ଝିଅଟିଏ
ଗଲାକାଲି ସଞ୍ଜରେ
ଜହ୍ନ ଆଲୁଅରେ ମଞ୍ଜୁଆତି ବାଟି
ଫୁଲପରି ପାପୁଲିରେ ଫୁଲକାଟିଛି ଝିଅ !
ନେଡ଼ିରୁ କହୁଣି ଯାଏଁ ଡାଳି କାଟିଛି ଇଛା ମୁତାବକ,
ଗାଢ୍ କରି ନାଇଛି ଅଳତା !
ଚାରିଚଉତା କରି ରଖିଛି ପଳାଶ ରଙ୍ଗର ଚୁଡିଦାରଟେ,
ଆକାଶ ଟିକିଏ ଫର୍ଚ୍ଚା ଦିଶିଲେ ଭେଟିବ ଈଶ୍ୱରଙ୍କୁ !
ଝିଅଟିଏ ପାଇଁ ତ ଉତ୍ସବ ଓ ପାର୍ବଣ
ଝିଅଟିଏ ପାଇଁ ତ ମେଳା ମଉଛବ
ଝିଅଟିଏ ପାଇଁ ତ ପୁନେଇଁ ଓ ପୂର୍ଣ୍ଣାହୁତି
ଝିଅଟିଏ ପାଇଁ ତ ସଂକ୍ରାନ୍ତି ଓ ବିଶ୍ଵଶାନ୍ତି
ଝିଅଟିଏ ପାଇଁ ତ ଈଶ୍ବର ଓ ମନ୍ଦିର !
ହେଲେ, ପାର୍ବଣର ଖରାବେଳେ
ରକ୍ତଝରାର ଋତୁଚକ୍ରଟେ ଭେଟିଥିବା ଝିଅଟେ
କ'ଣ ବା ମାଗିପାରେ ଈଶ୍ୱରଙ୍କୁ ମନ୍ଦିର ଆରପାଖ ରାସ୍ତାରୁ ?
କ'ଣ ବି ପଚାରୁଥାଇପାରେ ପୂର୍ଣ୍ଣମୀର ସଞ୍ଜରେ ଗୁଣୁଗୁଣୁ ହେଇ !
କେନ୍ଦୁ ପରି ପାଚିଛି ତା ଗଲାକାଲିର ମଞ୍ଜୁଆତି !
ରକ୍ତଠୁଁ ବି ଆହୁରି ଗାଢ୍ ତା ପାଦର ଅଳତା !
ଏତେ ସବୁ ରଙ୍ଗପରେ ବି ଈଶ୍ବର ଡରନ୍ତି କାହାକୁ ?
ରକ୍ତକୁ ?
ନା ରଙ୍ଗକୁ ?
ପଳାଶକୁ ନା ଗନ୍ଧକୁ ?
ଝିଅକୁ ନା ଦେହକୁ ?
ଦିନକୁ ନା ଦିନ ମାନଙ୍କ ଯନ୍ତ୍ରଣାକୁ ?
କେବେ ଯଦି ପାର୍ବଣରେ
ସଜସଜ ଋତୁଚକ୍ର ଭେଟିଥିବା ଝିଅଟେ
ଛୁଇଁ ଦିଏ ଦେଉଳ ପିଣ୍ଡି, ଗର୍ଭଗୃହ
ସାମ୍ନାରେ ଝୁଲୁଥିବା ଘଣ୍ଟ ଆଉ ଘଣ୍ଟା,
ଈଶ୍ବରଙ୍କ ଦେହ କ'ଣ ସିଠୁଆ ଦିଶିବ ?
କର୍ପୁର ଚନ୍ଦନ ଅଗରୁ କ'ଣ ଆଇଁଶିଆ ବାସିବ ?
ଫୁଲସବୁ କଣ ରକ୍ତହୀନତା ଭୋଗିବେ ?
ପାର୍ଶ୍ବ ଦେବଦେବୀ କ'ଣ ଦୁର୍ବଳ ହେଇପଡିବେ ?
ନା ଅଜଣା ରୋଗରେ ଈଶ୍ବର ଦେହତ୍ୟାଗ କରିବେ ?
ଯଦି ସବୁକିଛି ତାଙ୍କର ଇଛା,
ପାର୍ବଣର ଦିନମାନଙ୍କରେ
ଝିଅଟେ ନଭୋଗୁ ଋତୁସ୍ରାବର ଯନ୍ତ୍ରଣା,
ପୃଥିବୀ ପଛେ ବନ୍ଧ୍ୟା ଭଳି ଦିଶୁ କେତେକାଳ
ହେଲେ ପୂଜା ଆଉ ପୂର୍ଣ୍ଣାହୁତି ଦିନ
ଘୁଞ୍ଚିଯାଉ ଋତୁଚକ୍ରର କାଳ !
ସେ ଋତୁମତୀ ହେଉ ପଛେ
ତା ଉତ୍ସାହର ମଞ୍ଜୁଆତି ଅଙ୍କା
ଫୁଲଭର୍ତ୍ତି ପାପୁଲରୁ ଫୁଲହାରଟେ
ଈଶ୍ବରଙ୍କ ଗଳାଯାଏଁ ଯାଉ !
ତା ବିଶ୍ବାସର ନିଶ୍ବାସ ସବୁ
ଝୁଣା ହେଇ ମନ୍ଦିରସାରା ଉଡୁ !
ପାର୍ବଣର ଦିନ ମାନଙ୍କରେ ଝିଅଟିଏ
ମନ୍ଦିର ଆରପାଖ ରାସ୍ତାରୁ ନୁହେଁ,
ମନ୍ଦିର ଭିତରେ ଥାଉ !