ଅନ୍ନଦାଶଙ୍କର ରାୟ : ଜାତୀୟ ପ୍ରାୟଶ୍ଚିତ

ଅନ୍ନଦାଶଙ୍କର ରାୟ : ଜାତୀୟ ପ୍ରାୟଶ୍ଚିତ

ଯାହାର ଅନିର୍ବାଣ ତପସ୍ୟା ଫଳରେ ସ୍ୱାଧୀନତା ର ସ୍ୱାଦ ପାଇଲୁ ତାହାର ଜୀବନଶିଖା ନିର୍ବାପନ କରି ଓ ସେପରି କରିବାକୁ ଯାଇ ମହାପାତକର ଭାଗୀ ହେଲୁ ଆମେ ଚାଳିଶକୋଟି ନରନାରୀ।ସମୟ ଥିବା ଆଗରୁ ମହାପ୍ରାୟଶ୍ଚିତ୍ତ ଯଦି ନକରୁ ତାହାହେଲେ ଆମକୁ ସ୍ୱାଧୀନତା ଛାଡି ଯିବ,ଲକ୍ଷ୍ମୀ ତ ଅନେକ ଦିନରୁ ଆମକୁ ଛାଡି ଯାଇଛି।

ପୃଥିବୀର ଇତିହାସରେ ଏଇ ମହାପାପର ତୁଳନା ନାହିଁ,କାରଣ ଏଇ ଅକୃତଜ୍ଞତାର ତୁଳନା ନାହିଁ।ବାର୍ତ୍ତା ଯେତେବେଳେ କାନକୁ ଆସିଲା,ପ୍ରଥମରେ ବିଶ୍ୱାସ ହେଲାନି।ବିଶ୍ୱାସ ଯେତେବେଳେ ହେଲା ବାର ବାର ପ୍ରାର୍ଥନା କଲି,ହେ ଭଗବାନ,ଆମକୁ ମାର୍ଜନା କର।ଆମକୁ କ୍ଷମା କର।

ଇହୁଦୀ ମାନେ ଏଯାଏଁ କ୍ଷମା ପାଇନାହାଁନ୍ତି,ଦୁଇ ହଜାର ବର୍ଷ ଧରି ସଜ୍ଜା ଭୋଗୁଛନ୍ତି।ମାନ ନାହିଁ,ଇଜ୍ଜତ ନାହିଁ,ବାସଭୂମୀ ନାହିଁ,ଗୋଟିଏ ସ୍ଥାନରୁ ଆଉ ଗୋଟିକୁ ବିତାଡିତ,ଲାଞ୍ଛିତ, ନିହତ।କାହିଁକି ତାଙ୍କର ଏମିତି ଶାସ୍ତି ?କାରଣ ସେମାନେ ତାଙ୍କର ପ୍ରେମିକକୁ ବଧ କରିଥିଲେ।ଆମେ ସେହିପରି କରିଛେ।ଆମର ପାପର ପରିମାଣ ବେଶି,କାରଣ ଆମର ପ୍ରେମିକ ଆମକୁ ମୁକ୍ତିର ସ୍ୱାଦ ଦେଇ ଯାଇଛି।

ଜଗତ ସମକ୍ଷରେ ମଥା ଉଚ୍ଚା କରି ଟିକିଏ ଏମିତି ଠିଆ ହୋଇଛୁ କି ନାହିଁ ଆମର ମଥା ପୁଣି ତଳକୁ ହୋଇଗଲା।ଏଇ ଅର୍ଦ୍ଧ ଅବନମିତ ଜାତୀୟ ପତାକା କ'ଣ ଆଉ ଥରେ  ସଗର୍ବରେ ଉଡିବ ?କିଏ ଜାଣେ ,କେତେ କାଳ ପରେ ?ତେର ଦିନ,ନା ତେର ବର୍ଷ,ନା ତେରଶହ ବର୍ଷ !

