ସମ୍ବଲପୁର ସହରର ଶାନ୍ତି ଓ ହନୁମାନ ଜୟନ୍ତୀ ; ଜଣେ ସମ୍ବଲପୁରନିବାସୀର ପ୍ରତିକ୍ରିୟା-୧
“ତୁ ହିନ୍ଦୁ ବନେଗା ନା ମୁସଲମାନ ବନେଗା
ଇନସାନ୍ କେ େଓ୍ୟାଲାଦ ହେ ଇନସାନ୍ ବନେଗା ।”
ବିଭିନ୍ନ ଧର୍ମ, ସମୁଦାୟ ଓ ସଂସ୍କୃତି ଭିତରେ ମଧୁର ସମ୍ପର୍କ, ସଂଳାପ ଓ ସମନ୍ୱୟର ଭୂଇଁ ହେଲା ପଶ୍ଚିମ ଓଡିଶା ତଥା ସମ୍ବଲପୁର । ଧର୍ମ ନିର୍ବିଶେଷରେ ନୂଆଖାଇ, ଶୀତଳଷଷ୍ଠୀ, ଧନୁଯାତ୍ରା, ରଥଯାତ୍ରା, ମକର, ହୋଲି, ଦୁର୍ଗାପୂଜା, ଇଦ୍, ବଡଦିନ ଆଦି ଗଣପର୍ବରେ ସବୁ ସମୁଦାୟର ଲୋକ ଅଂଶଗ୍ରହଣ କରି ଆସୁଛନ୍ତିି । ଏପରିକି ବିଭିନ୍ନ ପୂଜା କମିଟିରେ ସବୁ ଧର୍ମର ଲୋକ ସାମିଲ ରହୁଥିବାର ଅନେକ ନଜିର ଆଗରୁ ରହିଆସିଛି । ତରଭାର ମଜାର,ସମ୍ବଲପୁରରେ ନୁରବିବିଙ୍କ ମଜାର, ରେମଡ଼ାର ରଥଯାତ୍ରା, ସୋହେଲାର ଦୁର୍ଗାପୂଜା, ସୋନପୁର- ନାରାୟଣପୁରର ରଥଯାତ୍ରା, ବରପାଲିର ରାମମନ୍ଦିର ନିର୍ମାଣ, ସମ୍ବଲପୁରରେ ୩୪୫ ବର୍ଷ ହେଲା ହିନ୍ଦୁ ପରିବାର ଦ୍ୱାରା ତାଜିଆ ନିର୍ମାଣ, ମୁସଲିମ ସମୁଦାୟରେ ଗୀତା, ବେଦ, ଉପନିଷଦର ଚର୍ଚ୍ଚା, ଭଜନ-ସଂପ୍ରଦାରେ ମୁସଲିମ କବି କଳାକାରଙ୍କ ସଂପୃକ୍ତିର ଅନେକ ଉଦାହରଣ ରହିଛି ଏ ମାଟିରେ । ଧର୍ମକୁ ଆଧାର କରି କ୍ଷମତା ସର୍ବସ୍ୱ ରାଜନୀତି କରୁଥିବା ଦଳ ଓ ଗୋଷ୍ଠୀମାନେ ବିଭିନ୍ନ ଧର୍ମର ଲୋକଙ୍କ ଭିତରେ ବିଦ୍ୱେଷ ସୃଷ୍ଟି କରି ଦେଶ ଓ ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦଙ୍ଗା କରେଇବାରେ ସଫଳ ହେଉଥିବା ବେଳେ ସମ୍ବଲପୁର ସହରରେ ରହିଥିବା ଧାର୍ମିକ ସମନ୍ୱୟ ଓ ଭାଇଚାରାର ଐିତିହ୍ୟ କାରଣରୁ ଏ ସହର ସାଂପ୍ରଦାୟିକ ଦଂଗା ଓ ଉତ୍ତେଜନାରୁ ଏଯାଏଁ ମୁକ୍ତ ହେଇ ଆସିଥିଲା ।
