କାଳୀ-ନେଳି

କାଳୀ-ନେଳି

ସେଦିନ ପଂଚାୟତ ଘର ପାଖରେ ଥିବା ବରଗଛ ଛାଇରେ ସକାଳୁ ସକାଳୁ ଆସି ପହଂଚି ଥିଲା ଡ଼ାଲି ଚାଉଳ ଭଳି କିଛି ସଉଦା ସାମଗ୍ରୀ । ପାଖରେ ଥାଏ ହାଟ ପିଣ୍ଡି । ଛୋଟ ଛୋଟ ସିମେଣ୍ଟ ପିଣ୍ଡି ଚାରିକଡ଼ରେ ଖୁଣ୍ଟ  ଆଉ ଉପରେ ଆରସିସି ଢ଼ଳେଇ ଛାତ । ଏଇମିତି ଥାଏ ଛୋଟ ଛୋଟ ପାଞ୍ଚ-ଛ'ଟି ପିଣ୍ଡି । ଗଲା ନିର୍ବାଚନ ଆଗରୁ ତିଆରି ହୋଇ ଠାଏ ଠାଏ ସିମେଣ୍ଟ ଖଣ୍ଡ ଖସି ପଡ଼ିଲାଣି ହେଲେ ଏ ଯାଏଁ ସେଠି କେବେ ହାଟ ବସିନାହିଁ । ସେଇ ପିଣ୍ଡି ପଛକୁ କେତେଟା  ବୁଢା ଆମ୍ବ ଗଛ ପତିଆରା ମେଲେଇ ଢେର ଜାଗା ମାଡ଼ି ବସିଛନ୍ତି । ତା ପଛକୁ ପାଣି ନାଳଟେ ବହି ଯାଇଛି । ସେଇ ପାଣି ନାଳରେ ଖରାଦିନେ ପାଣି ନ ଥାଏ, ଖାଲି ସନ୍ତସନ୍ତିଆ କାଦୁଅ ଥାଏ । ଅନ୍ୟ ଦିନେ ଅଳ୍ପ ବହୁତ ପାଣି ଥାଏ । ସେଇଠୁ ବୋଧେ ଏ ଆମ୍ବଗଛ ସବୁ ପାଣି ପାଇ ଏମିତି କାୟା ବିସ୍ତାର କରିଛନ୍ତି । ସେଇ ନାଳ କୂଳକୁ କୂଳ, ଆମ୍ବ ଗଛ ସରିକି ବୁଦୁବୁଦୁକିଆ ଘାସ । ସେଇ ଆମ୍ବଗଛ ତଳେ ତଳେ, ଘାସ ପାଖରେ ଦିନି ଛେଳି ଚରାଏ ଜଗନ୍ନାଥ ଓରଫ ଜଗନ ସାହୁ । ବେଳେ ବେଳେ ଥକ୍କା ମାରି ବସିଯାଏ ପିଣ୍ଡିରେ ।

