ଘାଇ ଯାକ ମୁକୁଳା

ଘାଇ ଯାକ ମୁକୁଳା
କ୍ୟାସ୍ କ୍ୟାସ୍ କ୍ୟାସ୍ । ସବୁଠି କ୍ୟାସ୍ । ଭିଜିଲାନ୍ସ ଚଢ଼ାଉ ବେଳେ ଗଦା ଗଦା କ୍ୟାସ୍ ଜବତ ହେଉଛି । ଏହି ଭିଡିଓ କରିବା ସମୟରେ ଖବର ଆସୁଛି , କଳାହାଣ୍ଡି ଜିଲ୍ଲାର ଜଣେ ଯୁବ ସବକଲେକ୍ଟର ୧୦ ଲକ୍ଷ ଟଙ୍କା କ୍ୟାସ୍ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲା । ତା ଘରେ ଭିଜିଲାନ୍ସ ରେଡ୍ ପରେ ୪୭ ଲକ୍ଷ ଟଙ୍କାର କ୍ୟାସ୍ ଜବତ ହୋଇଛି । ଏ ଘଟଣା କିଛି ନୁଆ ନୁହେଁ । କେତେବେଳେ କିରାଣୀ ଘରୁ କ୍ୟାସ୍ ଧରାପଡୁଛି ତ କେତେବେଳେ ଇଞ୍ଜିନିଅର ଘରୁ ଧରା ପଡୁଛି ।  ଗତ ମାର୍ଚ୍ଚ ୧୪ ତାରିଖରେ ଆଲାହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ଘରୁ ଗଦା ଗଦା କ୍ୟାସ ଥିବାର ଜଣା ପଡିଥିଲା ।‌ ଏସବୁ ଟିଭିରେ କିଛି ଦିନ ଚାଲେ । ଆମେ ହାଏ ତୋବା କରୁ । ତାପରେ ସେ ଟଙ୍କା କୁଆଡେ ଗଲା ଓ ସେ କେଶ୍ କ'ଣ ହୁଏ କେହି ଜାଣନ୍ତି ନାହିଁ । 
ଏବେ କିଛି ଲୋକ ଚର୍ଚ୍ଚା କରୁଛନ୍ତି ନବୀନ ସରକାର ସମୟରେ ଯେଉଁମାନେ ଦୁର୍ନିତୀ କରି ଟଙ୍କା ରଖିଥିଲେ, ମୋହନ ମାଝି ସରକାର ସେସବୁ ଚଢାଉ କରି ଧରୁଛନ୍ତି । କ'ଣ କହିବେ କୁହନ୍ତୁ ? ନବୀନ ସରକାର ସମୟରେ ମଧ୍ୟ ପ୍ରତି ମାସରେ ଭିଜିଲାନ୍ସ ରେଡ୍ ହୋଇଛି । ହାଇ ପ୍ରୋଫାଇଲ୍ ଆଇଏଏସ୍ ଅଫିସରଙ୍କ ଘରେ ରେଡ୍ ହୋଇଛି । ଯେମିତି ସପ୍ତାହ ଧରି ସରକାରର ବର୍ଷ ପୁର୍ତ୍ତି ଉତ୍ସବ କରି ନିର୍ବାଚନ ପୂର୍ବ ପ୍ରତିଶୃତିକୁ ଭୁଲାଇ ଦେବାକୁ ଚେଷ୍ଟା କରା ଯାଉଛି, ସେହିପରି ନବୀନଙ୍କ ସମୟରେ ହୋଇଥିବା ଭିଜିଲାନ୍ସ ରେଡ୍ କଥା ଭୁଲାଇ ଦେବାକୁ ଚେଷ୍ଟା କରା ଯାଉଛି । ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ କଥା ଭୁଲାଇ ଦେବାକୁ ଚେଷ୍ଟା କରା ଯାଉଛି । ହର୍ଟିକଲ୍ଚର ଡିପାର୍ଟମେଣ୍ଟରେ ଥାଇ ସପ୍ଲାଏରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ଏହା ହୋଇଥିଲା ନବୀନବାବୁଙ୍କ ସମୟରେ । ବର୍ତ୍ତମାନ ମୋହନଙ୍କ ସମୟରେ ସେହି ଆଇଏଏସ ଅଫିସରଙ୍କୁ ସଂସ୍କୃତି ବିଭାଗରେ ଡାଇରେକ୍ଟର କରାଯାଇଛି । ନବୀନଙ୍କ ସମୟରେ ଜଳସମ୍ପଦ ବିଭାଗର ଇଞ୍ଜିନିଅର ସର୍ବେଶ୍ଵର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍ କରି ଆୟ ବହିର୍ଭୁତ ଅମାପ ସମ୍ପତ୍ତି ଜବତ କରିଥିଲା, ସେହି ପୁର୍ବ ସରକାର ସମୟରେ । ପୁର୍ବ ସରକାର ସମୟରେ ଭିଜିଲାନ୍ସ ଡିପାର୍ଟମେଣ୍ଟ ଦ୍ବାରା ଫରେଷ୍ଟ ଅଫିସର ଚିତ୍ତରଞ୍ଜନ ମିଶ୍ରଙ୍କ ଘରେ ରେଡ୍ ହୋଇ କ୍ୟାସ୍ ସହ କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ରେଡ୍ ହୋଇଥିଲା । ୨୦୦୬ରେ ଦୁର୍ନୀତି ମାମଲାର ବିଚାର ପାଇଁ ଓଡ଼ିଶା ସରକାର ସ୍ପେସାଲ କୋର୍ଟ ଆକ୍ଟ ପାସ୍ କରିଥିଲା । ସେହି ସ୍ପେସାଲ କୋର୍ଟ ଦ୍ବାରା ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନର ଇଞ୍ଜିନିଅର ସୁବାସ ଚନ୍ଦ୍ର ମିଶ୍ରଙ୍କ ଘରୁ ଭିଜିଲାନ୍ସ ଦ୍ବାରା ଜବତ ହୋଇଥିବା କ୍ୟାସ୍, ଅଢେଇ କିଲୋ ସୁନା, ବିଭିନ୍ନ ଜାଗାରେ ଥିବା ଅଟ୍ଟାଳିକା ଆଦିକୁ ବାର୍ଜ୍ୟାପ୍ତ କରା ଯାଇଥିଲା । ୨୦୨୨ରେ ଭଞ୍ଜନଗର ମାଇନର ଇରିଗେସନ ଡିପାର୍ଟମେଣ୍ଟର ଇଞ୍ଜିନିଅର,  କାର୍ତ୍ତିକେଶ୍ବର  ରାହୁଳଙ୍କ ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ଘରୁ ପ୍ରାୟ ୪ କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଥିଲା । ୨୦୨୦ ମସିହାରେ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପାଖରୁ ଓଡ଼ିଶା ଭିଜିଲାନ୍ସ ୨୦ କୋଟି ଟଙ୍କାର କ୍ୟାସ ଜବତ କରିଥିଲା । ପାଠକ ସସପେଣ୍ଡ ହୋଇଥିଲା । ତାଙ୍କୁ ଚାକିରିରୁ ବାହାର କରିବା ପାଇଁ ତତ୍କାଳୀନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ । ଯଦିବା ପାଠକଙ୍କ ସମୁଦି ହେଉଛନ୍ତି ସେତେବେଳର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଶ୍ରୀ ପାଣିଗ୍ରାହୀ ବିଜେପିକୁ ଚାଲିଗଲେ ଓ ଏବେ ସେ ଜଣେ ସାଂସଦ । ଏମିତି ଅନେକ ଘଟଣା ଘଟିଛି । ନବୀନଙ୍କ ସମୟରେ ପ୍ରାୟ ପ୍ରତି ମାସରେ ଭିଜିଲାନ୍ସ ରେଡ୍ ହେଉଥିଲା । 
ଯୁଆଡ଼େ ଦେଖିବେ କ୍ୟାସ୍ ।‌ ପର୍ସରେ କ୍ୟାସ୍ ଅଛି । ସୁଟକେସ୍ ରେ କ୍ୟାସ ଅଛି । ବ୍ୟାଗରେ କ୍ୟାସ ଅଛି । ଆଲମିରାରେ କ୍ୟାସ ଅଛି । ବେଳେ ବେଳେ ମ୍ୟାଟ୍ରେସ୍ ତଳେ କ୍ୟାସ୍ ଥାଏ । କାନ୍ଥ ଭିତରେ କ୍ୟାସ ଥାଏ । ଘରେ ଫଲ୍ସ ସିଲିଂ ଉପରେ ବି କ୍ୟାସ୍ ଥାଏ । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଅକ୍ଷୟ କୁମାର ଓ ଅନୁପମ ଖେଳ  ଅଭିନୀତ‌ ସ୍ପେସିଆଲ୍ ଛବିଶ୍ ଫିଲ୍ମ ଦେଖିଥିବେ , ସେଥିରେ ଦେଖିଥିବେ, ଚଢଉ ବେଳେ କେଉଁ କେଉଁଠାରୁ ନଗଦ ଟଙ୍କା ବାହାରେ । ତେବେ ସବୁ ଟଙ୍କା କେବଳ ଲୁଚା ଯାଇ ନଥାଏ । ବ୍ୟାଙ୍କରେ ମଧ୍ୟ ଦୈନଦିନ ଦେଣନେଣ ପାଇଁ ନଗଦ ଟଙ୍କା ଥାଏ । ତେବେ ଧନୀମାନେ କେବଳ ଖୁଚୁରା ଦେଣନେଣ ପାଇଁ ସୁବିଧା ହେବ ବୋଲି କ୍ୟାସ୍ ରଖି ନଥାନ୍ତି, ନଗଦ ଟଙ୍କାର ଆଉ ଗୋଟିଏ ସୁବିଧା ହେଉଛି ତାହାକୁ ଲୁଚାଇ ହେବ । କ୍ୟାସରେ ଆୟ କରିବେ । କିଛି କ୍ୟାସ ଖର୍ଚ୍ଚ କରିବେ । ଅବଶିଷ୍ଟ କ୍ୟାସ ଲୁଚେଇ ରଖିବେ । ନା ସେ କ୍ୟାସ ଇନକମକୁ ଇନକମ୍ ଟ୍ୟାକ୍ସରେ ଦେଖାଇବାର ଅଛି, ନା ତା ଉପରେ ଇନକମ୍ ଟ୍ୟାକ୍ସ ଦେବାର ଅଛି । ଏଇଆକୁ ତ କଳାଧନ କୁହାଯାଏ ନା ? ଆପଣମାନେ ଗୋଟିଏ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତରେ ପାଖାପାଖି ୧୪୦ କୋଟି ଲୋକ ରହୁଥିବା ବେଳେ, ଇନକମ୍ ଟ୍ୟାକ୍ସ ବିଭାଗର ତଥ୍ୟ  ଅନୁସାରେ ମାତ୍ର ୩ ଲକ୍ଷ ଜଣ ଅଛନ୍ତି ଯେଉଁମାନଙ୍କର ଆୟ ବାର୍ଷିକ ଆୟ ଏକ କୋଟି ଟଙ୍କା କିମ୍ବା ତାଠାରୁ ଅଧିକ । କିନ୍ତୁ ଏହା କ'ଣ ସମ୍ଭବ, ଯେ ଏତେବଡ ଦେଶରେ ମାତ୍ର ୩ ଲକ୍ଷ କୋଟିପତି ଅଛନ୍ତି  ? ବିଲକୁଲ୍ ନୁହେଁ । ଅଧିକାଂଶ କ୍ୟାସରେ ଆୟ କରି ତାହା ଲୁଚାଉଛନ୍ତି । ଏହି କ୍ୟାସ ଦେଣନେଣରେ ନା କୈାଣସି ବିଲ୍ ଥାଏ, ନା ମନି ରିସିପ୍ଟ ଥାଏ, ନା ହ୍ବାଟସପ୍ କିମ୍ବା ଇଲେକ୍ଟ୍ରୋନିକ୍ସ ରେକର୍ଡ ଥାଏ । ବ୍ୟାଙ୍କରେ ତ ବିଲକୁଲ ନଥାଏ । ବ୍ୟାଙ୍କରେ ସେହି ଟଙ୍କା ଥାଏ ଯାହାର ଆୟର ସ୍ରୋତ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ଜଣାଇବା ବାଧ୍ୟ ହୋଇଯାଏ । 
ଏବେ ଚାଲନ୍ତୁ ଦେଖିବା ଭାରତରେ କେତେ କ୍ୟାସ୍ ଅଛି । ଏହାକୁ Currency in circulation ବା CIC କୁହାଯାଏ । ଏହାକୁ ଦେଶର ଜିଡିପିର ପ୍ରତିଶତ ଆକାରରେ ପ୍ରକାଶ କରାଯାଏ ।  ଦେଶର ଅର୍ଥନୀତିର size କୁ ଜିଡିପି କୁହାଯାଏ । ଦୁଇଟି ବର୍ଷର ଡାଟାକୁ ଆପଣ ସିଧା ସିଧା କେମିତି ତୁଳନା କରିବେ ? ଆପଣ ପ୍ରତ୍ୟେକ ଜିନିଷକୁ  ଦୁଇଟି ବର୍ଷର ଜିଡିପିର ଅନୁପାତ ବା ପ୍ରତିଶତ ଆକାରରେ ତୁଳନା କରିବା ଯୁକ୍ତିସମ୍ମତ ହେବ । ୧୪ ବର୍ଷ ବୟସ ସମୟରେ ଆପଣ ଯେତିକି ଖାଦ୍ୟ ଖାଉଥିଲେ, ୩୦ ବର୍ଷ ବୟସରେ କ'ଣ ସେତିକି ଖାଉଥିଲେ କିମ୍ବା ଖାଉଛନ୍ତି ? ତେଣୁ ଦୁଇଟି ବର୍ଷରେ ଆପଣ ଆବଶ୍ୟକ ମୁତାବକ ଖାଦ୍ୟ ଖାଉଥିଲେ କି ନାହିଁ, ତାହାର ତୁଳନା କରିବାକୁ  ହେଲେ, ସେହି ଦୁଇଟି ବର୍ଷରେ ଆପଣଙ୍କ ଶରୀରର ଆକାର କେତେ ଥିଲା ତାହା ଜାଣିବା ଆବଶ୍ୟକ । ସେଥିପାଇଁ, ଅର୍ଥନୀତିରେ ଦୁଇଟି ବର୍ଷ ମଧ୍ୟରେ କୈାଣସି ଡାଟାକୁ ତୁଳନା କଲାବେଳେ, ତାକୁ ଆଗ ଜିଡିପିର ପରସେଣ୍ଟ ଆକାରରେ ପ୍ରକାଶ କରାଯାଏ, ଓ ତାପରେ ତୁଳନା କରାଯାଏ । ଭାରତରେ କେଉଁ ବର୍ଷ କେତେ cash in circulation ଥିଲା ନିମ୍ନରେ ତାହାର ଏକ ସାରଣୀ ଅଛି । 

