ଗ୍ରୀଷ୍ମ କଣ ପ୍ରେମ କରି ଜାଣେ
ବାକି ରହିଯାଇଥିବା ସବୁ ଅବଶୋଷ
ମାନଙ୍କୁ କହି ପାରିନି ଯେ' ;
ଚାଲ ଆଉଥରେ ସ୍ବପ୍ନ ବୁଣିବା !
କାରଣ ସ୍ବପ୍ନ ଗୋଟେ ମିଛକଥା
ସ୍ବପ୍ନ ଏପରି ଏକ ପରୀକାହାଣୀ
ଯାହାର ଅସ୍ତିତ୍ବ ବହିର ପୃଷ୍ଠାରେ ସୀମିତ
ଆଉ ଜୀବନ ଗୋଟେ ସତକଥା !
ସତ ଓ ମିଛର ଆପ୍ତବାକ୍ୟରେ
ମୁଁ ଗୋଟେ ମତ୍ସକନ୍ୟା
ଯେ ଭୁଲି ଯାଇଛି ପହଁରିବାର କଳା ।
ମୋତେ ଡର ଲାଗେ ପାଣିକୁ
ପାଣିରେ ତିଆରି ମୋର ଅସ୍ତିତ୍ବ
ସେଦିନ ସମୁଦ୍ରରେ ଭାସିଗଲା
ଯେଉଁଦିନ ବେଳାଭୂମିରେ ମୁଁ ଜଣେ ରାଜକୁମାରର ପ୍ରେମରେ ପଡିଲି,
ରାଜ ପ୍ରାସାଦ ଗୋଟେ ଭ୍ରମ
ତାର ଭିତ୍ତି ପଥରରେ ଦବି ରହିଛି
ଅନେକ ମଣିଷଙ୍କ ଅତୃପ୍ତ ଆତ୍ମା
ଶୋଷଣର ସିମେଣ୍ଟରେ ଯୋଡା ଯାଇଛି
ପଥର ଉପରେ ପଥର ,
ମଣିଷର ରକ୍ତରେ ଲିପା ହେଇଛି ଚଟାଣ
ଆଉ ଆଖିର ଲୁହରେ ଅଙ୍କା ଯାଇଛି ଛବି
ଚିତ୍ରିତ ରାଜପ୍ରାସାଦ କହିଲେ ହଜାର ବର୍ଷର ଶୋଷଣର କଳ୍ପବଟ !
ମୋ ଲୁହର ଠିକଣା ଜାଣି ନଥିବା ରାଜକୁମାର
ମୋତେ ନିତି ରାତିରେ ଯାଚେ ପ୍ରେମ
ମୁଁ ମୋର ଲୁହର ଦ୍ରାଘିମାରେ ଅପେକ୍ଷା କରିଥାଏ
ଆଉ ସେ ନିଜ କର୍ତ୍ତବ୍ୟର ଅକ୍ଷାଂଶ ରେ ଆଙ୍କୁଥାଏ ଛବି
ମୁଁ ନର୍ତ୍ତକୀ , ମୋତେ ଜଣା ନର୍ତ୍ତନର ମୂଦ୍ରା
ସେ ମୋତେ ରାଜନୀତି ପଢାଏ
ମୁଁ ମହୁମାଛି ମୋତେ ତିଆରି ଆସେ ମଧୂ
ମୁଁ ଶଦ୍ଦା, ଶଦ୍ଦ ମୋର ଆୟୁଧ
ସେ ମୋତେ ଶିକାର ପାଇଁ ଆମନ୍ତ୍ରଣ କରେ
ଏ ବିରୋଧାଭାସରେ ମୁଁ ଭୁଲିଯାଏ ନୃତ୍ୟ
ପାଦମାନେ ଉଭେଇ ଯାଆନ୍ତି
ମୁଁ ଭୁଲେ ମଧୂପର ଶୃଙ୍ଗାର
ଫୁଲମାନେ ଲିଭି ଯାଆନ୍ତି
ପ୍ରେମରେ ପଡିବା ପରେ ଭୁଲି ଯାଇଥିଲି ପହଁରି ଯିବାର କଳା ,
ଅତଏବ ଏବେ କେବଳ ଡହଡହ ଗ୍ରୀଷ୍ମ ମୋ ଆକାଶ ସାରା।
ତୁମେ କୁହ ଗ୍ରୀଷ୍ମ କଣ ପ୍ରେମ କରି ଜାଣେ?