ସିମେଣ୍ଟ ପିଣ୍ଡିଗୁଡା ସବୁଦିନେ ଅସନା । କୁକୁର, ଛେଳି, ଗାଈ ସଭିଙ୍କର ସେ ଆଡ୍ଡା ଜାଗା । ଜଗନ ତା ଚିରା ଗାମୁଛାରେ ଟିକେ ଝାଡିଦେଇ ସେଇଠି ଲୁହ ଖୁଂଟିକୁ ଆଉଜି ବେଳେ ବେଳେ ପିଣ୍ଡିରେ ବସେ । ନ ହେଲେ ଅଧିକାଂଶ ସମୟ ସେ ତାର କାଳୀ ଓ ନେଳି ପାଖେ ପାଖେ ଥାଏ । ଛେଳି ଦୁଇଟି ସେଇ ପାଖେ ପାଖେ ଚରନ୍ତି । ବେଳ ଗଡ଼ିଲେ ଜଗନ କାଳୀ ଆଉ ନେଳିକୁ ଘରକୁ ନେଇଯାଏ । ଏ ତାର ସବୁଦିନିଆ କାମ । ବୟସ ଆସି ସତୁରି ପାର ହେଲାଣି । ଘରେ ମଣିଷ ବୋଲି ଦୁଇଜଣ । ସେ ଆଉ ତା ଭାରିଜା ଲକ୍ଷ୍ମୀ ଓରଫ ନଖି । ପୁଅ ଥିଲା ଯେ, କୁଆଡେ କାମ କରି ଗଲା, ଆଉ ଫେରିଲାନି କି ତାର କିଛି ଖବରଟବର ନାହିଁ । ହେଲାଣି ସେ ଅନେକ ଯୁଗର କଥା । କେବେକେବେ ମନେ ପକେଇ ସକେଇ ହୁଏ ନଖି ଆଉ ଚୁପଚାପ ଆକାଶକୁ ଚାହିଁ ରହେ ଜଗନ । ବିଲବାଡ଼ି ବୋଲି କିଛି ନାହିଁ । ଘରଡ଼ିହ ସେଇ ଦି’ ଡ଼ିସିମିଲ ସରକାରୀ ଜାଗାରେ ବଖୁରିକିଆ କୁଡ଼ିଆ ଖଣ୍ଡେ । ସେଇଥିରେ  ମୁଣ୍ଡ ଗୁଂଜିଥାନ୍ତି ବୁଢ଼ାବୁଢ଼ୀ ଆଉ କାଳୀ ଓ ନେଳି । ଆଗରୁ ଯାହା ଯେମିତି ବୁଢ଼ାବୁଢ଼ୀ କାହା ବିଲକିଆରୀରେ କି କାହା ଘରେ ଛୋଟମୋଟ ପାଇଟି କରି ଚଳିଯାଉଥିଲେ । ଏବକୁ ଆଉ ଦେହରେ ବଳ ନାହିଁ । ବୁଢ଼ୀ ଦିନକୁ ଦିନ ଚିଡଚିଡା ହେବାକୁ ବୁଢା ଦିନକୁ ଦିନ ଚୁପଚାପ ହେଇଯାଉଛି । ରୋଗବାଗରେ ପିଠିରେ ପଡ଼ିବାକୁ କେହି ନାହିଁ କି ମୁଠେ ତବତ ଦେବାକୁ କେହି ନାହିଁ । ସେଇ ସରିଲା ଦେହରେ ଘୋଷାରି ହେଇ ବୁଢ଼ୀ ଭାତ ଦିଟା ଫୁଟେଇ ଦିଏ ଆଉ ସେଇଆକୁ ଅମୃତ ମଣି ବୁଢା ଉଦରସ୍ଥ କରିନିଏ । କୋଉ ଦିନ ଯଦି ବୁଢୀକୁ ବାଧକ ହେଲା ସେଦିନ ଦୁହେଁ ଯାକ ଠିଆ ଓପାସ ।  ସବୁଦିନେ ଯେ ସେତିକି ମିଳେ ତା ନୁହେଁ । ହେଲେ ଦି ଟଙ୍କିଆ ଚାଉଳରେ ବୁଢ଼ୀ ନାଁ ଲେଖାହେବା ପରଠୁ ପ୍ରାୟ ଦିନ ଭାତ ଦି ଟା ପାଟିରେ ବାଜେ । ତୁଣ କିଛି ଥାଉ କି ନ ଥାଉ, ଚଳିଯାଏ । ଏ ବୟସରେ ଆଉ ଭୋକ ବି ସେତେ ଲାଗେନା । ଓଳିଏ ଖାଇଲେ ଦିନ ପାର ହେଇଯାଏ । ସରକାରୀ ଭାତିଆ ଟଙ୍କା ପାଆଁଶ ବୁଢ଼ୀ ନାଁରେ ହେଇଚି । କେଜାଣି କାହିଁକି ବୁଢା ନା ଚଢିନି ଏ ଯାଏଁ ତାଲିକାରେ । କେତେ କାକୁତିମିନତି ହେଲାଣି ସେ ବାବୁମାନଙ୍କୁ ।  ଆଉ ପାରୁନି ।

ଏଇ କାଳୀ ଓ ନେଳି ଦି’ଟା ଏମାନଙ୍କ ପରିବାରର ନୂଆ ସଦସ୍ୟ । କୋଉ ଗୋଟେ ଯୋଜନାରେ କୋଉ ସଂସ୍ଥା ଗୋଟେ ବୁଢା ନାଁଟି ଯୋଡି ଏଇ ଦୁଇଟିର ବ୍ୟବସ୍ଥା କରିଦେଇଛନ୍ତି । କଥା ଛିଡିଛି ପଚାଶ ପଚାଶ ରେ । କାଳୀ ଓ ନେଳିର ପ୍ରଥମ ଗର୍ଭରୁ ଗୋଟେ ଗୋଟେ ଛୁଆ ନେବ ସଂସ୍ଥା ଆଉ ଗୋଟେ ଲେଖାଏଁ  ରହିବ ଜଗନ ବୁଢା ପାଖରେ । ଏ ଦୁଇଟି ଘରକୁ ଆସିବା ଦିନଠୁ ଟିକେ ଚଳଚଂଚଳ ହେଇଯାଇଛି ପୁରା ପରିବାର । ତାଙ୍କରି ଯତ୍ନରେ ଦୁଇ ବୁଢ଼ାବୁଢ଼ୀଙ୍କ ସମୟ କୁଆଡେ ସରିଯାଉଛି । ସବୁବେଳେ ଚିଡି ଚିଡି ହେଉଥିବା ନଖି ଏବେ ବୁଢା ସାଙ୍ଗେ ନରମ କରି କଥା ହେଉଛି । ଛେଳି ଦୁଇଟିଯାକ ଏବେ ଗର୍ଭ ହେଇଥିବାରୁ ଟିକେ ସେମାନଙ୍କର ଅଧିକ ଯତ୍ନ କରୁଛି ନଖି ବୁଢ଼ୀ । ଯେମିତି ସେ ପୁଣି ଥରେ ନିଜେ ମା ହେଉଛି । ମୁଣ୍ଡ ଉପରେ ଛପର ଆଉ ପେଟକୁ ଦିଗୁଣ୍ଡା ଭାତ, ସେତିକି ଯଦି ମିଳିଲା, ଆଉ କଣ ଲୋଡ଼ା ଯେ! ହଁ, ଆଉ ଯାହା ଲୋଡ଼ା ତା ହେଉଛି ପରସ୍ପରକୁ ଖୋଜାଲୋଡା । ବଞ୍ଚିରହିବାର କିଛି ତ ଅଭିପ୍ରାୟ ରହିବା ଚାହିଁ! କାହିଁକି ବଂଚିବ ଜଣେ, କାହା ମୁହଁକୁ ଚାହିଁ ବଂଚି ରହିବ? ଏଇ କାଳୀ ଆଉ ନେଳି ଯେମିତି ନୂଆ ଜୀବନ ସଂଚାର କରିଦେଇଛନ୍ତି ବୁଢ଼ାବୁଢ଼ୀଙ୍କ ମନରେ!

ନଖି ସ୍ବପ୍ନ ଦେଖେ, ତା କାଳୀ ଆଉ ନେଳିର ପରିବାର ବଢିଲେ, ସେ ଗୋଟେ ଅଧେ ବିକିଦେବ । ଦି ପଇସା ହାତକୁ ଆସିଲେ, ମାଟି କାନ୍ଥକୁ ଟିକେ ସଳଖେଇ ଦେବ, ନୂଆ ଛପର କରିବ । ଶୀତ ଦିନକୁ ଘୋଡ଼ି ହେବାକୁ ଭଲ ଚାଦର ଖଣ୍ଡେ ନାହିଁ । ବୁଢାକୁ ଶୋଇଲେ ଭାରି ଶୀତ । ଚାଦର ଖଣ୍ଡେ କିଣିବ । ଓହୋ କିଛି ନ ହେଲା ନାହିଁ, ଭାତ ସାଙ୍ଗରେ କଣ ଟିକେ ଭଲମନ୍ଦ ତିଅଣ କରି ବୁଢାକୁ ଦେବ । ତା ହାତରନ୍ଧାକୁ ବୁଢା ଭାରି ଶରଧା କରେ । ହେଲେ କେବେ କେମିତି କାହା ବାଡିରୁ ଶାଗ ଦିଟା ମାଗି ଆଣି ଫୁଟେଇବା ଛଡା ଆଉ ଅଧିକ କିଛି କୁଳାଏନି ସେମାନଙ୍କ ରୋଜଗାରକୁ । ଲୁଗାପଟା ବି ସାତସିଆଁ ହେଲାଣି । ବୁଢାର ଖଣ୍ଡେ ଗାମୁଛା ଆଉ ନିଜର ଖଣ୍ଡେ ସୁତା ଶାଢ଼ୀ କିଣିବ । ଆଉ ବେଶୀ କିଛି ଭାବି ପାରେନି ନଖି ବୁଢ଼ୀ । ତାକୁ ମାଡି ମାଡି ପଡେ ।

