ଭାରତୀୟ ରାଜନୀତି ଓ ଭାରତୀୟ ନାରୀ

ଭାରତୀୟ ରାଜନୀତି ଓ ଭାରତୀୟ ନାରୀ

ଅକ୍ଟୋବର, ୨୦୧୫ର ଗୋଟିଏ ହାଲୁକା ଖରା ଏବଂ ହାଲୁକା ଶୀତର ଅପରାହ୍ନ। ଇନ୍ଦୋର ହୋଲକର୍ ବ°ଶର ରଜଓ୍ବାଡାକୁ ଲାଗି ମହ୍ଲାର ମନ୍ଦିର ଓ ମ୍ୟୁଜିଅମ୍ ଦେଖିସାରି ବାହାରକୁ ଆସିଲା ବେଳକୁ ମୋ ମନ ଗର୍ବ ଓ ସନ୍ତୋଷରେ ଭରି ଯାଇଥାଏ। ମହ୍ଲାର ମନ୍ଦିରର କାଠ ନିର୍ମିତ ଛାତ, ଖମ୍ବ, ତା’ର କାରୁକାର୍ଯ୍ୟ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଯେତିକି ଆକର୍ଷଣୀୟ, ଇତିହାସ ଦୃଷ୍ଟିରୁ ମଧ୍ୟ ଖୁବ୍ ମହତ୍ତ୍ୱପୂର୍ଣ୍ଣ। ଏହା ହେଉଛି ହୋଲକର୍ ବ°ଶର ଆରାଧ୍ୟ ମହ୍ଲାର ମାର୍ତଣ୍ଡୈ, ଶିବଙ୍କର ମନ୍ଦିର। ଯାହା ହୋଲକର୍ ବ°ଶର ରାଣୀ ଅହଲ୍ୟାବାଈଙ୍କ ଦ୍ବାରା ପ୍ରତିଷ୍ଠିତ। ଅଗଣାରେ ଥିବା କଳାଳିଆ ଗାଢ୍ ବାଦାମୀ ରଙ୍ଗର କାଠର ଖମ୍ବ ଉପରେ ଯେତବେଳେ ସୂର୍ଯ୍ୟ କିରଣ ତେରଛା ହୋଇ ପଡି ଚିକ୍-ଚିକ୍ କରୁଥାଏ, ଲାଗୁଥାଏ ୧୭୬୫ରେ ଗ୍ବାଲିଅର ନିକଟବର୍ତ୍ତୀ ଗୋହାଦ ଦୁର୍ଗ ଅକ୍ତିଆର କଲାପରେ, ରାଣୀ ଅହଲ୍ୟାବାଈଙ୍କ ଆଖି ଠିକ୍ ଏମିତି ହିଁ ଚିକ୍-ଚିକ୍ କରୁଥିବ। ରାଣୀ ଅହଲ୍ୟାବାଈ ହୋଲକର୍, ଯିଏକି ନିଜ ସ୍ବାମୀ ଏବଂ ଶ୍ବଶୁରଙ୍କ ମୃତ୍ୟୁ ପରେ ହୋଲକର୍ ବ°ଶର ରାଜସିଂହାସନରେ ୧୭୬୭ ମସିହାରେ ବସିଥିଲେ। ସେତେବେଳେ ତାଙ୍କୁ ୪୨ ବର୍ଷ ବୟସ ହୋଇଥାଏ । ବିବାହ ବେଳକୁ ତାଙ୍କୁ ଆଠ ବର୍ଷ ହୋଇଥିଲା, ସେ ସମୟରେ ତାଙ୍କ ଶାଶୁ ତାଙ୍କୁ ନୀତିଶିକ୍ଷା, ରାଜଧର୍ମ, ହିସାବକିତାବ ଏବଂ ଶାସନତନ୍ତ୍ର ବିଷୟରେ ଶିକ୍ଷା ଦେଇଥିଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଶ୍ବଶୁର ମହ୍ଲାର ରାଓ ହୋଲକର୍ ଏବଂ ଶାଶୁ ତାଙ୍କୁ ‘ସତୀ’ ହେବାକୁ ନଦେଇ ଯୁଦ୍ଧବିଦ୍ୟାରେ ପାରଙ୍ଗମ କରିଥିଲେ। ୧୭୬୭ ମସିହାରେ ମଧ୍ୟ ରାଣୀ ଅହଲ୍ୟାବାଈ ହୋଲକର୍ ପ୍ରମାଣ କରିଦେଇଥିଲେ ଯେ ନାରୀ କେବଳ ସୁଚାରୁ ଭାବରେ ଘରକରଣା କିମ୍ବା ସନ୍ତାନର ଲାଳନପାଳନ କରିପାରେ ତା’ ନୁହେଁ, ଯେତେବେଳେ ରାଜନୀତିରେ ପ୍ରବେଶକରି ଦେଶର ଶାସନ ଭାର ସମ୍ଭାଳେ ଯୁଗଯୁଗ ପାଇଁ ନିଜର ନୀତି ଏବଂ ଚରିତ୍ରର ଛାପ ଛାଡିଯାଏ।

ଆଜି ମଧ୍ୟ ରାଣୀ ଅହଲ୍ୟାବାଈ ହୋଲକରଙ୍କ ନାଁ ଉଚ୍ଚରଣ କଲେ ମଧ୍ୟ-ଭାରତରେ କେବଳ ସମ୍ମାନ ନୁହେଁ ଲୋକଙ୍କ ମୁଣ୍ଡ ଭକ୍ତିରେ ମଧ୍ୟ ନଇଁଯାଏ। କେବଳ ରାଣୀ ଅହଲ୍ୟାବାଈ ହୋଲକର୍ ନୁହନ୍ତି, ସ୍ବାଧୀନତା ପରେ ଯେତେବେଳେ ଇନ୍ଦିରା ଗାନ୍ଧୀ ୧୯୬୬ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ, ସେପର୍ଯ୍ୟନ୍ତ ପୃଥିବୀର କୌଣସି ମଧ୍ୟ ବିକଶିତ ଏବଂ ଆଗଧାଡିର ଦେଶ ଗୁଡିକରେ ମହିଳା ଦେଶର ସର୍ବୋଚ୍ଚ ଶାସନ ପଦର ଭାର ଗ୍ରହଣ କରି ନଥିଲେ। ବିଶ୍ବର ସବୁଠାରୁ ଶକ୍ତିଶାଳୀ, ବିକଶିତ ଏବଂ ଓପନ୍- କଲ୍ଚର ହୋଇ ମଧ୍ୟ ଏପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଜଣେ ମହିଳାଙ୍କୁ ତା’ର ସର୍ବୋଚ୍ଚ ଶାସନ ପଦ ପାଇଁ ଚୟନ କରିପାରି ନାହିଁ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତ-ଚୀନ୍ ଯୁଦ୍ଧରେ ଚୀନର ପରାଜୟ ଏବଂ ପାକିସ୍ତାନ ବିଭାଜିତ ହୋଇ ପାକିସ୍ତାନ ଏବଂ ବା°ଗଲାଦେଶ ହେବା ବିଷୟରେ ତ ସମସ୍ତେ ଜାଣନ୍ତି। ସେ ଏତେ ପ୍ରଭାବଶାଳୀ ଥିଲେ ଯେ, ତାଙ୍କ ରାଗକୁ ଶାନ୍ତ କରିବା ପାଇଁ ଲିବିଆର ଶାସକ ମୁନ୍ନାଓ୍ବର ଗଦାଫି ପରି ଏକଛତ୍ରବାଦୀ ମଧ୍ୟ ନିଜ ପତ୍ନୀଙ୍କୁ ଦିଲ୍ଲୀ ପଠାଇ ଥିଲେ। ଭାରତର ଏ ଦୁଇଜଣ ପ୍ରଭାବଶାଳୀ ନେତ୍ରୀ, ରାଣୀ ଅହଲ୍ୟାବାଈ ଏବଂ ଇନ୍ଦିରା ଗାନ୍ଧୀଙ୍କ କଥା ମୋର ଆଜି ହଠାତ୍ ଏମିତି ମନେ ପଡିନି! ମନେ ପଡିବାର ପକ୍କା କାରଣ ଅଛି। କାରଣ ହେଉଛି ନିକଟରେ ଖବରକୁ ଆସିଥିବା ପଶ୍ଚିମ ବଙ୍ଗର ସନ୍ଦେଶଖାଲିର ଦୁର୍ଘଟଣା।

       ଏଇ ଆଠ-ଦଶ ଦିନ ଭିତରେ ଭାରତର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ପଶ୍ଚିମବଙ୍ଗର ଏହି ସ୍ଥାନର ନାଁ ଜାଣି ସାରିଲେଣି। ଯଦିଓ ଏଇ କିଛି ଦିନ ହେଲା ସନ୍ଦେଶଖାଲିର ନାଁ ମୁଖ୍ୟଧାରା ଏବଂ ସୋସିଆଲ ମିଡିଆରେ ଫୋକସରେ ଅଛି, କିନ୍ତୁ ପ୍ରକୃତରେ ଏହି ସ୍ଥାନରେ ହଲଚଲ୍ ଆରମ୍ଭ ହୋଇଥିଲା ଜାନୁଆରୀ ମାସରୁ। ୨୦୨୪, ଜାନୁଆରୀ ୫ରେ ଯେତେବେଳେ ଇଡିର ଅଧିକାରୀ ସ୍ଥାନୀୟ ଟିଏମସି ନେତା ସାହାଜାହାନ ଶେଖଙ୍କୁ, ‘ରାସନ୍ ବିତରଣ ହେରଫେର୍’ ମାମଲାରେ ଜେରା କରିବା ପାଇଁ ପହଞ୍ଚିଥିଲା ସେତେବେଳେ ସ୍ଥାନୀୟ ଲୋକଙ୍କ ଗୋଟିଏ ଭିଡ ମାଡିଆସି ଇଡି ଅଧିକାରୀଙ୍କୁ ସେଠାରୁ ତଡି ଦେଇଥିଲେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସାରେ ପଶ୍ଚିମବଙ୍ଗର ରାସନ୍ ବିତରଣ ହେରଫେରରେ ପ୍ରତ୍ୟେକ ହିତାଧିକାରୀର ଭାଗରେ ପଡୁଥିବା ରାସନର ୩୦% ବାଟମାରଣା ହେଉଥିଲା ଏବଂ ଏହାର ମାତ୍ରା ନଅ’ ହଜାରରୁ ଦଶହଜାର କୋଟି ଟଙ୍କା ହେବ। ଏହି ଆରୋପରେ ୨୭ ନଭେମ୍ବର, ୨୦୨୩ରେ ପଶ୍ଚିମବଙ୍ଗର ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କୁ ଗିରଫ ମଧ୍ୟ କରା ଯାଇଥିଲା। କିନ୍ତୁ ଇଡିର ଅଧିକାରୀ ଯେତେବେଳେ ଏହି ମାମଲାର ଜାଞ୍ଚ ପାଇଁ ସନ୍ଦେଶଖାଲି ପହଞ୍ଚିଲେ, ସ୍ଥାନୀୟ ଲୋକଙ୍କ ଭିଡ ତାଙ୍କୁ ସେଠାରେ ଘେରାଉ କରି ତଡି ଦେଇଥିଲା ଏବଂ ସେହି ଦିନ ଠାରୁ ସ୍ଥାନୀୟ ଟିଏମସି ନେତା ସାହାଜାହାନ ଶେଖ୍ ଫେରାର୍ ଅଛନ୍ତି। କିନ୍ତୁ ୫ ଜାନୁଆରୀ ପରେ ସନ୍ଦେଶଖାଲି ଦ୍ବିତୀୟ ଥର