ଲମ୍ପଟ ଦେବଦାସଙ୍କ ହୃଦୟର ଛବି

ଲମ୍ପଟ ଦେବଦାସଙ୍କ ହୃଦୟର ଛବି

ମୋ କାହାଣୀର ନାୟକ ଯେଉଁ ଦେବଦାସ ସେ ଶରତ ଚନ୍ଦ୍ରଙ୍କ ପ୍ରଖ୍ୟାତ ଉପନ୍ୟାସ ଦେବଦାସ ଭଳି ସଚ୍ଚୋଟ ପ୍ରେମିକ ନୁହେଁ ଯେ କି ପ୍ରେମିକା ପାରୋର ଘର ସାମ୍ନାରେ ଗଛ ମୂଳେ ପଡି ଶେଷ ନିଶ୍ୱାସ ତ୍ୟାଗ କରିଥିଲା  । ମୋ କାହାଣୀର ନାୟକ ଦେବଦାସ୍‍ ଜଣେ ଲମ୍ପଟ ପ୍ରେମିକ ଭାବରେ ବେଶ୍‍ ଜଣାଶୁଣା  । ତାଙ୍କୁ ନେଇ ଅନେକ କାହାଣୀ ସଚରାଚର ଶୁଣିବାକୁ ମିଳିଥାଏ ।

ଦେବଦାସଙ୍କ ପ୍ରତି ଇର୍ଷାନ୍ୱିତ ହେଉଥିବା ତାଙ୍କ ନିନ୍ଦୁକମାନେ କହନ୍ତି ମୋବାଇଲ୍‍ର ସିମ୍‍କାର୍ଡ ଭଳି ସେ ବାରମ୍ବାର ପ୍ରେମିକାମାନଙ୍କୁ ବଦଳାଇଥାନ୍ତି  । ପୁରାତନ ପ୍ରେମିକା ଆଖିରୁ ଲୁହର ଧାର ଶୁଖିବା ପୂର୍ବରୁ ସେ ନୂତନ ପ୍ରେମିକା ବାଛି ନେଇଥାନ୍ତି ଏବଂ ତା ଆଖିରୁ ମଧ୍ୟ ନୂଆ ଲୁହ ଧାର ଝରାଇବାର ଦକ୍ଷତା ତାଙ୍କର ଥାଏ  । ଗୌରବର୍ଣ୍ଣର ସୁନ୍ଦର, ଡଉଲଡାଉଲ ଚେହେରା ସମ୍ପର୍ଣ୍ଣ ଦେବଦାସଙ୍କ ସମ୍ପର୍କରେ ତାଙ୍କର ଇର୍ଷା ପରାୟଣ ବନ୍ଧୁମାନେ ପ୍ରାୟତଃ ଅପବାଦ କରୁଥିବାର ଦେଖାଯାଏ  । ସେ ସବୁକୁ ଭିତ୍ତି କରି ଅନେକ ଗଳ୍ପ ଓ କବିତା ଲେଖିବା ପାଇଁ ମଧ୍ୟ ପଛାଇ ନଥାନ୍ତି  । ଦେବଦାସଙ୍କ ବନ୍ଧୁ କବି ଅମରେଶଙ୍କ କହିବା ଅନୁଯାୟୀ ବାସର ରାତିରେ ଦେବଦାସ ବନ୍ଧୁମାନଙ୍କ ସହ ବିଦେଶୀ ମଦ୍ୟପାନ କରି ଯେତେବେଳେ ପତ୍ନୀଙ୍କ ନିକଟକୁ ଯାଇଥିଲେ ସେତେବେଳେ ତାଙ୍କ ମୁହଁରୁ ଉତ୍କଟ ମଦ୍ୟର ଗନ୍ଧ ପାଇ ଏଭଳି ଗନ୍ଧ ସହ ପୂର୍ବରୁ ପରିଚିତ ନଥିବା ସ୍ତ୍ରୀ ସେ ପେଟ୍ରୋଲ୍‍ ପିଇଛନ୍ତି ବୋଲି ପ୍ରଶ୍ନ କରିଥିଲେ  । ନବବିବାହିତା ପତ୍ନୀଙ୍କର ଏତାଦୃଶ ପ୍ରଶ୍ନ
ଶୁଣି ଦେବଦାସଙ୍କର ନିଶା ହଠାତ୍‍ ଛାଡି ଯାଇଥିଲା ଓ ସେ କହିଥିଲେ, “ମୁଁ ଯେଉଁ ସ୍କଜ୍‍ ହୁଇଶ୍କି ପିଇଛି ତାହାର ରିଟର୍‍ ପ୍ରାୟ ତିନି ହଜାର ଟଙ୍କା  । ମାତ୍ର ପେଟ୍ରୋଲ୍‍ର ଲିଟର୍‍ ପଚାଶ ଟଙ୍କା  । ମୁଁ ପେଟ୍ରୋଲ୍‍ ପିଇଛି ବୋଲି ସନ୍ଦେହ କରି ତୁମେ କେବଳ ମତେ ଅପମାନିତ କଲ ନାହିଁ ମୁଁ ପିଇଥିବା ଗୋଲ୍ଡ ଲେବଲ୍‍ ଜହ୍ନିୱାକର୍‍କୁ ମଧ୍ୟ ଅପମାନିତ କଲ  ।” ଏକଥା ଶୁଣି ପତ୍ନୀ କେବଳ ନିର୍ବୋଧ ଭଳି ତାଙ୍କ ମୁହଁକୁ ଚାହିଁଥିଲେ ଏବଂ ‘ମଧୁଚନ୍ଦ୍ରିକା’ ତାଙ୍କ ପାଇଁ ବସ୍ତୁତଃ ‘ତିକ୍ତଚନ୍ଦ୍ରିକା’ରେ ପରିଣତ ହୋଇଗଲା  । ପରଦିନ ବନ୍ଧୁମାନେ ତାଙ୍କୁ ବାସର ରାତିର ଅନୁଭୂତି ବିଷୟରେ ପ୍ରଶ୍ନ କରିବାରୁ ଦେବଦାସ ମୁହଁ ବିକୃତ କରି ତାଙ୍କର ତିକ୍ତ ଅନୁଭୂତି ବର୍ଣ୍ଣନା କଲେ  । ସମସ୍ତଙ୍କୁ ବିସ୍ମିତ କରିବା ସହ ବେଜାଏ ହସିବା ଲାଗି ଖୋରାକ୍‍ ଯୋଗାଇଲେ  ।

