାୟିକ ପରିବର୍ତନ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଲେ ନାହିଁ । ସମ୍ବଲପୁର ବିଧାନସଭା ଭାଜପା ହାତରେ ଥିଲା । ବିଜେଡ଼ି ଗୋଟିଏ ରକମ ଏ ଆସନକୁ ଦଳୀୟ ଭିତିରେ ସେତେ ଗୁରୁତ୍ୱ ଦେଉନଥାଏ ଓ କଂଗ୍ରେସ ଦୁର୍ବଳରୁ ଦୁର୍ବଳତର ହେଇ ଚାଲିଥାଏ । ଏ ସ୍ଥିତି ଦକ୍ଷିଣପନ୍ଥୀଙ୍କୁ ବେଶ୍ ସୁହାଇଲା । ଏହା ପରଠୁ ବଂଗାଲୀ ଅନୁପ୍ରବେଶ, ଗୋ ହତ୍ୟା, ଗୋମାଂସ, ଧର୍ମାନ୍ତରୀକରଣ, ବସ୍ତି ଜବରଦଖଲ ପରି ପ୍ରସଂଗଗୁଡ଼ିକୁ ଧାର୍ମିକ ଭିତି ଦେଇ ପ୍ରଚାର କରାଗଲା । ତା ପରଠୁ ହନୁମାନ ଜୟନ୍ତୀକୁ ଆହୁରି ସଂଗଠିତ ଭାବେ ଶକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମରେ ପରିଣତ କରି ଘୃଣା ସୃଷ୍ଟିକାରୀ ସ୍ଳୋଗାନ ଓ ବକ୍ତବ୍ୟରେ ତାକୁ ଆହୁରି ବିଦ୍ୱେଷମୂଳକ କରାଗଲା । ଜୟନ୍ତୀ ପାଇଁ, ବାଇକ୍ ରାଲି ପାଇଁ ପଡ଼ା ପଡ଼ା ବସ୍ତି ବସ୍ତିରେ ପ୍ରସ୍ତୁତି ପ୍ରାୟ ଗୋଟିଏ ସପ୍ତାହ ଧରି ଚାଲେ । ର୍ୟାଲି କେଉଁ ରାସ୍ତାରେ ଯିବ ଯିବ ନାହିଁ, ର୍ୟାଲିରେ ନିଆଁ ଖେଳ ହେବ କି ନାହିଁ, ଖଣ୍ଡା ତରୱାଲ ଧରିବେ କି ନାହିଁ ଏସବୁକୁ ନେଇ ଗଲା କିଛି ବର୍ଷ ହେଲା ଜୟନ୍ତୀ ଆୟୋଜକ ଓ ପ୍ରଶାସନ ଭିତରେ ଦ୍ୱନ୍ଦ୍ୱ ଲାଗି ରହୁଛି । କିଛି ବର୍ଷ ତଳେ ଖଣ୍ଡା ବୁଲାକୁ ନେଇ ସ୍ଥାନୀୟ ବିଧାୟକ ଓ ବର୍ତମାନର ବିରୋଧୀ ଦଳ ନେତା ଏବଂ ଜିଲ୍ଲା ପ୍ରଶାସନ ଭିତରେ ବଡ଼ ବିବାଦ ଛିଡ଼ା ହେଇଥିଲା (୨୦୧୫) । ବିଧାୟକ ପ୍ରଶାସନିକ ଅନୁମତି ବିନା ଖଣ୍ଡା ବୁଲେଇ ଗିରଫ ହେଇଥିଲେ । ଅସଲରେ ସେଇ ବର୍ଷ ନିଆଁ ଖେଳ ଓ ଖଣ୍ଡା ନ ଧରିବା ନେଇ ସବୁ ସମୁଦାୟ ଓ ପ୍ରଶାସନ ଭିତରେ ଏକ ବୁଝାମଣା ହେଇଥିଲା । ବାକି ସମୁଦାୟର ଧାର୍ମିକ କାର୍ଯ୍ୟକ୍ରମରେ ସେମାନେ ଏ ବୁଝାମଣାକୁ ପାଳନ କରିଥିବା ବେଳେ ହନୁମାନ ଜୟନ୍ତୀର ଆୟୋଜକ ସଂଗଠନ ନିଜ କାର୍ଯ୍ୟକ୍ରମ ବେଳକୁ ଏ ପ୍ରତିଶ୍ରୁତି ରକ୍ଷା କରିନଥିଲେ ।
ପ୍ରଶ୍ନ ଉଠୁଛି ଶୀତଳ ଷଷ୍ଠୀ ପରି ବିରାଟ ଗଣପର୍ବ ବେଳେ ହେଉକି ଅନ୍ୟ ଛୋଟ ବଡ଼ ଧାର୍ମିକ ଶୋଭାଯାତ୍ରା ସେ ସାର୍ବଜନୀନ ଦୁର୍ଗା ପୂଜା, ଇଦ, ଗୁରୁପରବ, ବଡ଼ ଦିନ ବେଳେ ଆଇନ ଶୃଂଖଳା ପରିସ୍ଥିତିକୁ ନେଇ କେବେ କିଛି ବିଶେଷ ଘଟଣା ଘଟିନାହିଁ କି ସେପ୍ରକାର ଆଶଙ୍କା ଲୋକଙ୍କ ମନରେ ଆସିନାହିଁ । କେବଳ ହନୁମାନ ଜୟନ୍ତୀକୁ ନେଇ ଏପରି ସ୍ଥିତି ଉପୁଜୁଛି କାହିଁକି? ମୁସଲମାନ ସମୁଦାୟର ଲୋକ ହନୁମାନ ଜୟନ୍ତୀ ପାଳନ ବେଳେ କାହିଁକି ଗଲା କିଛି ବର୍ଷ ହେଲା ବିଭିନ୍ନ ଆଶଙ୍କାରେ ରହୁଛନ୍ତି? ସେମାନେ ଅନ୍ୟ ଧାର୍ମିକ ପର୍ବ ପର୍ବାଣୀ ବେଳର ଶୋଭାଯାତ୍ରା ପରି ହନୁମାନ ଜୟନ୍ତୀ ବେଳର ଶୋଭାଯାତ୍ରାକୁ ସ୍ୱାଭାବିକ ରୂପରେ କାହିଁକି ଗ୍ରହଣ କରିପାରୁନାହାଁନ୍ତିି?
