ଜଗନ୍ନାଥ ପ୍ରସାଦ ଦାସଙ୍କ କବିତା
ଦେଶାତ୍ମବୋଧ
ନିଜ ଘର ପରିବାର ପାଇଁ
ଅନ୍ନ ସଂସ୍ଥାନର ଜୀବିକା ଖୋଜି
ସବୁ ବନ୍ଦ ଫାଟକମାନଙ୍କରେ
ବାରମ୍ବାର ଧକ୍କା ଖାଇବା ପରେ
ଗରିବ ଘରର ପିଲାଟି
ଶେଷରେ ଭର୍ତ୍ତି ହେଲା ସେନାବାହିନୀରେ
ଅଳ୍ପ କେତୋଟି ଦିନରେ ହିଁ
ସେ ଶହୀଦ ହୋଇଗଲା
କାରଗିଲର ଶୀତଳ ପ୍ରବାସରେ
ଜୀବନକୁ ଭେଟିବା ପୂର୍ବରୁ ।
ଦେଶଦ୍ରୋହ
ପକ୍ଷୀମାନେ ଜାତୀୟ ସଙ୍ଗୀତ ଗା’ନ୍ତି ନାହିଁ
ନଈ ବହିଯାଏ ନାହିଁ
ମାନଚିତ୍ରର ସରଳରେଖା ଉପର ଦେଇ
କ୍ଷେତରେ କାମ କରୁଥିବା ଲୋକ ପାଇଁ
ଗଣତନ୍ତ୍ର ଦିବସର ଛୁଟି ନାହିଁ
ଜୀବନ ସହିତ ଯୁଦ୍ଧ କରୁଥିବା ଲୋକ
ବନ୍ଦେ ମାତରମର ତାଳ ଭୁଲିଯାଏ