ଜଣେ ଉଗ୍ରପ୍ରେମିକ ଭାବରେ ବନ୍ଧୁ ମହଲରେ ଦେବଦାସଙ୍କ ସମ୍ପର୍କରେ ବହୁ କାହାଣୀ ଶୁଣିବାକୁ ମିଳେ  । ସେ ଯୁବକ ଥିବା ସମୟରେ କୌଣସି ପ୍ରେମିକାଙ୍କ ପାଇଁ ମୋଟର୍‍ ସାଇକେଲ୍‍ ଚଢ଼ି ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିଲେ ଓ ପ୍ରେମିକାଙ୍କୁ ପଛରେ ବସାଇ ‘ଦିଲ୍‍ ଉସେ ଦୁଁ ଜୋ ଜାନ୍‍ ଦେ ଦେ... ଜାନ୍‍ ଉସେ ଦୁଁ ଜୋ ଦିଲ୍‍ ଦେ ଦେ’ ଗୀତ ଗାଇ ଗାଇ ପ୍ରେମିକାଙ୍କ ହୃଦୟ ଜିତି ପାରୁଥିଲେ  । ସେ ବାଣୀବିହାରର ଛାତ୍ର ଥିବା ସମୟରେ କଟକ ବେପାରୀ ସାହିର ଜନୈକା ରଜକିନୀ ଯୁବତୀର ପ୍ରେମରେ ପଡି, ବନ୍ଧୁ ଡାକ୍ତର ଗୋପାଳ କରଙ୍କ ପରାମର୍ଶ କ୍ରମେ କିଭଳି ଦୁର୍ଗତିରୁ ମୁକୁଳି ଥିଲେ ସେ ବିଷୟରେ ତାଙ୍କର ଘନିଷ୍ଠ ବନ୍ଧୁମାନେ ଅନେକ ସମୟରେ ଉଲ୍ଲେଖ କରି ବେଜାଏ ହସୁଥିଲେ  ।