ଜନଗଣଙ୍କର ଶାଶ୍ୱତ କ୍ଷୁଧା କହିଲେ ତିନୋଟି ।ସ୍ୱାଧୀନତାର କ୍ଷୁଧା,ଶାନ୍ତିର କ୍ଷୁଧା ଆଉ ଅନ୍ନର କ୍ଷୁଧା।ତାଙ୍କର ସାଧନା ବଳରେ  ଆମର ସ୍ୱାଧୀନତା ର କ୍ଷୁଧା ପୂରଣ ହୋଇଛି।ତାହାର ପ୍ରଭାବରେ ଆମର ଶାନ୍ତିର କ୍ଷୁଧା ପୂରଣ ହେବାକୁ ବସିଥିଲା।ଅନ୍ନର କ୍ଷୁଧା ତାଙ୍କର ଗଠନ ପ୍ରତିଭାରେ ପୂରଣ ହେବ।ତାଙ୍କୁ ଯେଉଁମାନେ  ଅକାଳରେ ଅପସାରଣ କରିଦେଲେ ସେମାନେ କୋଟି କୋଟି ନିରନ୍ନ ର ମୁହଁର ଗ୍ରାସ କୁ କାଢି ନେଇଛନ୍ତି।ଆଉ କାଢି ନେଇଛନ୍ତି ଜୀବନର ଶାନ୍ତି।

ଜାଣିନାହିଁ ପ୍ରାୟଶ୍ଚିତ ର ପଦ୍ଧତି କ'ଣ ,ତାହାର ମିଆଦର କାଳ କେତେ ?ଯେଉଁ ଅଧର୍ମବୁଦ୍ଧି,ଯେଉଁ ବିବେକହୀନତା ସମାଜର ଉଚ୍ଚତମ ସ୍ତରରୁ ଏହି ଅପକର୍ମ କରିବା ପାଇଁ ପ୍ରେରଣା  ଓ ପ୍ରରୋଚନା ଦେଇଛି,ହୁଏତ ତାହାର ସଂଶୋଧନ ହେବ,ନତୁବା ତାହାର ଆଶ୍ରୟ ସ୍ଥଳ ଭୂମିସାତ ହେବ।ସମାଜର ଉଚ୍ଚତମ ସ୍ତର ଧୂଳିରେ ଲୋଟିବ,ଋଷିଆ ଭଳି।

ହୁଏତ ଚିତ୍ତ ବିପ୍ଳବ,ନଚେତ୍ ସମାଜ ବିପ୍ଳବ।ଆଉ ନତୁବା ସ୍ୱାଧୀନତାର ବିଲୋପ।ତାହାରି ସହ ଯୁଦ୍ଧବିଗ୍ରହ,ମନ୍ୱନ୍ତର।ନୈତିକ ଅଧଃପତନର ଶାସ୍ତି ଏଇ ଭଳି ନିଷ୍ଠୁର।

(୧୯୪୮)

°°°°°

ଏଇ ଲେଖାଟି ଶ୍ରୀ ଅନ୍ନଦାଶଙ୍କର ରାୟଙ୍କର ଏକ ପ୍ରବନ୍ଧ ସଂକଳନରୁ ଗୃହିତ।ସେହି ସଂକଳନ ର ନାଆଁ ହେଉଛି "ଦେଶ କାଳ ପାତ୍ର"।

ଅନ୍ନଦାଶଙ୍କର ଙ୍କ "ଦେଶ କାଳ ପାତ୍ର" ର ପ୍ରକାଶନ କାଳ ହେଉଛି ୧୯୫୩ ମସିହା।

ଶ୍ରୀ ଅନ୍ନଦାଶଙ୍କର ରାୟ (୧୯୦୪-୨୦୦୨) ଆମ ପାଇଁ ସେମିତି ଅପରିଚିତ ନୁହଁନ୍ତି।ଆମ ସାହିତ୍ୟର "ସବୁଜ ଯୁଗ" ର ସେ ମଧ୍ୟମଣି ଥିଲେ।ପରେ ଭାରତୀୟ ସିଭିଲ୍ ସର୍ଭିସ୍ ରେ ଯୋଗଦାନ ଓ ତାଙ୍କ ଲେଖାର ଦିଗ ପରିବର୍ତ୍ତନ ହୋଇଗଲା।ତାହାପରେ ସେ ଜୀବନର ଶେଷ ଯାଏଁ କେବଳ ବଙ୍ଗଳା ଭାଷାର ଲେଖକ ହୋଇ ରହିଗଲେ,ଯଦିଓ ତାଙ୍କର ଅନେକ ସ୍ମୃତିକଥା ରେ ଓଡିଶା ବିଶେଷତଃ ତାଙ୍କର ଜନ୍ମସ୍ଥାନ ଢେଙ୍କାନାଳ ର କଥା ବାରଂବାର ଆସିଛି।