ଯେତେବେଳେ ଖବରକୁ ଆସିଲା ତାହା ଥିଲା ୮ ଫେବୃଆରୀରେ। ସ୍ଥାନୀୟ ମହିଳାମାନେ ହାତରେ ଲାଠି, ଝାଡୁ ଏବଂ କୃଷି ଉପକରଣ ଧରି ରାସ୍ତାକୁ ପ୍ରଦର୍ଶନ ପାଇଁ ଓହ୍ଲାଇ ଆସିଥିଲେ। ସେମାନଙ୍କ ଆରୋପ ଥିଲା ଯେ ସାହାଜାହାନ ଶେଖ୍ ଏବଂ ତାଙ୍କ ଲୋକ, ବର୍ଷ ବର୍ଷ ଧରି ସେମାନଙ୍କ ଜମି ଜବରଦଖଲ କରି ସେଥିରେ ନିଜେ ଚିଙ୍ଗୁଡ଼ି ଚାଷ କରିବା ସହ ସ୍ଥାନୀୟ ମହିଳାମାନଙ୍କୁ ଗନ୍ ପଏଣ୍ଟରେ ବଳାତ୍କାର କରୁଥଲେ। ସେମାନଙ୍କୁ ଜୋର୍ ଜବରଦସ୍ତି ଡାକି ଯୌନନିର୍ଯାତନା ଦିଆ ଯାଉଥିଲା। ଘଟଣାଟି ଆହୁରି ଉଗ୍ର ରୂପ ନେଇଥିଲା, ଯେତେବେଳେ ସ୍ଥାନୀୟ ଲୋକେ, ସାହାଜାହାନ ଶେଖଙ୍କ ଜଣେ ପାଖ ଲୋକର କୁକୁଡ଼ା ଫାର୍ମରେ ନିଆଁ ଲଗାଇ ଦେଇଥିଲେ।

ଏଥିରେ ସ୍ଥାନୀୟ ବିଜେପି କର୍ମୀଙ୍କ ଦ୍ଵାରା ପ୍ରଦର୍ଶନ ତଥା ଦଖଲ ପରେ ଘଟଣାଟି ଆହୁରି ଉଗ୍ର ରୂପ ନେଇଥିଲା। ଏହା ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଏବଂ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇ ଯାଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ, ସନ୍ଦେଶଖାଲିର ସମସ୍ତ ପ୍ରଦର୍ଶନ, ଘଟଣା ତଥା ଆଜିର ରୂପ ବିଜେପି ପ୍ରାୟୋଜିତ ବୋଲି ଆରୋପ ଲଗାଉଥିବା ବେଳେ ବିଜେପି ଏହା ମମତା ସରକାରଙ୍କ ଅପରାଧପ୍ରବଣ ଶାସନର ଗୋଟିଏ ନମୁନା ବୋଲି କହୁଛି। ପୁଣି ସନ୍ଦେଶଖାଲିରେ ପ୍ରଦର୍ଶନ ଓ ଗଣ୍ଡଗୋଳକୁ ରୋକିବା ପାଇଁ ୧୪୪ ଧାରା ଲାଗୁ କରିବା, ରିପୋର୍ଟି° କରୁଥିବା ସାମ୍ବାଦିକକୁ ଗିରଫ କରିବା, ବିରୋଧୀ ଦଳର ନେତାଙ୍କୁ ଘଟଣାସ୍ଥଳରେ ପହଞ୍ଚିବାରୁ ରୋକିବା, ଏସବୁ ନିଶ୍ଚିତ ଭାବରେ ପଶ୍ଚିମବଙ୍ଗର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। କେବଳ ଏଇ ସନ୍ଦେଶଖାଲିର ଘଟଣା ନୁହେଁ, ଗତ କିଛି ବର୍ଷ ମଧ୍ୟରେ ଏହା ଯେମିତି ଭାରତୀୟ ରାଜନୈତିକ ବ୍ୟବସ୍ଥାର ଚରିତ୍ରରେ ପରିଣତ ହୋଇ ଯାଇଛି। ମଣିପୁରରେ ଦୁଇଜଣ ଝିଅଙ୍କୁ ବିବସ୍ତ୍ର କରି ଗାଁ ସାରା ଲୋକଙ୍କ ଭିଡ ଭିତରେ ବୁଲାଇ ବୁଲାଇ ତାଙ୍କୁ ଅଶାଳୀନ ଢଙ୍ଗରେ ଛୁଇଁଥିବା ଭିଡ ଏବଂ ରାଜଧାନୀ ଦିଲ୍ଲୀରେ ମାସ ମାସ ଧରି ପ୍ରଦର୍ଶନରେ ବସିଥିବା ମହିଳା କୁସ୍ତି ଖେଳାଳି ମାନଙ୍କ ଯୌନନିର୍ଯାତନା ତଥା ୟାକୁ ନେଇ କେନ୍ଦ୍ରୀୟ ଶାସକ ଦଳର ସା°ସଦଙ୍କ ବିରୋଧରେ ଆରୋପ ଲାଗୁଥିବା ସମୟରେ ଏକଦମ୍ ଚୁପ୍ ଥିବା ଆମ ଦେଶର ମହିଳା ଏବଂ ବାଳବିକାଶ ମନ୍ତ୍ରୀ ଏଥର ସନ୍ଦେଶଖାଲି ଦୁର୍ଘଟଣା ଉପରେ ଏକଦମ୍ ମୁଖର ହୋଇ ମମତା ବାନାର୍ଜୀଙ୍କ ଉପରେ ବୟାନବାଜି କରୁଛନ୍ତି। ସେମିତି ମଣିପୁର ଏବଂ ଉତ୍ତାଖଣ୍ଡର ଅଙ୍କିତା ଦୁର୍ଘଟଣା ଉପରେ ବିଜେପି ସରକାରକୁ ଭର୍ତ୍ସନା କରୁଥିବା ମମତା ବାନାର୍ଜୀ, ସନ୍ଦେଶଖାଲିର ସମ୍ପୂର୍ଣ୍ଣ ଘଟଣାବଳୀକୁ ବିଜେପି ତେଜୁଛି ଏବଂ ଗଣ୍ଡଗୋଳର ରୂପ ଦେଉଛି ବୋଲି ଆରୋପ ଲଗାଇଛନ୍ତି।

       ସେ ସନ୍ଦେଶଖାଲି ହେଉ କିମ୍ବା ମଣିପୁର କିମ୍ବା ମହିଳା କୁସ୍ତି ଖେଳାଳି ବା ଉତ୍ତରାଖଣ୍ଡର ଅଙ୍କିତା, ଏସବୁ ହେଉଛନ୍ତି ବର୍ତ୍ତମାନ ଭାରତୀୟ ସମାଜର ମହିଳାବିରୋଧୀ ଅପରାଧ ପ୍ରବଣତାର କାଁ ଭାଁ ଉଦାହରଣ ମାତ୍ର। ୩ ଡିସେମ୍ବର ୨୦୨୩ରେ, ବର୍ଷ ୨୦୨୨ ପାଇଁ ପ୍ରକାଶ ପାଇଥିବା NCRB ଡାଟା ଅନୁସାରେ ସମ୍ପୂର୍ଣ୍ଣ ଦେଶରେ ମହିଳା ବିରୋଧୀ ଅପରାଧର ସ°ଖ୍ୟା ୪% (କେବଳ ରିପୋର୍ଟେଡ୍) ବୃଦ୍ଧି ଘଟିଛି। ବର୍ଷ ୨୦୨୧ରେ ଭାରତରେ ସମୁଦାୟ ମହିଳା ବିରୋଧୀ ଅପରାଧର ସ°ଖ୍ୟା ୪, ୨୮, ୨୭୮ ରହିଥିବା ବେଳେ, ବର୍ଷ ୨୦୨୨ରେ ଏହା ୪, ୪୫,୨୫୬ ରହିଛି। ଦେଶରେ ବର୍ଷ ୨୦୨୨ରେ ସମୁଦାୟ ୩୫, ୫୧୬ଟି ବଳାତ୍କାରର ମାମଲା ରିପୋର୍ଟ ହୋଇଛି, ଯାହାକି ସମୁଦାୟ ମହିଳା ବିରୋଧୀ ଅପରାଧର ୭.୧%। ମହିଳା ବିରୋଧୀ ଘରୋଇ ହି°ସାର ସ°ଖ୍ୟା ୧, ୪୦, ୦୦୦ (ସମୁଦାୟ ମହିଳା ବିରୋଧୀ ଅପରାଧର ୩୧.୪%) ରହିଥିବା ବେଳେ, ଯୌତୁକ ନିର୍ଯାତନାର ୧୩, ୪୭୯ଟି ମାମଲା ରହିଛି। ସମୁଦାୟ ମହିଳା ବିରୋଧୀ ଅପରାଧର ୧୯.୨% ଅପହରଣ ମାମଲା ରହିଛି। ଏଥିରେ ପୁଣି ସର୍ବାଧିକ ଧର୍ଷଣ ମାମଲା ରାଜସ୍ଥାନରେ ଦର୍ଜ ହୋଇଥିବା ବେଳେ ସର୍ବାଧିକ ଗଣଧର୍ଷଣ ପରେ ହତ୍ୟାର ମାମଲା ଉତ୍ତରପ୍ରଦେଶରେ ରହିଛି। କେବଳ ୨୦୨୨ ନୁହେଁ, ୨୦୧୯ରୁ ୨୦୨୧ ମଧ୍ୟରେ ଭାରତରେ ସମୁଦାୟ ନିଖୋଜ ମହିଳାଙ୍କ ସ°ଖ୍ୟା ୧୩.୧୩ ଲକ୍ଷ ରହିଥିବା ବେଳେ, ଏହାର ସର୍ବାଧିକ ମାମଲା ମଧ୍ୟପ୍ରଦେଶ ଏବଂ ତା’ ପଛକୁ ପଶ୍ଚିମବଙ୍ଗରେ ରହିଛି। ଉପୋରକ୍ତ ଡାଟା ଏବଂ ରିପୋର୍ଟକୁ ଲକ୍ଷ୍ୟ କଲେ ଜଣାପଡେ ମହିଳା ବିରୋଧୀ ଅପରାଧର ଅବସ୍ଥା ପ୍ରାୟ ପ୍ରତି ରାଜ୍ୟରେ ସମାନ ରହିଛି। ଏବଂ ଏସବୁ ରାଜ୍ୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳର ଶାସନ ରହିଛି (୨୦୨୨ରେ ଥିଲା)। କୌଣସି ରାଜ୍ୟରେ ଗୋଟିଏ ଘଟଣା ଲୋକଲୋଚନକୁ ଆସିଲେ, ଦେଶରେ ହଇଚଇ ସୃଷ୍ଟି ହେଲେ, ଖବର ବ୍ୟାପିଲେ, ଏସବୁ ରାଜନୈତିକ ଦଳ ଗୁଡିକର ପରସ୍ପରକୁ ନେଇ ପ୍ରତିକ୍ରିୟା ଏବଂ ବ୍ୟବହାର କେମିତି ରୁହେ ଆପଣ ନିଜେ ମଧ୍ୟ ଲକ୍ଷ୍ୟ କରୁଥିବେ। ଆଉ ଏ ରାଜନୈତିକ ବୟାନବାଜି ଏବଂ କାଦୁଅ ଫିଙ୍ଗାଫିଙ୍ଗିରେ ପୀଡିତା କିମ୍ବା ତା’ର ପରିବାର କିମ୍ବା ସେଇ ଅଞ୍ଚଳର ସାଧାରଣ ଲୋକଙ୍କ କ’ଣ ଉପକାର ହୁଏ କିମ୍ବା ତା’ର ପ୍ରଭାବରେ ଉକ୍ତ ଅଞ୍ଚଳରେ ଅପରାଧ କେତେ ମାତ୍ରାରେ କମିଯାଏ ସେ କଥା ବିଚାର କରିବା ଦାୟିତ୍ୱ ପ୍ରତ୍ୟେକ ନାଗରିକର। ଜଣେ ଦାୟିତ୍ୱବାନ୍ ନାଗରିକ ହିସାବରେ ପ୍ରଶ୍ନ ପଚାରିବା ଏବଂ ଜବାବ ମାଗିବା ଅଧିକାର ପରି ନିଜ ପରି ଆଉଜଣେ ନାଗରିକ ଯିଏ ଆଜି ପୀଡିତା ତା’ ପ୍ରତି ସମବେଦନା ରଖିବା ବି ଗୋଟିଏ ଦାୟିତ୍ୱ। ନିକଟରେ ଦେଶର ଗୋଟିଏ ପ୍ରମୁଖ ମିଡିଆ ସ°ସ୍ଥାର ଜଣେ ଆଙ୍କରଙ୍କ ପ୍ରତି ହୋଇଥିବା ଯୌନନିର୍ଯାତନା କଥା ପରି ସନ୍ଦେଶଖାଲିର ଘଟଣାକୁ ନେଇ ମଧ୍ୟ ଅନେକ ଲୋକ ମତ ରଖିପାରନ୍ତି ଯେ, “ଏତେ ଦିନ କାହିଁକି ଚୁପ୍ ଥିଲେ?” କିନ୍ତୁ ଏପରି ପରିସ୍ଥିତିରେ ଧନବଳ, ଲୋକବଳ, ଗନ୍-ପଏଣ୍ଟ, ନିଜ ପରିବାରର ସୁରକ୍ଷା କଥା ବିଚାର କରି, ସାମନାରେ ଥିବା ଜଣେ ବିତ୍ତଶାଳୀ ଏବଂ କ୍ଷମତାଶାଳୀ ଲୋକ ବିରୋଧରେ ଲଢିବା କେତେ ଯେ ସହଜ ଏବଂ ତା’ ପାଇଁ କେତେ ସାହସ ଜୁଟେଇବାକୁ ପଡିବ……ତାହା ପୃଥିବୀର ଯେକୌଣସି ମଣିଷ, ଯାହାର ସାଧାରଣ ମାନବିକତା ଏବଂ ହୃଦୟ ଥିବ, ସେ ବୁଝି ପାରିବ!

       କିଛି ସ୍ଥାନରେ ବର୍ଣ୍ଣନା କରାଯାଏ ଯେ ରାବଣ ପରି ଅହଙ୍କାରୀ, ପ୍ରତାପୀ ଓ ଅତ୍ୟାଚାରୀର ଅନ୍ତ କରିବା ବା ପାଇଁ ଏବଂ ତା’ ପାପର ଭାର ଆହୁରି ଅଧିକ ହେଉ, ତା’ର ଦେବୀ ସୀତାଙ୍କୁ ହରଣ କରିବା ଏକ ଦୈବୀ ସ°ରଚନା ଥିଲା। କିନ୍ତୁ ପୃଥିବୀର ଯେକୌଣସି ନାରୀ ଏହାକୁ ନେଇ ପ୍ରଶ୍ନ କରିପାରେ, ସୀତାଙ୍କୁ ହରଣ କରିବା କାହିଁକି ଜରୁରୀ ଥିଲା? ଏମିତି କାହିଁକି ହେଲାନି ଯେ, ରାମଙ୍କ ପାଇଁ ସୀତା, ଦୁର୍ଗା ରୂପ ଧାରଣ କଲେ!!! ସେ ପୁରାଣ ହେଉ ବା ଇତିହାସ, ସବୁ ସମୟରେ ରାଜନୈତିକ ଦୃଷ୍ଟିରୁ ଜଣେ ନାରୀର ମାନ୍, ସମ୍ମାନ ଏବଂ ସ୍ଥିତିକୁ ପଣ ରଖା ଯାଇଛି! ମହାଭାରତ ଯୁଦ୍ଧ ଆରମ୍ଭ ଏବଂ କୌରବ ମାନଙ୍କ ନିପାତ ପାଇଁ, ଦ୍ରୌପଦୀଙ୍କୁ ସଭା ମଧ୍ୟରେ ଅପମାନିତ କରା ଯାଇଛି। ସତରେ କ’ଣ, ସେହି ସମୟରେ ଦ୍ରୌପଦୀ ପାଇଥିବା