ହେଇ ଅନାନି, ଆମେ ହେଲୁ ଅନାମ ଗାଏଣି

ହେଇ ଅନାନି, ଆମେ ହେଲୁ ଅନାମ ଗାଏଣି

ଆଗକୁ ଅନା, ପଛକୁ ଅନା
ଯୁଆଡେ ଚାହିଁବୁ ବାଇଆ ନନା
ଜୀବନଟା ହେଲା ବଂକା ତେଢା ସଡକ
ମଝିରେ ମଝିରେ ପଡୁଛି କେତେ ମଡକ

ଇଆଡେ ଯିବୁ, ସିଆଡେ ଯିବୁ, ଦିଅଁ ତୋର କିଏ କହିବୁନି
ଖାଲି ହାତରେ କିସ ଗଣିବୁ, ଧର୍ମର ନାଁ ଜମା ନେବୁନି
ସଳଖି ଚାଲିଲେ, ଜବାବ ଦେଲେ, ପାଇବୁନି ବକସିସ୍
ନ ନୁଆଁଇ ମୁଣ୍ଡ, ନ ତେଲେଇ ତୁଣ୍ଡ, ହେଇଯିବୁ ଡିସମିସ୍

ଜମି ଗଲା, ଘର ଗଲା, ଜଳୁଛି ନିଆଁ, ବୁଲୁଛି ଚକ
କାରଖାନାରେ ଘୁଁ ଘୁଁ, ଘରର୍ ଘରର୍, ଧକଧକ
ଗୋଟେ ନୁହେଁ କେତେ ବନ୍ଦର, ହରିଲୁଟ୍ ହେଉଛି କଂଚାମାଲ
ବିଦେଶୀ ଜାହାଜ ଆସୁଛି ଯାଉଛି, ଲାଗୁଛି ସଭିଙ୍କୁ ସଲସଲ

ମଜଦୁର କାମ, ଗହମ ଗୋଟି ଗଣିତା
କୁଟୀର ଶିଳ୍ପ ଯେତକ, କଲେ ଆତ୍ମହତ୍ୟା
ସେବାକାରୀ ହେବାକୁ ସଭିଏଁ ବାଡିଆ ପିଟା
ଧାଡିକି ଧାଡି କମ୍ପ୍ୟୁଟର କୁଲି ଝଟାପଟା

ବଡ ମାଛ ଗିଳିଲା ସାନ ମାଛକୁ
ବଡ କୋଠା ଗିଳିଲା ଝୁପୁଡି ଘରକୁ
ବଡ ବେପାରୀ ହାତେଇଲା ବଡ କାରବାର
ଗିଳିଲା ଯେତକ ଖୁଚୁରା ହାଟ ବଜାର

ବାତ୍ୟା ଆସିଲା ଘନଘନ, ଉତ୍ତାପ ବଢିଲା ଫଣଫଣ
ମାଟି ପୋଡିଯାଇ ପାଣିପାଗ ହେଲା ଚାଷୀ ମାରଣ
ଦାଦନ ହେଲେ ଗାଁ ଯାକ, ରଖି ପାରିଲେନି ନିଜ ଭେକ
ବାହାରୁ ପଶିଲା ନୂଆ ଭୂତାଣୁ ସଵୁ ସଂକ୍ରାମକ

ପଢିବାକୁ ଵଡ ପାଠ, ପିଲା ପାଖେ ନାହିଁ ସମ୍ବଳ
ନ୍ୟାୟ କିଣିବାକୁ ଓକିଲ ପାଇଁ ଅଣ୍ଟିରେ ନାହିଁ ବଳ
ଶୁଖିଲାରେ ସାର୍ଟିଫିକେଟ୍ ନେଇ ଗଢିବୁ କେଉଁ ସ୍ଟାର୍ଟ ଅପ୍
ଓଦା କରିବିନୁ ଯଦି ଦପ୍ତରୀ ହାତ, ଗିଲାସ ବାଡେଇ ଚିଅର୍ସ ଅପ୍

ଆସ ଆସ ଆସ, ମେକ୍ ଇନ୍ ଓଡିଶା
ପଶ ପଶ ପଶ, ଶେଉଳ ଧର ଦେଇ ଗଡିଶା
ଫଟାଅ ପାହାଡ଼, ଶୁଖାଅ ଝର, ଖୋଳିଯା ମାଟି
ଜନସଂଖ୍ୟାର ଚାରି ଭାଗରୁ ତିନି ଭାଗ ବିପିଏଲ ଏଠି

କେତେ ଯେ ବେକାରୀ ହିସାବ ନାହିଁ ଖାସ୍
ମାଟ୍ରିକ ପାସ୍, ବିଏ ପାସ୍, ଏମେ ପାସ୍
ଡିପ୍ଲୋମାଧାରୀ ଯନ୍ତ୍ରୀ ତନ୍ତ୍ରୀ ଲକ୍ଷ ଲକ୍ଷ ରହନ୍ତି ଚାହିଁ
କାହାକୁ ଧରିବେ, କଣ ତାଡିବେ, ସାହସ ନାହିଁ

ଅଲଗା ଜୀବନ ଖୋଜୁଛୁ କାହାଠି
କେଉଁମାନେ ତୋର ସାଂଗସାଥୀ
ବାଜି ଲଗେଇବେ ଜୀବନକୁ କହି ଧିକ୍
ରଗଡି ଚିପୁଡି ଏକାଠି ନେବାକୁ ବଡ ରିସ୍କ୍

ହୁସିଆର, ଆରେ ଦଗାଦିଆ ସହରିଆ ବଉଁଶଖିଆ
ନିଶାରୁ ଉଠିବେ ଦୁଃଖିଆ ରଂକିଆ ଜିଦିଆ ଗାଁଟିଆ
ଟାକିଛନ୍ତି ହାତରେ ଧରି ରକ୍ତ ନିଆଁରେ କାଲିର ସ୍ବପ୍ନ
ସମୟ ସହିତ ଲଢେଇ ଭାଗ୍ୟର, ଆସୁ ପଛେ ମରଣ

ମନୁଆ ମାତିଲା ଶବ୍ଦ ମୈଥୁନେ, ବିଂଧିଲା ଅଚଂଛା କିଳା
ବେଇଲା ଲୋକଙ୍କ କବିତା, ଶବ୍ଦରେ ବୋଳି ଚନ୍ଦ୍ରକଳା
କିଛି ନବଦଳିଲେ ରାଗ ଭଡକେ ରେ, ଧ୍ବନି ଗରଗର
ହୃଦୟ ପୋଡିଜଳି ଥଣ୍ଡା ପାଉଁଶ ରେ, ପ୍ରାଣ ଜରଜର

ମନ ମାନୁନି, ସବୁରି ମୁହଁର ହସ ଲିଭିଲାଣି
ହେଇ ଅନାନି, ଆମେ ହେଲୁ ଅନାମ ଗାଏଣି