ଶିଶୁପାଳ ଗଡ

ଶିଶୁପାଳ ଗଡ

୧୯୪୮ ମସିହା ଏପ୍ରିଲ ୧୩ ତାରିଖ ମଙ୍ଗଳବାର ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ  ଭୁବନେଶ୍ୱରକୁ ଆସି  ବୃହତ୍ତର ଓଡିଶାର ନୂତନ ରାଜଧାନୀର ଶୁଭ ଦେଇଥିଲେ । ଓଡିଆ ନୂତନ ବର୍ଷର ଆରମ୍ଭରେ ଭୁବନେଶ୍ୱରରେ ରାଜଧାନୀ ଶୁଭ ଉଦ୍‍ଘାଟନ ଏକ ଅବିସ୍ମରଣୀୟ ପର୍ଯ୍ୟାୟ ଆରମ୍ଭ କରିଥିଲା । ଏହି ଘଟଣାର ତିନି ମାସପରେ ଅଗଷ୍ଟ ୫ ବେଳକୁ ଭୁବନେଶ୍ୱର ନିକଟସ୍ଥ  ଭୂଗର୍ଭସ୍ଥ ଶିଶୁପାଳ ଗଡର ଭୂଖୋଦନ ବିବରଣୀ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ନୂଆଦିଲ୍ଲୀରୁ ପ୍ରକାଶ ପାଇଥିଲା । ରାଜଧାନୀ ଭୁବନେଶ୍ୱରର ଗରିମା ଏହି ଘଟଣା ବଢାଇ ଦେଇଥିଲା ।  ୧୯୪୮ ମସିହା ପୁର୍ବରୁ ମାଟିତଳେ ପୋତାହୋଇଥିବା ଏହି ପୁରାତନ ଦୁର୍ଗ ସମ୍ପର୍କରେ ଅନେକ ଓଡିଆ ଲୋକ ମଧ୍ୟ ଜାଣିନଥିଲେ । ତଥାପି କେତେକ ଐତିହାସିକ ଓ ଦେଶସେବୀ ଅନେକ ବର୍ଷ ଆଗରୁ ଏ ଦୁର୍ଗର ଅବସ୍ଥିତି ବିଷୟରେ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଫେସର୍‍ ଘନଶ୍ୟାମ ଦାଶ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ଐତିହାସିକ କେଦାରନାଥ ମହାପାତ୍ର ଏମାନଙ୍କ ମଧ୍ୟରେ ଅଗ୍ରଣୀ । ଶେଷରେ ନୂଆ ରାଜଧାନୀ ଭୁବନେଶ୍ୱର ଅଦୂରସ୍ଥ ଶିଶୁପାଳ ଗଡର ଭୂଖୋଦନ ହେଲା । ଶିଶୁପାଳ ଗଡକୁ ପ୍ରତ୍ନତତ୍ତ୍ୱ ସୁପରିଟେଣ୍ଡେଣ୍ଟ୍‍ ବି.ବି. ଲାଲ ଚାରୋଟି ସ୍ଥାନ ଖନନ କରାଯିବା ପାଇଁ ମତ ଦେଲେ ।