ଏ ପ୍ରଶ୍ନର ଉତର ସର୍ବଭାରତୀୟ ସ୍ତରରେ ଘଟୁଥିବା ଘଟଣା ସମୂହକୁ ବିଚାରକୁ ନେଲେଯାଇ ସ୍ପଷ୍ଟ ହେବ । ଆମେ ଜୟ ସିଆରାମ ବା ରାମ ରାମରୁ ଜୟ ଶ୍ରୀରାମ ଆଡ଼କୁ ପହଁଚିଥିବା ଯାତ୍ରାକୁ ବୁଝିପାରିଲେ ଅନେକ କଥା ସ୍ପଷ୍ଟ ହେଇଯିବ । ଭାରତବର୍ଷରେ ମଣ୍ଡଳ-ମନ୍ଦିର ରାଜନୀତିରୁ ଜନ୍ମିତ ବିଦ୍ୱେଷ ସାରା ଭାରତକୁ ପ୍ରଭାବିତ କରିବା ଆରମ୍ଭ କଲା । ବମ୍ବେ ଦଂଗା, ଅଯୋଧ୍ୟା ପ୍ରକରଣ, ରାମ ମନ୍ଦିର ଅଭିଯାନ, ବାବ୍ରି ମସଜିଦ୍ ଭଂଗ, ଗୋଧ୍ରା କାଣ୍ଡ ଓ ଗୁଜରାଟ ଦଂଗାର ପ୍ରଭାବ ସାରା ଭାରତର ଜନମାନସକୁ ପ୍ରଭାବିତ କଲା । ହିନ୍ଦୁ ବନାମ ମୁସଲମାନର ସମୀକରଣର ରାଜନୀତିରୁ ଦେଶରେ ଧର୍ମ ଭିତିରେ ସାମାଜିକ, ରାଜନୈତିକ ବିଭାଜନର ପ୍ରକ୍ରିୟା ଯୋର ଧରିଲା । ଏସବୁ ପ୍ରକ୍ରିୟାର ପ୍ରଭାବ ସମ୍ବଲପୁର ସହର ଉପରେ ବି ପଡ଼ିଲା ଓ ତାହା ହନୁମାନ ଜୟନ୍ତୀ ପାଳନର ଚରିତ୍ରକୁବି ଧିରେଧିରେ ପ୍ରଭାବିତ କଲା । ହନୁମାନ ଜୟନ୍ତୀ ପାଳନ ଓ ଆୟୋଜନରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଂଗ ଦଳ ଓ ଭାଜପା ପରି ଦଳର ପ୍ରବେଶ ଓ ନିୟନ୍ତ୍ରଣ ବଢିବାରେ ଲାଗିଲା । ଅନ୍ୟ ଦଳର ଲୋକ ସାମିଲ ହେଉଥିଲେ ବି ୧୯୯୭ ପରଠୁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ନାମକ ସଂଗଠନରେ ଭାଜପା, ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଂଗ ଦଳର ପ୍ରତିନିଧିତ୍ୱ ଓ କତ୍ୱୁର୍ତ୍ୱ ଅଧିକ ଗତିରେ ବଢିବାରେ ଲାଗିଲା । ବିଭିନ୍ନ ବର୍ଷରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ପଦପଦବୀ ମଣ୍ଡନ କରିଥିବା ବ୍ୟକ୍ତିମାନଙ୍କ ରାଜନୈତିକ ପୃଷ୍ଟଭୂମୀ ଦେଖିଲେ ଏକଥା ସ୍ପଷ୍ଟ ଜଣାପଡ଼େ । ଯେଉଁ ସମୟରୁ ଏଇ ଦକ୍ଷିଣପନ୍ଥୀଙ୍କ ପ୍ରତିନିଧିତ୍ୱ ଓ ନିୟନ୍ତ୍ର୍ରଣ ବଢିଛି, ହନୁମାନ ଜୟନ୍ତୀ ପାଳନର ଚରିତ୍ରରେ ଏକ ନିର୍ଦ୍ଧିଷ୍ଟ ରକମର ପରିବର୍ତନ ଆସିଛି । ଅନ୍ତତଃ ମୁସଲିମ ସମୁଦାୟ ଏସବୁ ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକ ‘ମୁସଲିମ ବିରୋଧୀ’ ସଂଗଠନ ରୂପେ ବିଚାର କରିଥାଏ । ଏଇ ସଂଗଠନଗୁଡ଼ିକର ସକ୍ରିୟତା ପରେ ହନୁମାନ ଜୟନ୍ତୀକୁ ଶକ୍ତି ପ୍ରଦର୍ଶନର ଏକ ପର୍ବରେ ପରିଣତ କରିବାର ଚେଷ୍ଟା ଅଧିକ ଯୋର ଧରିଛି । ଶକ୍ତି ପ୍ରଦର୍ଶନ ପରି ଶଦ୍ଦ ଆସିଲା ମାନେ ପ୍ରଶ୍ନ ଉଠିବ ସେ କାହାର ବିରୋଧରେ? କେଉଁ ଦଳ ବା ସମୁଦାୟ ବିରୋଧରେ ସେ ଶକ୍ତି ପ୍ରଦର୍ଶନ? ଏଇ ପ୍ରଶ୍ନର ଉତର ଖୋଜିବା ବେଳେ ଆମେ ଯଦି ନିରପେକ୍ଷ ଓ ନିର୍ଭୀକ ହେବା ତେବେ ହନୁମାନ ଜୟନ୍ତୀକୁ ନେଇ ମୁସଲମାନ ସମୁଦାୟର ଆଶଙ୍କା ଓ ଏ ବର୍ଷର ଅପରାଧମୂଳକ ଅଥଚ ଅଗ୍ରହଣୀୟ ହିଂସାତ୍ମକ ପ୍ରତିକ୍ରିୟାକୁ ବୁଝିବା ସହଜ ହେବ ।