କେବେ କେମିତି ପଂଚାୟତ ଘରେ ଭୋଜିଭାତ ହେଲେ ବୁଢା ସେଇ ପିଣ୍ଡିରୁ ବସି ଅନେଇ ଥାଏ । କେହି ନ ଡାକିଲେ ଯାଏନା । ଆଉ ଡାକିଲେ ନିଜେ ଖାଇସାରି, ଖଲିପତ୍ରରେ ବୁଢ଼ୀପାଇଁ ଟିକେ ମାଗି ଆଣେ । ସେଦିନ ସକାଳୁ ପିଣ୍ଡିରେ ସଉଦା ପତ୍ର ଦେଖି ବୁଢା ଜାଣିଲା ଆଜି ଗୋଟେ କିଛି ଖାଇବା ବ୍ୟବସ୍ଥା ଅଛି ବୋଧେ । ଧୀରେ ଧୀରେ ଲୋକ ବଢିଲେ । ପଂଚାୟତ ଘରେ କଣ ଗୋଟେ ମିଟିଂ ଚାଲିଥାଏ । କେତେ ଆଡୁ ମହିଳା ପୁରୁଷ ସବୁ ଆସିଥାନ୍ତି । ସେଦିନ ପିଣ୍ଡିରେ ରୋଷେଇ ପାଇଁ ବ୍ୟବସ୍ଥା ହେଲା । ବୁଢା ନିଜଆଡୁ ଯାଇ ଖଣ୍ଡିଆ ଝାଡୁଟିଏ ଆଣି, ଦିଟା ପିଣ୍ଡି ସଫା କରିଦେଲା । ଆହା, ଯାହା ହେଲେ ବି ଆମ ଗାଁକୁ କେତେଆଡୁ କେତେ ବାବୁ-ବାବୁଆଣୀ ଆସିଛନ୍ତି, ଟିକେ ସାହାଯ୍ୟ ନ କଲେ ମନ  ଉଣା କରିବେନି! ନିଜେ ନିଜକୁ କହୁଥାଏ ଜଗନ ବୁଢା । ହେଲେ ମନ ଯାଇ ତାର ଛେଳି ଦୁଇଟି ପାଖରେ ।

 ପିଣ୍ଡି ସଫା କରିଦେଇ ସେଇ ଆମ୍ବ ଗଛ ମୂଳେ ସେ ଜଗି ରହିଲା ତା କାଳୀ ଓ ନେଳିକୁ । ମଝି ମଝିରେ ଡାକ ଦେଉଥାଏ ଦୁହିଁଙ୍କୁ । କେତେବେଳେ ଉଠିଯାଉଥାଏ ସେମାନଙ୍କ ପାଖକୁ । ପୁଣି ଆସି ଥକା ମାରୁଥାଏ ଗଛମୂଳେ । ସେଦିନ ଖାଇବାରେ ବୋଧେ କିଛି ଆଇଁଷପାଣି ହେଇଥାଏ । ନାକରେ ବାସ୍ନା ବାଜୁଥାଏ । ଅନେକ ଦିନ ହେଲା ବୁଢା ଆଇଁଷ ଟିକେ ମୁହଁରେ ଦେଇନି । ଭାବିଲା, ଯଦି ଡାକନ୍ତେ, ମୁଠେ ଖାଆନ୍ତି । ବୁଢ଼ୀପାଇଁ ଟିକେ ମାଗି ନିଅନ୍ତି । ଢେର ବେଳ ହେଲାଣି, ଭୋକ ବି ହେଲାଣି । ସେତିକି ବେଳେ କିଏ ଜଣେ ଆସି ଡାକିଲା, ମଉସା ଆସ ଆଜି ଏଇଠି ଖାଇଦେବ । ବୁଢା ମନେ ମନେ ଟିକେ ଖୁସି ହେଲା ।

 ପଂଚାୟତ ବାରଣ୍ଡାରେ ସମସ୍ତେ ବସି ଖାଉଥାନ୍ତି । କିଛି ଗାଁ ପିଲା ବଢ଼ାବଢ଼ିରେ ସାହାଯ୍ୟ କରୁଥାନ୍ତି । ବୁଢା ବସିଲା ଆଉ ଗୋଟେ ପିଣ୍ଡିରେ ଟିକେ ଦୂରେଇକି । ଖାଇବା ଆରଂଭ ହେଲା । ସେ ଅଂଚଳସାରା ଆଇଁଷ ବାସ୍ନା ଚହଟି ଯାଉଥାଏ । ବୁଢା ପାଖରେ ଦୁଇଟି ଖଲି ପତ୍ର । ଗୋଟିଏ ତାର ଆଉ ଗୋଟିଏ ବୁଢ଼ୀର । ଦୁଇଟି ପିଲା ଆସି ଖାଦ୍ୟ ପରଶି ଦେଇ ଗଲେ । ବୁଢାର ନଜର ଥାଏ କାଳୀ-ନେଳି ଠି । ପାଖରେ ଚରୁଥାନ୍ତି ଦୁହେଁ ଆମ୍ବ ଗଛ ମୂଳେ । ଆଶ୍ବସ୍ତିରେ ନିଶ୍ୱାସ ନେଲା ଜଗନ ସାହୁ । ମୁଠେ ଭାତ ଆଉ ଟିକେ ତରକାରୀ ଗୋଳେଇ ଧୀରେ ପାଟିରେ ଦେଲା ।  ପୁଣି ଚାହିଁଲା କାଳୀ-ନେଳିଙ୍କୁ, ମନେ ମନେ କହିଲା, ଟିକେ ଅପେକ୍ଷା କର, ମୁଁ ଦି ଗୁଣ୍ଡା ଖାଇ ଦିଏ । ବୁଢ଼ୀ ପାଇଁ ନେଇ ଆମେ ଘରକୁ ଯିବା ।  ମେଘ ଟିକେ ଟିକେ ଉଠେଇଲାଣି । ଡେରି କରିବାନି । 