ପ୍ରଥମ ସ୍ଥାନ ଶିଶୁପାଳଗଡର ପ୍ରାଚୀର, ଦ୍ୱିତୀୟ ସ୍ଥାନ ଦୁର୍ଗର ପଶ୍ଚିମ ଦ୍ୱାର, ତୃତୀୟ ଦୁର୍ଗର ପୁରାତନ ପଥ ଓ ଚତୁର୍ଥ ଦୁର୍ଗର ଜନବସତି ସ୍ଥାନ । ଦୁର୍ଗ ଖନନରୁ ଦେଖାଗଲା ଯେ ଦୁଇପାଶ୍ୱର୍ରେ ଇଟାର ଦୁଇଟି କାନ୍ଥ,ଇଟାର ପ୍ରାଚୀରକୁ ଶକ୍ତ କରିବା ପାଇଁ ବାହାର ପଟେ ମାଟିଗୋଡି ଦିଆଯାଇଥିଲା । ଏହା ଏପରି  ସୁଦୃଢ କରାଯାଇଥିଲା ଯେ ପ୍ରାଚୀର ଅତିକ୍ରମ କରି ଶତ୍ରୁ ଦୁର୍ଗ ମଧ୍ୟକୁ ପ୍ରବେଶ କରିବା କଷ୍ଟକର ଥିଲା । ଏ ପ୍ରାଚୀର ୧୯୪୮ ମସିହାରେ ସୁଦ୍ଧା ଦୃଢଥିଲା । କାରୁକାର୍ଯ୍ୟମଣ୍ଡିତ ଦୁର୍ଗର ପଶ୍ଚିମ ଦ୍ୱାର ପଥରେ ଦୁର୍ଗ ମଧ୍ୟକୁ ପ୍ରବେଶ କରାଯାଉଥିଲା । ପ୍ରଥମ ପ୍ରବେଶ ଦ୍ୱାର ଖୋଦନ ପରେ ଦ୍ୱାରରକ୍ଷୀର ପ୍ରକୋଷ୍ଠ ଉଦ୍ଧାର କରାଯାଇଥିଲା । ରକ୍ଷୀ ପ୍ରକୋଷ୍ଠଠାରୁ ଅଳ୍ପଦୂରରେ ଏହି ପଥ କ୍ରମେକ୍ରମେ ସରୁ ହୋଇ ଶେଷକୁ ଗୋଟିଏ ପ୍ରାଚୀର ପାଶ୍ୱର୍ରେ ସୁଡଙ୍ଗରୂପେ ଯାଇଥିଲା । ଏହା ଗୁପ୍ତପଥ ବୋଲି ମନେକରାଯାଉଥିଲା । ଏହା ଏପରି ସଂକୀର୍ଣ୍ଣ ଥିଲା ଯେ ଏକକାଳୀନ ଦୁଇ ଜଣ ଲୋକ ପରଷ୍ପରକୁ ଅତିକ୍ରମ କରିବା କଷ୍ଟକର ଥିଲା । ପ୍ରାଚୀର ଉପରେ ଥିବା ବୀକ୍ଷଣ ସ୍ତମ୍ଭ ଉପରୁ ଖଣ୍ଡିଏ ଶିଳା ଖସାଇ ଦିଆଗଲେ ଏହି ସଂକୀର୍ଣ୍ଣ ପଥରୁଦ୍ଧ ହୋଇଯିବ । ଏହାଛଡା ଦ୍ୱାରର ଦୁଇପାଶ୍ୱର୍ରେ ପ୍ରାଚୀର ଅତ୍ୟୁଚ୍ଚ ହୋଇଥିଲା । ରାସ୍ତାର ଦୁଇ ପାଶ୍ୱର୍ରେ ଲମ୍ବା ପାହାଚମାନ ଏହି ଦୁଇପାଶ୍ୱର୍ର ପ୍ରାଚୀର ଶୀର୍ଷ ପର୍ଯ୍ୟନ୍ତ ଉଠିଥିଲା । ଏହି ପ୍ରତ୍ୟେକ ପାହାଚର ଲମ୍ବା ଆଠ ନଅ ଫୁଟ । ସୁଡଙ୍ଗ ଓ ବୀକ୍ଷଣସ୍ତମ୍ଭ ଅତ୍ୟନ୍ତ କୌଶଳ ସହକାରେ ନିର୍ମିତ ହୋଇଥିଲା । ଦ୍ୱାର ଦେଶର ଅଳ୍ପଦୂରରେ ଦୁଇଟି ରାସ୍ତା ଖନନଦ୍ୱାର ମଧ୍ୟ ଉଦ୍ଧାର ହୋଇଥିଲା । ଏହି ରାସ୍ତାର ଚଉଡା ଦଶଫୁଟରୁ ବାରଫୁଟ । ଦ୍ୱାରଦେଶରୁ ଏହି ରାସ୍ତା ପଶ୍ଚିମ ଦିଗକୁ ପଡିଥିବାରୁ ମନେହୁଏ ଗଡବାସୀଙ୍କର ଯାତ୍ରାୟତ ପାଇଁ ଏହି ଦୁଇ ରାସ୍ତା ନିର୍ମିତ ହୋଇଥିଲା । ଏ ରାସ୍ତା ପ୍ରସ୍ତର ନିର୍ମିତ ଓ ଖୁବ୍‍ ଶକ୍ତ ଓ ବନ୍ୟାଦ୍ୱାରା ପ୍ରତିବର୍ଷ ଆକ୍ରାନ୍ତ ହେଉଥିଲେ ମଧ୍ୟ ରାସ୍ତାଗୁଡିକ ପୂର୍ବପରି ରହିଥିଲା । ଦୁର୍ଗର ଜନବସତି ସ୍ଥାନର ଧ୍ୱଂସାବଶେଷରୁ ମାଟି, ପ୍ରସ୍ତର ଓ ଇଟାର ତିନି ପ୍ରକାର ଘରର ସୂଚନା ମିଳିଥିଲା । କୂପ ଓ ଚଉରାମାନ ମଧ୍ୟ ଦେଖିବାକୁ ମିଳିଥିଲା । ନାନା ପ୍ରକାର ମାଟିର ଗ୍ଳ୍ରାସ୍‍, ଗିନା ଗହଣା , ବିଭିନ୍ନ ରଙ୍ଗର ମୂଲ୍ୟବାନ୍‍ ପ୍ରସ୍ତର ଯଥା କାର୍ନେଲିଆନ୍‍ ଓ ଜେଡ୍‍ ପ୍ରଭୃତି ଦେଖିବାକୁ ମିଳିଥିଲା । ତିନି ପ୍ରକାର ପାତ୍ରର ଖପରା ଯଥା ରୁଲେଟେଡ୍‍ ଓୟାର୍‍, ଏନ୍‍.ବି.ପି ଓ ସ୍ପେସିୟାଲ୍‍ ଟାଇପ୍‍ ଏଠାରୁ ଆବିଷ୍କୃତ ହୋଇଥିଲା । ଏଥିରୁ ଓଡିଶା ରୋମ ସମ୍ପର୍କର ସୂଚନା ମିଳେ । ଶିଶୁପାଳଗଡର ବିଶେଷ ପାତ୍ର ଚିକ୍କଣ ଓ ବିଭିନ୍ନ ରଙ୍ଗରେ ରଂଜିତ । ଏଠାରେ ବର୍ଗାଗାର ତମ୍ବାମୁଦ୍ରାମାନ ମଧ୍ୟ ମିଳିଥିଲା ।


 ଏକ ଜଳସ୍ରୋତଦ୍ୱାରା ପରିବେଷ୍ଟିତ ଶିଶୁପାଳଗଡ ଚମତ୍କାର ଗଠନପ୍ରଣାଳୀ ପ୍ରଦର୍ଶନ କରିଥିଲା । ଉକ୍ତ ଜଳସ୍ରୋତଟି ସମ୍ଭବତଃ ପୂର୍ବେ ପରିଖା ଥିଲା । ଦୁର୍ଗରକ୍ଷା ନିମନ୍ତେ ୧୧୦ ପତ୍ତନ ଉପରେ ୨୫ ଫୁଟ ଉଚ୍ଚ ବେଢା ରହିଥିଲା । ଦୁର୍ଗର ମଧ୍ୟଭାଗରେ ଅଖଣ୍ଡ ପ୍ରସ୍ତର ନିର୍ମିତ ୧୬ଟି ଖମ୍ବ ଥିଲା । ଏହା ଏକ ପ୍ରକାଣ୍ଡ ଦରବାର ଗୃହର ଖମ୍ବ ଥିବାର ମନେକରାଯାଇପାରେ । ମିଳିଥିବା କ୍ଷୁଦ୍ରକ୍ଷୁଦ୍ର ଜିନିଷ ମଧ୍ୟରେ ରତ୍ନର ମାଳା, ୍‍ନାଲରଙ୍ଗ ମହାମୂଲ୍ୟ ପ୍ରସ୍ତର, ଶୁଭ୍ର ମହାମୂଲ୍ୟ ପ୍ରସ୍ତର, ସମୁଜ୍ଜଳ ରତ୍ନ ଓ ମୂର୍ତ୍ତିକା ପୂତ୍ତଳିକାର ବହୁ ପ୍ରକାର ଓ ବିଭିନ୍ନ ଛାଞ୍ଚର କର୍ଣ୍ଣଭୂଷଣ ସୁଦୂର ଅତୀତର ସ୍ୱାରକୀ ବହନ କରିଥିଲା । ଖ୍ରୀଷ୍ଟ ପୂର୍ବ ୩୦୦ ବର୍ଷ ତଳର ଏହି ଦୁର୍ଗ ଅବସ୍ଥିତ ଥିଲା ବୋଲି ଅନେକ ଐ୍‍ତିହାସିକ ମନେକରିଛନ୍ତି । କେତେକ ଐତିହାସିକ ଏହାକୁ କଳିଂଗ ସମ୍ରାଟ ମହାମେଘବାହନ ଖାରବେଳଙ୍କ ରାଜଧାନୀ ବୋଲି ମନେକରିଛନ୍ତି । କେତେକ ଏହାକୁ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ତୋଷାଳୀର ରାଜଧାନୀ ବୋଲି ମତ ଦେଇଛନ୍ତି । ତେବେ କୌଣସି ଶିଳାଲିପି ବା ତାମ୍ରଲେଖରେ ଏପରି କି ପ୍ରାଚୀନ ସାହିତ୍ୟରେ ଶିଶୁପାଳ ଗଡର ନାମ ମିଳେନାହିଁ । କେବଳ ମଧ୍ୟଯୁଗର ଶେଷଭାଗରେ ସଂକଳିତ ମାଦଳାପାଂଜିରେ ଏହି ନାମ ରହିଛି । ମଧ୍ୟଯୁଗରେ ଗଂଗବଂଶୀ ସମ୍ରାଟ ଚୋଡଗଙ୍ଗ ଦେବ ଉତ୍କଳ ଅଧିକାର କରି ଏଠାରେ ଶାସନ କେନ୍ଦ୍ର ସ୍ଥାପନ କରିଥିବାର ଅନେକ ପ୍ରମାଣ ବିଖ୍ୟାତ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ଧଉଳୀର ଇତିହାସରେ ଉଲ୍ଲେଖ କରିଛନ୍ତି ।  ସମ୍ଭବତଃ ଚୋଡଗଙ୍ଗ ଶିଶୁ ଅବସ୍ଥାରେ ରାଜ୍ୟ ସିଂହାସନରେ ଅଭିସିକ୍ତ ହୋଇ ରାଜ୍ୟପାଳନ କରିଥିବାର ଅଭିଲେଖୀୟ ପ୍ରମାଣ ଥିବାରୁ ଏବଂ ଏହି ଗଡ ତାଙ୍କର ଉତ୍କଳର ଏକ ରାଜଧାନୀ ରୂପେ କାର୍ଯ୍ୟ କରିଥିବାରୁ ଲୋକଶ୍ମୃତିରେ ତାଙ୍କ ନାମ ଶିଶୁପାଳ ବୋଲି ରହିଗଲା । ୧୯୪୮ ମସିହାରେ ଭୁବନେଶ୍ୱର ବୃହତ୍ତର ଓଡିଶାର ରାଜଧାନୀ ରୂପେ ଶୁଭ ଉଦ୍‍ଘାଟିତହେବାପରେ  ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଶିଶୁପାଳଗଡର ଭୂଖୋଦନ ରୀାଜଧାନୀ ଭୁବନେଶ୍ୱରର ଗୌରବଗାରିମା ପ୍ରକାଶ କରିଥିଲା । ତେବେ ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତରେ ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିଶାରଦମାନେ ଶିଶୁପାଳଗଡର ଧାରାବାହିକ ଇତିହାସର ନବପରିକ୍ରମା କରିବା ଆବଶ୍ୟକ ।