ହନୁମାନ ଜୟନ୍ତୀ ପ୍ରସ୍ତୁତି ପାଇଁ କରାଯାଉଥିବା ସଭା ସମିତିରେ ରାମ ଓ ହନୁମାନଙ୍କ ପ୍ରତି ଭକ୍ତି ଓ ସେମାନଙ୍କ ଜୀବନରେ ରହିଥିବା ଉଜ୍ଜଳମୟ ଦିଗ ଗୁଡ଼ିକ ବାବଦରେ ଆଲୋଚନା ଅପେକ୍ଷା ଶକ୍ତିି ପ୍ରଦର୍ଶନକୁ ପ୍ରାଥମିକତା ଦେବା, ର୍ୟାଲି ଓ ଜୟନ୍ତୀ ବେଳେ ଓଡ଼ିଶାର କଟକ ଓ ଅନ୍ୟ ସହର ପରି ମୁସଲମାନ ସମୁଦାୟଙ୍କୁ ସାମିଲ କରିବା ଲାଗି କୌଣସି ଉଦ୍ୟମ ନ କରିବା, ବାଇକ୍ ର୍ୟାଲି ବେଳର ସ୍ଳୋଗାନରେ ଭକ୍ତି ଅପେକ୍ଷା ଉତେଜନାର ରାଜୁତି, ମୁସଲିମ ବହୁଳ ଅଂଚଳରେ ଓ ମସଜିଦଗୁଡ଼ିକ ସାମ୍ନାରେ ଅପେକ୍ଷାକୃତ ଅଧିକ ଉସ୍ଛାହ ଓ ଉତେଜନାଭରା ସ୍ଳୋଗାନ, ମୁସଲମାନ ସମୁଦାୟର ଧାର୍ମିକ ଭାବନାକୁ ଆଘାତ ପହଁଚେଇଲା ପରି ମନ୍ତବ୍ୟ ଓ ସ୍ଳୋଗାନ ସହ ଉଗ୍ର ପ୍ରଦର୍ଶନ ବୋଧେ ଗଲା କିଛି ବର୍ଷ ହେଲା ମୁସଲମାନ ସମୁଦାୟକୁ ପ୍ରତିବାଦ, ପ୍ରତିରୋଧ ପାଇଁ ପ୍ରେରିତ କରି ଆସୁଥିଲା? ଜୟନ୍ତୀ ସମୟରେ ଗତ କିଛି ବର୍ଷ ହେବ ଅସ୍ତ୍ର ଓ ସେସବୁ ଧାରଣକାରୀଙ୍କ ସଂଖ୍ୟା ବୃଦ୍ଧି ଆଦି ଘଟଣା କ’ଣ ମୁସଲିମ ସମୁଦାୟ ଭିତରେ ଭୟ ଓ ଆଶଙ୍କା ତିଆରି କରିଆସୁଥିଲା? ସେମାନେ ଏ ଶୋଭାଯାତ୍ରାରେ ନିଜ ପାଇଁ କିଛି ବିପଦ ଦେଖିଆସୁଥିଲେ? ହନୁମାନ ଜୟନ୍ତୀ ପାଳନରେ, ଆୟୋଜନରେ ଭାଜପା, ବଜରଂଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପରି ସଂଗଠନର ନେତୃତ୍ୱ ଓ ନିୟନ୍ତଣ ବଢୁଚାଲୁଥିବା କାରଣରୁ ମୁସଲମାନ ସମୁଦାୟରେ ଏ ଆଶଙ୍କା ଓ ଭୟ ସମୟକ୍ରମେ ବଳବତର ହେଉଥିଲାକି? ଯଦି ଏସବୁ ପ୍ରଶ୍ନର ଉତର ହଁ ତେବେ ଏ ନେଇ ହନୁମାନ ଜୟନ୍ତୀର ଆୟୋଜକମାନେ ସମ୍ବଲପୁରରେ ଶାନ୍ତିକୁ ଅଗ୍ରାଧିକାର ଦେଇ ପ୍ରସ୍ତୁତି ସଭା, ବାଇକ୍ ର୍ୟାଲି ଓ ଜୟନ୍ତୀ ଦିନର ଶୋଭାଯାତ୍ରାର ସ୍ୱରୂପ ଓ ଚରିତ୍ର ବାବଦରେ ପୁନଃଚିନ୍ତନ କରିବାର ଆବଶ୍ୟକତା ଅତୀତରେବି ଥିଲା ଓ ଏବେବି ତାହାର ପ୍ରାସଂଗିକତା ରହିଛି । ଯଦି ରାଜନୈତିକ ସ୍ୱାର୍ଥ, ଦଳୀୟ ରାଜନୀତିର ଚାପ, ଭୋଟ ରାଜନୀତିର ଆଗ୍ରହ ଦ୍ୱାରା ହନୁମାନ ଜୟନ୍ତୀର ଅୟୋଜକ ମାନେ ସଚେତନ ହେଉକି ଅସଚେତନ ଭାବରେ ପ୍ରଭାବିତ ହେଉଥିବେ ତେବେ ଏ ନେଇ ପୁନଃଚିନ୍ତନ ହେବ ନାହିଁ । ର୍ୟାଲି ଓ ଜୟନ୍ତୀ ଦିନରେ ହେଉଥିବା ଶେଭାଯାତ୍ରାର ଚରିତ୍ର ଭକ୍ତି ଅପେକ୍ଷା ଶକ୍ତି ପ୍ରଦର୍ଶନ ଉପରେ ପର୍ଯ୍ୟବେଶିତ ହେଇ ରହିବ । ହନୁମାନ ଜୟନ୍ତୀକୁ ହିନ୍ଦୁ-ମୁସଲମାନ ବିଭାଜନକୁ ବଢେଇବା ଲାଗି ବ୍ୟବହାର ହେଇଚାଲିବ । ଭୋଟ ରାଜନୀତିର ଜଟିଳତା: ଗଲା କିଛି ବର୍ଷ ହେଲା ଏଇ କାର୍ଯ୍ୟକ୍ରମର ପ୍ରଭାବ ଫଳରେ ଧାର୍ମିକ ଭିତିରେ ସହରରେ ସାମାଜିକ ବିଭାଜନ ବଢୁଛି ଓ ତାହା ଭାଜପାର ଭୋଟ ରାଜନୀତିକୁ ବଳ ଦେଉଛି ବୋଲି ଅନ୍ୟ ରାଜନୈତିକ ଦଳମାନେ ଅନୁଭବ କରିବା ଆରମ୍ଭ କରିଛନ୍ତି ପରି ମନେହୁଏ । ତେଣୁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଭିତରେ ଏ ନେଇ ଦ୍ୱନ୍ଦ୍ୱ ଓ ସଂଘାତ ଆରମ୍ଭ ହେବା ସ୍ୱାଭାବିକ । ଦଳୀୟ ରାଜନୀତିରୁ, ଭୋଟ ସର୍ବସ୍ୱ ରାଜନୀତିରୁ ଉପରକୁ ଉଠି ହନୁମାନ ଜୟନ୍ତୀକୁ ଭକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମରେ ପରିଣତ ନ କରିବା ଯାଏଁ ସମ୍ବଲପୁରରେ ପ୍ରତିବର୍ଷ ଅନ୍ତତଃ ଏପ୍ରିଲ ମାସରେ ଶାନ୍ତି ଓ ସୈାହାର୍ଦ୍ଦ୍ୟର ବାତାବରଣ ଉପରେ ହିଂସାର ‘ଗ୍ରହଣ’ ଲାଗିବାର ଆଶଙ୍କାକୁ ଦୂର କରାଯାଇପାରିବ ନାହିଁ । ଏ ଅଶାନ୍ତିରୁ ରାଜନୈତିକ ଫସଲ କଟାଯାଇପାରିବ ବୋଲି ଯେଉଁ ରାଜନୈତିକ ଦଳକୁ ହୃଦବୋଧ ହେବ ସେ ନିଶ୍ଚିତ ରୂପେ ଏ ଜୟନ୍ତୀକୁ ତାର ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବ । ଏହା ବିଭିନ୍ନ ସମୁଦାୟର ମୁଷ୍ଟିମେୟ ଅପରାଧୀଙ୍କ ଲାଗି ସୁଯୋଗ ଓ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ । ତେଣୁ ପ୍ରତିବର୍ଷ ଏପରି କାଣ୍ଡ ଘଟେଇବା ଲାଗି ବିଭିନ୍ନ ରକମର ଷଡ଼ଯନ୍ତ୍ରରେ ସେମାନେ ସାମିଲ ହେବେ ଓ ତାଙ୍କୁ ରାଜନୈତିକ ପୃଷ୍ଟପୋଷକତା ମିଳିବ । ତେଣୁ ପ୍ରତିବର୍ଷ ଯେଉଁ ଦଳବି ଶାସନରେ ରହୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏପରି ଦୁଷ୍ଟ ଶକ୍ତିଙ୍କୁ କିପରି ନିୟନ୍ତ୍ରଣ କରିବ ସେ ନେଇ ତତ୍ପର ରହିବାକୁ ବାଧ୍ୟ ହେବ । ବିଭିନ୍ନ ରାଜନୈତିକ ଦଳଙ୍କ ଭିତରେ ହନୁମାନ ଜୟନ୍ତୀକୁ ନେଇ ଛକାପଂଜା ଲାଗିରହିବ । ଏଇ ଛକାପଂଜା ଆମେ ଚଳିତ ବର୍ଷ ଭାଜପା ଓ ବିଜଦ ଭିତରେ ଦେଖିବାକୁ ପାଉଛୁ । ଉଭୟ ଦଳ ଭୋଟ ରାଜନୀତି ଦୃଷ୍ଟିରୁ ଘଟଣାକୁ ବିଚାର କରୁଛନ୍ତି । ଘଟଣା ପରେ ସଂଖ୍ୟାଲଘୁ ବନାମ ସଂଖ୍ୟାଗରିଷ୍ଠର ସମୀକରଣ ତିଆରି ହେଉଥିବା ଅନୁମାନ କରି ଯେମିତି କେହି ପଛରେ ନ ରୁହନ୍ତିି ସେ ଉଦ୍ୟମଗୁଡ଼ିକ ଉଭୟ ଦଳାରୁ ହେଉଥିବା ଜଳଜଳ ଦିଶୁଛି । ଗୋଟିଏ ଦଳକୁ ଲାଗୁଛି ଏପ୍ରିଲ ୧୨ ତାରିଖ ଘଟଣା ଭୋଟ ରାଜନୀତି ଦୃଷ୍ଟିରୁ ତା ପାଇଁ ଲାଭଦାୟକ ହେଇଛି । ସେକଥା ସାମାଜିକ ଗଣମାଧ୍ୟମରେ ହେଉଥିବା ପୋଷ୍ଟଗୁଡ଼ିକ ପୁଷ୍ଟ କରୁଛି । ସାମାଜିକ ଗଣମାଧ୍ୟମରେ ୧୨ ତାରିଖ ସଂଧ୍ୟାରୁ ଦେଖିବାକୁ ମିଳିଲାଯେ -“ ଭୋଟ ବେଳେ ୧୨ ତାରିଖ ଘଟଣାକୁ ମନେପକେଇ ଭୋଟ ଦେବ ।” ପରେପରେ ଅବଶ୍ୟ ଇଂଟରନେଟ୍ ବନ୍ଦ ହେଇଗଲା । ଏ ସ୍ଥିତିକୁ ଦେଖି ଆଉ ଗୋଟିଏ ଦଳକୁ ଲାଗୁଛି ସଂଖ୍ୟାଗରିଷ୍ଠ ହିନ୍ଦୁ ଭୋଟ ହାତରୁ ଖସିଯିବନିତ? ସେ ଭୟରେ କ’ଣ ଭୋଟ ଗଣିତରେ ସମତୂଳତା ଆଣିବା ଲାଗି ଏପ୍ରିଲ ୧୪ର ଜଳାପୋଡ଼ା ଓ ଭଂଗାରୁଜା ଯାହାକୁ ବ୍ୟାପକ ପୁଲିସ ମୁତୟନକ ଦୃଷ୍ଟିରୁ ଏଡ଼ାଯାଇପାରିଥାନ୍ତା ବୋଲି ସଭିଏଁ ଜାଣନ୍ତି, ତାହା ପ୍ରକାରନ୍ତେରେ ହେବାକୁ ଦିଆଗଲା? ଯଦି ତାହା ସତ୍ୟ ହେଇଥାଏ ତେବେ ସାଂଘାତିକ । ଆମେ ଭୁଲିଯିବା କଥା ନୁହେଁଯେ ସେଦିନ ଖାଲି ଭଂଗାରୁଜାକି ଜଳା ପୋଡ଼ା ହେଇନଥିଲା, ଜଣେ ଆଦିବାସୀ ଯୁବକଙ୍କ ହତ୍ୟାବି ହେଇଥିଲା । ଯଦି ପୁଲିସ ପ୍ରଶାସନ ଏପ୍ରିଲ ୧୪ ତାରିଖରେ ପରିସ୍ଥିତିକୁ ନିୟନ୍ତ୍ରିତ କରିପାରିବା ନେଇ ସନ୍ଦିହାନ ଥିଲା ତେବେ ଗୋଟିଏ ବର୍ଷ ଲାଗି ଜୟନ୍ତୀ ଦିନର ଶୋଭାଯାତ୍ରାକୁ ବନ୍ଦ କରାଯାଇପାରିଥାନ୍ତା କିମ୍ବା ଦିନ ଥାଉଥାଉ ତାକୁ ସାରିବା ଠିକ୍ ହେଇଥାନ୍ତା । ଶୋଭାଯାତ୍ରା ବନ୍ଦ ରହିଥିଲେ ଅନ୍ତତଃ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ହତ୍ୟାକୁ ଏଡ଼ାଯାଇପାରିଥାନ୍ତା । ଗୋଟିଏ ମଣିଷର ଜୀବନଠୁ ଶୋଭାଯାତ୍ରା ବଡ଼ ନୁହେଁ ।
ଭାଜପା ଓ ଏହାର ସାଥୀ ସଂଗଠନମାନେ ବିଭିନ୍ନ ସମୟରେ ନିଜର ପର୍ଯ୍ୟବେକ୍ଷକ ଦଳ ପଠେଇ ସରକାରଙ୍କ ବିଫଳତା ଉପରେ ଆଲୋକପାତ କରିବା ସହ ପ୍ରଶାସନ ହିନ୍ଦୁମାନଙ୍କ ପ୍ରତି ପକ୍ଷପାତ ମୂଳକ ନୀତି ଗ୍ରହଣ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ଘଟଣାର ଏ ଏନ୍ ଆଇ ତଦନ୍ତ ହେଉ ବୋଲି ଦାବୀ କରୁଛନ୍ତି । କିଛି ଲୋକ ଉତରପ୍ରଦେଶର ଯୋଗୀ ସରକାରଙ୍କ ବୁଲ୍ଡ଼ୋଜର ନୀତି କଥା ଉଠେଇ ଘଟଣା ସହ ଜଡ଼ିତ ଲୋକଙ୍କ ଘର ଭଂଗାଯାଉ ବୋଲି ଦାବୀ କରୁଛନ୍ତି । ଭାଜପା ଦଳ ଘଟଣାକୁ ଗୁଡ୍ଡୁ ମୁସଲମାନ ସହ ଯୋଡ଼ିକି ଦେଖେଇବାର ଚେଷ୍ଟା କରୁଛି । ବିଜେଡ଼ି ଓ ଭାଜପା ଭିତରେ ବକ୍ତବ୍ୟଜନିତ ଏକ କାଗଜୀ ଲଢେଇ ଚାଲିଛି । ଅନ୍ୟପଟେ ମୁସଲମାନ ସମୁଦାୟ ମଧ୍ୟ ୧୪ର ଜଳାପୋଡ଼ା ଘଟଣା ଲାଗି ପ୍ରଶାସନକୁ ଦାୟୀ କରୁଛନ୍ତି । ପ୍ରଶାସନକୁ ନେଇ ଉଭୟ ସମୁଦାୟ ଅସନ୍ତୁଷ୍ଟ । କିନ୍ତୁ ରାଜନୈତିକ ଲାଭ–କ୍ଷତି ଦୃଷ୍ଟିରୁ ଭାଜପା ପାଇଁ ଏ ସ୍ଥିତି ଲାଭଦାୟକ ହେବ ବୋଲି ବୁଦ୍ଧିଜୀବିମାନେ ବିଚାର କରୁଛନ୍ତି । ତାଙ୍କ ମତରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆଉ ଏକ ହନୁମାନ ଜୟନ୍ତୀ ପାଳନ ହେବାର ଥିବାରୁ ସେସମୟଯାଏଁ ୨୦୨୩ର ପଥରମରା ଘଟଣାର ପ୍ରଭାବକୁ ଜନମାନସରେ ଜୀବନ୍ତ ରଖିବାକୁ ଭାଜପା ଚେଷ୍ଟା ଜାରି ରଖିଛି । ସମ୍ବଲପୁର ଓ ନିକଟତମ ଜିଲ୍ଳାରେ ତାଙ୍କ ସମର୍ଥିତ ସଂଗଠନମାନେ କେବଳ ୧୨ ତାରିଖ ଘଟଣା କଥା ଉଲ୍ଲେଖ କରି ଅପାରଧୀଙ୍କ ଦଣ୍ଡ ଦେବା ଲାଗି ଦାବୀ କରି ଦାବୀପତ୍ର ଦେଉଛନ୍ତି । ନିକଟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବନ୍ଦ ଡ଼ାକରା ଦେଇଥିଲେ । ରାଜ୍ୟ ରାଜଧାନୀ ଭୂବନେଶ୍ୱରରେ ମଧ୍ୟ ଏ ନେଇ ସଭାସମିତି ଜାରି ରଖିଛନ୍ତି । ୧୨ ତାରିଖ ଘଟଣାକୁ ଏକ ଦେଶଦ୍ରୋହୀ ଗତିବିଧି ରୂପେ ଚିତ୍ରିତ କରି ରାଷ୍ଟ୍ରୀୟ ରୂପ ଦେବାର ଚେଷ୍ଟା କରୁଛନ୍ତି । ଭାଜପାର ଜାତୀୟ ସଭାପତିଙ୍କ ହସ୍ତକ୍ଷେପ ଆରମ୍ଭ ହେଇଯାଇଛି । ଏଇ ଘଟଣାକୁ ପୁଣିଥରେ ୨୦୨୪ ହନୁମାନ ଜୟନ୍ତୀ ବେଳେ ବ୍ୟାପକ ଚର୍ଚ୍ଚାରେ ଆଣି ଭାଜପା ହିନ୍ଦୁ ଭୋଟ ଉପରେ କବ୍ଚା କରିବାରେ ସଫଳ ହେଇପାରେ ବୋଲି ବୁଦ୍ଧିଜୀବିମାନଙ୍କ ଭିତରେ ଆଲୋଚିତ ହେଉଛି ।
ହିଂସା ଓ ପ୍ରତିହିଂସା ଗ୍ରହଣୀୟ ନୁହେଁ: ମୁସଲମାନ ସମୁଦାୟର କିଛି ମୁଷ୍ଟିମେୟ ଅପରାଧୀ ଏପ୍ରିଲ ୧୨ ତାରିଖ ଘଟଣାରେ ପଥରମାଡ଼ କରିବା ଓ ବିଭିନ୍ନ ଲୋକଙ୍କ ଘରୁ ପେଟ୍ରୋଲ ବମ୍ ବରାମଦ ହେବା ଏକ ଚିନ୍ତାଜନକ ଦିଗ । ଆଦିବାସୀ ଯୁବକଙ୍କ ହତ୍ୟାରେ ମୁସଲମାନ ସମୁଦାୟର ଅପରାଧିକ ପୃଷ୍ଟଭୂମୀ ଥିବା ଅପରାଧୀଙ୍କ ସମ୍ପୃକ୍ତି ଉଭୟ ନିନ୍ଦାଜନକ ଓ ଦୁର୍ଭାଗ୍ୟଜନକ । ଏପ୍ରିଲ ୧୨ତାରିଖ ଘଟଣାକୁ ବିଶ୍ଳେଷଣ କଲେ ଦେଖିବାଯେ ସେ ହିଂସାରେ ଜଡ଼ିତ ସମୂହଟି ବୟସରେ ପ୍ରାୟତଃ ଯୁବକ । ହନୁମାନ ଜୟନ୍ତୀ ବେଳର ବାଇକ୍ ର୍ୟାଲି ଓ ଶୋଭାଯାତ୍ରାର ଉତେଜକ ସ୍ଳୋଗାନ, ମୁସଲମାନ ବସ୍ତି ଓ ମସଜିଦ୍ ସାମ୍ନାରେ ଉଗ୍ର ପ୍ରଦର୍ଶନ ଯାହା କିଛି ବର୍ଷ ହେବ ଆରମ୍ଭ ହେଇଛି ତାହା ମୁସଲମାନ ସମୁଦାୟର ଯୁବଗୋଷ୍ଠିଙ୍କୁ ସମୟକ୍ରମେ ଅଧିକ ପ୍ରତିକ୍ରିୟାଶୀଳ କରୁଥିଲା ଓ ସେମାନଙ୍କ ଭିତରେ ଏକ ଆକ୍ରୋଶମୂଳକ ଭାବନାକୁ ଉଗ୍ରତର କରିଚାଲୁଥିଲା । ଏବର୍ଷର ଅପରାଧିକ ଗତିବିଧିକୁ ତାର ସ୍ୱାଭାବିକ ପ୍ରତିଫଳନ ବୋଲି କହିପାରିବାକି? ଗତ ବର୍ଷ ସେ ଅଂଚଳରେ ଦେଖାଯାଇଥିବା ଚାପା ଉତେଜନାକୁ ଦେଖି ସେମାନେ ଏବର୍ଷ କିଛି ବିପଦର ଆଶଙ୍କା କରି ପ୍ରସ୍ତୁତ ହେଇଥିଲେକି? କିଛି ଲୋକଙ୍କର ଆଉ ଏକ ପ୍ରତିକ୍ରିୟା ହେଲା ବାହାରୁ କିଛି ଲୋକ ଆସି ସ୍ଥାନୀୟ ମୁସଲିମ ସମୁଦାୟ ବିଶେଷ କରି ଯୁବଗୋଷ୍ଠିଙ୍କୁ ଏ ଦିଗରେ ପ୍ରେରିତ କରୁଛନ୍ତି ଓ ଘଟଣା ପରେ ଅଂଚଳ ଓ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ତାଙ୍କ ପାଇଁ ସ୍ଥାନୀୟ ମୁସଲିମ ସମୁଦାୟ ନିନ୍ଦିତ ହେଉଛନ୍ତି ଓ କ୍ଷତି ସହୁଛନ୍ତି । କାରଣ ଯାହାବି ହେଉ ସାମଗ୍ରିକ ରୂପେ ମୁସଲିମ ସମୁଦାୟ ଓ ବିଶେଷ କରି ପଥରମାଡ଼ ସହ ସମ୍ପୃକ୍ତ ମୁଷ୍ଟିମେୟ ଅପରାଧୀମାନେ ସ୍ପଷ୍ଟ ହେବା କଥାଯେ କୌଣସି ପରିସ୍ଥିତିରେବି ହିଂସା ଗ୍ରହଣୀୟ ନୁହେଁ । ହିଂସା ଓ ପ୍ରତିକ୍ରିୟାମୂଳକ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ପ୍ରତିଟି ହିଂସା ଆହୁରି ବଡ଼ ହିଂସା ଓ କ୍ରମାଗତ ହିଂସାକୁ ଜନ୍ମ ଦେବ । ସେମାନେ ଯଦି ଅସୁରକ୍ଷିତ ଅନୁଭବ କରୁଛନ୍ତି ତେବେ ସରକାର ଓ ପ୍ରଶାସନର ସାହାଯ୍ୟ ନେଇପାରିବେ ଓ ବ୍ୟାପକ ସୁରକ୍ଷ ଲାଗି ଦାବୀ କରିପାରିବେ । ଆକ୍ରମଣର ଆଶଙ୍କା କିମ୍ବା ଉତେଜକ ସ୍ଳୋଗାନର ପ୍ରତିକ୍ରିୟାରେ ଆଇନକୁ ହାତକୁ ନେବେ ତେବେ ଆଇନ ଅନୁସାରେ ଦଣ୍ଡିତ ହେବେ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବା ଜରୁରୀ ମଧ୍ୟ । ଠିକ୍ ସେମିତି ଆଇନଷ୍ଟାଇନଙ୍କ କ୍ରିୟା-ପ୍ରତିକ୍ରିୟାର ତତ୍ୱର ଉଦାହରଣ ଦେଇ ଏପ୍ରିଲ ୧୨ ତାରିଖର ପଥରମାଡ଼ର ପ୍ରତିକ୍ରିୟାରେ ଏପ୍ରିଲ ୧୪ ଓ ତା ପରର ହିଂସାକୁ ଯୁକ୍ତିସିଦ୍ଧ କରାଯାଇପାରିବ ନାହିଁ । ସେମାନେବି ଦଣ୍ଡିତ ହେବା ଜରୁରୀ ।
ସକାରାତ୍ମକ ଦିଗ: ଏ ପରିପ୍ରେକ୍ଷୀରେ ଗରୁତ୍ୱପୂଣ୍ଣ ଦିଗଟି ହେଲା ଅନେକ ସଂଗଠନ, ଅନୁଷ୍ଠାନ ଓ ସଭ୍ୟ ସମାଜର ପ୍ରତିନିଧିମାନେ ସମ୍ବଲପୁରରେ ଶାନ୍ତିି ଓ ସୌହର୍ଦ୍ଦ୍ୟ ଫେରେଇ ଆଣିବା ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରଶାସନ ଆଦ୍ୟକାଳୀନ ବିଫଳତାରୁ ଶିକ୍ଷା ନେଇ ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବା ଲାଗି ବିଭିନ୍ନ ସମୁଦାୟ ସହ କଥା ହେଉଛି । ବିଭିନ୍ନ ପଡ଼ାରେ ସଭା ସମିତି କରୁଛି । ଶ୍ରମିକ, କର୍ମଚାରୀ , ଚାଷୀ ଓ ଅନେକ ସାମାଜିକ, ସାଂସ୍କୃତିକ ତଥା ବୁଦ୍ଧିଜିବୀ ଏପରିକି ବିଭିନ୍ନ ଧାର୍ମିକ ଓ ସାମାଜିକ ସମୁଦାୟ ତରଫରୁ ଶାନ୍ତି ରକ୍ଷା ଲାଗି ଉଦ୍ୟମ ହେଉଛି । ଏ ପରିପ୍ରେକ୍ଷୀରେ ସରକାରଙ୍କ ପାଖରେ ବିଭିନ୍ନ ସଂଗଠନ ବିଭିନ୍ନ ରକମର ଦାବୀ ଉପସ୍ଥାପିତ କରୁଛନ୍ତି । ସଭିଏଁ ପ୍ରଶାସନିକ କଳର ବିଫଳତାର ନିନ୍ଦା କରୁଥିଲେବି ଶାନ୍ତି ପ୍ରତିଷ୍ଠା ଲାଗି ପ୍ରଶାସନକୁ ସହାୟତାର ହାତ ବଢଉଛନ୍ତି ।
ଶାନ୍ତି ପାଇଁ ଜରୁରୀ କଥା: ଶେଷରେ ଏତିକ କହିବା ଧର୍ମ , ଧର୍ମାନୁଷ୍ଠାନ ଓ ଦେବାଦେବୀ ତଥା ଇଶ୍ୱର / ଆଲ୍ଲାଙ୍କୁ ଦଳୀୟ ଓ ଭୋଟସର୍ବସ୍ୱ ରାଜନୀତିରେ ବ୍ୟବହାର କରାଯାଉଥିବାଯାଏଁ ଓ ଧାର୍ମିକ ବିଭାଜନରୁ ଭୋଟ ଫସଲ ଉତ୍ପାଦନରେ ସାଂପଦ୍ରାୟିକ ଶକ୍ତି (ସେ ସଂଖ୍ୟାଗରିଷ୍ଠ ହେଉକି ସଂଖ୍ୟାଲଘୁ) ଓ ରାଜନୈତିକ ଦଳମାନେ ସଫଳ ହେଉଥିବାଯାଏଁ ସେଥିରୁ ଯେଉଁ ଘୃଣା ଓ ବିଦ୍ୱେଷ ଜନ୍ମ ନେବ ତାହା ଆମକୁ ବିଭିନ୍ନ ସମୟରେ ହିଂସା ଆଡ଼କୁ ବାହିନେଉଥିବ । ଧର୍ମ ଓ ଧାର୍ମିକ ପର୍ବପର୍ବାଣୀ ଗୁଡ଼ିକୁ ରାଜନୀତିକରଣରୁ ମୁକ୍ତ ରଖି ତାକୁ ଭକ୍ତି , ମାନବିକତା ଓ ଭାଇଚାରା ନିର୍ମାଣ ଲାଗି ବ୍ୟବହାରରେ ଆଣିଲେହିଁ ଆମକୁ ଏକ ଶାନ୍ତି ଓ ସୌହାର୍ଦ୍ଦ୍ୟର ସମାଜ ଓ ଦେଶ ମିଳିବ ।
