କ୍ଷମାପ୍ରାର୍ଥନା
ତମ ସ୍ତନକୁ ନେଇ ଲୋଭାତୁର କବିତା ଲେଖିଛି
କେତେ କେତେ କବିତାରେ ।
ଖଞ୍ଜିଛି କେତେ ଉପମା
କେବେ ମନ୍ଦର କେବେ ଶିଖର
କେବେ କପୋତ କେବେ ପଦ୍ମଫୁଲ
କେବେ କହିଛି ଶିଶିରମିଶା ଚନ୍ଦନବନ, ତମର ଦୁଇ ସ୍ତନ
କବିର ଆଖିରେ ତମେ ଖାଲି କାମର କମାଣ ।
ଶହ ଶହ ବର୍ଷ ଧରି ମୋତେ ଦିଶିଛି
କେବଳ ସୁନ୍ଦରତା
ତମେ ମୋହିନୀ ହୋଇ ଅମୃତ ଢାଳି ଚାଲିଛ
ତୃଷ୍ଣାର ପୃଥିବୀରେ ।
ଆଜି ନିଜକୁ ପଚାରୁଛି
ତମ ସ୍ତନକୁ ମୁଁ କବି ହୋଇ ଲେଖିଛି
ନା ପୁରୁଷ ହୋଇ କେବଳ ଭୋଗିଛି ?
ମୋତେ କାଇଁ କେବେ ଦିଶିନି ତ ତମ ସ୍ତନରେ
ଟଣକି ଉଠୁଥିବା ଯନ୍ତ୍ରଣା ?
ମାଂସପେଶୀରେ ଟିପେଇ ଉଠୁଥିବା ଦରଜ ?
କାଇଁ ମୁଁ ଜାଣି ପାରିନି କେତେ ପୀଡା ହୁଏ
ଦାନ୍ତ ଓ ନଖ ବାଜିଗଲେ
କୋମଳ ମାଂସରେ ?
ଶରୀର କେବଳ ଆନନ୍ଦ ନୁହେଁ
ସେଠି ସାତତାଳ ପୀଡା ଓ କଷଣ
ସେକଥା କାଇଁ କେବେ ଲେଖା ହୁଏନି
ପୁରୁଷ କବିର କବିତାରେ ?
ସ୍ତନର ଗରିମାରେ କବିତା ଲେଖିଥିବା
ପୃଥିବୀର ସବୁ ପୁରୁଷ କବି
କେବେ ବି ପଚାରି ନାହାନ୍ତି
କେତେ ଯନ୍ତ୍ରଣା ଆମେ ଦେଇଛୁ ମା’କୁ
ଭୋକିଲା ପାଟିରେ ଝୁଣିଦେବା ବେଳେ ତାର ସ୍ତନ
କେବେ ବି ପଚାରି ନାହାନ୍ତି ପ୍ରେମିକା କି ସ୍ତ୍ରୀ କୁ
କେତେ କଷ୍ଟ ହୁଏ ଉତ୍ତେଜନାର ଅତ୍ୟାଚାର ପରେ
ସୁନ୍ଦର ସ୍ତନ ସେ ପାଖେ କେତେ କ୍ଷତ
କେତେ ଯେ ଅନ୍ଧାର ଗୀତ
ତାକୁ କିଏ ଲେଖିଛି କବିତାରେ ?
ଆଜି ତମ ଆଗରେ ଅପରାଧୀ ପରି ଠିଆ ହୋଇଛି ମୁଁ
ଓ କ୍ଷମା ମାଗୁଛି
ମୁଁ ବି ସାମିଲ ସେଇ ପୁରୁଷ କବିଙ୍କ ପରମ୍ପରାରେ
ଯିଏ ସବୁ କବିତା ଲେଖନ୍ତି
ସ୍ତନର ଗରିମାରେ
ଲୋଭ ଆଉ ହିଂସାର ଅଳଙ୍କାରରେ ।