ଆଲୋକ ଧନ୍ଵାଙ୍କ କବିତା "ହଠାତ୍ ତୁ ଆସିଯା''
ଏତେ ଟ୍ରେନ୍ ଚାଲେ
ଭାରତରେ
କେବେ ବି
କୋଉଠୁ ବି ଆସିପାରିବୁ
ମୋ ପାଖକୁ
କିଛି ଦିନ ରହିବୁ ଏ ଘରେ
ଯୋଉ ଘର ତୋର ବି ସେତିକି
ତତେ ଦେଖିବାକୁ ଭାରି ଶୋଷ
ତତେ ଶୁଣିବାକୁ
କିଛି ଦିନ ରହିବୁ
ଯେମିତି ଯାଇନୁ ହିଁ କେବେ
ମୋ ପାଖରେ ସମୟ କମ୍
ହେଇଯାଉଚି
ମୋ ପ୍ରିୟ ସାଥୀ
ଏତେ ଲୋକ ମୋ ଦେଶରେ
କେତେ ସ୍ତ୍ରୀଲୋକ ଫେରନ୍ତି
ସନ୍ଧ୍ୟା ହେଲା ମାତ୍ରକେ
ନିଜ ନିଜ ଘରକୁ
କେତେଥର ଲାଗେ ସତକୁସତ
ତୁ ସେମାନଙ୍କ ଭିତରେ ହିଁ
ଆସୁଚୁ
ସେଇ ଦୁର୍ବଳ ଦେହ
ଠିକିରି ପଡ଼ିଥିବା ସୂତା ଶାଢ଼ୀ
କାନ୍ଧରୁ ଝୁଲୁଥିବା
ଝାଲରଦିଆ ଝୋଲାବ୍ୟାଗ୍
ଆଉ ପାଦରେ ଚପଲ
ମୁଁ କହୁଚି ଜୋତା ପିନ୍ଧ୍ ଖେଳାଳି ବାଲା
ଦଉଡ଼ା-ଦଉଡ଼ି ବେଳେ ଭରସାଯୋଗ୍ୟ
ତତେ ବି ନିଜ କାମରେ
ଅଧିକା ମନ ଲାଗିବ
ମୋ ସହ ଆଉଥରେ ଦେଖାକରି
ଫେରିଲେ
ଦୁଃଖ ସୁଖ ତ
ଆସିବ ଯିବ
ସବୁକିଛି ପାର୍ଥିବ ଏଠି
କିନ୍ତୁ ଦେଖାହବାମାନେ ନୁହନ୍ତି
ପାର୍ଥିବ
ଏମାନଙ୍କର ସତେଜତା
ରହିବ ଏଇଠି
ପବନରେ !
ଏଇମାନଙ୍କୁ ନେଇ ଗଢ଼ା ହୁଏ ନୂଆ ଜାଗା
ଆଉଥରେ ଦେଖାକଲା ପରେ ବି
ପୁଣି ଆଉଥରେ ଦେଖାହବାର ଇଚ୍ଛା
ପୃଥିବୀରେ କେବେ ଶେଷ ହବ ନାହିଁ
ମୂଳ ହିନ୍ଦୀ - ଆଲୋକ ଧନ୍ବା
ଓଡ଼ିଆ ଅନୁବାଦ - ନିଖିଳେଶ ମିଶ୍ର