ଦେବଦାସଙ୍କ ପ୍ରେମ ବିଷୟରେ ଅନେକ କାହାଣୀ ବନ୍ଧୁ ମହଲରେ ପ୍ରଚାରିତ ହୋଇଥାଏ ଏବଂ ତାହାକୁ ବନ୍ଧୁମାନେ ଯଥେଷ୍ଟ ଉପଭୋଗ କରୁଥିଲେ ମଧ୍ୟ ସେ ନିଜେ କେବେ ହେଲେ ତାହାର ପ୍ରତିବାଦ କରୁନଥିବାରୁ ତାଙ୍କ ସମ୍ମୁଖରେ ଓ ତାଙ୍କ ପଛରେ ସେମାନେ ଆଲୋଚନା କରିବା ଫଳରେ ଜଣେ ଲମ୍ପଟ ପ୍ରେମିକ ଭାବରେ ତାଙ୍କର ଏକ ବିଚିତ୍ର ଭାବମୂର୍ତ୍ତୀ ସୃଷ୍ଟି ହୋଇଥିଲା  । ଦେବଦାସଙ୍କର ଶାନ୍ତ, ସରଳ, ଚେହେରା, ହସ ହସ ମୁହଁ ଓ ସୁନ୍ଦର ନିଶ ସାଙ୍ଗକୁ ଆକର୍ଷଣୀୟ
ଚାହାଣୀ ବହୁ ଯୁବତୀଙ୍କ ଦେହ ଓ ମନରେ କମ୍ପନ ସୃଷ୍ଟି କରୁଥିଲା ବୋଲି ତାଙ୍କ ବନ୍ଧୁମାନେ ଦାବୀ କରୁଥିଲେ  । ମାତ୍ର ସେ କେବେ ହେଲେ ତାଙ୍କର କୌଣସି ପ୍ରେମିକା ବିଷୟରେ କାହାରିକୁ ପଦେ ହେଲେ ସୂଚନା ଦେଉନଥିଲେ  । ଦେବଦାସଙ୍କର ବ୍ୟବହାର ଚାଲିଚଳଣ ଓ କଥାବାର୍ତ୍ତା ଏତେ ମାତ୍ରାରେ ଆକର୍ଷଣ ଓ ରୋମାଞ୍ଚକର ଥିଲା ଯେ ବିବାହିତା ମହିଳାମାନେ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହୋଇପଡୁଥିବାର ଦେଖାଯାଉଥିଲା  । ଶୁଣାଯାଏ ଯେ ବାଣୀବିହାରରେ କାର୍ଯ୍ୟରତ
ଜନୈକା ବିବାହିତା ଶିକ୍ଷୟତ୍ରୀ ତାଙ୍କ ପ୍ରେମରେ ଏତେ ପରିମାଣରେ ବିଭୋର ହୋଇଯାଇଥିଲେ ଯେ ନିଶାର୍ଦ୍ଧରେ ସ୍କୁଟି ଚଢ଼ି ଆସି ଗୋପନରେ ଦେବଦାସଙ୍କ ସହ ରାତ୍ରୀ ଯାପନ କରି ଫେରିଯାଉଥିଲେ  । ଦେବଦାସଙ୍କର ଶାନ୍ତ, ସରଳ ଓ ନିର୍ବୋଧ ପତ୍ନୀ ତାଙ୍କୁ ଏତେ ପରିମାଣରେ ବିଶ୍ୱାସ କରୁଥିଲେ ଯେ କାହାସହ ତାଙ୍କର ଗୋପନ ସମ୍ପର୍କକୁ ମଧ୍ୟ ସେ ସାମାନ୍ୟତମ ସନ୍ଦେହ କରୁନଥିଲେ  ।

