ଦେଶପ୍ରାଣ

ଦେଶପ୍ରାଣ

ଆମର  ଗୋଟେ ଦେଶ ଥିଲା

ଯିଏ ହାତ କାଟି ଲେଖିଦେଇଥିଲା

ଆମକୁ ସୁଖୀ ରଖିବ

ସକାଳ ହେଲେ ପହିଲେ ଶେଯରୁ ଉଠି

ଆମ ପେଟ ପାଇଁ ଚୁଲିରେ

ଭରୁଥିଲା ଜାଳେଣି

ସବୁ ବିଘଟନ,ଅଘଟଣ ସତ୍ତ୍ୱେ

ନୀଡ଼ର କୋଳ ପତେଇ

ସେ ଆମକୁ ଦେଉଥିଲା ଅଭୟ।

 

 କେଜାଣି କେତେବେଳେ ଦେଶ

ପାଲଟି ଗଲା ମନ୍ଦିର

ମନ୍ଦିର ଭିତରେ ଦେବତା(ଅପଦେବତା) 

ଜାଣିଲେ ନାହିଁ

ମୁଣ୍ଡ କୋଡୁଛି ବାହାରେ ଝଡ କି ବର୍ଷା

ବାତ୍ୟା କି ବିପର୍ଯୟ।

 

ମନ୍ଦିର ତ ସବୁବେଳେ ପଥରରେ ତିଆରି

ପଥର କାନ୍ଥ ଏପଟେ

ଅଟକି ରହିଲା ଆମର ପ୍ରାର୍ଥନା

ପୀଡ଼ା କି ପରାସ

ପ୍ରାର୍ଥନା କି ପ୍ରତିବାଦ

ଏମାନଙ୍କୁ ମନ୍ଦିର ପାହାଚ ଚଢିବା ମନା।

 

ଆହା ଆମର ଥିଲା ଗୋଟେ ଦେଶ

ତାରି ଛାତି ତଳେ ବଢୁଥିଲା

ଆମର ଏକାଠି ରହିବାର ଅଭିଳାଷ।

 

ଆମକୁ ଅଲଗା କଲା କିଏ?

କିଏ ବିଭଙ୍ଗ କଲା ଆମ ଚେହେରା

କିଏ ରକ୍ତାକ୍ତ କଲା ଆମକୁ

କିଏ ପଥର ଫିଙ୍ଗିଲା ରାସ୍ତାରେ

କିଏ ଘଉଡାଇ ନେଲା ଜଙ୍ଗଲକୁ?

 

ଘଟେଇଲା ଏତେ ବିଘଟନ ଯିଏ

ଜାଣି ନଥିଲା ବିପର୍ଯୟ ବେଳେ

ଏକାଠି ହୁଅନ୍ତି ମହୁମାଛିଏ ।

 

ଭୋଗ ଏବେ ଦଂଶନ

ହତାଶାର ହାତୁଡ଼ି ଭାଙ୍ଗୁଛି ମନ୍ଦିର

ଭାଙ୍ଗୁଛି ସିଂହାସନ।

ଦେଖ ଲୋଟୁଚି ବୃଥା ଆସ୍ଫାଳନ

ଓଲଟ ପ୍ରାର୍ଥନା ଗାଉଛ ଆରତ ଘେନ ଭଗଵାନ।

 ଆମର ହକ୍ ଏବେ ତୁମ  ମୁକୁଟର କଣ୍ଟା

ଆମର ଦାବି ତୁମ ରାସ୍ତାର ବାରୁଦ ଗଦା।

 

କହି ରଖୁଛୁ

ଘେନିବୁ ନାହିଁ ଆରତ

ସମ୍ଭାଳିବୁ ନାହିଁ ଶରଣ

ଆମକୁ ଲୋଡ଼ା ମା’ର କୋଳ

ଆମକୁ ଲୋଡ଼ା ନାହିଁ

ଚରମ ଘୃଣାର ଏକ ବିଭତ୍ସ ପ୍ରାଙ୍ଗଣ।