୨୦୧୪ ମାର୍ଚ୍ଚ ଓ ୨୦୧୫ ମାର୍ଚ୍ଚରେ ଏହା ଜିଡିପିର  ୧୧.୬% ଥିଲା । ୨୦୧୬ ମାର୍ଚ୍ଚରେ ଏହା ୧୨.୧% ଥିଲା । ୨୦୧୬ ଶେଷ ବେଳକୁ ମୋଦିଜୀ ନୋଟବନ୍ଦୀ ଲାଗୁ କରିଥିଲେ । ରାତିସାରା ଅନିଦ୍ରା, କିନ୍ତୁ ମୁଗୁରା ଗଣ୍ଡି ମେଲା । ସେହି ଭଳି ହେଲା । କଳା ହେଉ କି ଧଳା, ସବୁ କ୍ୟାସ୍ ବ୍ୟାଙ୍କରେ ଜମା ହୋଇଗଲା । କଳାଧନ କୁଆଡେ ଗଲା ତାହାର ପତା ମିଳିଲା ନାହିଁ । ପରେ କୁହାଗଲା, ନାଇଁ ନାଇଁ, ନୋଟବନ୍ଦୀର ଉଦ୍ଦେଶ୍ୟ ଥିଲା କ୍ୟାସ ଦେଣନେଣ କମାଇବା ।  ତେବେ ସେ ଯାହା ହେଉ, ୨୦୨୦ ମାର୍ଚ୍ଚରେ ଏହା ୧୨.୧% ଥିବା ବେଳେ ୨୦୨୧ରେ ନଗଦ ସଞ୍ଚାଳନ ଥିଲା ୧୪.୪% । ଏ ସମୟରେ ଲୋକେ ଅଧିକ କ୍ୟାସ୍ ରଖିଥିଲେ । କାରଣ ଏ ଥିଲା କୋଭିଡ୍ ସମୟ । ହସ୍ପିଟାଲ ଓ ଏମରଜେନ୍ସି ପାଇଁ ଲୋକେ ନିଜ ପାଖରେ ଅଧିକ ଟଙ୍କା ରଖିଥିଲେ । ଏବେ ଏହା କମି ଯାଇଛି । ୨୦୨୪ ଓ ୨୦୨୫ ମାର୍ଚ୍ଚରେ ଏହା ଥିଲା ଯଥାକ୍ରମେ ୧୧.୭% ଓ ୧୧.୨% । ଏସବୁ ହେଉଛି ରିଜର୍ଭ ବ୍ୟାଙ୍କର ଡାଟା । ତେଣୁ ଆପଣ ଲକ୍ଷ କରନ୍ତୁ, ୨୦୧୯-୨୦ରେ , ଅର୍ଥାତ୍ ନୋଟବନ୍ଦୀ ହେବା ପୁର୍ବରୁ ନଗଦ ସଞ୍ଚାଳନ ୧୨.୧% ଥିବା ବେଳେ ୨୦୨୪-୨୫ରେ ତାହା ୧୧.୨% ଥିଲା । ଏହି କଥାଟି କିଛି ସମୟ ପାଇଁ ଏଇଠି ଥାଉ ।
ଏହା ଭିତରେ ଆଉ ଗୋଟିଏ ଘଟଣା ଘଟିଛି । ତାହା ହେଲା ୟୁପିଆଇ ଦେଣନେଣ ବା ଫୋନେପ ଗୁଗଲପେ ଇତ୍ୟାଦି । ଲୋକେ ଦୈନଦିନ ଦେଣନେଣ ପାଇଁ ୟୁପିଆଇ ମଧ୍ୟ ବ୍ୟବହାର କରୁଛନ୍ତି । ତେଣୁ ଲୋକେ ନଗଦ ଟଙ୍କା ଦେଣନେଣ କରିବା ସହିତ ୟୁପିଆଇ ଦେଣନେଣ  ବି କରୁଛନ୍ତି ।

ଆପଣ ଏବେ ଉପରେ ଥିବା  ସାରଣୀକୁ ମଧ୍ୟ ଦେଖନ୍ତୁ ।  ଏ ଡାଟା ଦେଇଛି Centre for Monitering Indian Economy, ଯାହା କି ରିଜର୍ଭ ବ୍ୟାଙ୍କର ପ୍ରତି ବର୍ଷର  ଡାଟାର ଏକ ସଂକଳନ । ଏଥିରେ ଦେଖନ୍ତୁ, କୋଭିଡ ଆସିବାର ପୁର୍ବ ବର୍ଷ  କେତେ ୟୁପିଆଇ ଦେଣନେଣ ହୋଇଥିଲା ଓ ୨୦୨୪-୨୫ରେ କେତେ  ହୋଇଛି । ୨୦୧୯-୨୦ରେ ୧୨.୫ ବିଲିଅନ୍ ସଂଖ୍ୟକ ୟୁପିଆଇ ଦେଣନେଣ ହୋଇଥିବା ବେଳେ , ୨୦୨୪-୨୫ରେ ତାହା ୧୮୫.୯ ବିଲିଅନ୍ ସଂଖ୍ୟକ ହୋଇଛି । ଅର୍ଥାତ୍ ମାତ୍ର ବର୍ଷ ପାଞ୍ଚଟାରେ ୟୁପିଆଇ ଦେଣନେଣ ସଂଖ୍ୟା ପ୍ରାୟ ୧୫ ଗୁଣ ବଢ଼ିଗଲା ।‌ ତେଣୁ ଏଠାର ପ୍ରଶ୍ନ ହେଉଛି, ଯଦି ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ୟୁପିଆଇ ଦେଣନେଣ ସଂଖ୍ୟା ଏତେ ମାତ୍ରାରେ ବଢ଼ିଗଲା, ସେହି ସମୟରେ cash in circulation କାହିଁକି ସେହି ଭଳି କମିଲା ନାହିଁ ? ଆପଣ ଆଉ ଗୋଟିଏ ସାରଣୀ ଦେଖନ୍ତୁ ।

୨୦୧୯-୨୦ ରେ ୨୧.୩ ଲକ୍ଷ କୋଟି ଟଙ୍କାର ୟୁପିଆଇ ଦେଣନେଣ ହୋଇଥିବା ବେଳେ , ୨୦୨୪-୨୫ରେ ତାହା ୨୬୦.୬ ଲକ୍ଷ କୋଟି ଟଙ୍କାର ହୋଇଛି । ପ୍ରାୟ ୧୨ ଗୁଣ ବଢ଼ିଛି । ତେଣୁ ଏ ସାରଣୀରେ ବି ଦେଖିଲେ, ୟୁପିଆଇ ଢେର ଗୁଣ ବଢ଼ିଛି । ତେଣୁ ଏଠାରେ ବି ସେହି ପ୍ରଶ୍ନ   ଉଠୁଛି, ଯଦି ୟୁପିଆଇ ଦେଣନେଣ ୨୧.୩ ଲକ୍ଷ କୋଟି ଟଙ୍କାରୁ ବଢ଼ି ୨୬୦.୬ ଲକ୍ଷ କୋଟି ଟଙ୍କା ହୋଇଗଲା, ତେବେ ସେହି ସମୟରେ cash in circulation କାହିଁକି ମାତ୍ର ୧୨.୧%ରୁ ୧୧.୨% କୁ ଖସିଛି ? ଲୋକେ UPI ମାଧ୍ୟମରେ ଦେଣନେଣ କରିବା ପରେ ନଗଦ ଦେଣନେଣ ତଥାପି ଏତେ ମାତ୍ରାରେ କାହିଁକି କରୁଛନ୍ତି ? ଆମ ସିଷ୍ଟମରେ ତଥାପି କାହିଁକି ଏତେ ନଗଦ ଅଛି, ଯଦିବା ଦେଣନେଣ ଅନେକ ପରିମାଣରେ UPI  ମାଧ୍ୟମରେ ହେଉଛି ? 
ପୁର୍ବରୁ ଲେଖାଅଛି, ନଗଦ ଟଙ୍କାର ସୁବିଧା କେବଳ ଦେଣନେଣ ପାଇଁ ନୁହେଁ । ନଗଦ ଟଙ୍କାର ଆଉ ଗୋଟିଏ ସୁବିଧା ହେଉଛି ଏହାକୁ ଲୁକ୍କାୟିତ ଭାବେ ସଞ୍ଚୟ କରିହେବ । ନିୟମ ଅଛି  ୨୦ ହଜାର ଟଙ୍କାରୁ ଅଧିକ ନଗଦ ଦେଣନେଣ ହୋଇ ପାରିବ ନାହିଁ । କିନ୍ତୁ ତାହା ହେଉଛି । ତାକୁ ଖାତାରେ ନ ଚଢେଇଲେ ଗଲା । ତେଣୁ ସିଷ୍ଟମରେ ଯେଉଁ କ୍ୟାସ୍ ଅଛି ତାହା କେବଳ ଦେଣନେଣ  ପାଇଁ ନୁହେଁ, ଲୁଚାଇ ରଖିବା ପାଇଁ ମଧ୍ୟ ବ୍ୟବହାର ହେଉଛି । ଏହି ନଗଦ ଟଙ୍କା  ଜରିଆରେ ଏକ ସମାନ୍ତରାଳ ଅର୍ଥନୀତି ଚାଲିଛି । 
