ଓଡିଶୀରେ ଅନନ୍ୟ ଓଡିଶାର ବର୍ଣ୍ଣବିଭା : ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ଓଡିଶୀରେ ଅନନ୍ୟ ଓଡିଶାର ବର୍ଣ୍ଣବିଭା : ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ଓଡିଶାର ଚାରୁ ଚିତ୍ରପଟ କେମିତି ଦିଶିବ ନୃତ୍ୟରେ ? ବାରମାସରେ ତେର ଯାତ୍ରାର ବର୍ଣ୍ଣମୟ ଅନୁଭବକୁ ନୃତ୍ୟର ଭାଷାରେ ଗୋଟେ କବିତାର ଛବି କରି ହେବ କି ? ଏ ସବୁ ପ୍ରଶ୍ନର ଉତ୍ତର ମିଳିଯିବ ଅରୁଣା ମହାନ୍ତିଙ୍କ ନୃତ୍ୟ ରଚନା "ଅନନ୍ୟ ଓଡିଶା"ରେ । ଓଡିଶାର ଆଦିବାସୀ, ଲୋକ ଏବଂ ଶାସ୍ତ୍ରୀୟ ସାଂସ୍କୃତିକ ଧାରାକୁ ଏକତ୍ର ସନ୍ନିବିଷ୍ଟ କରି "ଅନନ୍ୟ ଓଡିଶା"ର ପରିକଳ୍ପନା । ଗୋଟେ ଜାତି  ଓ ତାର ସାଂସ୍କୃତିକ ଇତିହାସକୁ ଗୋଟେ ମଞ୍ଚରେ ନୂଆ ବାଗରେ କହିବାର କଳା କୌଶଳ ଅରୁଣା ମହାନ୍ତି ଜାଣନ୍ତି । ତାଙ୍କର ନୃତ୍ୟ ସଂରଚନା ଯେତିକି ପାରମ୍ପାରିକ, ନୃତ୍ୟର ଦର୍ଶନରେ ସେ ସେତିକି ଆଧୁନିକ । ତାଙ୍କ ନୃତ୍ୟ ସମୟର କାହାଣୀକୁ ନୂଆ କରି ସବୁ ବେଳେ କହି ଆସିଛି । ତାଙ୍କର ସବୁ ନୃତ୍ୟ ପରିକଳ୍ପନା ପଛରେ କାହାଣୀ କହିବାର ଏ ଚମତ୍କାରିତା ଇ ତାଙ୍କୁ ଅଲଗା ଓ ଅନନ୍ୟ ଭାବରେ ସ୍ଥାନିତ କରିଆସିଛି ।   

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୧୯ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସଂଧ୍ୟା ଓ ସେହି ସନ୍ଧ୍ୟାର ସବୁଠୁ ବଡ ଆକର୍ଷଣ ଥିଲା "ଅନନ୍ୟ ଓଡିଶା" । 


ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଶାସ୍ତ୍ରୀୟ ସଙ୍ଗୀତ ବାଦନ (ଐନ୍ଦ୍ରଜାଲିକ ରହସ୍ୟବାଦୀ ଜୀବନର ତତ୍ତ୍ୱ) ଯାହାକୁ ପ୍ରସ୍ତୁତ କରିଥିଲେ ବାଦ୍ୟବାଣୀ ଗୁରୁକୁଳ ଓ ଶିବାଗ୍ନୀ ଅନୁଷ୍ଠାନର ଶିଳ୍ପୀମାନେ । ବାଦ୍ୟବାଣୀ ଗୁରୁକୁଳ ଯାହାର ପ୍ରତିଷ୍ଟାତା ହେଉଛନ୍ତି ଗୁରୁ ଧନେଶ୍ୱର ସ୍ୱାଇଁ ଯିଏକି ଜଣେ ବିଶିଷ୍ଟ ମର୍ଦ୍ଦଳ ବାଦକ ସହିତ ଅନ୍ୟାନ୍ୟ ଓଡିଶୀ ବାଦ୍ୟଯନ୍ତ୍ର ଉପରେ ତାଙ୍କର ପ୍ରଗାଢ ଅଭିଜ୍ଞତାକୁ ବିନିଯୋଗ କରିଥିଲେ । ଶିବାଗ୍ନୀର ପ୍ରତିଷ୍ଟାତା  ସଙ୍ଗୀତ ସଂଯୋଜକ ଅଗ୍ନିମିତ୍ର ବେହେରା ଏବଂ ବିଶିଷ୍ଟ ବଂଶୀ ବାଦକ ଶ୍ରୀନିବାସ ଶତପଥୀଙ୍କ ସହିତ ଗୁରୁ ଧନେଶ୍ଵର ସ୍ଵାଇଁଙ୍କ ସଂଯୋଗ ଗୋଟେ ନୂଆ ବାତାବରଣ ସୃଷ୍ଟି କରିଥିଲା । ଓଡିଶୀ ତାଳରେ ଯୋଡି ନାଗରା, ଖଞ୍ଜଣି, ମୃଦଙ୍ଗ, ମର୍ଦ୍ଦଳ, ନାଲ ଓ ତବଲାର ମିଶ୍ରଣ ରହିଥିବା ବେଳେ ସ୍ଵରରେ ଭାଓଲିନ, ବଂଶୀ, ଗୀଟାର ଓ ଅନ୍ୟାନ୍ୟ ଆଧୁନିକ ସଙ୍ଗୀତ ଯନ୍ତ୍ରର ସମନ୍ଵୟ ଘଟିଥିଲା । 