 ଟିକେ ଅନ୍ୟମନସ୍କ ହେଇଗଲା ବୁଢା । ଭଲକରି ମୁଠେ ଖାଦ୍ୟ ଖାଇବା ତା ପାଇଁ ସାତ ସପନ ହେଇଗଲାଣି ଭାବି ମନ କଷ୍ଟ କଲା । ପତରରୁ ଆଉ ମୁଠେ ଭାତ ପାଟି ପାଖକୁ ନେଉଛି, କିଏ ଗୋଟେ ଖୁବ ଜୋରରେ ପାଟି କଲା, ଭାତ ବଢୁଥିବା ପିଲା ଦିଟା ବାଡ଼ି ଖଣ୍ଡେ ଖଣ୍ଡେ ଧରି ଧାଇଁଗଲେ ଆମ୍ବଗଛ ଆଡକୁ । ବୁଢା କିଛି ବୁଝି ପାରିଲାନି କଣ ହେଲା ବୋଲି । ବୁଝିଲା ବେଳକୁ ଆଉ କିଛି ନ ଥିଲା! ହାତରୁ ଭାତ ଗୁଣ୍ଡା ଖସି ପଡିଲା । ଧାଇଁଗଲା ବୁଢା ଅଣନିଶ୍ୱାସୀ ହେଇ । ଆଇଁଷ ବାସ୍ନାରେ ଦଳେ ବୁଲା କୁକୁର ଆସି କାଳୀ ଆଉ ନେଳିର ବେକମୂଳକୁ ମାଡି ବସିଥିଲେ ମୁହୂର୍ତ୍ତକରେ ।  ପିଲାମାନେ ବାଡ଼ି ଦେଖେଇ ତଡିବାରେ ଟିକେ ଦୁରେଇ ଗଲେ କୁକୁର ପଲ, ହେଲେ ସେମିତି ଗର ଗର ହେଉଥାନ୍ତି । ତଳେ ପଡି ଛଟପଟ ହେଉଥାନ୍ତି କାଳୀ-ନେଳି । ସେଇ ଅଇଁଠା ହାତରେ ବୁଢା ମୁଣ୍ଡରେ ହାତ ଦେଇ ବସିପଡିଲା । ଛେଳି  ଦୁଇଟିଙ୍କୁ ଆଉଁସି ଦେଉଥିଲା । କିଂକର୍ତ୍ତବ୍ୟବିମୁଢ଼ ହୋଇଯାଇଥିଲା ସେ । ହୋ ହାଲ୍ଲା ପଡିଗଲା ସାଙ୍ଗେ ସାଙ୍ଗେ । ବୁଢା ଆଖିରୁ ଝରିଯାଉଥିଲା ତତଲା ଲୁହ । କିଛି କ୍ଷଣରେ ପ୍ରାଣବାୟୁ ଉଡ଼ିଗଲା କାଳୀ ଆଉ ନେଳିର । କାହୁଁ ଖବର ପାଇ ଧାଇଁ ଆସିଥିଲା ନଖି । ଛାତି ବାଡେଇ ମୁଣ୍ଡକୁ ପିଟି କହୁଥିଲା ବୁଢାକୁ, "ମୋ ଛୁଆଙ୍କୁ ଛାଡି ଖାଇ ବସିଥିଲୁ, ମରଣ ନାହିଁ ତୋତେ! ତୋତେ ହେଲେ କୁକୁର ଟାଣି ନେଲାନି କାହିଁକି? ତୁ ମରିଗଲୁନି କାହିଁକି?" ବୁଢା ସେମିତି ମୁଣ୍ଡରେ ହାତଦେଇ ଚାହିଁଥିଲା ଶୂନ୍ୟକୁ ।