ସମ୍ବଲପୁରରେ ହନୁମାନ ଜୟନ୍ତୀକୁ ଦଳୀୟ ରାଜନୀତିରୁ ମୁକ୍ତ ରଖି ତାକୁ ଶକ୍ତି ପ୍ରଦର୍ଶନ ବଦଳରେ ଭକ୍ତି ପ୍ରଦର୍ଶନର କାର୍ଯ୍ୟକ୍ରମରେ ପରିବର୍ତିତ କରାଯାଉ । ସେଥିରେ ସମସ୍ତ ସମୁଦାୟର ଲୋକଙ୍କୁ ସାମିଲ ଲାଗି ନିଷ୍ଠାର ସହ ଉଦ୍ୟମ ହେଉ । ଉଭୟ ସମୁଦାୟ ମୌଳବାଦୀ ଶକ୍ତିଙ୍କଠୁ ନିଜକୁ ମୁକ୍ତ ରଖିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବେ ଏବଂ ସମୁଦାୟ ନିର୍ବିଶେଷରେ ରହିଥିବା ଅପରାଧୀ ତତ୍ୱଙ୍କୁ ଉଭୟ ସମୁଦାୟ ପ୍ରଶାସନର ସହାୟତାରେ ନିୟନ୍ତ୍ରିତ କରିପାରିବେ ତେବେ ସମ୍ବଲପୁରରେ ସ୍ଥାୟୀ ଶାନ୍ତି ସୌହାର୍ଦ୍ଦ୍ୟର ବାତାବରଣ ପ୍ରତିଷ୍ଠିତ ହେଇପାରିବ । ସବୁ ଧାର୍ମିକ ସମୁଦାୟ ଓ ନାଗରିକ ସମାଜର ସର୍ବମାନ୍ୟ ଓ ସର୍ବଗ୍ରାହ୍ୟ ଲୋକମାନେ ମିଶି ଯଦି ପର୍ବ ଗୁଡ଼ିକର ରୂପରେଖ ବାବଦରେ ସର୍ବସମ୍ମତି ନିଷ୍ପତି ନେଇପାରନ୍ତେ ତେବେ ପରସ୍ପର ଭିତରେ ସମ୍ପର୍କ ଓ ବୁଝାମଣା ମଜବୁତ ହୁଅନ୍ତା ଓ ପୁଲିସ ପ୍ରଶାସନର ହସ୍ତକ୍ଷେପ ଦରକାର ହୁଅନ୍ତା ନାହିଁ ।
ମୌଳିକ ସମସ୍ୟା ଆଡ଼କୁ ଦୃଷ୍ଟି ଯାଉ: ସମ୍ବଲପୁରର ମାଟିରେ ଏକଦା ହିନ୍ଦୁ-ମୁସଲମାନ ମିଳତ ରୂପେ ସ୍ୱାଧୀନତାର ଆନ୍ଦୋଳନ ଲଢିଥିଲେ । ସ୍ୱାଧୀନତା ଆନ୍ଦୋଳନର ସମର୍ଥନରେ ଜିଲ୍ଲାସ୍କୁଲରେ ହେଇଥିବା ସ୍କୁଲ ବର୍ଜନ ଆନ୍ଦୋଳନରେ ଉଭୟ ସମୁଦାୟର ନେତୃତ୍ୱ ରହିଥିଲା । ସମ୍ବଲପୁରର କ୍ରୀଡ଼ା, ସଂଗୀତ, ସାହିତ୍ୟ ସବୁଠି ଆମେ ଏ ଦୁଇଟି ସମୁଦାୟର ଅବଦାନ ଓ ଭାଇଚାରା ଦେଖିପାରିବା । ସେମାନେ ଓ ବାକି ସମୁଦାୟ ମିଶି ସମ୍ବଲପୁରର ଶାନ୍ତି ପ୍ରତିଷ୍ଠା ଓ ମୌଳିକ ସମସ୍ୟାର ନିଦାନ ଲାଗି ପୁଣିଥରେ ମିଳିତ ଉଦ୍ୟମ କରିବେ ବୋଲି ଆଶାଟି ସେତେବେଳେ ପୂରଣ ହେବ ଯେବେ ସବୁ ସମୁଦାୟ ଭିତରେ ଭାଇଚାରା ବଂଚିରହିବ । ଗଣମାଧ୍ୟମ ଓ ଜନ ସଂଗଠନଗୁଡ଼ିକ ଜନଜୀବନ ସହ ଜଡ଼ିତ ମୌଳିକ ପ୍ରସଂଗ ବାହାରେ ରହିଥିବା ଉତେଜନା ସୃଷ୍ଟିକାରୀ ବିଚାରହୀନ-ବିବେକହୀନ ପ୍ରସଂଗ ଓ ତା’କୁ ନେଇ କ୍ଷମତାସର୍ବସ୍ୱ ରାଜନୀତି କରୁଥିବା ବ୍ୟକ୍ତି, ଦଳ ତଥା କାର୍ଯ୍ୟକ୍ରମମାନଙ୍କୁ ପ୍ରାଧାନ୍ୟ ନ ଦେବାହିଁ ଶାନ୍ତିରକ୍ଷା ଓ ସହରର ବିକାଶ ଦିଗରେ ସବୁଠୁ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ । ।
ସମ୍ବଲପୁର ସହରର ଶାନ୍ତି ଓ ହନୁମାନ ଜୟନ୍ତୀ ; ଜଣେ ସମ୍ବଲପୁରନିବାସୀର ପ୍ରତିକ୍ରିୟା-୧