ଏହି ଶିକ୍ଷୟତ୍ରୀ ଯେତେବେଳେ ଜନୈକ ପ୍ରଭାବଶାଳୀ ମୁସଲ୍‍ମାନ୍‍ ଯୁବକଙ୍କ ପ୍ରେମରେ ପଡି ଦେବଦାସଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କଲେ ସେତେବେଳେ ସେ ଅତି ପରିମାଣରେ ମର୍ମାହତ ହୋଇ ଆତ୍ମହତ୍ୟା କରିବା ପାଇଁ ମନସ୍ଥ କରିଥିଲେ  । ମାତ୍ର ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ହୃଦୟ ଟାଉନ୍‍ ବସ୍‍ ଭଳି ବହୁ ପ୍ରେମିକଙ୍କୁ ଏକ ସମୟରେ ଯାତାୟତ କରିବାର ସୁଯୋଗ ଦେଇଥାଏ ବୋଲି ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଆଶ୍ୱସନା ଦେବା ସଙ୍ଗେ ସଙ୍ଗେ ତାହାର ପ୍ରମାଣ ଦେବାରୁ ସେ ଆତ୍ମହତ୍ୟା ନିଷ୍ପତ୍ତିରୁ କ୍ଷାନ୍ତ ହୋଇଥିଲେ  । ଏହି ପ୍ରେମିକ ଦେବଦାସ ଦିନେ ଛାତିରେ ପ୍ରଚଣ୍ଡ ଯନ୍ତ୍ରଣା ଅନୁଭବ କରି ଆପୋଲୋ ହସ୍‍ପିଟାଲ୍‍ରେ ପରୀକ୍ଷା ନିରୀକ୍ଷା କରାଇ ଜଣାପଡିଥିଲା ଯେ ସେ ହୃଦରୋଗରେ ଆକ୍ରାନ୍ତ  । ଏହାର ଉପଶମ ପାଇଁ ଏବଂ ହୃଦୟର ପ୍ରକୃତ ଅବସ୍ଥା ଜାଣିବା ପାଇଁ କେତେଗୁଡିଏ ଅତ୍ୟାଧୁନିକ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି  । ଯେଉଁ ପରୀକ୍ଷା ଦ୍ୱାରା ତାଙ୍କ ହୃଦୟର ଭିତରର ଚିତ୍ର ସ୍ପଷ୍ଟ ହୋଇଯିବ ଓ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା କରାଯାଇପାରିବ  । ଏକଥା ଶୁଣିବା ପରେ ଦେବଦାସ ଯେତେମାତ୍ରାରେ ଚିନ୍ତିତ ହୋଇନଥିଲେ ଅଧିକ ପରିମାଣରେ ଚିନ୍ତିତା ହୋଇଉଠିଥିଲେ ଧର୍ମପତ୍ନୀ ମାନସୀ  । 

ଦେବଦାସ ବହୁ ପ୍ରେମିକାଙ୍କ ସହ ସମ୍ପୃକ୍ତ ବୋଲି ତାଙ୍କର ଯଥେଷ୍ଟ ବଦନାମ ଥିଲେ ମଧ୍ୟ ମାନସୀ କେବେହେଲେ ତାଙ୍କୁ ସନ୍ଦେହ କରୁନଥିଲେ  । ବିଭିନ୍ନ ସମୟରେ ଯୁବତୀମାନଙ୍କ ସହ ଅବାଧ ମିଳାମିଶାକୁ ମଧ୍ୟ ସେ ପ୍ରଶୟ ଦେଇ ଆସୁଥିଲେ  । କାରଣ ଦେବଦାସଙ୍କ ପ୍ରତି ତାଙ୍କ ମନରେ ଥିଲା ପ୍ରଚଣ୍ଡ ବିଶ୍ୱାସ  । ସେ ହୃଦରୋଗରେ ପିଡୀତ ହେବା ପରେ ମାନସୀ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ  ।

