କବି-ରାଜା

ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କ କବିତା ପୁସ୍ତକ ଉନ୍ମୋଚନୀ ସଭାରେ ତାଙ୍କ ପ୍ରଦତ୍ତ ଉଦବୋଧନ ଶୁଣିବା ଉତ୍ତାରେ ଏ କବିତାର ରଚନା ।

କବି-ରାଜା

ଶବ୍ଦ ପୁଞ୍ଜରୁ କବିତା ଯଦି 
ଶବ୍ଦମୟ ଦ୍ବୀପ ଟିଏ ହୁଏ, 
ତେବେ ତ କବିତା ଲେଖି ଲେଖି 
ତପସ୍ୱୀ ପରି ସାଧନା କରୁଥିବା 
କବିଟିଏ ଶବ୍ଦ ସାମ୍ରାଜ୍ୟର ରାଜା ଟିଏ ନିଶ୍ଚେ, 
ସମ୍ରାଟ ବି କହିଲେ ଆହୁରି ଭଲ ଲାଗିବ
କବିର ପ୍ରିୟ ପାଠକ କିମ୍ବା ପ୍ରଶଂସକଙ୍କ ପାଇଁ ...

ଶବ୍ଦର ଯାଦୁକାରୀ ସ୍ପର୍ଶରେ ବାନ୍ଧି ରଖିଥିବା 
ପାଠକଟିଏ ଖାଲି ରାଜା କାହିଁକି, କବିକୁ 
ଭଗବାନ ବି କହିପାରେ, ତାରି ପାଇଁ ତ 
କବି, କବିର କବିତା ସବୁ କିଛି 

କବି ହିଁ ତ ଶବ୍ଦର ମାଧୁର୍ଯ୍ୟରେ 
ସଜେଇଦେଇ ପାରେ ପାଠକକୁ 
କବିତାର ନାୟକ, ନାୟିକା କିମ୍ବା ଖଳନାୟକ 
କବିର ଶବ୍ଦରେ ସତରେ ସଞ୍ଚରି ଯାଏ ପ୍ରାଣରେ ପୁଲକ 
ଶବ୍ଦର କିମିଆରେ ପାଠକ ପାଲଟିଯାଏ କବିର 
ସ୍ତାବକ, ଆଜ୍ଞାକାରୀ ପ୍ରଜା କି ଚିର ଅନୁଗାମୀ 

ପାଠକୀୟ ସତ୍ତାରେ କବି ତ ନୀଳାଚଳ ଧାମରେ 
ପୂଜିତ ମହାମେରୁ, ଦାରୁବ୍ରହ୍ମ ଜଗତ ଈଶ୍ୱର 
କବିତା, ଆଉ କବିର ଧାରାରେ ନିଜକୁ ହଜାଇଥିବା 
ବିମୁଗ୍ଧ ପାଠକ / ପାଠିକାଟେ ପାଇଁ 
କବି ରାଜା, କବି ଦିଅଁ କବି ହିଁ ଈଶ୍ୱର II