ଏପ୍ରିଲ ୧୨ ଓ ୧୪, ୨୦୨୩ ସମ୍ବଲପୁର ପାଇଁ କଳା ଦିନ: ହନୁମାନ ଜୟନ୍ତୀ ପାଳନର ଦୁଇ ଦିନ ପୂର୍ବରୁ ୨୦୨୩ ଏପ୍ରିଲ ୧୨ ତାରିଖ ଦିନ ହେଇଥିବା ବାଇକ୍ ର୍ୟାଲି ଉପରକୁ କିଛି ମୁଷ୍ଟିମେୟ ଅପରାଧୀଙ୍କ ଅତର୍କିତ ପଥର ମାଡ଼ ଓ ଆକ୍ରମଣର ଦୁର୍ଭାଗ୍ୟଜନକ ଘଟଣା ଘଟିଲା । ଜିଲ୍ଲା ପ୍ରଶାସନର ତ୍ରୁଟିପୂର୍ଣ୍ଣ ସ୍ଥିତି ଆକଳନ, ଦୂରଦୃଷ୍ଟିର ଅଭାବ ଓ ଶାନ୍ତି ଶୃଂଖଳାର ସହ ଏ କାର୍ଯ୍ୟକ୍ରମକୁ ପରିଚାଳିତ କରିବା ଲାଗି ଆବଶ୍ୟକ ପ୍ରସ୍ତୁତି ଅଭାବ କାରଣରୁ ମୁଷ୍ଟିମେୟ ଅପରାଧୀ ଏ ଘଟଣା ଘଟେଇବାରେ ସଫଳ ହେଲେ ଯେଉଁଥିରେ ଉଭୟ ପୁଲିସ ଓ ଶୋଭାଯାତ୍ରାକାରୀମାନେ ଆହତ ହେଲେ । ପୁଲିସ ନିଜେ ଲହୁଲୁହାଣ ହେଲା । ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ଅନ୍ୟତମ କର୍ମକର୍ତ୍ତା ଦାମ କର, ଧନୁପାଲି ମହିଳା ଥାନା ଅଧିକାରୀ ଗମ୍ଭୀର ରୂପେ ଆହତ ହେଲେ । ଆଶ୍ୱସନାର କଥା ଯେ ସେମାନେ ସୁସ୍ଥ ହେଲେଣି । ସେଦିନ ମୋତିଜିରା ଓ ସୁନାପାଲି ଅଂଚଳ ଦେଇ ପ୍ରାୟ ୧୫୦୦ ଲୋକଙ୍କ ବାଇକ୍ ର୍ୟାଲି ଦଳ ଦଳ ହେଇ ସେ ରାସ୍ତାରେ ଯାଉଥାଏ । ଶୋଭାଯାତ୍ରାର ଏକ ବଡ଼ ଅଂଶ ଯାଇ ସାରିଲା ପରେ ଆଉ ଏକ ଛୋଟ ଦଳ ଶେଷରେ ଆସୁଥାଏ । ସେଇ ଦଳ କିଛି ସମୟ ଅଟକି ସ୍ଳୋଗାନ ଦେଉଥିବା ବେଳେ ଏ ଘଟଣା ଘଟିଲା । ସେତେବେଳକୁ ସେଠି ମାତ୍ର ୧୨-୧୩ ଜଣ ପୁଲିସ । ସେମାନେ ସ୍ଥିତିକୁ ସମ୍ଭାଲି ନ ପାରିବା ସ୍ୱାଭାବିକ । ଯା ଫଳରେ ସାରା ସହରର ଶାନ୍ତି ଓ ସୌହାର୍ଦ୍ଦ୍ୟ ବ୍ୟାହତ ହେଲା । ସେଇ ଦିନ କିଛି ମୁଷ୍ଟିମେୟ ଅପରାଧୀ ଅନେକ ଛୋଟ ବଡ଼ ଦୋକାନ ନଷ୍ଟ କଲେ ।
୧୪୪ ଧାରା ସତ୍ତ୍ୱେ ଏପ୍ରିଲ ୧୪ ସଂଧ୍ୟାରେ ପ୍ରଶାସନିକ ଅନୁମତିରେ ହନୁମାନ ଜୟନ୍ତୀ ପାଳନ ହେଲା । ଶୋଭାଯାତ୍ରା ଦିନ ୪୨ ପ୍ଳାଟୁନ ପୁଲିସ ଓ ଅର୍ଦ୍ଧସାମରିକ ବଳ ମୁତୟନ ସତ୍ତ୍ୱେ ଗୋଲବଜାର, ଗେଟି ଟକିଜ୍, ଲକ୍ଷ୍ମୀ ଟକିଜ୍ ଓ ଅନ୍ୟ କିଛି ଅଂଚଳରେ ଅନେକ ଦୋକନ ଜଳାପୋଡ଼ା ଓ ଭଂଗାରୁଜାର ଘଟଣା ଘଟିଲା । ଏସବୁ ଦୋକାନ ଥିଲା ସଂଖ୍ୟାଲଘୁ ସଂପ୍ରଦାୟର । ତା ସହ ଜଣେ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ହତ୍ୟା ହେଲା ଯେଉଁଥିରେ ଅପରାଧିକ ପୃଷ୍ଠଭୂମି ଥିବା କେତେଜଣ ମୁସଲମାନ ଜଡ଼ିତ ଥିଲେ । ସମ୍ବଲପୁର ଇତିହାସରେ ଏ ବିରଳ ଘଟଣା ସମସ୍ତଙ୍କୁ ଚକିତ ଓ ମର୍ମାହତ କରିଛି । ତା ପରେ ପରେ କର୍ଫ୍ୟୁ ଜାରି ତଥା ଇଂଟରନେଟ୍ ସେବା ବନ୍ଦ ଭିତରେ ଅଳ୍ପ କିଛି ଭଂଗାରୁଜା ଓ ଜଳାପୋଡା ଘଟଣା ହେବା ସତ୍ତ୍ୱେ ସହର ଧିରେଧିରେ ଶୃଂଖଳିତ ହେବାରେ ଲାଗିଛି ଯାହା କିଛିଟା ଆଶ୍ୱସ୍ତି ଆଣିଛି ।
ଏସବୁ ସତ୍ତ୍ୱେ ସହରରରେ ବିଭିନ୍ନ ସମୁଦାୟ ଭିତରେ ସନ୍ଦେହ ଓ ଅବିଶ୍ୱାସ ବଢିଛି । ମିଥ୍ୟା ତଥ୍ୟ ଓ ମିଛ କଥାର ପ୍ରଚାର ହେଉଥିବା ଯୋଗୁଁ ସହରବାସୀଙ୍କ ଭିତରେ ଆଶଙ୍କା ଓ ଆତଙ୍କ ଜାରି ରହିଛି । ଦୀର୍ଘ ଦୁଇ ସପ୍ତାହ ଧରି ସାରା ସହରବାସୀ ଜୀବନ ଯେମିତି ଅଚଳ ହେଇପଡ଼ିଲା । ବିଶେଷ କରି ଦିନ ମଜୁରିଆ, ଉଠା ଦୋକାନୀ, ଖାଇବା ହୋଟେଲ, କପଡ଼ା ଦୋକାନ, ଛୋଟ ବ୍ୟବସାୟିକ ପ୍ରତିଷ୍ଠାନ, ଇଂଟରନେଟ୍ ସେବା ଉପରେ ନିର୍ଭରଶୀଳ ଛାତ୍ର, ଘରୁ ଅଫିସ କାମ କରୁଥିବା କର୍ମଚାରୀ, ଜରୁରୀ ବ୍ୟାଙ୍କ ସେବା ଚାହୁଁଥିବା ଉପଭୋକ୍ତା, ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେ । ଅନ୍ୟପଟେ ଅନେକ ମୁସଲମାନ ଯେଉଁମାନେ ହିନ୍ଦୁମାନଙ୍କରେ ଘରେ ରହୁଥିଲେ, ହିନ୍ଦୁମାନଙ୍କ ନିୟନ୍ତ୍ରଣରେ ଥିବା ଜାଗା ଓ ଦୋକାନ ଭଡ଼ାରେ ନେଇଥିଲେ ସେମାନଙ୍କୁ ଘର ଓ ଦୋକାନ ଛାଡ଼ିବା ପାଇଁ କୁହାଯାଉଛି । ଘର ଓ ଜାଗା/ ଦୋକାନ ମାଲିକମାନେ କହୁଛନ୍ତି ଭାଇ ଛାଡ଼, ଆମ ଉପରେ ଚାପ ଅଛି । କେତେ ଜାଗାରେ ଆଉ ଦୋକାନ ଖୋଲ ନାହିଁ ବୋଲି , ବନ୍ଦ ରଖ ବୋଲି ଶୁଣେଇ ଦିଆଯାଉଛି । । ଏ ନେଇ ଲୋକେ ପୁଲିସକୁ ଜଣେଇବାକୁ ଡ଼ରୁଛନ୍ତି । ଅଳ୍ପ ଲୋକ ପୁଲିସକୁ ଲେଖି ଜଣଉଛନ୍ତି ମଧ୍ୟ । କିଛି ଲୋକ ଏଯାଏଁ ଦୋକାନ ବନ୍ଦ କରି ରଖିଛନ୍ତି । କିଛି ଲୋକ ଘର/ ଜାଗା ଓ ଦୋକାନ ଛାଡ଼ୁଛନ୍ତି । ସୌଭାଗ୍ୟ ବଶତଃ ଏପରି ଘଟଣାର ସଂଖ୍ୟା ଅତି ଅଳ୍ପ । ଆଶା କରାଯାଉଛି ଯେ ସମୟକ୍ରମେ ଏସବୁ ପ୍ରକ୍ରିୟା ଶାନ୍ତ ପଡ଼ିଯିବ । କିନ୍ତୁ ସାମାଜିକ ଗଣମାଧ୍ୟମରେ ଯେଉଁପରି ବିଦ୍ୱେଷ ସୃଷ୍ଟିକାରୀ ଲେଖା ସବୁ ସ୍ଥାନୀତ ହେଉଛି, ହିନ୍ଦୁ ସମାଜ ନାଁରେ ନିର୍ଦ୍ଦିଷ୍ଟ ନାଁ ଓ ଠିକଣା ନଥାଇ ମୁସଲମାନମାନଙ୍କୁ ସବୁ ରକମର ସାମାଜିକ ଓ ଆର୍ଥିକ ବାସନ୍ଦ କରନ୍ତୁ ବୋଲି ଏକ ପ୍ରଚାରପତ୍ରର ପ୍ରସାର ହେଉଛି । ଏସବୁ ଦେଖିଲେ ଲାଗୁଛି କିଛି ଦୁଷ୍ଟ ଶକ୍ତି ଓ ତତ୍ୱ ଅଶାନ୍ତିର ନିଆଁକୁ ଜଳେଇ ରଖିବାକୁ ଚାହାଁନ୍ତି । ସେସବୁକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ଦ୍ୱାରା ବିଦ୍ୱେଷ ଓ ଅବିଶ୍ୱାସ ଅହୁରି ବଢୁଛି ।
୨୯ ଏପ୍ରିଲ ସୁଦ୍ଧା ୧୨ ତାରିଖ ଘଟଣାରେ ୪୬ ଜଣ ଓ ୧୪ ତାରିଖର ପୋଡ଼ାଜଳା, ହତ୍ୟା ତଥା ତା ପରବର୍ତ୍ତୀ ଘଟଣାରେ ୫୬ ଜଣ ଗିରଫ ହେଇଛନ୍ତି । ସେ ଭିତରୁ ହତ୍ୟା ଘଟଣା ଲାଗି ୮ ଜଣ ଗିରଫ ହେଇଛନ୍ତି । ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ନେଇ ୧୬ ଜଣଙ୍କୁ ଗିରଫ କରି ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଛି । ଇଂଟରନେଟ୍ ସେବା ବନ୍ଦ ଓ ସ।।ମାଜିକ ଗଣମାଧ୍ୟମରେ ଅପପ୍ରଚାରକୁ ନେଇ ଗିରଫଦାରୀ ସମ୍ବଲପୁରର ଇତି÷ହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି । ପୁଲିସର ଆଉ ଏକ ଘୋଷଣା ଉଭୟ ସମୁଦାୟଙ୍କୁ ଚିନ୍ତାରେ ପକେଇଛି, ସେ ହେଲା ଅପରାଧିକ ଗିତିବିଧି ସହ ଜଡ଼ିତ ଲୋକଙ୍କ ଘର ଯଦି ସରକାରୀ ଜମି ରେ ବେଆଇନ ରୂପେ ନିର୍ମିତ ହେଇଥିବ ତେବେ ସେମାନଙ୍କୁ ଉଛେଦ କରାଯିବ । ସମ୍ବଲପୁରରେ ଧର୍ମ ନିର୍ବିଶେଷରେ ବହୁ ଲୋକ ଆଜିବି ସରକାରୀ ଜମିରେ ଘର ଓ ଦୋକାନବାଡ଼ି କରିଛନ୍ତି । ଏଇମିତି ଲୋକବି ବହୁ ସଂଖ୍ୟାରେ ଅଛନ୍ତି ଯେଉଁମାନେ ବହୁ ଦଶନ୍ଧି ହେଲା ରହୁଥିବା ଜମି ଲାଗି ପଟ୍ଟା ଦାବୀ କରିଆସୁଛନ୍ତି ଯାହାକୁ ସରକାରମାନେ ଅଣଦେଖା କରି ଚାଲିଛନ୍ତି ।
ପ୍ରଶ୍ନ ହେଲା ଏଥିପାଇଁ ଦାୟୀ କିଏ?
