ସନ୍ଧିପତ୍ର

ସନ୍ଧିପତ୍ର


ତମର ସୈନ୍ୟ ସାମନ୍ତ ଅନୁଚର
ସମସ୍ତେ ତ ପରାହତ,
ତମେ ବି ଆଗ୍ରହଶୂନ୍ୟ
ଆଉ ତେବେ
 କିଏସେ କରିବ ଯୁଦ୍ଧ?
ଚଂଚଳ ସ୍ଵାକ୍ଷର କର,
 ଏଇ ସନ୍ଧିପତ୍ର।

ମୁଁ କଣ ଫୁଲଟିଏ ଯେ ଫୁଟିଥାନ୍ତି
ମରିଥାନ୍ତି ପ୍ରତିଦିନ ସୂର୍ଯ୍ୟର ଇଚ୍ଛାରେ?
ମୁଁ ଅବଶ୍ୟ ସୂର୍ଯ୍ୟ ନୁହେଁ, 
ଚନ୍ଦ୍ର ନୁହେଁ,
ପୃଥିବୀକୁ ଦେଖାଯିବି ପ୍ରବାହିତ
ସମୟ ଆଖିରେ।


ମୁଁ ତ ଭସା ମେଘ ନୁହେଁ,
ଧୂଆଁ ନୁହେଁ, ଲିଭିଲି ତ ପୁରା ପୂରି 
ପୋଛି ହୋଇଯିବି
ଫେଣ କି ବୁଦ୍ ବୁଦ ନୁହେଁ
ମୁଁ କେବେହେଁ ଜୀବନର ନିମ୍ନତମ
ପରିମାପ ହେବି।
ମୁଁ କେବେହେଁ ଏମିତି ଜାତକ ନୁହେଁ

ମଣିଷର କର ଅବା କପାଳରେ ଥିବି।

ହୁଏତ ମୁଁ ଶୀର୍ଣ୍ଣ ଏକ ଧଳା ଘାସ
ସେହି ପଥର ତଳର,
ଦେବତା ପାଦ ସ୍ପର୍ଶରେ
ଯାହା ଦିନେ ହୁଏ ଅନ୍ତର୍ହିତ,
ସେ ବଂଶୀର ଅଭ୍ୟନ୍ତର 
ଶୁନ୍ୟତା ମୁଁ,
ନିର୍ଦିଷ୍ଟ ନୀଳ ଆଙ୍ଗୁଠି ସ୍ପର୍ଶ ରେ 
ଯା' ହେଉଥାଏ ସଦା ଗୁଞ୍ଜରିତ।


ମୁଁ ସେହି ଅରଣ୍ୟ ନିତ୍ୟ ବର୍ତ୍ତମାନ
ଯେଉଁଠାରେ ମରଣ ପାଖରୁ
ମଧ୍ୟ ଅମରତ୍ୱ ବରଦାନ 
ମିଳିଯାଇପାରେ।


ମୁଁ ସେହି କଣ୍ଟକ ଯାହା ମଣିଷର
ବୁଝାମଣା ପାଇଁ ତାର
ଈଶ୍ୱରଙ୍କୁ ବାର ବାର କ୍ରୁଶବିଦ୍ଧ କରେ।

ଯଦିଚ  ଶରୀର ମୁଁ ଏପରି ଶରୀର,
ଜୀବନ ଉତ୍ସବ ପାଳେ ବୋଲି
 ଚିରକାଳ ରହିବାକୁ ଇଚ୍ଛାକରେ ବିଚିତ୍ର ସୁନ୍ଦର।
ମୁଁ ଯଦି ଅନ୍ଧାର ତେବେ 
ଏମିତି ଅନ୍ଧାର ,ଯା ଛାତିରେ
ଅହରହ ପ୍ରଜ୍ଜ୍ଵଳିତ ଅସ୍ତ୍ର ଦେବୀଙ୍କର।

ବିଜୟ ରହସ୍ୟ ମୋର ଏବେ
ଜାଣିଲ ତ?
ହେ ଅନ୍ତିମ ପ୍ରତିପକ୍ଷ,
ସନ୍ଧିପତ୍ର ଚଂଚଳ ସ୍ଵାକ୍ଷର କର,
ଯିବି ଦୂର ପଥ।