   ,
କାର୍ଯ୍ୟକ୍ରମର ଦ୍ୱିତୀୟ ପ୍ରସ୍ତୁତିରେ ଥିଲା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ,ନୃତ୍ୟ ନୈବେଦ୍ୟ ଓ ଓଡ଼ିଶୀ ଡ଼୍ୟାନ୍ସ କ୍ରିଏସନ ନାମକ ତିନୋଟି ସୁନାମଧନ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା "ଅନନ୍ୟ ଓଡିଶୀ" ପରିବେଶଣ ହୋଇଥିଲା । 

କାର୍ଯ୍ୟକ୍ରମର ଅନ୍ତିମ ପ୍ରସ୍ତୁତି ଥିଲା ମାଲକାନଗିରିରୁ ଆସିଥିବା ଏକ ବିସ୍ମୟକର ସମରକଳା ନୃତ୍ୟ । ଅମ୍ମା ଗୁରୁକୁଳର ବିନାଶ କୁମାର ମିଶ୍ର ଓ ତାଙ୍କର ସାନ ସାନ ପିଲାମାନେ ସମରକଳାର ଉତ୍କୃଷ୍ଟ ଉଦାହରଣ ପ୍ରସ୍ତୁତ କରିଥିଲେ । ସମରକଳା ସହିତ ଆଧ୍ୟାତ୍ମିକତାର ସଂଯୋଗକୁ ଏହି ଦଳ ଯେମିତି ପରିବେଷଣ କରିଥିଲେ ତାକୁ ଦେଖି ଅନେକଙ୍କର ଛାତିରେ ପବନ ଅଟକି ଯାଇଥିଲା । ବୌଦ୍ଧ ଗୁରୁକୁଳ ପରମ୍ପରାରେ ସମରକଳାର ଅନନ୍ୟ ଶୈଳୀ ଯଥା ଯୁଦ୍ଧ କୌଶଳ, ଶାରୀରିକ
ବ୍ୟାୟାମ ସହିତ ମାନସିକ ଶୃଙ୍ଖଳା ପଦ୍ଧତି ମଧ୍ୟ ଶିକ୍ଷା ଦିଆଯାଇଥାଏ । ନୃତ୍ୟଶିଳ୍ପୀଙ୍କ ଶକ୍ତିଶାଳୀ ଓ ଦକ୍ଷ ପ୍ରଦର୍ଶନ ଦର୍ଶକଙ୍କ ଦ୍ୱାରା ବେଶ୍‍ ପ୍ରଶଂସିତ ହୋଇଥିଲା ।


ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତି ହେଜମାଦି; ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା; ମୋ ସ୍କୁଲ ଅଭିଯାନର ସଭାପତି ସୁସ୍ମିତା ବାଗ୍‍ଚୀ; ଆର୍ଟ ଭିଜନ୍‍ର ସଚିବ ଇଲିୟାନା ସିତାରିଷ୍ଟ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ  ଅରୁଣା ମହାନ୍ତି ।