ପାଠକଙ୍କ ଗହଣରେ ଜେପି ଦାସ

ପାଠକଙ୍କ ଗହଣରେ ଜେପି ଦାସ

ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ନାରାୟଣୀ ବୁକ୍ ଷ୍ଟଲ୍ ରେ ବିଶିଷ୍ଟ କବି, କଥାକାର ଏବଂ ନାଟ୍ୟକାର ଜଗନ୍ନାଥ ପ୍ରସାଦ ଦାସ ନିଜ ପାଠକମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ଭୁବନେଶ୍ୱରର ଲେଖକ ଖଟି ଭାବରେ ପରିଚିତ ଏହି ସ୍ଥାନରେ ସର୍ବାଧିକ ଓଡ଼ିଆ ବହି ଓ ପତ୍ରିକା ଉପଲବ୍ଧ ହୋଇଥାଏ। କେତକୀ ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଜେପି ଦାସଙ୍କ ନୂତନ ପୁସ୍ତକ "ନବଗୁଞ୍ଜର" ପାଠକମାନେ ଲେଖକଙ୍କ ଦସ୍ତଖତରେ କିଣିଥିଲେ। ପାଠକଙ୍କ ସହିତ ଲେଖକଙ୍କର ଭାବଗତ ସମ୍ପର୍କ ଅଧିକ ନିବିଡ଼ ହେବାକୁ ହେଲେ ଲେଖକକୁ ପାଠକ ପାଖରେ ପହଞ୍ଚାଇବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଥିଲେ। ଅତ୍ୟନ୍ତ ସହଜ ଢଙ୍ଗରେ ଶ୍ରୀ ଦାସ ତରୁଣ ଲେଖକ ଓ ପାଠକଙ୍କ ସହ ମତ ବିନିମୟ କରିଥିଲେ। ଏହି ଅନୌପଚାରିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଲୋଚକ ଯତୀନ୍ଦ୍ର କୁମାର ନାୟକ, କବି ରବୀନ୍ଦ୍ର କୁମାର ସ୍ବାଇଁ, ଶୁଭଶ୍ରୀ ଲେଙ୍କା, ଅନୀଲ ପ୍ରଧାନ, ପ୍ରଦୋଷ ମହାନ୍ତି, ସଞ୍ଜୟ କୁମାର ବାଗ୍, ସୁମନ ଦାସ, ରଚିତା ସ୍ବାଇଁ, ଈଶା ଦାସ, ଅଙ୍କିତ କୁମାର, ଆଶିଷ କୁମାର, ସୁବ୍ରତ ସେନାପତି ଓ କେଦାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ବରିଷ୍ଠ ଲେଖକଙ୍କ ନିଜ ପାଠକଙ୍କ ସହିତ ଏଭଳି ନିବିଡ଼ ମିଳାମିଶା ପାଠକ ଅଭିବୃଦ୍ଧିରେ ସାହାଯ୍ୟ କରିବ।