ଅପମାନ ଓ ଆଘାତ, ଦୁଃଶାସନର ରକ୍ତରେ ତାଙ୍କ ମୁକୁଳା କେଶ ପଖାଳି ଦେଲା ପରେ ଧୋଇ ହୋଇ ଯାଇଥିବ? ଇତିହାସରେ ଅନେକ ଦୁର୍ବଳ ରାଜା ନିଜର ରାଜ୍ୟ ଓ ସତ୍ତା ବଞ୍ଚାଇବା ପାଇଁ ନିଜ ଭଉଣୀ କିମ୍ବା କନ୍ୟା ମାନଙ୍କୁ  ଶକ୍ତିଶାଳୀ ସମ୍ରାଟ ମାନଙ୍କ ସହ ବାହା ଦେଇଛନ୍ତି। କିନ୍ତୁ ସେଇ ଇତିହାସରେ ବି ରାଣୀ ଅହଲ୍ୟାବାଈ ହୋଲକର୍, ରାଣୀ ଲକ୍ଷ୍ମୀବାଇ ଏବଂ ଇନ୍ଦିରାଗାନ୍ଧୀଙ୍କ ପରି ବ୍ୟକ୍ତିତ୍ୱ ରାଜନୀତିରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ଆଜି ବି ଆମ ଦେଶରେ ଅନେକ ମହିଳା କେବଳ ଶାସକ ଦଳର ସଭ୍ୟ ବା କର୍ମକର୍ତ୍ତା ନୁହେଁ, ମନ୍ତ୍ରୀପଦରେ ମଧ୍ୟ ଅଛନ୍ତି। ଆମେ ଆଜି ନହେଲେ ବି ୨୦୩୪ କିମ୍ବା ୨୦୩୯ ସୁଦ୍ଧା ଦେଶର ଶାସନତନ୍ତ୍ରର ୩୩% ମହିଳା ସା°ସଦାଙ୍କ ହାତକୁ ଟେକିଦେବାକୁ ବ୍ୟବସ୍ଥା କରିବାର ଦାବି କରୁଛେ। କିନ୍ତୁ ତାହା କ’ଣ ସତରେ ସମ୍ଭବ? ( ମିଳିତ ଜାତିସଂଘର ଆକଳନ ଅନୁସାରେ, “ଯଦି ଆମେ ବର୍ତ୍ତମାନର ପରିସ୍ଥିତିକୁ ନେଇ ବିଚାର କରିବା ତା'ହେଲେ ବିଶ୍ବରେ ଶାସନତନ୍ତ୍ର ଏବଂ ଲେଜିସଲେଟିଭ୍ ବଡିରେ ଲିଙ୍ଗଗତ ସମାନତା ଆସିବା ବା ବୈଷମ୍ୟ ଦୂର ହେବା ୨୦୬୩ ପୂର୍ବରୁ ଆଦୌ ସମ୍ଭବ ନୁହେଁ!”) କେବଳ ଶିକ୍ଷା, କାର୍ଯ୍ୟକ୍ଷେତ୍ର ନୁହେଁ ରାଜନୀତିରେ ମଧ୍ୟ ଭାରତୀୟ ନାରୀ ମାନଙ୍କ ଭାଗିଦାରୀ ବଢୁ….କିନ୍ତୁ ମଣିପୁରର, ଉତ୍ତରାଖଣ୍ଡର ଅଙ୍କିତା କିମ୍ବା ସନ୍ଦେସଖାଲିର ଯୌନନିର୍ଯାତନା ଦୁର୍ଘଟଣା ହିସାବରେ ନୁହେଁ! ସନ୍ଦେସଖାଲି ପରି ପ୍ରତ୍ୟେକ ଘଟଣାର ବିରୋଧ ତଥା ଭର୍ତ୍ସନା ହେଉ…….ବଳାତ୍କାର ପରି ପୈଶାଚିକ କାଣ୍ଡକୁ ନେଇ, ନାଗରିକ ମାନଙ୍କର ପୀଡିତା ପ୍ରତି ସମ୍ବେଦନଶୀଳତା ରହୁ, ସେମାନଙ୍କ ମାନସିକତାର ରାଜନୀତିକରଣ ନଘଟୁ!