ସ୍ୱାମୀଙ୍କର ଏତାଦୃଶ ଅସୁସ୍ଥତା ଯୋଗୁଁ କ୍ଲାନ୍ତି ଓ ଅବସାଦରେ ଶୋଚନୀୟ ଭାବରେ ଭାଙ୍ଗି ପଡିଥିଲେ ମାନସୀ  । ଡାକ୍ତରଖାନା ବେଡ୍‍ରେ ଦେବଦାସଙ୍କ ପାଦକୁ ଆଉଁସି ଦେଉ ଦେଉ ତାଙ୍କୁ ନିଦ ଆସିଯାଇଥିଲା  । ଡାକ୍ତରମାନେ ଆସି ଦେବଦାସଙ୍କର ଆଞ୍ଜିଓଗ୍ରାମ୍‍ କରିବା ପାଇଁ ନେବା ସମୟରେ ମାନସୀଙ୍କୁ ମଧ୍ୟ ତାଙ୍କ ସାଙ୍ଗରେ ଯିବା ପାଇଁ କହିଥିଲା  । ଉତ୍କଣ୍ଠାର ସହ ମାନସୀ ପଚାରିଥିଲେ ଏହି ପରୀକ୍ଷାରୁ କଣ ଜଣାପଡିବ ? ଡାକ୍ତର କହିଥିଲେ ଦେବଦାସଙ୍କ ହୃଦୟ ଭିତରର ଟିକିନିଖି ଛବି ଦେଖି ସେମାନେ ତାଙ୍କ ସ୍ୱାସ୍ଥ୍ୟର ଆକଳନ କରିପାରିବେ  । ପରୀକ୍ଷା ଟେବୁଲ୍‍ ଉପରେ ଦେବଦାସ ଶୋଇ ରହିଥିବା ବେଳେ ନିକଟରେ ଥିବା କମ୍ପ୍ୟୁଟର୍‍ ମନିଟର୍‍କୁ ଦେଖାଇ ଡାକ୍ତରମାନେ ମାନସୀକୁ କହିଲେ ଏହି କମ୍ପୁଟର୍‍ରେ ଦେବଦାସଙ୍କ ହୃଦୟର ଟିକିନିଖି ଦେଖି ସେମାନେ ତାଙ୍କର ସ୍ୱାସ୍ଥ୍ୟର ସ୍ଥିତି ଆକଳନ କରିବେ  । ମାନସୀ ହଠାତ୍‍ ମୁଣ୍ଡ ଭିତରେ ପ୍ରଚଣ୍ଡ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ  । ଯଦି ତାଙ୍କ ହୃଦୟର ସ୍ଥିତି ଭଲ ନଥିବ ସେ କଣ କରିବେ ? ଡାକ୍ତରମାନେ ଦେବଦାସଙ୍କ ଛାତିରେ ଯନ୍ତ୍ରଟିଏ ଲଗାଇ କମ୍ପୁଟର୍‍ ସ୍କ୍ରିନ୍‍ରେ ଦେଖୁଥାନ୍ତି  । ତାଙ୍କ ହୃଦୟର ପ୍ରତିଟି ସ୍ପନ୍ଦନ ତରଙ୍ଗାୟିତ ହୋଇ ମନିଟର୍‍ ସ୍କ୍ରିନ୍‍ରେ
ଦେଖାଯାଉଥାଏ  । ସେ ସବୁ ଦେଖିବା ଲାଗି ମାନସୀଙ୍କର ଧେର୍ଯ୍ୟ ରହିଲା ନାହିଁ  । ସେ ଆଖି ବୁଜି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ  ।

ସେ ଭାବୁଥିଲେ ହଠାତ୍‍ କମ୍ପୁଟର୍‍ ସ୍କ୍ରିନ୍‍ରେ ଦେଖାଯାଉଥିବା ତରଙ୍ଗଗୁଡିକ ନିଶ୍ଚଳ ହୋଇଯିବ ଏବଂ ତା ଭିତରେ ଅନେକ ନାରୀ ଓ ଯୁବତୀଙ୍କର ଗୋଟିଏ ଗ୍ରୁପ୍‍ ଫଟୋ ଦେଖାଯିବ  । ଏହା ଯେ ଦେବଦାସଙ୍କ ପ୍ରେମିକାମାନଙ୍କର ଏକ ସମବେତ ଚିତ୍ର  । ତାରି ଭିତରେ ସେ ନିଜର ଛବିଟି ଖୋଜିବା ପାଇଁ ଚେଷ୍ଟା କରି ବାରମ୍ବାର ନିରାଶ ହେବେ କେବଳ  । ସେ କିଭଳି ଏଭଳି ପରିସ୍ଥିତିର ମୁକାବିଲା କରିବେ ତାହା ଚିନ୍ତା କରିପାରିଲେ ନାହିଁ  । ତଥାପି ଦୁଇ ହାତରେ ଆଖି ଦୁଇଟି ମଳି ସେ ସାହାସର ସହିତ ପୂର୍ନବାର ମନିଟର୍‍କୁ ଚାହିଁଲେ ଏବଂ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ  । ସେ ଦେବଦାସଙ୍କର
ପ୍ରେମିକାମାନଙ୍କର ଯେଉଁ ସମବେତ ଚିତ୍ରଟି ଦେଖିବେ ବୋଲି ଆଶା କରୁଥିଲେ ସେ ସ୍ଥାନରେ କେବଳ ଗୋଟିଏ ମାତ୍ର ଚିତ୍ର ସ୍ଥିର ହୋଇ ରହିଛି ଏବଂ ସେ ଚିତ୍ରଟି ଆଉ କାହାର ନୁହେଁ ମାନସୀଙ୍କର  ।