ରିଅଲ୍ ଇଷ୍ଟେଟ୍ ନଗଦ ପାଇଁ ଏକ ଚୁମ୍ବକ ଭଳି କାମ କରୁଛି । ଯେହେତୁ ଜାଗାର ପ୍ରକୃତ ମୂଲ୍ୟ ସରକାର ସ୍ଥିର  କରିଥିବା ସର୍କଲ ରେଟ୍ ଠାରୁ ଅଧିକ, ତେଣୁ ଲୋକ ସର୍କଲ ରେଟ୍ ପର୍ଯ୍ୟନ୍ତ ବ୍ୟାଙ୍କ ମାଧ୍ୟମରେ ନେଉଛନ୍ତି, ବାକି ତକ ନଗଦରେ ନେଉଛନ୍ତି । ଏହି ଟଙ୍କାରୁ ଅଧିକାଂଶ ବିଲ୍ଡରମାନଙ୍କ ପାଖକୁ ଯାଉଛି ଓ ସେହିଠାରୁ ପଲିଟିସିଆନଙ୍କ ପାଖକୁ ଯାଉଛି । ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ହେଉଛି, ଯାହାର ହିସାବ ଇଲେକ୍ସନ କମିଶନଙ୍କୁ ଦିଆଯାଉନାହିଁ । ଆଜିକାଲି ତ ଯେଉଁ ଦଳ ପାଖରେ ଅଧିକ ଟଙ୍କା ଅଛି ସେ ବର୍ଷସାରା କିଛି ନା କିଛି ବାହାନାରେ ସବୁଆଡେ ହୋର୍ଡି ଓ କଟଆଉଟ୍ ଲଗାଉଛି । ଶୋଭାଯାତ୍ରା କରୁଛି । 
ଭାରତରେ ଜଣେ ପ୍ରାର୍ଥୀ କେତେ ଖର୍ଚ୍ଚ କରି ପାରିବ ତାହାର ସର୍ବୋଚ୍ଚ ସୀମା ରହିଛି । ମାତ୍ର ତା ପାଇଁ ତା ପାର୍ଟି କେତେ ଖର୍ଚ୍ଚ କରି ପାରିବ ତାହାର କୈାଣସି ସୀମା ସ୍ଥିର  ହୋଇନାହିଁ । ତେଣୁ ଦଳମାନେ ନିର୍ବାଚନରେ ଜମେଇକି ଖର୍ଚ୍ଚ କରୁଛନ୍ତି । ୨୦୧୮ରେ ସବୁ ରାଜନୈତିକ ଦଳ ରାଜି ଥିଲେ ଦଳମାନଙ୍କ ପାଇଁ ମଧ୍ୟ ନିର୍ବାଚନ ଖର୍ଚ୍ଚର ଏକ ଅଧିକତମ  ସୀମା ସ୍ଥିର କରାଯାଉ । କେବଳ ବିଜେପି ଏଥିରେ  ରାଜି ନଥିଲା  । ବିଜେପି ବିରୋଧୀ ଦଳରେ ଥାଉ କି ସରକାରରେ ଥାଉ, ଇଲେକ୍ସନ ଖର୍ଚ୍ଚରେ କିନ୍ତୁ ଚମ୍ପିଅନ୍ । ଏ ମାମଲାରେ ତା ପାଖ ଆଖରେ ବି କେଉଁ ଦଳ ନାହିଁ । ଅଫିସର ଓ ଇଞ୍ଜିନିୟରଙ୍କର ଦରମା ବା ଆୟ ନିର୍ଦ୍ଧାରିତ ଅଛି । ତେଣୁ ଚଢ଼ଉ ବେଳେ ତା ଠାରୁ ଅଧିକ ବାହାରିଲେ ସେମାନଙ୍କୁ ଦୋଷୀ କରା ଯାଇ ପାରିବ । 
