ରାଜା ଲଙ୍ଗଳା

ରାଜା ଲଙ୍ଗଳା

ଦିନ ଟିଏ ଗଡ଼ିଗଲା
ବାନ୍ଧି ପାରିଲିନି ପଘା ଲଗେଇ ଖୁଂଟରେ ।
କେମିତି ଯେ ସେମାନେ ବାନ୍ଧି ଦିଅନ୍ତି ସମ୍ବିଧାନକୁ, ଦେଶକୁ,ଏପରିକି ଚାରି ଫୋଲଡ଼ କରି ଜାତୀୟ ପତାକାକୁ ଅକ୍ଳେଶରେ !

ଯିଏ ମୁହଁ ଖୋଲିଲା ତା ମୁହଁରେ ସେଲୋ ଟାପ୍ ଲଗେଇ ଦିଆଗଲା ,
ଗଣତନ୍ତ୍ର ର ହତ୍ୟା ଏଠି ସେଠି ସବୁଠି ।

କେହି କେହି ରାଜରାସ୍ତାକୁ ଓଲ୍ହାଇଲେ,
କେହି କେହି ଧାରଣା ବି ଦେଲେ ,
ସେମାନଙ୍କୁ ଅଣଦେଖା କରାଗଲା।
ନଙ୍ଗଳା ହେଇ ,ରାଜା, ମନ୍ତ୍ରୀ ,କଟୁଆଳ, ସଭିଏଁ ଧାଇଁଲେ।
ଛୋଟ ଛୁଆ ନ ଥିଲେ କି କ'ଣ, 
ଅବା ଭ୍ରୁଣ ହତ୍ୟାର ଶିକାର ହେଇ ଛୁଆଶୂନ୍ୟ ହେଇଗଲା ଦେଶ,
କେହି ତ କହିଲେନି ରାଜା ନଙ୍ଗଳା!

ଏଠି ପର୍ଦ୍ଧା କୁ ପଡ଼ିବାକୁ ଦିଅ।
ଲୋକମାନେ ଅନେଇଥାଆନ୍ତୁ ଆର ଦୃଶ୍ୟକୁ।
କେମିତି କହବି ଏଠି ପାଣି ପାଗ,ବଜାର ଦର, 
ସବୁ ସମାନ,
ଖାଲି ଯାହା ରାଜାର ପୋଷାକ ଦିନକୁ ଚାରିଥର ବଦଳୁଥାଏ, 
ଯୁଦ୍ଧ କୁ ନେଇ, ଶାନ୍ତି କୁ ନେଇ ରାଜା ଚୁପ୍ ଥାଏ,
ବିଶ୍ୱଶାନ୍ତି ପାଇଁ ପୁରସ୍କାର କିନ୍ତୁ ସେ ହିଁ ହାତାଏ ।

ସବୁ ଗଲି ଉପଗଳି ସମାନ
ସବୁ ରାସ୍ତା ସମାନ
ପାଦ ସବୁ କିନ୍ତୁ ଅଲଗା।
ଶାସକ ର ପାଦ ଅଲଗା
ଶାସିତ ର ପାଦ ଅଲଗା।
ପାଣି ପାଇଁ ଯୁଦ୍ଧ ଏଠି, ନଦୀ ମୃତ
ବାନ୍ଧି ଦିଆ ଯାଇଛି ପାଣିକୁ ପୁଞ୍ଜିପତିର ଇଙ୍ଗିତରେ, 
ନ୍ୟାୟାଳୟ ର ଆଖିରେ କଳା କନା
ଗଣମାଧ୍ୟମ ବାଟବଣା,
ବୁଦ୍ଧିଜୀବି ନିଖୋଜ,ଯୁଆଡେ ଦେଖ,
ଜାଲିଆତି ସାର୍ଟିଫିକେଟ ର କାରଖାନା।

ଯାଏଁ ମୀନାବଜ଼ାର ଦେଖି ଆସେ, 
ନା ନା ଇଏ କୁଆଡେ ପୁସ୍ତକ ମେଳା !
ପୋଷ୍ଟର ରେ , ଡାଏସ୍ ରେ ଖାଲି ପୁଳାଏ ନେତା 
ବାକି ସବୁ ଅମଲାତନ୍ତ୍ରର ମେଳା,
ଲେଖକ ଗଲା କୁଆଡେ?
ବାନ୍ଧି ଆଣ ତାକୁ
ଉପଢୌକନ ସହ ସମର୍ଦ୍ଧନା ଦେଇ ତାକୁ ଚୁପ୍ କରେଇଦଅ ନତୁବା ଜିଭ କାଟିଦିଅ ।

ଯେଉଁ ମାନେ କାଗଜଡ଼ଙ୍କା ଭସେଇବାକୁ ଆସିବେ
 ଧୀର ମନ୍ଥର ପାଣିରେ
ସେମାନଙ୍କୁ ଆସିବାକୁ ଦିଅ।
ସେମିୟାନା ର ଆକାଶ ସେମିତି ଝୁଲୁଥାଉ
ଚଢ଼େଇ ଟିଏ ଉଡୁଥାଉ
ତା'ର ଉଡାଣ କୁ ଦେଖି ଅନ୍ୟମାନେ ଅନ୍ତତଃ 
ଉଡି ତ ଶିଖିବେ !!

(ପ୍ରହଲ୍ଲାଦ ଶତପଥି)
ଟିକ୍ରାପରା
ପୋ/ଜି ବଲାଙ୍ଗୀର
୭୬୭୦୦୧
ମୋବାଇଲ୯୪୩୭୧୫୦୯୫୧