ଏଇ ଲେଖାଟିର ମୂଳ ବଂଗଳା।

ଏଥିରେ ଲେଖାଟିର ତଳକୁ ଯେଉଁ ସାଲ ଅର୍ଥାତ୍ ୧୯୪୮ ଦିଆଯାଇଛି ସେଥିରୁ ଆପଣମାନଙ୍କର ଆଉ କୌଣସି ସନ୍ଦେହ ନଥିବ ଯେ ଏଇ ଲେଖାଟି ର ଅସଲ ପରିପ୍ରେକ୍ଷ୍ୟ କ'ଣ ? ଗାନ୍ଧୀଜୀଙ୍କ ହତ୍ୟାପରର ଏହି ତ୍ୱରିତ ପ୍ରତିକ୍ରୀୟାକୁ ପଢିଲେ ମନେ ହେବ ଏଥିରେ ଶୋକାହତ ହେବାର ଆବେଗ ଯେତିକି ରହିଛି ଭବିଷ୍ୟତ ପାଇଁ ଆଶଙ୍କା ବି ସମପରିମାଣରେ ସେତିକି ବ୍ୟକ୍ତ ହୋଇଛି।

ଅନ୍ନଦାଶଙ୍କରଙ୍କ ଗଦ୍ୟଭାଷା ସବୁବେଳେ ସ୍ୱଚ୍ଛ ଆଉ ଆଟୋପରହିତ।

ସେ ସେତେବେଳେ ଯାହା ଲେଖିଛନ୍ତି ତାହା ଆଜି ବି ପ୍ରାସଙ୍ଗିକ ବୋଲି ଉପସ୍ଥିତ ଲେଖକର ମନେ ହୁଏ।ଆଜି ବି ଆମକୁ ଆମର ସମସ୍ତ ଅପକର୍ମ ପାଇଁ  ଜାତୀୟ ପ୍ରାୟଶ୍ଚିତ କରିବାର ଆବଶ୍ୟକତା ରହିଛି।

ଅନ୍ନଦାଶଙ୍କର ଗପ,କବିତା,ପ୍ରବନ୍ଧ,ଉପନ୍ୟାସ ଆଉ ସ୍ମୃତିକଥା ମୋଟାମୋଟି ସାହିତ୍ୟର ସବୁ ବିଭାଗରେ  ଲେଖନକର୍ମ କରିଛନ୍ତି ଓ ସେ  ବଙ୍ଗଳାରେ  ଏକ ଶ୍ରଦ୍ଧାଶୀଳ ସମ୍ମାନଜନକ ନାମ। ଆମର ଏଠାରେ କିନ୍ତୁ ତାଙ୍କୁ ନେଇ ଅନେକ ପରିମାଣରେ କ୍ଷୋଭ ରହିଛି।ତାଙ୍କୁ ଏକଦା ଆକ୍ଷେପ କରି ଆମର କବିଗୁରୁ ରାଧାମୋହନ ଗଡନାୟକ ଲେଖିଥିଲେ ଯେ ସେ କାଉ ବସାର କୋଇଲି,ଯେମିତି ଜ୍ଞାନଧନ ମିଳିଗଲା ତାହାପରେ ତାହାର ଅନ୍ୟତ୍ର ଉଡିଯିବା ଥୟ।

ଆଉ ଗୋଟିଏ ତଥ୍ୟ ରଖୁଛି ।ସେଇ ତଥ୍ୟଟି ସୁଖକର ନୁହଁ।

ଆମର ଏଠାରେ ପ୍ରଖ୍ୟାତ କଂଠଶିଳ୍ପୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କର ସୁମଧୁର କଂଠରେ ଗୋଟିଏ ଗୀତ ରହିଛି,"ତେଲର ଶିଶି ଭାଙ୍ଗିଦେଲୁ ବୋଲି ମାଡ ଦେଲୁ ମାଆ/ସୁନାର ମୋର ଦେଶ ଟିକି, ଭାଙ୍ଗି ଯେ କଲେ ଟିକିଟିକି ତା'କୁ କି ଦୋଷ ଦେବୁ ମାଆ ?",ଏଇ ଗୀତଟି ର ମୂଳ ରଚୟିତା ହେଉଛନ୍ତି ଶ୍ରୀ ଅନ୍ନଦାଶଙ୍କର ରାୟ।