ଆପଣମାନେ ଜାଣନ୍ତି, ଆରଏସଏସ ନାମକ ଗୋଟିଏ ଏତେବଡ ସଂଗଠନର ପଞ୍ଜିକରଣ ହୋଇନାହିଁ । ତେଣୁ ବିନା ପଞ୍ଜିକରଣରେ ବ୍ୟାଙ୍କ ଆକାଉଣ୍ଟ ବି ନାହିଁ । ତେଣୁ ସାରା ଦେଶରେ ଚେର ମେଲାଇଥିବା ଏହି ସଂଗଠନ କେବଳ ନଗଦ ଟଙ୍କାରେ ଚାଲିଛି । କେଉଁ ଭିଜିଲାନ୍ସ, କି ଆୟକର ବିଭାଗ , କି ED କିମ୍ବା ସିବିଆଇ ତାକୁ ଛୁଇଁ ପାରିବ ନାହିଁ । 
ଆଉ ଗୋଟିଏ କଥା । ଅନେକ ଧନୀ ଯେ ସେମାନଙ୍କ ପ୍ରକୃତ ଆୟ ଲୁଚାଉ ଛନ୍ତି , ଯାହା ସେମାନେ cash ଆକାରରେ ଅର୍ଜନ କରିଛନ୍ତି , ସେକଥା ଆୟକର ବିଭାଗ ତଥ୍ୟ   ବି କହୁଛି । ଏହି ସାରଣୀକୁ ଲକ୍ଷ କରନ୍ତୁ ।‌

୧ କୋଟି ଟଙ୍କାରୁ ଅଧିକ ଆୟ ଦେଖାଇଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୬୬୯୦ ଜଣ ଥିବା ବେଳେ , ୨୦୨୨-୨୩ରେ ତାହା ୨.୨୭ ଲକ୍ଷରେ ପହଞ୍ଚିଥିଲା । ଅର୍ଥାତ୍ ସେହି ୧୧ ବର୍ଷରେ ଏପରି ଲୋକଙ୍କ ସଂଖ୍ୟା ବର୍ଷକୁ ହାରାହାରି ୧୮% ଦରରେ ବଢ଼ିଛି । ସେହି ୧୮% ଦରରେ ହିସାବ କଲେ ଜଣାପଡିବ, ୨୦୨୪-୨୫ରେ ୩.୧୭ ଲକ୍ଷ ଜଣ ଲୋକ ୧ କୋଟି କିମ୍ବା ତା ଠାରୁ ଅଧିକ ଟଙ୍କାର ଆୟ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ ଜଣାଇଛନ୍ତି ଓ ତା ଉପରେ ଇନକମ୍ ଟ୍ୟାକ୍ସ ଦେଇଛନ୍ତି । ପାଠକେ, କ'ଣ ପୁରା ଭାରତରେ ମାତ୍ର ୩.୧୭ ଲକ୍ଷ ଜଣ  ଅଛନ୍ତି ଯେଉଁମାନେ ବର୍ଷକୁ କୋଟିଏ ଟଙ୍କା ଆୟ କରନ୍ତି ? ବିଶେଷ କରି ଦେଶରେ ଯେତେବେଳେ high value business ବଢ଼ିଛି, ସେତେବେଳେ ଦେଶରେ ମାତ୍ର ଏତିକି ଲୋକ କୋଟିଏ ଟଙ୍କାର ଆୟ କରୁଛନ୍ତି ? ଏହା ବିଶ୍ବାସ ଯୋଗ୍ୟ ନୁହେଁ । ତେଣୁ ଭାରତରେ ବର୍ତ୍ତମାନ ଡିଜିଟାଲ ପେସେଣ୍ଟ ବୁମ୍ କରୁଥାଉ ପଛେ, ଭାରତୀୟ ଅର୍ଥନୀତିରେ ଏବେ ବି ବହୁତ କ୍ୟାସ ଅଛି ଏବଂ ଅନେକ ଧନୀ ବ୍ୟକ୍ତି କ୍ୟାସର ସାହାଯ୍ୟରେ  ଟ୍ୟାକ୍ସ ଫାଙ୍କୁଛନ୍ତି । 
ଘାଇ ଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ । ଭିଜିଲାନ୍ସ ଚଢ଼ାଉରେ ଯାହା ଧରା ପଡୁଛି ତାହା ହେଉଛି ସମୁଦ୍ରରୁ ଶଙ୍ଖେ ।