ପ୍ରଶାସନିକ ବିଫଳତା, ଏପ୍ରିଲ ୧୨ ଓ ୧୪ ତାରିଖର ଘଟଣାରେ ଜଡ଼ିତ ମୁଷ୍ଟିମେୟ ଅପରାଧୀଙ୍କ ଗତିବିଧି, ହନୁମାନ ଜୟନ୍ତୀ ପାଳନରେ ଭକ୍ତି ବଦଳରେ ଶକ୍ତି ପ୍ରଦର୍ଶନର ଦୂରାଗ୍ରହ ଓ ସାଂପ୍ରଦାୟିକ ରାଜନୀତି ଏଥିଲାଗି ମୂଳତଃ ଦାୟୀ ।
ପ୍ରଶାସନିକ ବିଫଳତା: ସ୍ଥିତି ଆକଳନଜନିତ ପ୍ରଶାସନିକ କଳର ବିଫଳତା ତ ନିଶ୍ଚିତ କଥା । ରାମନବମୀ ଓ ହନୁମାନ ଜୟନ୍ତୀକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହେବାର ନଜିର ସଭିଙ୍କ ସାମ୍ନାରେ ଥିଲାବେଲେ ସମ୍ବଲପୁର ପ୍ରଶାସନ ସତର୍କ ନ ହେବା ଆଶ୍ଚର୍ଯ୍ୟଜନକ । ଗୁଇନ୍ଦା ସଂସ୍ଥା ଓ ପ୍ରଶାସନିକ କଳ ସତର୍କ ହେଇଥିଲେ ଏପ୍ରିଲ ୧୨ ତାରିଖ ଓ ତା ପରର ହିଂସାତ୍ମକ ଘଟଣାକୁ ଏଡ଼ାଯାଇପାରିଥାନ୍ତା । ୧୨ ତାରିଖ ବାଇକ୍ ର୍ୟାଲି ପୂର୍ବରୁ ଅପରାଧିକ ଗତିବିଧିର ଇତିହାସ ଥିବା କିଛି ଲୋକଙ୍କୁ ସାମୟିକ ଭାବେ ଗିରଫ କରାଯାଇପାରିଥାନ୍ତା । ର୍ୟାଲି ସମୟରେ ବଡ଼ ସଂଖ୍ୟାରେ ପୁଲିସ ଓ ଅର୍ଦ୍ଧ ସାମରିକ ବଳ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରଯାଇପାରିଥାନ୍ତା । ବିଶେଷକରି ମୋତିଝରନ, ସୁନାପାଲି, ଜିଲ୍ଲା ହାଇସ୍କୁଲ ଛକ, ପୀର ବାବା ଛକ ଆଦି ଅଂଚଳରେ । ସେ ଅଂଚଳରେ ଥିବା କିଛି ବିଲ୍ଡିଂଗର ଛାତମାନଙ୍କରେ କିଛି ପୁଲିସ ଛିଡ଼ା କରାଯାଇପାରିଥାନ୍ତା । ତା ଛଡ଼ା ବାଇକ୍ ର୍ୟାଲିର ସମୟ ଓ ରୋଜା/ ନମାଜପଢା ସହ ମସଜିଦରେ ଲୋକଙ୍କ ଯିବା ଆସିବା ସମୟ ଗୋଟିଏ ହେଇଯିବା ଆଉ ଏକ ବିଡ଼ମ୍ବନା । ପ୍ରଶାସନ ଏ ବାବଦରେ ସଚେତନ ହେଇଥିଲେ ର୍ୟାଲିର ସମୟକୁ ଆଗ ପଛ କରାଯାଇପାରିଥାନ୍ତା । ଏଥିରୁ ଜଣାପଡ଼ୁଛି ପ୍ରଶାସନ ଆଇନ ଶୃଂଖଳାର ପ୍ରସଂଗକୁ ନେଇ ଗମ୍ଭୀର ନଥିଲା । ଅନ୍ୟପଟେ ସମ୍ବଲପୁର ଏସ୍ପ୍ପି ୧୨ ତାରିଖ ଘଟଣାକୁ ପୂର୍ବନିୟୋଜିତ ବୋଲି କହିଲା ପରେ ପୁଲିସ ପ୍ରଶାସନ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଲୋକେ କହୁଛନ୍ତି ଯଦି ଘଟଣା ପୂର୍ବ ନିୟୋଜିତ ଥିଲା ତେବେ ପୁଲିସ କେମିତ ଜାଣିପାରିଲା ନାହିଁ । ଯୋହେଉ ଗତ ବର୍ଷ( ୨୦୨୨)ରେ ସେଇ ସମାନ ଅଂଚଳରେ ଥିବା ମସଜିଦ ସାମ୍ନା ଦେଇ ଶୋଭାଯାତ୍ରା ଯାଉଥିବା ବେଳେ ଉତେଜକ ସ୍ଳୋଗାନ କାରଣରୁ କିଛିଟା ଉତେଜନା ଦେଖାଯାଇଥିଲା ଯାହା ପୁଲିସର ହସ୍ତକ୍ଷେପ ଫଳରେ ନିୟନ୍ତ୍ରିିତ ହେଇଯାଇଥିଲା । ଆଗରୁ ପୁଲିସ ପ୍ରଶାସନ ମସଜିଦ୍ ସାମ୍ନାରେ ଉତେଜନାର ଆଶଙ୍କା କରି ପ୍ରସ୍ତୁତ ହେଇ ରହୁଥିଲା ଓ ଭିଡ଼କୁ ଯେତେଶୀଘ୍ର ସମ୍ଭବ କମ କରିବାକୁ ଚେଷ୍ଟା କରୁଥିଲା । ସେ ଘଟଣାରୁ ପୁଲିସ ପ୍ରଶାସନ ଶିକ୍ଷା ନେଇ ଅଧିକ ସତର୍କ ହେବାର ଥିଲା । ତାଛଡ଼ା ଏବର୍ଷ ଯେହେତୁ ଜୟନ୍ତୀ ଓ ରମଜାନ ଗୋଟିଏ ସମୟରେ ପଡ଼ୁଥିଲା ତେଣୁ ବାଇକ୍ ର୍ୟାଲିର ସମୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିଲା ।
ଠିକ୍ ସେମିତି ପୁଲିସପ୍ରଶାସନ ନିଷ୍ଠାର ସହ କାମ କରିଥିଲେ ଏପ୍ରିଲ ୧୪ ଜୟନ୍ତୀ ଦିନ ଶୋଭାଯାତ୍ରାବେଳେ ଘଟିଥିବା ଜଳାପୋଡ଼ା ଓ ଭଂଗାରୁଜାର ଘଟଣାକୁ ଏଡ଼େଇ ଦେଇପାରିଥାନ୍ତା । ସବୁଠୁ ଦୁଃଖଦ ଘଟଣା ହେଲା ଆଦିବାସୀ ଯୁବକ ମିର୍ଦ୍ଧାଙ୍କ ହତ୍ୟା ଯାହା ଲୋକଙ୍କୁ ଅଧିକ ଉତ୍ୟକ୍ତ କରିବା ସ୍ୱାଭାବିକ । କିଛି ଲୋକଙ୍କ ମତ ହେଲା ୧୨ ତାରିଖ ଘଟଣାକୁ ଦେଖି ଯଦି ଏପ୍ରିଲ ୧୪ ତାରିଖ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ଲାଗି ବନ୍ଦ କରିଦିଆଯାଇଥାନ୍ତା ତେବେ ଏ ହତ୍ୟାକାଣ୍ଡ ଘଟିନଥାନ୍ତା । ଅବଶ୍ୟ ଯଦି କିନ୍ତୁ ପରନ୍ତୁର ମାନେ କିଛି ନାହିଁ । ଘଟଣା ଘଟିସାରିଛି । ଅଭାବନୀୟ ଆର୍ଥିକ କ୍ଷତି ଓ ସବୁଠୁ ବଡ଼ କ୍ଷତି ହେଲା ଦୁଇଟି ସମୁଦାୟ ଭିତରେ ନିର୍ମିତ ସନ୍ଦେହ ଓ ଅବିଶ୍ୱାସର ବାତାବରଣ ।
(କ୍ରମଶଃ)